ଚାଲିଗଲେ ଆଲବମ୍ କ୍ୱିନ୍ ଦୀପା ସାହୁ; ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହେଲା
ଦୀପା ୯୦ ଦଶକରେ ଓଡ଼ିଆ ଆଲବମ୍ ଜଗତରେ ପାଦ ଥାପିଥିଲେ । ‘ମିଛେଇ ଝିଅ ହାଏ ମିଛେଇ ଝିଅ’, ‘ତୋ’ ଟଣା ଟଣା ଆଖି’, ‘ମସ୍ତ ମସ୍ତ ଚାଲି ତୋର’, ‘ପାନ ପତର’, ଆଦି ଆଲବମ ଗୀତରେ ଅଭିନୟ କରି ଲକ୍ଷ ଲକ୍ଷ ଓଡ଼ିଆଙ୍କ ମନ ମୋହିଥିଲେ ସେ ।

ଓଡ଼ିଆ ଆଲବମ କୁଇନ ଦୀପା ସାହୁ
- News18 Odia
- Last Updated: July 27, 2020, 5:21 PM IST
ଭୁବନେଶ୍ୱର: ପାଖାପାଖି ବର୍ଷେ ହେବ ଜରାୟୁ କର୍କଟ ରୋଗରେ ଆକ୍ରାନ୍ତ ଥିବା ଓଡ଼ିଆ ଆଲବମ କୁଇନ ଦୀପା ସାହୁଙ୍କର (Odia album queen Dipa Sahoo) ଆଜି ଏକ ଘରୋଇ ହସପିଟାଲରେ ପରଲୋକ ହୋଇଯାଇଛି । ଗତ ମାସ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଓଡ଼ିଆ ଆଲବମ ଜଗତର ଲୋକପ୍ରିୟ ଚେହେରା ଦୀପା ଗତ ବର୍ଷେ ହେଲା କ୍ୟାନ୍ସରରେ ପୀଡ଼ିତ ଥିଲେ । ସେ କେମୋଥେରାପି ବି କରାଇଥିଲେ । ତାଙ୍କ ଦେହାନ୍ତ ଓଡ଼ିଆ ଆଲବମ୍ ସଙ୍ଗୀତ ପ୍ରେମୀଙ୍କୁ ହତବାକ କରିଛି ।
ଗତ ଜୁନ୍ ୨୦ ତାରିଖରେ ଦୀପାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଅଭିନେତା ଅଖିଳ ପଟ୍ଟନାୟକ ଓ ସମାଜସେବୀ ପ୍ରଶାନ୍ତ ନାୟକଙ୍କ ସମେତ କେତେକ ବ୍ୟକ୍ତି ଦୀପାଙ୍କୁ ତାଙ୍କ ନିଳାଦ୍ରୀ ବିହାର ସ୍ଥିତ ବାସଭବନରୁ ଆଣି ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ।

ଜୁନ୍ ୨୦ରେ ଦୀପା ସାହୁଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଓଡ଼ିଆ ଆଲ୍ବମ୍ ଇଣ୍ଡଷ୍ଟ୍ରିର ବେଶ୍ ପରିଚିତ ଓ ଲୋକପ୍ରିୟ ଚେହେରା ଥିଲେ ଦୀପା । ସେ ଆଲବମ୍ କୁଇନ୍ ଭାବେ ବେଶ୍ ଜଣାଶୁଣା ଥିଲେ । ଅନେକ ଆଲ୍ବମରେ ଅଭିନୟ କରିବା ସହ କିଛି ଓଡ଼ିଆ ଫିଲ୍ମ ଓ ଧାରାବାହିକରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନ ମୋହିଥିଲେ ଦୀପା।
ଗତ କିଛି ବର୍ଷ ଧରି ଆର୍ଥିକ ଦୁର୍ଗତି ଭିତରେ ଗତି କରୁଥିଲା ଦୀପାଙ୍କ ପରିବାର । ବର୍ଷେ ହେଲା ଦୀପା ଚିକିତ୍ସିତ ହେଉଥିବାରୁ ଗୁଡ଼ାଏ ଅର୍ଥ ସରିଥିଲା । ଆଗାମୀ ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ପଡ଼ିଥିଲା । କିଛି ବଦାନ୍ୟ ବ୍ୟକ୍ତି ସହଯୋଗ କରିଥିଲେ । ଏ ନେଇ ମୁଖ୍ୟ ମନ୍ତ୍ରୀଙ୍କୁ (Odisha chief minister Naveen Patnaik) ଟୁଇଟ୍ କରିଥିଲା ଓଡ଼ିଶା ସିନେ କ୍ରିଟିକ ଆସୋସିଏସନ ।
ଏହା ବି ପଢ଼ନ୍ତୁ: ଅଗଷ୍ଟ ୧ରୁ ଅନଲକ୍-୩ ଆରମ୍ଭ ହେବ; ଖୋଲିପାରେ ସିନେମା ହଲ୍; ଜିମ୍ ପାଇଁ ବି ଅନୁମତି ମିଳିପାରେ
ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା: ମହେଶ ଭଟ୍ଟଙ୍କ ସହ ଅଢ଼େଇ ଘଣ୍ଟା ପଚରାଉଚରା କଲା ମୁମ୍ବାଇ ପୋଲିସ
‘‘ଦୀପାଙ୍କ ବିୟୋଗରେ ଓଡ଼ିଆ ଅଭିନୟ ଜଗତ ଜଣେ ବିଚକ୍ଷଣ ପ୍ରତିଭାଙ୍କୁ ହରେଇଛି । ତାଙ୍କ ପରିବାରକୁ ଭଗବାନ ଧୈର୍ଯ୍ୟ ଓ ଶକ୍ତି ଦିଅନ୍ତୁ,’’ କହିଛନ୍ତି ଓଡ଼ିଶା ସିନେ କ୍ରିଟିକ ଆସୋସିଏସନର ସମ୍ପାଦକ ଦିଲୀପ ହାଲି ।