News18 Odia Digital
ଢେଙ୍କାନାଳ: କୋଲକାତାର ଇଣ୍ଡିଆନ ମ୍ୟୁଜିୟମରେ ସିଆଇଏସଏଫରେ କାର୍ଯ୍ୟରତ ଓଡ଼ିଆ ଯବାନ ଅକ୍ଷୟ ମିଶ୍ରଙ୍କ ଗୁଳିମାଡ ଘଟଣା ପରେ ସ୍ତବ୍ଧ ହୋଇଯାଇଛି ଜନ୍ମ ମାଟି କାମାକ୍ଷାନଗରର ମାଛିଆ ଗାଁ। କୋଲକାତା ପୋଲିସ ସଠିକ ତଦନ୍ତ କରି ପ୍ରକୃତ କାରଣ ବାହାର କରିବାକୁ ଦାବି କରିଛନ୍ତି ଗ୍ରାମବାସୀ।
ଶନିବାର ସନ୍ଧ୍ୟାରେ କୋଲକାତାର ଇଣ୍ଡିଆନ ମ୍ୟୁଜିୟମରେ ସିଆଇଏସଏଫର ଓଡ଼ିଆ ଯବାନ ଅକ୍ଷୟ କୁମାର ମିଶ୍ର ତାଙ୍କ ଉପରିସ୍ଥ ଅଧିକାରୀ ରଞ୍ଜିତ ଷଡ଼ଙ୍ଗୀଙ୍କ ଉପରକୁ ଅତର୍କିତ ଗୁଳିବର୍ଷା କରିଥିଲେ। ସେ ତାଙ୍କ ସର୍ଭିସ ରାଇଫଲରୁ 25 ରୁ 30 ରାଉଣ୍ଡ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ଓଡ଼ିଆ ଜବାନ ସିଆଇଏସଏଫ ଏଏସଆଇ ରଞ୍ଜିତ ଷଡ଼ଙ୍ଗୀ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ଅନ୍ୟଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସୁବୀର ଘୋଷ ଏଥିରେ ଆହତ ହୋଇ କୋଲକାତାର ଏକ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି।
ପ୍ରାଥମିକ ତଦନ୍ତ ଅନୁସାରେ ଅକ୍ଷୟ କୁମାର ମିଶ୍ର ତାଙ୍କ ବାପାଙ୍କ ମୃତ୍ୟୁ ପରେ ଘରକୁ ଛୁଟିରେ ଆସିବା ପାଇଁ ଆବେଦନ କରିଥିଲେ। ହେଲେ ତାହା ମଞ୍ଜୁର ନହେବାରୁ ଏଭଳି କାଣ୍ଡ ଭିଆଇଥିବା ଜଣା ପଡ଼ିଥିଲା। କିନ୍ତୁ ଏବେ ତାହା ଭୁଲ ପ୍ରମାଣିତ ହୋଇଛି। ଅକ୍ଷୟ ମିଶ୍ର ତାଙ୍କ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେବା ପାଇଁ ଦୁଇ ମାସ ତଳେ ପାଇଁ ଗାଁକୁ ଆସିଥିଲେ ବୋଲି କହିଛନ୍ତି କାମାକ୍ଷାନଗରର ମାଛିଆ ଗ୍ରାମବାସୀ।
ଓଡ଼ିଆ ଯବାନ ଅକ୍ଷୟ ମିଶ୍ରଙ୍କ ବାପା ଉମେଶ ଚନ୍ଦ୍ର ମିଶ୍ରଙ୍କ ଗତ ଏପ୍ରିଲ 26 ତାରିଖରେ ମୃତ୍ୟୁ ହେବା ପରେ ଛୁଟି ନେଇ ଗାଁକୁ ଆସିଥିଲେ। ତାଙ୍କ ବାପାଙ୍କ ଦଶକର୍ମ ଦିନ ବଡ଼ ବାପା ନୃସିଂହ ଚନ୍ଦ୍ର ମିଶ୍ରଙ୍କ ଦେହାନ୍ତ ହେବାରୁ ସେ ତାଙ୍କ କର୍ମକ୍ଷେତ୍ର କୋଲକାତା ଫେରି ପାରିନଥିଲେ। ଯେଉଁଥି ପାଇଁ ତାଙ୍କୁ ଆଉଥରେ ଛୁଟି ଆବେଦନ କରିବାକୁ ପଡ଼ିଥିଲା।
ଯବାନ ଅକ୍ଷୟ ମିଶ୍ର ଜଣେ ଭଦ୍ର ନମ୍ର ଓ ସରଳ ବ୍ୟକ୍ତି ବୋଲି କହିଛନ୍ତି ମାଛିଆ ଗ୍ରାମବାସୀ। ସେ ବର୍ଷକୁ ଥରେ କିମ୍ବା ଦୁଇଥର ଗାଁକୁ ଆସନ୍ତି। ଗାଁରେ ରହିବା ସମୟରେ ସବୁ ବର୍ଗର ଲୋକଙ୍କ ସହ ଭଲଭାବରେ ମିଶନ୍ତି। ଏହା ସହ ଗାଁର ଭଲମନ୍ଦରେ ସାହାଯ୍ୟ ସହଯୋଗ ବି କରନ୍ତି। ତାଙ୍କ ଭଳି ଜଣେ ସରଳ ବ୍ୟକ୍ତି ହଠାତ୍ ଏଭଳି ଗୁଳିମାଡ଼ କରିବା ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ମାଛିଆ ଗ୍ରାମବାସୀ।
ତାଙ୍କର ସାନଭାଇ ବିଜୟ ମିଶ୍ର ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଇଂଜିନିୟର ଭାବେ କାର୍ଯ୍ୟ କରିବା ସହିତ ମା' ସୁକାନ୍ତି ମିଶ୍ରଙ୍କୁ ତାଙ୍କ ପାଖରେ ରଖୁଥିବା ଜଣାପଡ଼ିଛି। ଅକ୍ଷୟଙ୍କ ପତ୍ନୀ ମାନୁଶ୍ରୀ ମିଶ୍ର ତାଙ୍କର ଦୁଇ ପିଲାଙ୍କ ପାଠପଢ଼ା ପାଇଁ ଢେଙ୍କାନାଳ ସହରର କଣ୍ଟାନାଳୀ ନିକଟରେ ଏକ ଭଡାଘର ନେଇ ରହୁଥିବା ଜଣାପଡ଼ିଛି। ଅକ୍ଷୟଙ୍କ ପୂରା ପରିବାର କେତେବେଳେ କେମିତି ଗାଁକୁ ଯାଇ ବୁଲାବୁଲି କରି ଫେରି ଆସନ୍ତି ବୋଲି ଜଣାପଡ଼ିଛି।
କୋଲକାତାରେ କାର୍ଯ୍ୟରତ ସିଆଇଏସଏଫ ଓଡ଼ିଆ ଜବାନ ଅକ୍ଷୟ ମିଶ୍ର ଗୁଳିମାଡ ଘଟଣା ପରେ କୋଲକାତା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କିନ୍ତୁ କେଉଁ ପରିସ୍ଥିତିରେ ସେ ଏଭଳି ଚରମ ପଦକ୍ଷେପ ନେଲେ ତାହାର ଉଚିତ୍ ତଦନ୍ତ କରିବାକୁ ଦାବି କରିଛନ୍ତି ଅକ୍ଷୟଙ୍କ ସମ୍ପର୍କୀୟ ଭାଇ ବିପିନ ବିହାରୀ ମିଶ୍ର।
"ଅକ୍ଷୟ କୁମାର ମିଶ୍ର ଛୁଟି ନେଇ ତାଙ୍କ ବାପାଙ୍କ ମୃତ୍ୟୁ ପରେ ଗାଁକୁ ଆସିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବଡ଼ ବାପାଙ୍କ ଦେହାନ୍ତ ପରେ ତାଙ୍କୁ ମାସେ ପର୍ଯ୍ୟନ୍ତ ଗାଁରେ ରହିବାକୁ ପଡ଼ିଥିଲା। କିନ୍ତୁ ସେଥିପାଇଁ ତାଙ୍କୁ ଛୁଟି ମଞ୍ଜୁର ହୋଇଥିଲା କି ନାହିଁ ତାହା ଜଣା ପଡ଼ିନାହିଁ। ଉପରିସ୍ଥ ଅଧିକାରୀଙ୍କ ସହିତ ତାଙ୍କର କୌଣସି ବିବାଦକୁ ନେଇ ଏଭଳି ଘଟଣା ଘଟିଥାଇପାରେ,’’ କହିଛନ୍ତି ମାଛିଆ ଗ୍ରାମବାସୀ ନବଘନ ସାହୁ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।