ଆଉ ନାହାନ୍ତି ପ୍ରିୟ ଅଭିନେତା ବିଜୟ ମହାନ୍ତି; ଭୁବନେଶ୍ୱରର ଘରୋଇ ହସପିଟାଲରେ ଦେହାନ୍ତ ହେଲା

ପାଖାପାଖି ୧୮୦ରୁ ଅଧିକ ଫିଲ୍ମରେ ଅଭିନୟ କରି କୋଟି କୋଟି ଓଡ଼ିଆଙ୍କ ପ୍ରିୟ ଅଭିନେତା ହୋଇଥିବା ବିଜୟ ମହାନ୍ତି ଜୁନ୍ ୨୪ରେ ହାଇଦ୍ରାବାଦରୁ ଓଡ଼ିଶା ଫେରିଥିଲେ । ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇଥିଲା ।

ଲୋକପ୍ରିୟ ଓଡ଼ିଆ ସିନେ ଅଭିନେତା ବିଜୟ ମହାନ୍ତି

ଲୋକପ୍ରିୟ ଓଡ଼ିଆ ସିନେ ଅଭିନେତା ବିଜୟ ମହାନ୍ତି

  • Share this:
News18 Odia Digital

ଭୁବନେଶ୍ୱର: ଓଡ଼ିଆ ସିନେମାର ପ୍ରିୟ ଅଭିନେତା ବିଜୟ ମହାନ୍ତି ଆଉ ନାହାନ୍ତି । ୭୦ ବର୍ଷ ବୟସରେ ଆଜି ସନ୍ଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ସେ ସବୁ ଦିନ ପାଇଁ ଆଖି ବୁଜିଛନ୍ତି ।

ଆଜି (ସୋମବାର) ସନ୍ଧ୍ୟାରେ ବିଜୟ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଭର୍ତ୍ତି ହେବାର ଅଳ୍ପ କିଛି ସମୟ ପରେ ସେ ଦୁନିଆକୁ ବିଦାୟ ଦେଇଥିଲେ ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି (Odia actor Bijay Mohanty passes away)।

ପାଖାପାଖି ୧୮୦ରୁ ଅଧିକ ଫିଲ୍ମରେ ଅଭିନୟ କରି କୋଟି କୋଟି ଓଡ଼ିଆଙ୍କ ପ୍ରିୟ ଅଭିନେତା ହୋଇଥିବା ବିଜୟ ମହାନ୍ତି ମେ ମାସ ହାଇଦ୍ରାବାଦରେ ଏକ ହସପିଟାଲରେ ହୃଦ ରୋଗ ପାଇଁ ଚିକିତ୍ସିତ ହେଉଥିଲେ । ଜୁନ୍‌ ୨୪ରେ ସେ ଓଡ଼ିଶା ଫେରିଥିଲେ । ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇଥିଲା ।

ଅଭିନେତା ବିଜୟ ମହାନ୍ତି


୧୯୫୦ ମସିହାରେ କେନ୍ଦ୍ରାପଡ଼ାର ପଣ୍ଡିରିରେ ଜନ୍ମ ହୋଇଥିବା ଓ ବାରିପଦାରେ ବଢ଼ିଥିବା ବିଜୟ ମହାନ୍ତି ନିଜ ବିଚକ୍ଷଣ ଅଭିନୟ ପ୍ରତିଭା ଦ୍ୱାରା ଓଡ଼ିଆ ସିନେମାରେ ଯୋଡ଼ିଥିଲେ ଗୋଟିଏ ପରେ ଗୋଟିଏ ନୂଆ ଅଧାୟ । ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ଥିଲେ ଜଣେ ଉଜ୍ବଳ ତାରକା । ଆଜି ସେ ତାରକା ମଉଳି ଯାଇଥିବାରୁ ସାରା ଓଡ଼ିଶାରେ ଶୋକର ବାତାବରଣ ଖେଳିଯାଇଛି ।

ମେ ମାସରେ ଓଲିଉଡର ଏହି ଲୋକପ୍ରିୟ ବର୍ଷିୟାନ ଅଭିନେତାଙ୍କ ଦେହ ଭଲ ନ ତାଗିବାରୁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସପାଟାଲକୁ ନିଆଯାଇଥିଲା । ସେଠାରେ ଚେକ୍‌-ଅପ୍‌ କରି ତାଙ୍କୁ ଡିସଚାର୍ଜ କରିବା ସମୟରେ ହିଁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ପୁଣି ଖରାପ ହେବାରୁ ତାଙ୍କୁ ତୁରନ୍ତ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ)କୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତରମାନେ ତାଙ୍କର ହୃଦୟ ରୋଗ ସମ୍ବନ୍ଧୀୟ ସମସ୍ୟା ଥିବା ଜାଣିବାକୁ ପାଇଥିଲେ ଓ ଚିକିତ୍ସା ଆରମ୍ଭ କରିଥିଲେ ।

‘‘ଭାଗ୍ୟ ଭଲ ଯେ ସେ ହସପିଟାଲକୁ ଆସିଥିବା ବେଳେ ହିଁ ତାଙ୍କ ଦେହର ଅବସ୍ଥା ବିଗିଡ଼ିଯାଇଥିଲା । ନହେଲେ ଭାରି ବିପଦଜନକ ହୋଇଥାନ୍ତା,’’ ସେତେବେଳେ କହିଥିଲେ ବିଜୟ ମହାନ୍ତିଙ୍କ ପତ୍ନୀ ଓ ଲୋକପ୍ରିୟ ଅଭିନେତ୍ରୀ ତନ୍ଦ୍ରା ରାୟ ।

ବିଜୟ ମହାନ୍ତିଙ୍କୁ ଆଣିବାକୁ ଭୁବନେଶ୍ୱରରୁ ହାଇଦ୍ରାବାଦ ଯାଇଥିଲା ଏକ ଆମ୍ବୁଲାନ୍ସ


ହାଇଦ୍ରାବାଦରେ ବିଜୟ ମହାନ୍ତିଙ୍କ ଝିଅ ରହନ୍ତି । ପୂର୍ବରୁ ଏହି ଭେଟେରାନ ଅଭିନେତା ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ ଓ କିଛି ମାସ ତଳେ ତାଙ୍କର ଏକ  ସାମାନ୍ୟ ଅସ୍ତ୍ରୋପଚାର ମଧ୍ୟ ହୋଇଥିଲା ।

ବିଜୟ ମହାନ୍ତି ନିଜ ଅଭିନୟ କରିଅର୍‌ ଥିଏଟରରୁ ଆରମ୍ଭ କରିଥିଲେ ଓ ଚଳଚ୍ଚିତ୍ରରେ ପ୍ରବେଶ କରିବା ପୂର୍ବରୁ ଅନେକ ନାଟକର ନିର୍ଦ୍ଦେଶନା ଦେଇଥିଲେ । ତାଙ୍କର ଡେବ୍ୟୁ ଫିଲ୍ମ ‘ଚିଲିକା ତୀରେ’ରେ ତାଙ୍କ ଅଭିନୟ ଅନେକ ପ୍ରଶଂସା ଅର୍ଜନ କରିଥିଲା ଓ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆଣିଦେଇଥିଲା ।

ଏହା ବି ପଢ଼ନ୍ତୁ: ବିକାଶ ଦୁବେର ପୋଷ୍ଟ ମର୍ଟମ ରିପୋର୍ଟ: ତାକୁ ୬ ଥର ଗୁଳି କରାଯାଇଥିଲା; ୩ଟି ଗୁଳି ଦେହରେ ପଶିଥିଲା

ଦେଖନ୍ତୁ ଫଟୋ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରେମିକା ନତାଶା ଗର୍ଭବତୀ ହେଲେ; ଫଟୋ ସେୟାର କରି ସେ ଏହି କଥା ଲେଖିଲେ

‘ସମୟ ବଡ଼ ବଳବାନ୍’, ‘ନାଗ ଫାସ’, ‘ସହାରୀ ବାଘ’, ‘ଦଣ୍ଡା ବାଳୁଙ୍ଗା’ ଓ ‘ଚକା ଭଉଁରୀ’ ଭଳି ଚଳଚ୍ଚିତ୍ରରେ ନକାରାତ୍ମକ ଭୂମିକା ପାଇଁ ବିଜୟ ମହାନ୍ତି ଖୁବ୍‌ ପ୍ରସିଦ୍ଧ । ତାଙ୍କ ଅଭିନିତ ଅନ୍ୟ ଉଲ୍ଲେଖନୀୟ ଫିଲ୍ମଗୁଡିକ ମଧ୍ୟରେ ‘ଆରତୀ’, ‘ଆମ ଘର ଆମା ସଂସାର’, ‘ମମତା ମାଗେ ମୂଲ’, ‘ଆଇ ଲଭ୍ ମାଇଁ ଇଣ୍ଡିଆ’, ‘ଏଇ ଆମା ସଂସାର’, ‘ଲକ୍ଷ୍ମଣ ରେଖା’, ‘ରାଖୀ ଭିଜିଗଲା ଆଖି ଲୁହରେ’, ‘କି ହେବା ସୁଆ ପୋଷିଲେ’, ‘ଭୀଷ୍ମ ପ୍ରତିଜ୍ଞା’, ‘ଭାଇ ହେଲା ଭଗାରୀ’ ଓ ‘ସୁନା ପଞ୍ଜୁରୀ’ ଅନ୍ୟତମ ।
Published by:Anand Shankar Thankur Das
First published: