ଓଲିଉଡରେ ହଇଚଇ: ଅଭିନେତା ପିଣ୍ଟୁ ନନ୍ଦଙ୍କ ନାଁରେ କାଷ୍ଟି୍ଂ କାଉଚ୍ ଅଭିଯୋଗ ଆଣିଲେ ଯୁବତୀ
‘‘ଆଗକୁ ବଡ଼ ସେଲିବ୍ରେଟି ହେବାକୁ ହେଲେ ଆମ କଥା ବୁଝିବାକୁ ପଡ଼ିବ’’ ବୋଲି ପିଣ୍ଟୁ ନନ୍ଦ ଯୁବତୀଙ୍କୁ ସୁଟିଂ ସେଟରେ କହିଥିଲେ ବୋଲି ଓ ସେ ନାପସନ୍ଦ କରି ବାହାରିଆସିବାରୁ ତାଙ୍କ ସହ ଦୁର୍ବବ୍ୟବହାର କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।

ଅଭିନେତା ପିଣ୍ଟୁ ନନ୍ଦ; (ଡାହାଣ) ଅଭିଯୋଗକାରିଣୀ ନବାଗତା ଅଭିନେତ୍ରୀ
- News18 Odia
- Last Updated: July 31, 2020, 12:31 AM IST
ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ଅଭିନେତା ପିଣ୍ଟୁ ନନ୍ଦଙ୍କ ବିରୋଧରେ କାଷ୍ଟିଂ କାଉଚ ଅଭିଯୋଗ ଉଠିବା ପରେ ଓଲିଉଡରେ ହଇଚଇ ଖେଳିଯାଇଛି l ଓଡ଼ିଆ ଫିଲ୍ମ ‘ଗୋଲାପି ଗୋଲାପି-୨’ର ସୁଟିଂ ସେଟରେ ଜଣେ ନବାଗତା ଅଭିନେତ୍ରୀଙ୍କ ସହ ପିଣ୍ଟୁ ନନ୍ଦ ଦୁର୍ବ୍ୟବହାର କରିଥିଲେ ବୋଲି ସେ ଅଭିନେତ୍ରୀ ଥାନାରେ ଓ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି l
‘‘ଆଗକୁ ବଡ଼ ସେଲିବ୍ରେଟି ହେବାକୁ ହେଲେ ଆମ କଥା ବୁଝିବାକୁ ପଡ଼ିବ’’ ବୋଲି ପିଣ୍ଟୁ ନନ୍ଦ ସେହି ଯୁବତୀଙ୍କୁ ସୁଟିଂ ସେଟରେ କହିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏ ଭଳି କଥା ଶୁଣି ନୂଆ ନୂଆ ଫିଲ୍ମ ଲାଇନରେ ପାଦ ଥାପିବାକୁ ଆସିଥିବା ଯୁବତୀ ଜଣକ ନୟାପଲ୍ଲୀ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ ।
ଏହି କଥିତ ଘଟଣା ଜୁଲାଇ ୨୮ ତାରିଖରେ ନୟାପଲ୍ଲୀରେ ଥିବା ଅନ୍ନପୂର୍ଣ୍ଣା ହୋଟେଲରେ ଓଡ଼ିଆ ଫିଲ୍ମ ‘ଗୋଲାପି ଗୋଲାପି-୨’ର ସୁଟିଂ ଚାଲିଥିବା ବେଳେ ଘଟିଥିଲା ବୋଲି ଅଭିଯୋଗ କରିଛନ୍ତି ଯୁବତୀ ଜଣକ l ସୁଟିଂ ସେଟରେ ଥିଲେ ଅନେକ ଅଭିନେତା ଓ ଅଭିନେତ୍ରୀ l ଅନେକ ଜୁନିୟର ଆର୍ଟିଷ୍ଟ ମଧ୍ୟ ହୋଟେଲକୁ ଆସିଥିଲେ l

ଅଭିଯୋଗ ପରେ ରାତିରେ ନୟାପଲ୍ଲୀ ଥାନାକୁ ପିଣ୍ଟୁ ନନ୍ଦ ଓ ତାଙ୍କ ସହଯୋଗୀମାନଙ୍କୁ ଡକାଯାଇଥିଲା ।
‘‘ଯୁକ୍ତ ୩ ପଢ଼ା ସାରି ମୁଁ ଫିଲ୍ମ ଦୁନିଆରେ ପ୍ରବେଶ କରିବାକୁ ଇଚ୍ଛା କରିଥିଲି । ଫେସବୁକ ଓ ଟିକ ଟିକ ଜରିଆରେ ମାନସ ସହ ପରିଚୟ ହୋଇଥିଲା l ଫିଲ୍ମ ପାଇଁ ଜୁନିୟର କଳାକାର ଆବଶ୍ୟକ ଥିବା ସମ୍ପର୍କରେ ମାନସ ଫେସବୁକ ଓ ଟିକ ଟିକ ଜରିଆରେ ଜଣାଉଥିଲା l ତେଣୁ ତା’ ସହ ଯୋଗାଯୋଗ କରିଥିଲି l ମାନସ କହିଥିଲା ଫିଲ୍ମରେ ମୋତେ ପିଣ୍ଟୁ ନନ୍ଦଙ୍କ ପତ୍ନୀ ଭୂମିକାରେ ଅଭିନୟ କରିବାକୁ ସୁଯୋଗ ଦିଆଯିବ l ଏଥି ପାଇଁ ଜୁଲାଇ ୨୮ ତାରିଖରେ ଅନ୍ନପୂର୍ଣ୍ଣl ହୋଟେଲକୁ ସୁଟିଂ ପାଇଁ ଆସିଥିଲି । ସେଠି ପ୍ରାୟ ୩ ଘଣ୍ଟା ଅପେକ୍ଷା କରିବା ପରେ ବି ମୋ’ର କୌଣସି ସୁଟିଂ ହୋଇ ନ ଥିଲା,’’ କହିଛନ୍ତି ଯୁବତୀ l
ସୁଟିଂ ସମୟରେ ମାନସ ଆସି ତାଙ୍କୁ ‘‘ଭାଇଙ୍କ କଥା ଟିକେ ବୁଝିବ’’ ବୋଲି କହିଥିବା ସେ କହିଛନ୍ତି l ଯୁବତୀ ଆହୁରି କହିଛନ୍ତି ଯେ ପିଣ୍ଟୁ ନନ୍ଦ ସେଠି ତାଙ୍କୁ କହିଥିଲେ, ‘‘ଆଗକୁ ବଡ଼ ସେଲିବ୍ରେଟି ହେବାକୁ ହେଲେ ଆମ ସହ କମ୍ପ୍ରମାଇଜ୍ କରିବାକୁ ପଡ଼ିବ l’’
‘‘ଏ କଥା ମୋତେ ପସନ୍ଦ ଲାଗି ନ ଥିଲା l ମୁଁ ସୁଟିଂ ସେଟରୁ ବାହାରି ଆସୁଥିବା ବେଳେ ପିଣ୍ଟୁ ନନ୍ଦ ମୋତେ ହୋଟେଲର ଏକ ରୁମରେ ପୂରାଇ ଦେବାକୁ କହିଥିଲେ… ମୋ’ ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ତାଙ୍କ ଏଭଳି ବ୍ୟବହାରରେ ନିଜକୁ ଅସୁରକ୍ଷିତ ମନେ କରି ମୁଁ ପୋଲିସକୁ ଜଣାଇଥିଲି,’’ କହିଛନ୍ତି ଯୁବତୀ ।
ଏହି ଅଭିଯୋଗ ପରେ ପୋଲିସ ହୋଟେଲରେ ଆସି ପହଞ୍ଚିଥିଲା l ତଦନ୍ତ ପାଇଁ ରାତାରାତି ପିଣ୍ଟୁ ନନ୍ଦଙ୍କୁ ଥାନାକୁ ଆସିବାକୁ ପଡ଼ିଥିଲା l ହେଲେ ନନ୍ଦ ତାଙ୍କ ବିରୋଧରେ ହୋଇଥିବା ସବୁ ଅଭିଯୋଗକୁ ଆଧାରହୀନ ବୋଲି କହିଛନ୍ତି ।
‘‘ଏହି ଯୁବତୀଙ୍କୁ ମୁଁ ଡାକିନି କି ସୁଟିଂ ସେଟରେ କେବେ ଦେଖିନି l କିନ୍ତୁ ସୁଟିଂ ସେଟରେ ପାଟିତୁଣ୍ଡ ହୋଇଥିବାରୁ ଜୁନିୟର କଳାକାରଙ୍କୁ ବାହାରକୁ ଚାଲିଯିବାକୁ କହିଥିଲି l ତେଣୁ ସେମାନଙ୍କୁ ହୋଟେଲ ବାହାରକୁ ବାହାର କରିଦିଆଯାଇଥିଲା l ଭଗବାନ ଜାଣନ୍ତି ମୋ’ ବିରୋଧରେ କାହିଁକି ଯୁବତୀ ଜଣକ ଅଭିଯୋଗ କରିଛନ୍ତି l ତଦନ୍ତ ପାଇଁ ହୋଟେଲରେ ଲାଗିଥିବା ସିସିଟିଭି ଯାଞ୍ଚ କରାଯାଉ,’’ କହିଛନ୍ତି ନନ୍ଦ ।
ଏହା ବି ପଢ଼ନ୍ତୁ: Happy Birthday Babushan! ‘ଚକୋଲେଟ୍ ହିରୋ’ ବାବୁସାନଙ୍କ ପାଇଁ ଛୁଟିଛି ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ
ଏହା ବି ପଢ଼ନ୍ତୁ: ଅନଲକ୍ ୩ ଗାଇଡଲାଇନ୍ ଜାରି: ଅଗଷ୍ଟ ୧ରୁ ହଟିବ ନାଇଟ୍ କର୍ଫ୍ୟୁ, ୫ରୁ ଖୋଲିବ ଜିମ୍ ଓ ଯୋଗ ଅନୁଷ୍ଠାନ
ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା: ତାଙ୍କ ବାପା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦେଲେ
ଏବେ ପ୍ରଶ୍ନ ଉଠିଛି ଯେ କିଏ କହୁଛି ସତ । ପିଣ୍ଟୁ ନନ୍ଦ ନା ଫିଲ୍ମ ଦୁନିଆରେ କରିୟର ବନେଇବାକୁ ସ୍ୱପ୍ନ ନେଇ ଆସିଥିବା ଯୁବତୀ l ପ୍ରକୃତରେ ସେଦିନ ସୁଟିଂ ସେଟରେ ହୋଇଥିଲା କ’ଣ? କ’ଣ ପାଇଁ ଯୁବତୀ ଜଣକ ଚିହିଙ୍କି ଯାଇଥିଲେ ଓ ରାତାରାତି ପିଣ୍ଟୁ ନନ୍ଦଙ୍କୁ ନୋଟିସ କରି ଛାଡ଼ିଥିଲା ପୋଲିସ?