News18 Odia Digital
ଭୁବନେଶ୍ବର: କନ୍ଧମାଳ ଜିଲ୍ଲାର ଅଖ୍ୟାତ ଝିଅ ଏବେ ସାରା ଦେଶରେ ଅନେକଙ୍କ ପାଇଁ ପାଲଟିଛନ୍ତି ଉଦାହରଣ। ବାଲ୍ୟ ବିବାହକୁ ବିରୋଧ କରିବା ପାଇଁ ସାରା ଦେଶର ସବୁ ଝିଅମାନେ ଆଗେଇ ଆସିବା ଉଚିତ୍ ବୋଲି ନିଜ କାର୍ଯ୍ୟ ଜରିଆରେ ସେ ବାର୍ତ୍ତା ଦେଇଛନ୍ତି।
ମୁଖ୍ୟ କଥା ହେଲା ଅନ୍ତର୍ଜାତୀୟ କନ୍ୟା ଶିଶୁ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହ ବାର୍ତ୍ତାଳାପ କରି ଏଭଳି ବାଲ୍ୟ ବିବାହକୁ ବିରୋଧ କରିବା ପାଇଁ ସରକାରୀ ସ୍ତରରେ ଲୋକଙ୍କୁ ଅଧିକ ସଚେତନ କରିବାକୁ ଅନୁରୋଧ ମଧ୍ୟ କରିଥିଲେ ସେ। ଏହି ସାହସୀ ଝିଅ ଜଣକ ହେଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଆଇଟିଆଇର ଇଲେକ୍ସ୍ରିକାଲ ଟ୍ରେଡ଼ର ପ୍ରଥମ ବର୍ଷର ଛାତ୍ରୀ ସୁପ୍ରଭା ଶୁଭଦର୍ଶିନୀ ବେହେରା। .
ଚଳିତ ବର୍ଷ ଜୁଲାଇ ମାସର ଘଟଣା। କନ୍ଧମାଳ ଜିଲ୍ଲା ଚକାପାଦସ୍ଥିତ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ସୁପ୍ରଭା ଶୁଭଦର୍ଶିନୀଙ୍କ ଅନିଚ୍ଛା ସତ୍ୱେ ପରିବାର ଲୋକେ ତାଙ୍କ ବିବାହ ପାଇଁ ସମସ୍ତ ଆୟୋଜନ କରିଥିଲେ। କିନ୍ତୁ ୧୬ ବର୍ଷୀୟା ସୁପ୍ରଭା ଆରମ୍ଭରୁ ଏହି ବିବାହକୁ ବିରୋଧ କରିଥିଲେ। ହେଲେ ପରିବାର ଲୋକେ ସୁପ୍ରଭାଙ୍କ କଥାକୁ ଗୁରୁତ୍ୱ ଦେଇନଥିଲେ। ଆଉ ଏପଟେ ନିଜ ଜିଦିରୁ ହଟିନଥିଲେ ସୁପ୍ରଭା। ପରେ ସେ ଏନେଇ ଅଙ୍ଗନୱାଡ଼ି ଦିଦିଙ୍କ ସହାୟତାରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଜିଲ୍ଲା ପ୍ରଶାସନ. ଆକ୍ସନଏଡ଼ ଟିମ୍, ୟୁନିସେଫ, ଚାଇଲ୍ଡଲାଇନ ଓ ସ୍ଥାନୀୟ ପୋଲିସର ମିଳିତ ଉଦ୍ୟମରେ ସୁପ୍ରଭାଙ୍କୁ ଆଶ୍ୱସ୍ତି ମିଳିଥିଲା। ପରିବାର ଲୋକେ ଏହି ବିବାହରୁ ଓହରିବାକୁ ବାଧ୍ୟ ହୋଇଥିଲେ। ଏଭଳି ଖବର କେବଳ ସ୍ଥାନୀୟ ଅଞ୍ଚଳରେ ନୁହେଁ, ସାରା ଦେଶରେ ଚର୍ଚ୍ଚିତ ହେଲା।
ଏହି କାରଣରୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସରେ ଯୋଗ ଦେବା ପାଇଁ ସୁପ୍ରଭାଙ୍କୁ ଆମନ୍ତ୍ରଣ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ୬ଟି ରାଜ୍ୟର ୬ଜଣ ଏଭଳି ବିରଳ ଝିଅ ସାମିଲ ହୋଇଥିଲେ। ସୁପ୍ରଭା ଯେତେବେଳେ ନିଜ ଜୀବନର ଘଟଣାକୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସାମ୍ନାରେ ବଖାଣିଲେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ। ବଡ଼ କଥା ହେଉଛି ଓଡ଼ିଶାର ଅଖ୍ୟାତ ଅଞ୍ଚଳର ଏହି ଝିଅ ଯେତେବେଳେ ବାଲ୍ୟ ବିବାହକୁ ବନ୍ଦ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କଲେ ସେତେବେଳେ ତାଳି ମାଡ଼ରେ ସାରା ହଲ ପ୍ରକମ୍ପିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସୁପ୍ରଭାଙ୍କ ସହିତ ତାଙ୍କ ବାପା ଓ ଆକ୍ସନଏଡ଼ର କନ୍ଧମାଳ ଜିଲ୍ଲା ସଂଯୋଜିକା ସନ୍ଧ୍ୟାରାଣୀ ନାୟକ ମଧ୍ୟ ଦିଲ୍ଲୀ ଯାତ୍ରା କରିଥିଲେ।
ଜିଲ୍ଲା ସଂଯୋଜିକା ସନ୍ଧ୍ୟାରାଣୀଙ୍କ କହିବା ଅନୁସାରେ ସାରା ଦେଶରୁ ମୋଟ ୬ଜଣ ଝିଅଙ୍କୁ ଏଥିରେ ସାମିଲ ହେବା ପାଇଁ ଆମନ୍ତ୍ରଣ ମିଳିଥିବା ବେଳେ ଓଡ଼ିଶାରୁ ଏକମାତ୍ର ଚେହେରା ଭାବେ ପ୍ରତିନିଧିତ୍ୱ କରିଥିଲେ ସୁପ୍ରଭା। ସେ ଯେତେବେଳେ ବାଲ୍ୟ ବିବାହକୁ ବିରୋଧ କରି ପରିବାର ଲୋକଙ୍କ ଆକ୍ରୋଶର ଶୀକାର ହୋଇଥିଲେ ସେ ସମୟରେ ତାଙ୍କ ପଛରେ ଛିଡ଼ା ହୋଇଥିଲେ ପୂରା ପ୍ରଶାସନ। ପ୍ରଶାସନର ମିଳିତ ଉଦ୍ୟମରେ ତାଙ୍କ ବିବାହ ବନ୍ଦ ହେବା ସହିତ ଅଧିକ ପଢ଼ିବା ଓ ଆଗକୁ ବଢ଼ିବା ପାଇଁ ତାଙ୍କୁ ସୁଯୋଗ ମିଳିଥିଲା।
ଦାରିଙ୍ଗବାଡ଼ି ଆଇଟିଆଇରେ ଇଲେକ୍ଟ୍ରିକାଲ ବିଭାଗରେ ସେ ଛାତ୍ରୀ ଥିବାରୁ ସେ ଅଞ୍ଚଳରେ ବିଦ୍ୟୁତ୍ ଉପକରଣର ମରାମତି ଓ ତିଆରି ପାଇଁ ସୁଯୋଗ ସୃଷ୍ଟି କରିବା ପାଇଁ ସେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି ସୁପ୍ରଭା। ତାଙ୍କର ଏହି ଅନୁରୋଧରେ ଖୁସି ହୋଇଯାଇଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଏହାଛଡା ନିଜର ଦୁଇ ଝିଅକୁ ବାଲ୍ୟ ବିବାହ ଦେବାକୁ ଉଦ୍ୟମ କରୁଥିବା ସୁପ୍ରଭାଙ୍କ ବାପା ଏହି ଘଟଣା ପରେ ନିଜ ଝିଅ ପାଇଁ ଗର୍ବିତ ବୋଲି କହିଛନ୍ତି ସେ ନିଜେ।
ଏବେ କେବଳ କନ୍ଧମାଳ କିମ୍ବା ଓଡ଼ିଶା ଭିତରେ ନୁହଁନ୍ତି ସାରା ଦେଶରେ ନିଜ ଉଦ୍ୟମ ପାଇଁ ଚର୍ଚ୍ଚିତ ହୋଇଛନ୍ତି ସୁପ୍ରଭା। ଆଗକୁ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତ ପ୍ରତିକୂଳସ୍ଥିତିକୁ ସାମ୍ନା କରିବା ପାଇଁ ସେ ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।