ଯୋରନ୍ଦାରେ ନବାନ୍ନ ଖାଇ ନୂଆ ଖାଇ ପାଳନ କରିଛନ୍ତି ସାଧୁସନ୍ଥ ଓ ମହିମା ଭକ୍ତମାନେ

ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମହିମାଗାଦୀରେ ନୂଆ ଚୁଡାରେ ପ୍ରସ୍ତୁତ ନବାନ୍ନ ଖାଇ ନୂଆ ଖାଇ ପାଳନ କରିଛନ୍ତି ସାଧୁସନ୍ଥ ଓ ମହିମା ଭକ୍ତ। ଦୁଇ ବର୍ଷର କରୋନା କଟକଣା ହଟିଥିବାରୁ ହଜାର ହଜାର ସାଧୁ ଓ ଭକ୍ତଙ୍କ ସମାଗମରେ ଲୋକାରଣ୍ୟ ହୋଇଥିଲା ଯୋରନ୍ଦା ମହିମା ପୀଠ।

ଯୋରନ୍ଦାରେ ନବାନ୍ନ ଖାଇ ନୂଆ ଖାଇ ପାଳନ କରିଛନ୍ତି ସାଧୁସନ୍ଥ ଓ ମହିମା ଭକ୍ତମାନେ

ଯୋରନ୍ଦାରେ ନବାନ୍ନ ଖାଇ ନୂଆ ଖାଇ ପାଳନ କରିଛନ୍ତି ସାଧୁସନ୍ଥ ଓ ମହିମା ଭକ୍ତମାନେ

  • Share this:
News18 Odia Digital

ଢେଙ୍କାନାଳ: ବର୍ଷର ପ୍ରଥମ ଶସ୍ୟ ଭାବେ ଧାନରୁ ପ୍ରସ୍ତୁତ ନୂଆ ଚୁଡା ଖାଇ ନୂଆ ଖାଇକୁ ଧୁମଧାମର ସହିତ ପାଳନ କରିଛନ୍ତି ମହିମା ଧର୍ମାବଲମ୍ବୀ ସାଧୁ ସନ୍ନ୍ୟାସୀ। ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଯୋରନ୍ଦା ସ୍ଥିତ ମହିମାଗାଦୀରେ ଏହି ନୂଆ ଖାଇ ପର୍ବକୁ ମହା ଆଡମ୍ବରରେ ପାଳନ କରାଯାଇଥାଏ।

୧୯୪୬ରୁ ଦୀର୍ଘ ୭୬ ବର୍ଷ ହେବ ନିରବଛିନ୍ନ ଭାବରେ ସାଧୁସନ୍ଥଙ୍କ ଦ୍ୱାରା ଏଠାରେ ନବାନ୍ନ ପାଳିତ ହେଇଆସୁଛି।

ନୂଆ ଖାଇ ଦିନ ନୂଆ ଧାନରୁ ପ୍ରସ୍ତୁତ ଚୁଡାକୁ ପ୍ରାତଃ କାଳରେ ପ୍ରଥମେ ମହିମା ଗୋସାଇଁଙ୍କ ନିକଟରେ ଲାଗି କରାଯାଇଥାଏ। ଏଥିରେ କ୍ଷୀର, ଦହି, ଗୁଡ, ମହୁ, ଅଦା, ଅଳେଇଚ ଓ କର୍ପୁର ସହ ଫଳ ସେଓ, ନଡ଼ିଆ କୋରା, କଦଳୀ,ଡାଳିମ୍ବ ଆଦି ମିଶ୍ରଣ କରାଯାଇ ଏହାକୁ ପ୍ରସ୍ତୁତ କରାଯାଇଥାଏ। ସକାଳ ସମୟରେ ବାଲ୍ୟ ଭୋଗ କରାଯାଇ ବଣ୍ଟନ ମଧ୍ୟ କରାଯାଇଥାଏ।

ନୂଆ ଚୁଡା ଖାଇ ନୂଆ ଖାଇକୁ ଧୁମଧାମର ସହିତ ପାଳନ କରିଛନ୍ତି ମହିମା ଧର୍ମାବଲମ୍ବୀ ସାଧୁ ସନ୍ନ୍ୟାସୀ


ଦୁଇ ବର୍ଷ ହେବ ମହାମାରୀ କରୋନା ପାଇଁ ଫିକା ପଡ଼ି ଯାଇଥିଲା ନୂଆ ଖାଇ। ବାହାର ସାଧୁସନ୍ଥଙ୍କ ଠାରୁ ଭକ୍ତ ସମସ୍ତଙ୍କୁ ମହିମାଗାଦୀରେ ପ୍ରବେଶ ଉପରେ ଲାଗିଥିଲା କକକଣା। ହେଲେ ଚଳିତ ବର୍ଷ କଟକଣା ହଟିଥିବାରୁ ଏହି ନୂଆ ଖାଇ ପର୍ବକୁ ପୂର୍ବ ଭଳି ଖୁବ୍ ଧୁମଧାମ ସହିତ ପାଳନ କରାଯାଇଛି। ଆସାମ ମଧ୍ୟପ୍ରଦେଶ ରାଜସ୍ଥାନ ପଶ୍ଚିମବଙ୍ଗ ଝାଡଖଣ୍ଡ ଭଳି ବାହାର ରାଜ୍ୟରୁ ସାଧୁସନ୍ଥମାନଙ୍କ ଆଗମନ ହୋଇଥିଲା। ରାଜ୍ୟ ଭିତରୁ ମଧ୍ୟ ହଜାର ହଜାର ସାଧୁ ସନ୍ନ୍ୟାସୀ ଓ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା।

ନବାନ୍ନ ପାଇଁ ଆଠଗଡର ମହିମା ଭକ୍ତ ଭୋଇ ପରିବାର ଓ ଢେଙ୍କାନାଳ ଜିଲ୍ଲାର ବ୍ରାହ୍ମଣୀ ନଦୀକୂଳରୁ କିଛି ଭକ୍ତ ନୂଆ ଧାନରୁ ପ୍ରସ୍ତୁତ ଚୁଡା ସହ କ୍ଷୀର ଛେନା ଦହି ଗୁଡ ମହୁ ଓ ଫଳ ଆଦି ପ୍ରଦାନ କରିଥିଲେ। ଜଗତକଲ୍ୟାଣ ଉର୍ଦ୍ଧେଶ୍ୱରେ ତଥା ଚଳିତବର୍ଷ ପୃଥିବୀ ଶସ୍ୟସାମଳା କାମନା କରି ଏହି ପର୍ବକୁ ପାଳନ କରାଯାଇଛି।

"ଯୋରନ୍ଦା ସ୍ଥିତ ମହିମାଗାଦୀରେ ଅନୁଷ୍ଠିତ ଏହି ନୂଆ ଖାଇ ପର୍ବରେ ଯୋଗଦେଇ ବେଶ୍ ଖୁସି ଅନୁଭବ କରିଛନ୍ତି ରାଜ୍ୟ ତଥା ରାଜ୍ୟ ଭିତରୁ ଆସିଥିବା ଭକ୍ତମାନେ। ସାଧୁ ସନ୍ଥମାନଙ୍କ ସହ ଭିକ୍ଷା ମଣ୍ଡପରେ ନବାନ୍ନ ସେବନ କରିବା ଦ୍ୱାରା ପରିବାରରେ ସୁଖ ଶାନ୍ତି ସମୃଦ୍ଧି ବଜାୟ ରହେ ବୋଲି ବିଶ୍ୱାସ ରହିଛି,’’ କହିଛନ୍ତି ମହିମା ଭକ୍ତ ପ୍ରତାପ ଚନ୍ଦ୍ର ଦାସ।

ଦୁଇ ବର୍ଷର ବ୍ୟବଧାନ ପରେ କରୋନା କଟକଣା ହଟିଥିବାରୁ ରାଜ୍ୟ ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ସାଧୁ ସନ୍ଥମାନେ ଆସି ଯୋଗ ଦେଇଥିଲେ। ପ୍ରାୟ ସାତ ହଜାରରୁ ଅଧିକ ସାଧୁ ଓ ଭକ୍ତଙ୍କ ସମାଗମ ହୋଇଥିଲା। ଆନନ୍ଦ ଉଲ୍ଲାସର ସହିତ ସମସ୍ତେ ନୂଆ ଖାଇ ପାଳନ କରି ଆନନ୍ଦ ଅନୁଭବ କରିଥିବା ବକ୍କଳଧାରୀ ମହିମା ସମାଜ ସମ୍ପାଦକ ନିତ୍ୟାନନ୍ଦ ବାବା ପ୍ରକାଶ କରିଛନ୍ତି।
Published by:Lipina Das
First published: