ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଗୁଡ୍ ବାୟ ବିଜୟ! ପଞ୍ଚଭୂତରେ ଲୀନ ହେଲା ଛବିର ମଣିଷ ବିଜୟ ମହାନ୍ତିଙ୍କ ପାର୍ଥିବ ଶରୀର

ଗୁଡ୍ ବାୟ ବିଜୟ! ପଞ୍ଚଭୂତରେ ଲୀନ ହେଲା ଛବିର ମଣିଷ ବିଜୟ ମହାନ୍ତିଙ୍କ ପାର୍ଥିବ ଶରୀର

ନିଜ ଜୀବନ ସାଥୀକୁ ସବୁ ଦିନ ପାଇଁ ହରାଇ ତନ୍ଦ୍ରା ରାୟ ଭାଙ୍ଗିପଡ଼ିଛନ୍ତି । ତାଙ୍କୁ ଆଶ୍ୱାସନା ଦେଇଛନ୍ତି ଅନେକ ରାଜନେତା ଓ କଳାକାର । ‘ବିଜୟ ମହାନ୍ତି ଅମର ରହେ’ ଶବ୍ଦରେ ଫାଟିପଡ଼ିଛି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଓ ସତ୍ୟନଗରର ଶ୍ମଶାନ ।

ଗୁଡ୍ ବାୟ ବିଜୟ! ପଞ୍ଚଭୂତରେ ଲୀନ ହେଲା ଛବିର ମଣିଷ ବିଜୟ ମହାନ୍ତିଙ୍କ ପାର୍ଥିବ ଶରୀର
ବିଜୟ ମହାନ୍ତିଙ୍କ ମର ଶରୀରରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ପତ୍ନୀ ତନ୍ଦ୍ରା ରାୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଓଡ଼ିଆ ସିନେମା ଜଗତର ଭର୍ସାଟାଇଲ ଆକ୍ଟର ଏବଂ ବହୁ ପ୍ରତିଭାର ଅଧିକାରୀ ମେଳାପି ମଣିଷ ବିଜୟ ମହାନ୍ତିଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି । ‘ବିଜୟ ମହାନ୍ତି ଅମର ରହେ, ବିଜୟ ମହାନ୍ତି ଅମର ରହେ’ ଶବ୍ଦରେ ଫାଟିପଡ଼ିଛି ହସପିଟାଲ୍‌, ତାଙ୍କ ରସୁଲଗଡ଼ସ୍ଥିତ ବାସଭବନ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଓ ସତ୍ୟନଗରର ଶ୍ମଶାନ ।

ନିଜ ଜୀବନ ସାଥୀକୁ ସବୁ ଦିନ ପାଇଁ ହରାଇ ତନ୍ଦ୍ରା ରାୟ ଆବାକ୍‌ ହୋଇଯାଇଛନ୍ତି । ସହକର୍ମୀ, ସାଙ୍ଗସାଥୀ, ପରିଜନ, ରାଜନେତା ଓ ସିନେ ପ୍ରେମୀ ସମସ୍ତେ ବିଜୟଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଓଲିଉଡର ଏହି ଚିର-ସବୁଜ ଅନୁଷ୍ଠାନକୁ । କାହାରି ଆଖିରେ ଲୁହ ଅଟକି ପାରିନି ।

‘‘ବିଜୟ ଭାଇ ମୋ’ ନାଁ ଧରି କେବେ ଡାକନ୍ତି ନାହିଁ । ‘ହଇଏ’ ବୋଲି ମୋତେ ଡାକି ଆହୁରି ଆପଣାର କରିଦିଅନ୍ତି । ଯେଉଁଠି ଚଳଚ୍ଚିତ୍ରରେ ଭୁଲ ଥାଏ ସେ ହାତ ଧରି ଶିଖାନ୍ତି । ତାଙ୍କ ବିୟୋଗରେ ଓଡ଼ିଆ ସିନେମା ଜଗତ ଜଣେ କଳାକାରଙ୍କୁ ହରାଇନି, ବରଂ ଏକ ଅନୁଷ୍ଠାନକୁ ହରାଇଛି,’’ କହିଛନ୍ତି ଅଭିନେତା ଅଶ୍ରୁମୋଚନ ।

ମୃତ୍ୟୁ ବେଳକୁ ବିଜୟ ମହାନ୍ତିଙ୍କୁ ହୋଇଥିଲା ୭୦ ବର୍ଷ ।


ଅଭିନେତ୍ରୀ  ଅନୁ ଚୌଧୁରୀ କହିଛନ୍ତି, ‘‘ସେ ଥିଲେ ଓଲିଉଡର ଗଡଫାଦର । ଏମିତି କୌଣସି ଅଭିନୟ ନାହିଁ ଯାହାକୁ ସେ ନିଖୁଣ ଭାବରେ ନିଭାଇ ନାହାନ୍ତି । ଏମିତି କୌଣସି ସଂଳାପ ନାହଁ ଯାହାକୁ ସେ କହିନାହାନ୍ତି । ଅଭିନୟର ସବୁ କଳା କୌଶଳ ତାଙ୍କୁ ବେଶ୍‌ ଜଣା ଥିଲା । ସେଥି ପାଇଁ ସେ ସମସ୍ତଙ୍କ ହୃଦୟରେ ଏମିତି ସବୁ ଦିନ ରାଜ କରିବେ ।’’

ଗତ କାଲି ସନ୍ଧ୍ୟାରେ ବିଜୟଙ୍କ ବିୟୋଗ ପରେ କେୟାର ହସ୍ପିଟାଲରେ ରହିଥିଲା ତାଙ୍କ ମର ଶରୀର । ଆଜି ସକାଳୁ ସକାଳୁ ଭିଡ଼ ଜମିଥିଲା ହସ୍ପିଟାଲରେ । ବିଜୟଙ୍କ ଫ୍ୟାନମାନେ ହସ୍ପିଟାଲର ରାସ୍ତାରେ ଲମ୍ବା ଲାଇନରେ ଠିଆ ହୋଇ ଶେଷ ଦର୍ଶନ କରିଥିଲୋ । ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସମେତ ଦୁଇ ବିଧାୟକ ଓ ବହୁ କଳାକାର ଏକାଠି ହୋଇ ମର ଶରୀରରକୁ ବିଦାୟ ଦେବା ପରେ ତାହା ସିଧା ଆସିଥିଲା ରସୁଲଗଡ଼ ସ୍ଥିତ ବିଜୟଙ୍କ ବାସ ଭବନକୁ । ସେଠାରେ କିଛି କଳାକାରଙ୍କ ସହ ପାଖ ପଡୋଶୀ ବିଜୟଙ୍କ ଶେଷ ଦର୍ଶନ କରିଥିଲେ ।

ତା’ ପରେ ପାର୍ଥିବ ଶରୀର ଆସିଥିଲା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟକୁ । ଏହିଠାରେ ହିଁ ସେ ଅନେକ ଛାତ୍ରଛାତ୍ରୀଙ୍କୁ ନିଜ ହାତରେ ଗଢ଼ି ତୋଳିଥିଲେ । ଏଠି ଗାର୍ଡ଼ ଅଫ ଅନର ଦିଆଯାଇଥିଲା ବିଜୟଙ୍କୁ । ପ୍ରାୟ ସବୁ ଭେଟେରାନ କଳାକାର ଓ ରାଜନେତା ଜଣକ ପରେ ଜଣେ ପହଞ୍ଚି ବିଜୟଙ୍କୁ ଶେଷ ଦର୍ଶନ କରିଥିଲେ ।

ବିଜୟଙ୍କ ଧର୍ମପତ୍ନୀଙ୍କୁ ଭେଟି ଭାଙ୍ଗି ନ ପଡ଼ିବାକୁ ଆଶ୍ବାସନା ଦେଇଥିଲେ ରାଜ୍ୟସଭା ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା, ସାଂସଦ ମୁନା ଖାଁ, ଅପରାଜିତା ଷଡଙ୍ଗୀ ଓ ଅନେକ ବରିଷ୍ଠ କଳାକାର । ଦିନ ଗୋଟାଏରେ ବିଜୟଙ୍କ ପାର୍ଥିବ ଶରୀର ଯାଇଥିଲା ସତ୍ୟନଗର ଶ୍ମଶାନକୁ । ଠିକ୍ ଦିନ ୧.୩୦ରେ ବିଜୟଙ୍କ ମର ଶରୀର ପଞ୍ଚଭୂତରେ ଲୀନ ହୋଇଥିଲା ।



ମୃତ୍ୟୁ ବେଳକୁ ବିଜୟ ମହାନ୍ତିଙ୍କୁ ହୋଇଥିଲା ୭୦ ବର୍ଷ । ୪୩ ବର୍ଷର ଲମ୍ବା ଅଭିନୟ ଜୀବନରେ ୧୮୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ନିଜ ଅଭିନୟର ଛାପ ଛାଡ଼ିଛନ୍ତି ବିଜୟ ମହାନ୍ତି ।  ଜୟଦେବ ସମ୍ମାନ ସହିତ ୬ ଥର ରାଜ୍ୟ ଚଳଚ୍ଚିତ୍ର ସମ୍ମାନ ପାଇଛନ୍ତି ସେ । ଏବେ ତାଙ୍କର ପରଲୋକରେ ସାରା ଓଡିଶା ସ୍ତବ୍ଧ ହୋଇଯାଇଛି ତାଙ୍କ ସହିତ କାମ କରିଥିବା କଳାକରମାନେ ତାଙ୍କୁ ବିଶେଷଭାବେ ଝୁରୁଛନ୍ତି ।

ଏହା ବି ପଢ଼ନ୍ତୁ: ବିକାଶ ଦୁବେର ପୋଷ୍ଟ ମର୍ଟମ ରିପୋର୍ଟ: ତାକୁ ୬ ଥର ଗୁଳି କରାଯାଇଥିଲା; ୩ଟି ଗୁଳି ଦେହରେ ପଶିଥିଲା

ଦେଖନ୍ତୁ ଫଟୋ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରେମିକା ନତାଶା ଗର୍ଭବତୀ ହେଲେ; ଫଟୋ ସେୟାର କରି ସେ ଏହି କଥା ଲେଖିଲେ

ବିଜୟ ମହାନ୍ତି ଏକାଧାରରେ ଜଣେ ଅଭିନେତା,ରାଜନେତା, ନାଟ୍ୟକାର ଓ ନିର୍ଦ୍ଦେଶକ ଥିଲେ । ଏହି ସର୍ବଗୁଣ ସମ୍ପନ୍ନ ମଣିଷ କଳାପ୍ରେମୀ ଓଡ଼ିଆ ହୃଦୟରେ ସବୁ ଦିନ ପାଇଁ ରହିବ ।
Published by: Anand Shankar Thankur Das
First published: July 21, 2020, 6:45 PM IST