News18 Odia Digital
ଭୁବନେଶ୍ବର: ଏଏଫ୍ସି ଏସୀୟ ମହିଳା କପ୍ ଫୁଟବଲ ପାଇଁ ଥିମ୍ ସଙ୍ଗ୍ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି ଜଣେ ଓଡ଼ିଆ ଯୁବକ। ନିକଟରେ ନବି ମୁମ୍ବାଇଠାରେ ଆୟୋଜିତ ଏଏଫସି ମହିଳା ଏସୀୟ କପ୍ ଫୁଟବଲ-୨୦୨୨ ପାଇଁ ଥିମ୍ ସଙ୍ଗ୍ ପ୍ରସ୍ତୁତ କରିଥିବା ଏହି ଯୁବକ ଜଣକ ହେଉଛନ୍ତି ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଅନୁରାଗ ପଟ୍ଟନାୟକ। ଚଳିତ ବର୍ଷ ଜାନୁୟାରୀ ୨୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଫୁଟବଲ ପ୍ରତିଯୋଗିତା ଆସନ୍ତା ୬ ତାରିଖ ଯାଏ ଚାଲିବ।
ମିଳିଥିବା ସୂଚନା ଅନୁସାରେ, ମହାରାଷ୍ଟ୍ରର ପୁଣେ, ମୁମ୍ବାଇ ଓ ନବି ମୁମ୍ବାଇରେ ଅନୁଷ୍ଠିତ ହେଉଥିବା ଏଏଫସି ମହିଳା ଏସୀୟ କପ୍ ଫୁଟବଲ ପାଇଁ ଅନୁରାଗଙ୍କୁ ଥିମ୍ ସଙ୍ଗ୍ ପ୍ରସ୍ତୁତ କରିବା ପାଇଁ ଅଫର ମିଳିଥିଲା। ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ଏହି ଅଫର ମିଳିବା ପରେ ଏହି ସୁଯୋଗକୁ ସେ ହାତଛଡ଼ା କରି ପାରିନଥିଲେ। ଅନୁରାଗଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଥିମ୍ ସଙ୍ଗ୍ ପ୍ରସ୍ତୁତ ହେବା ସହିତ ରିଲିଜ ମଧ୍ୟ ହୋଇଛି।
ଅନୁରାଗଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଥିମ୍ ସଙ୍ଗ୍ ପାଇଁ କଣ୍ଠଦାନ କରିଛନ୍ତି ନାବ୍ୟା ଜୟତି। ସେହିପରି ଗୀତ ରଚନା କରିଛନ୍ତି ଇମ୍ରାନ୍ ଫରହାନ। ଏହି ଥିମ୍ ସଙ୍ଗ୍ ପ୍ରସ୍ତୁତ ପାଇଁ କ୍ୟାମେରା ପରିଚାଳନା ଓ ସମ୍ପାଦନା ଦାୟିତ୍ୱ ତୁଲାଇଛନ୍ତି ଅନ୍ୟତମ ଓଡ଼ିଆ ଯୁବକ ମୌସମ ସାହୁ। କ୍ରିଏଟିଭ୍ ହେଡ଼ ଦାୟିତ୍ୱରେ ଅଛନ୍ତି ପ୍ରଶାନ୍ତ ନନ୍ଦି। ମୁମ୍ବାଇର ଜଣାଶୁଣା ଷ୍ଟୁଡ଼ିଓ ୬ରେ ଏହି ଥିମ୍ ସଙ୍ଗ୍ର ରେକର୍ଡ଼ କରାଯାଇଥିବା ବେଳେ ଗୀତକୁ ଲୋକପ୍ରିୟ କରିବା ପାଇଁ ରିତିମତ ପ୍ରୟାସ କରାଯାଇଥିଲା।
ସୂଚନା ଅନୁସାରେ, ଏଏଫସି ମହିଳା ଏସୀୟ କପ୍ ଫୁଟବଲରେ ଭାରତ ସମେତ ଚାଇନା ପିଆର, ଚାଇନିଜ୍ ତାଇପେଇ, ଆରଆଇ ଇରାନ୍, ଅଷ୍ଟ୍ରେଲିଆ, ଥାଇଲାଣ୍ଡ, ଫିଲିଫାଇନ୍ସ, ଇଣ୍ଡୋନେସିଆ, ଜାପାନ, କୋରିଆ ରିପବ୍ଲିକ୍, ଭିଏତନାମା ଓ ମିଆଁମାର ଆଦି ୧୨ଟି ଦଳ ଭାଗ ନେଇଛନ୍ତି।
ଏହି ସୁଯୋଗ ପ୍ରସଙ୍ଗରେ ଅନୁରାଗ କହିଛନ୍ତି, ‘‘ଯେତେବେଳେ ଏସୀୟ ମହିଳା କପ୍ ଫୁଟବଲ ପାଇଁ ଥିମ୍ ସଙ୍ଗ ତିଆରି କରିବାକୁ ମତେ ଅଫର ମିଳିଲା ଏହାକୁ ମୁହଁ ହାତଛଡ଼ା କରିବାକୁ ଚାହିଁଲେ ନାହିଁ। କିନ୍ତୁ ମନ ଭିତରେ ଭୟ ଥିଲା ଏହି ଅଫରକୁ ମୁଁ କେତେ ସଫଳତାର ସହ ସମ୍ପାଦନା କରି ପାରିବି। କାରଣ ଏହି ଥିମ୍ରେ ଫୁଟବଲ ପ୍ରତିଯୋଗିତାକୁ ପ୍ରଚାର ପ୍ରସାର କରିବା ସହ ଅନ୍ୟ ଖେଳଆଡୁ ଫୁଟବଲ ପ୍ରତି ଲୋକଙ୍କ ଭିତରେ ଆଗ୍ରହ ସୃଷ୍ଟି କରିବା ଥିଲା ଏକ ଆହ୍ୱାନ। ତେଣୁ ଯତ୍ନର ସହ ମୁଁ ଏହି ଥିମ୍ ସଙ୍ଗକୁ ପ୍ରସ୍ତୁତ କରିବାକୁ ଆଗ୍ରହି ହୋଇଥିଲି।’’
ସେ ଆହୁରି କହିଛନ୍ତି ଯେ ସାଧାରଣ ଗୀତର ନିର୍ଦ୍ଦେଶନା ଦେବା ଓ ଥିମ୍ ସଙ୍ଗ୍ ପ୍ରସ୍ତୁତ କରିବା ଭିତରେ ରହିଛି ଅନେକ ପ୍ରଭେଦ। କାରଣ ଥିମ୍ ସଙ୍ଗ୍ ପ୍ରସ୍ତୁତ କଲା ବେଳେ ଗୁଡ଼ିଏ ଦିଗକୁ ଧ୍ୟାନ ଦେବାକୁ ପଡ଼ିଥାଏ। ବିଶେଷ କରି ଥିମ୍ ସଙ୍ଗ ଜରିଆରେ କୌଣସି ପ୍ରତିଯୋଗିତାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଗୁରୁତ୍ୱ ଦିଆଯାଉଥିବାରୁ ଏଭଳି ଗୀତ ପାଇଁ ପ୍ରସ୍ତୁତ କରିବା ଏକ ବଡ଼ ଚାଲେଞ୍ଜ ଥିଲା। ଗୀତଟି ପ୍ରସ୍ତୁତ ସରିବା ପରେ ନିଜ ଉଦ୍ୟମକୁ ନେଇ ସେ ଖୁସି ଥିବା କୁହନ୍ତି। ଆଗକୁ ଏଭଳି କିଛି ଚ୍ୟାଲେଞ୍ଜିଂ ଅଫର ମିଳିଲେ ସେ ତାକୁ ଆଗ୍ରହର ସହ ପ୍ରସ୍ତୁତ କରିବେ ବୋଲି କହିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।