ନିଜ ମିଠା କଣ୍ଠରେ ଅଗଣିତ ଜୀବନ ପାତ୍ର ଭରିଥିବା ‘ଗୁରୁମା’ ସୁନନ୍ଦା ପଟ୍ଟନାୟକ ଆଉ ନାହାନ୍ତି

ସୁନନ୍ଦାଙ୍କ କାଳଜୟୀ ଗୀତ ହେଉଛି ‘ଜୀବନ ପାତ୍ର ମୋ ଭରିଛ କେତେ ମତେ ….’। ଏହି ଗୀତଟି ଓଡ଼ିଶାର ଘରେ ଘରେ ପରିଚ଼ିତ ଓ ଆଦୃତ । ହାଇ ପିଚ୍ରେ ଗୀତ ଗାଇବା ଶୈଳୀ ପାଇଁ ସେ ଶ୍ରୋତାମାନଙ୍କର ଅତି ପ୍ରିୟ ଥିଲେ ।

ନିଜ ମିଠା କଣ୍ଠରେ ଅଗଣିତ ଜୀବନ ପାତ୍ର ଭରିଥିବା ‘ଗୁରୁମା’ ସୁନନ୍ଦା ପଟ୍ଟନାୟକ ଆଉ ନାହାନ୍ତି
ସୁନନ୍ଦା ପଟ୍ଟନାୟକ
  • News18 Odia
  • Last Updated: January 19, 2020, 1:14 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୂବନେଶ୍ୱର: ନିଜ ମଧୁର କଣ୍ଠ ସ୍ୱରରେ କୋଟି କୋଟି ଲୋକଙ୍କ ହୃଦୟ ଜିତିଥିବା ସ୍ୱନାମଧନ୍ୟ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । କୋଲକାତାର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା ।

ଓଡ଼ିଶା ସଙ୍ଗୀତ ଏକାଡେମୀ ପୁରଷ୍କାର ଓ ଉତ୍କଳ ରତ୍ନ ସମ୍ମାନ ସହ ଅନେକ ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନିତ ହୋଇଥିବା ଓଡ଼ିଶାରେ ତାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ‘ଗୁରୁମା’ ନାଆଁରେ ପରିଚ଼ିତ ଥିଲେ । ତାଙ୍କର କାଳଜୟୀ ଗୀତ ହେଉଛି ‘ଜୀବନ ପାତ୍ର ମୋ ଭରିଛ କେତେ ମତେ ….’। ଏହି ଗୀତଟି ଓଡ଼ିଶାର ଘରେ ଘରେ ପରିଚ଼ିତ ଓ ଆଦୃତ । ତାଙ୍କ ହାଇ ପିଚ୍‌ରେ ଗୀତ ଗାଇବା ଶୈଳୀ ପାଇଁ ସେ ଶ୍ରୋତାମାନଙ୍କର ଅତି ପ୍ରିୟ ଥିଲେ ।

ସୁନନ୍ଦାଙ୍କ ପରଲୋକରେ ଓଡ଼ିଆ ସଙ୍ଗୀତ ଜଗତକୁ ଅପୂରଣୀୟ କ୍ଷତି ହୋଇଛି ବୋଲି ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ନିଜ ଶୋକ ସନ୍ଦେଶରେ କହିଛନ୍ତି ।

‘‘ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଶାସ୍ତ୍ରୀୟ ସଙ୍ଗୀତ ଜଗତରେ ତାଙ୍କ ସ୍ଥାନ ସର୍ବଦା ସ୍ୱତନ୍ତ୍ର ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି,’’ ଏକ ଟ୍ୱିଟ୍‌ରେ କହିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।

ସାହିତ୍ୟ ଓ ସଂଗୀତରେ ଡକ୍ଟରେଟ ଲାଭ କରିଥିବା ସୁନନ୍ଦା ଗ୍ୱାଲିଅର ଘରାନାର କଣ୍ଠଶିଳ୍ପୀ ଥିଲେ ଓ ସଂଗୀତରେ ସୃଷ୍ଟି କରିଥିଲେ ନୀଳମାଧବ ଓ ସୁବର୍ଣ୍ଣମୁଖୀ ଭଳି ନଅଟି ରାଗ । ସେ ଥିଲେ ପ୍ରଖ୍ୟାତ କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଝିଅ । ସୁନନ୍ଦାଙ୍କ ଉପରେ ନିର୍ମିତ ପ୍ରାମାଣିକ ଚଳଚ୍ଚିତ୍ର ‘ନୀଳମାଧବ’କୁ ୨୦୧୦ରେ ମିଳିଥିଲା ଜାତୀୟ ପୁରସ୍କାର ।
First published: January 19, 2020, 1:14 PM IST
corona virus btn
corona virus btn
Loading