'ଶୀତ ରାତି'ର ମନମୋହନ ମହାପାତ୍ର ‘କ୍ଳାନ୍ତ ଅପରାହ୍‌ଣ’ରେ ଚ଼ାଲି ଗଲେ, ଛାଡ଼ିଗଲେ 'ନିରବ ଝଡ଼'

୧୯୭୬ରେ ମନମୋହନ ତାଙ୍କ ପ୍ରଥମ ଚଳଚ୍ଚିତ୍ର ‘ଶୀତ ରାତି’ର ନିର୍ଦ୍ଦେଶନା ଦେଇଥିଲେ । ପରବର୍ତ୍ତୀ ବର୍ଷମାନଙ୍କରେ ସେ ‘କ୍ଲାନ୍ତ ଅପରାହ୍ଣ’, ‘ନିଶିଥ ସ୍ବପ୍ନ’, ‘ମଝି ପାହାଚ’, ‘ଭିନ୍ନ ସମୟ’ ଓ ‘ନୀରବ ଝଡ଼’ ପରି ଅନେକ ଫିଲ୍ନ ନିର୍ମାଣ କରିଥିଲେ ଓ ଗୋଟେ ପରେ ଗୋଟେ ଆଠଟି ଜାତୀୟ ପୁରସ୍କାର ପାଇ ରାଜ୍ୟ ଲାଗି ଗୌରବ ଆଣିଥିଲେ ।

'ଶୀତ ରାତି'ର ମନମୋହନ ମହାପାତ୍ର ‘କ୍ଳାନ୍ତ ଅପରାହ୍‌ଣ’ରେ ଚ଼ାଲି ଗଲେ, ଛାଡ଼ିଗଲେ 'ନିରବ ଝଡ଼'
ସିନେମା ଆକାଶର ଅସଲି ତାରକା ମନମୋହନ ମହାପାତ୍ର
  • News18 Odia
  • Last Updated: January 13, 2020, 11:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଧାରାବାହିକ ଭାବେ ଆଠଟି ଜାତୀୟ ଫିଲ୍ମ ପୁରସ୍କାର ଲାଭ କରିଥିବା ଓଡ଼ିଆ ସିନେ ଜଗତର ଅବିସ୍ମରଣୀୟ ପ୍ରତିଭା ମନମୋହନ ମହାପାତ୍ର ୬୯ ବର୍ଷ ବୟସରେ ସବୁ ଦିନ ପାଇଁ ଆଖି ବୁଜିଛନ୍ତି ।

ଓଡ଼ିଆ ସିନେମାକୁ ଅନେକ କଳାତ୍ମକ ଫିଲ୍ମ ଭେଟି ଦେଇଥିବା ଏହି ବିଶିଷ୍ଟ ସିନେ ନିର୍ଦ୍ଦେଶକ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ନିର୍ଦ୍ଦେଶିତ ଆଠ ଆଠଟି ଚଳଚ୍ଚିତ୍ର ପାଇଛି ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ସେ ହିନ୍ଦୀ ଫିଲ୍ମ 'ବିଟ୍ସ ଆଣ୍ଡ ପିସେସ୍‌'ର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ, ଯେଉଁଥିରେ ନନ୍ଦିତା ଦାସ, ରାହୁଲ ବୋଷ ଓ ଦିୟା ମିର୍ଜାଙ୍କ ଭଳି କଳାକାର କରିଥିଲେ ଅଭିନୟ ।

ମନମୋହନଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସୃଷ୍ଟି ହୋଇଛି ଅପୂରଣୀୟ କ୍ଷତି । ଆଜି (ଜାନୁଆରୀ ୧୩) ରାତିରେ ପୁରୀରେ ତାଙ୍କ ଶେଷକୃତ୍ୟ ଅନୁଷ୍ଠିତ ହୋଇଛି ।

୧୯୭୬ରେ ମନମୋହନ ତାଙ୍କ ପ୍ରଥମ ଚଳଚ୍ଚିତ୍ର ‘ଶୀତ ରାତି’ର ନିର୍ଦ୍ଦେଶନା ଦେଇଥିଲେ । ଏ ଫିଲ୍ମଟି ୧୯୮୨ ମସିହାରେ ଆନ୍ତର୍ଜାତିକ ଫିଲ୍ମ ଉତ୍ସବରେ ସ୍ଥାନିତ ହୋଇ ସେ ଗୌରବ ପାଇଥିବା ପ୍ରଥମ ଓଡ଼଼ିଆ ଫିଲ୍ମ ହୋଇଥିଲା । ପରେ ସେ ‘କ୍ଲାନ୍ତ ଅପରାହ୍ଣ’, ‘ନିଶିଥ ସ୍ବପ୍ନ’, ‘ମଝି ପାହାଚ’, ‘ଭିନ୍ନ ସମୟ’ ଓ  ‘ନୀରବ ଝଡ଼’ ସମେତ ଅନେକ ଫିଲ୍ନ ନିର୍ମାଣ କରିଥିଲେ ଓ ଗୋଟେ ପରେ ଗୋଟେ ଜାତୀୟ ପୁରସ୍କାର ପାଇ ରାଜ୍ୟ ଲାଗି ଗୌରବ ଆଣିଥିଲେ । ସେ ହିଁ ଏ ପର୍ଯ୍ୟନ୍ତ ସବୁ ଠୁଁ ଅଧିକ ଥର ରାଷ୍ଟ୍ରୀୟ ପୁରସ୍କାର ପାଇଥିବା ଓଡ଼ିଆ ସିନେମା ନିର୍ମାତା-ନିର୍ଦ୍ଦେଶକ ।

ମନମୋହନଙ୍କ ବିୟୋଗ ପରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟ୍‌


ମନମୋହନ ଏଫଟିଟିଆଇ, ପୁନେରେ ଫିଲ୍ମ ଶିକ୍ଷା ଶେଷ କରିଥିଲେ ଫିଲ୍ମ ଇନଷ୍ଟିଚ୍ୟୁଟରୁ ସ୍ୱର୍ଣ୍ଣ ପଦକ ହାସଲ କରି । ତା’ପରେ ୧୯୭୫ରେ ପ୍ରଥମ ଥର ଲାଗି ଏକ ପ୍ରାମାଣିକ ଚଳଚିତ୍ର ନିର୍ମାଣ କରିଥିଲେ ସେ । ୧୯୭୫ ମସିହାରେ ପ୍ରଥମ କରି "ଆଣ୍ଟି-ମେମୋରିସ୍" ନାମକ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।

ଓଡ଼ିଆ କଥାଚିତ୍ର ବ୍ୟତିତ ସେ ବହୁ ବୃତ୍ତଚିତ୍ର, କ୍ଷୁଦ୍ର ଚଳଚ୍ଚିତ୍ର ତଥା ହିନ୍ଦୀ ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।  ସେ ଜୟଦେବ ପୁରସ୍କାର, ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଓ ସମ୍ମାନସୂଚକ ଡିଲିଟ ଉପାଧିରେ ଭୂଷିତ ହୋଇଥିଲେ ।

ମନମୋହନ ୧୯୫୧ମସିହା ନଭେମ୍ବର ୧୦ରେ ଖୋର୍ଦ୍ଧାରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାଁ ଥିଲା ରାଧାକୃଷ୍ଣ ମହାପାତ୍ର ଓ ମାତାଙ୍କ ନାମ ପ୍ରମିଳା । ବିଜେବି କଲେଜରୁ ସ୍ନାତକ ଶେଷ କରିବା ପରେ ସୋ ନିର୍ଦ୍ଦେଶକ ନୀରଦ ମହାପାତ୍ରଙ୍କ ସଂସ୍ପର୍ଶରେ ଆସିଥିଲେ । ନୀରଦବାବୁ ତାଙ୍କୁ ଚଳଚ୍ଚିତ୍ର ସମ୍ବନ୍ଧୀୟ ପୁସ୍ତକ ପଢିବାକୁ କହିଥିଲେ ଓ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଯୋଗଦେବା ପାଇଁ ପ୍ରବର୍ତ୍ତାଇଥିଲେ ।

ମନମୋହନଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟରରେ ମୁଖ୍ୟମନ୍ତ୍ରୀ କହିଛନ୍ତି: ‘‘ତାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ନିର୍ଦ୍ଦେଶକ ଭାବେ ମନମୋହନଙ୍କ ଅବଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପବିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି ।’’
First published: January 13, 2020, 11:58 PM IST
corona virus btn
corona virus btn
Loading