ପୁରୀ; ବ୍ରାଉନ ସୁଗାର ହବ୍ ପାଲଟିଲାଣି ଜଗନ୍ନାଥ ଧାମ; ୩୫ ଦିନରେ ଗିରଫ୍ ହେଲେଣି ୩୨ ବେପାରୀ

ଦୈନିକ ପୁରୀକୁ କୋଟି କୋଟି ଟଙ୍କାର ଧଳା ଜହର ଆସୁଛି । ପୋଲିସ ଆଖିରେ ଧୁଳିଦେଇ ଏଠାରେ ବ୍ୟବସାୟ କରାଯାଉଛି । ଯେଉଁଥିରେ ମହିଳା ଆଉ କଲେଜ ପଢୁଆ ଛାତ୍ର ମାନେ ବି ସାମିଲ ଅଛନ୍ତି ।

ପୁରୀ; ବ୍ରାଉନ ସୁଗାର ହବ୍ ପାଲଟିଲାଣି ଜଗନ୍ନାଥ ଧାମ; ୩୫ ଦିନରେ ଗିରଫ୍ ହେଲେଣି ୩୨ ବେପାରୀ
ବ୍ରାଉନ ସୁଗାର ହବ୍ ପାଲଟିଲାଣି ଜଗନ୍ନାଥ ଧାମ ପୁରୀ
  • News18 Odia
  • Last Updated: November 12, 2020, 10:22 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ପୁରୀ: ଓଡ଼ିଶାର ବ୍ରାଉନ ସୁଗାର ବ୍ୟବସାୟର ହବ୍ ବୋଲି ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର କୁହାଯାଏ । ଆଉ ଏବେ ନୂଆ ଏକ ପେଣ୍ଠସ୍ଥଳୀ ଆନ୍ତର୍ଜାତୀୟ ପର୍ଯ୍ୟଟନ ସହର ପୁରୀ ହେବାକୁ ଯାଉଛି । ଜଳେଶ୍ୱରରୁ ଭୁବନେଶ୍ୱର ଓ ତା' ପରେ ମାଲ (ବ୍ରାଉନ ସୁଗାର) ପୁରୀ ପହଞ୍ଚୁଛି । ବ୍ରାଉନ ସୁଗାର ବେପାରୀମାନେ ବର୍ତ୍ତମାନ ପୁରୀକୁ ନିଜ କବଜା କରି ନେଇଛନ୍ତି । ଜଳେଶ୍ୱରରୁ ପୁରୀ କିଭଳି ଆସୁଛି ବ୍ରାଉନ ସୁଗାର ଏହା ନେଇ ପୁରୀ SP ଅଖିଳେଶ୍ୱର ସିଂଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଚଢ଼ାଉ ଜାରୀ ରଖିଛି । ଆଉ ବେପାରୀଙ୍କୁ ଟ୍ରାକ କରାଯାଇ ୩୫ ଦିନରେ ୫ ଜଣ ମହିଳା ବେପାରୀଙ୍କୁ ମିଶାଇ ୩୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ୧ କୋଟି ୪୦ ଲକ୍ଷ ୩୩ ହଜାର ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି ।

ଦୈନିକ ପୁରୀକୁ କୋଟିକୋଟି ଟଙ୍କାର ଧଳା ଜହର ଆସୁଛି । ପୋଲିସ ଆଖିରେ ଧୁଳିଦେଇ ବ୍ୟବସାୟ କରାଯାଉଛି । ଯେଉଁଥିରେ ମହିଳା ଆଉ କଲେଜ ପଢୁଆ ଛାତ୍ର ମାନେ ବି ସାମିଲ ଅଛନ୍ତି । ବ୍ୟବସାୟ କରିବାକୁ କେଉଁଠି ଦୋକାନ ମେଲାଇ ବସିବାକୁ ପଡୁନାହିଁ । ଅର୍ଡର ମୁତାବକ ଛୋଟ ଛୋଟ ପୁଟୁଳା ହୋଇ ଗରାଖଙ୍କ ପାଖରେ ପହଞ୍ଚି ଯାଉଛି । ଏମିତିକି ଆଗୁଆ ଟଙ୍କା ବିନିଯୋଗ କରିବା ବି ଆବଶ୍ୟକ ପଡୁନଥିବା ଶୁଣିବାକୁ ମିଳୁଛି ।

୮ ନଭେମ୍ବରରେ ପୁରୀର ଚନ୍ଦନପୁର ପୋଲିସକୁ ଏକ ବଡ ସଫଳତା ମିଳିଛି । ନାକା ଚେକିଂ ସମୟରେ ଏକ ଧଳା କାର୍ ଧରାପଡିଥିଲା । ଯେଉଁଥିରେ ବାଲେଶ୍ଵରର ଜଳେଶ୍ୱର ଅଞ୍ଚଳରୁ ପୁରୀକୁ ଧଳା ଜହର ଆସୁଥିଲା । ଗାଡିର ଖାନତଲାସି କରିବା ସମୟରେ ପ୍ରାୟ ୨୭୩ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା । ଯାହାର ଆନୁମାନିକ ବଜାର ଦାମ ପ୍ରାୟ ୨୮ଲକ୍ଷ ଟଙ୍କା ହେବ । ପୋଲିସ ବ୍ରାଉନ ସୁଗାର ଆସିଥିବା କାର୍ ଓ ମୋବାଇଲକୁ ମଧ୍ୟ ଜବତ କରିଥିଲା । ବ୍ରାଉନ ସୁଗାର ଚୋରା ଚାଲାଣ ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଚାରିଜଣ ନିଶା ବେପାରୀଙ୍କ ମଧ୍ୟରେ ବାଲେଶ୍ଵର ଜଳେଶ୍ୱର ଅଞ୍ଚଳର ମହିଳାଙ୍କ ସମେତ ତିନିଜଣ ଥିବା ବେଳେ କୁମ୍ଭାରପଡା ଥାନା ନରେନ୍ଦ୍ରକୋଣ ଅଞ୍ଚଳରୁ ଜଣେ ରହିଛନ୍ତି । ଚନ୍ଦନପୁର ଥାନାରେ କେଶ ନମ୍ବର ୨୬୯ ଦଫା ୨୧C,୨୯NDPS ACTରେ ମାମଲା ରୁଜୁ ହେବା ସହ ତଦନ୍ତ ଜାରି ରହିଛି ।

ଗିରଫ୍ ହୋଇଥିବା ବେପାରୀ


ସେହିପରି କାକଟପୁର ଥାନା ଅଞ୍ଚଳରେ ମଧ୍ୟ ଏକ ନାଲି କାରକୁ ଧରିବା ପରେ ସେଥିରୁ ମଧ୍ୟ ୨୯୮ ଗ୍ରାମ ବ୍ରାଉନ ସୁଗାର ବାହାରିଥିଲା । ସେଥିରେ ୬ ଜଣିଆ ଗ୍ୟାଙ୍ଗକୁ ଧରିଥିଲା ପୋଲିସ । ଏହାର ବଜାର ଦାମ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ । ସେମାନଙ୍କ ସହ ଦୁଇଟି ନମ୍ବର ବିହୀନ ବାଇକ ଓ ୩ଟି ମୋବାଇଲ ଜବତ ହୋଇଛି ।

ଗିରଫ ବେପାରୀମାନେ ହେଲେ ବାଲେଶ୍ୱରର ମୁନା ଗ୍ୟାଙ୍ଗର । ସେହି ବ୍ୟବସାୟୀମାନେ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଶାସନବାଦର ୪୫ ବର୍ଷୀୟ ମିର୍ ରହତ୍ ଅଲ୍ଲି ଓରଫ ମୁନ୍ନା, ତା' ପୁଅ ୨୩ ବର୍ଷୀୟ ମିର୍ ରୋଶନ୍ ଅଲ୍ଲି । ପୁରୀ ସମୁଦ୍ର କୁଳ ଥାନା ଶ୍ରୀକ୍ଷେତ୍ର କଲୋନୀର ୨୭ ବର୍ଷୀୟ ଜ୍ୟୋତିରଞ୍ଜନ ମହାନ୍ତି ଓରଫ ପିଣ୍ଟୁ, ବାସେଳିସାହି ଥାନା ଅଧୀନ ମାଟିତୋଟା ଚତୁର୍ଥ ଲେନର ୨୬ ବର୍ଷୀୟ ଅକ୍ଷୟ ଭୋଇ ଓରଫ ଗୋଲ୍ଡେନ, କାକଟପୁର ଥାନା ଅଧୀନ ସେବକ ସାହିର ୩୩ ବର୍ଷୀୟ ରାଜକିଶୋର ସ୍ୱାଇଁ ଓରଫ ମଙ୍ଗୁ ଓ ବଡ଼କଣ ଗ୍ରାମର ୩୫ ବର୍ଷୀୟ ବୁଦ୍ଧ ଦେବ ଭୋଇ ।

ଗିରଫ ହୋଇଥିବା ବ୍ରାଉନ ସୁଗାର ବେପାରୀ


ବ୍ରାଉନ ସୁଗାର କାରବାରରେ ଓଡ଼ିଶାରେ ପ୍ରମୁଖ ବ୍ୟବସାୟୀ ହେଲା ମୁନା ଗ୍ୟାଙ୍ଗ । ବାପ ଗ୍ୟାଙ୍ଗରେ ପୁଅ ଲିଡର । ପୁରୀ ଓ କାକଟପୁରକୁ ସେମାନେ କବଜାରେ ରଖିଛନ୍ତି । ମୁନା ଗ୍ୟାଙ୍ଗ କୋଟି କୋଟି ଟଙ୍କାର ବ୍ରାଉନସୁଗାର କାରବାର କରୁଛି । ତା ପୁଅ ରୋଶନ୍ ଏବେ ଟିମ ଲିଡର । ଏହି ଗ୍ୟାଙ୍ଗ ଜଳେଶ୍ୱରରୁ ପୁରୀ ଓ ଏକାଧିକ ଜିଲ୍ଲାକୁ ବ୍ରାଉନ ସୁଗାର କାରବାର କରୁଛି । ବ୍ରାଉନ ସୁଗାର ହବରେ ପହଞ୍ଚିବା ପରେ ଗିରଫ ହୋଇଥିବା ଅନ୍ୟମାନେ ଗଳିକନ୍ଦିରେ ଛୋଟ ବେପାରୀଙ୍କୁ ମାଲ ପହଞ୍ଚାଉଥିଲେ । ତା ପରେ ସେମାନେ ଯୁବ ପିଢିଙ୍କ ସହାୟତାରେ କାରବାର କରୁଥିଲେ । କାକଟପୁର ଅଞ୍ଚଳର ପାଟପୁର, ଓଥକା, ୟୁକୋବ୍ୟାଙ୍କ ଛକ, ମଙ୍ଗଳା ମନ୍ଦିର ଛକ, ବ୍ଲକ ଛକ, କୁଣ୍ଢେଇ, ମୁଳାଗଡ଼, ଉକୁଳେଇ ଛକ, ରେନ୍ଦୁଅ, ଖଣ୍ଡାସାହି, ଲତାହରଣ,ବଲରା ଆଦି ଅଞ୍ଚଳରେ ଏମାନେ କାୟା ବିସ୍ତାର କରିଥିଲେ । ସେମାନେ କାକଟପୁରରୁ ଅସ୍ତରଙ୍ଗ ମଧ୍ୟ ଧଳା ଜହର ଚାଲାଣ କରୁଥିଲେ । ୮ ନଭେମ୍ବରରେ ବାପ ପୁଅ ଜଳେଶ୍ୱରୁ ଗୋଟେ ଗାଡି ପୁରୀ ଓ ଅନ୍ୟ ଗୋଟିଏ ଗାଡି କାକଟପୁର ଆସିଥିବା ବେଳେ ପୋଲିସ ପିଛା କରି ଚନ୍ଦନପୁରରେ ଗୋଟିଏ ଗଗାଡ଼ି ଓ ଅନ୍ୟଟିକୁ କାକଟପୁର ସୋମନାଥ ପୁର ପେଟ୍ରୋଲ ପମ୍ପ ନିକଟରେ ଧରିବା ସହ ୬ ଜଣଙ୍କୁ ଗିରଫ କରିଥିଲା ବୋଲି କହିଛନ୍ତି କାକଟପୁର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ।

ପୁରୀକୁ ଏଭଳି ଧଳାଜହର ଚାଲାଣ ହେବା ଘଟଣା ନୁଆଁ କଥା ନୁହେଁ । ଗତ ସେପ୍ଟେମ୍ବର ମାସ ୨୫ତାରିଖରେ ବାସେଳିସାହୀ ଥାନା ପୋଲିସ ମଙ୍ଗଳାଘାଟ ଅଞ୍ଚଳରେ ଚଢାଉ କରି ୧୫ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା । ଯାହାର ଦାମ୍ ପ୍ରାୟ ଦେଢଲକ୍ଷ ଟଙ୍କା ହେବ । ଏହି ଘଟଣାରେ ସମ୍ପୃକ୍ତ ତିନିଜଣ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେହିଭଳି ଗତ ଅକ୍ଟୋବର ମାସ ୪ ତାରିଖରେ ମଙ୍ଗଳାଘାଟ ଛକରେ ଏମଭି ଚେକିଂ ଚାଲିଥିବା ବେଳେ ଏକ ଲକ୍ଜୁରୀ କାରରୁ ୨୭୫ଗ୍ରାମ ଓଜନର ବ୍ରାଉନସୁଗାର ଜବତ ହୋଇଥିଲା । ଯାହାର ଆନୁମାନିକ ଦାମ୍ ହେଉଛି ପ୍ରାୟ ୨୮ଲକ୍ଷ ଟଙ୍କା । ବ୍ରାଉନସୁଗାର ସହିତ କାର୍, ମୋବାଇଲ, ପଲସର ମଟରସାଇକେଲ ଓ ଗୋଟିଏ ପିସ୍ତଲ ଜବତ ହୋଇଥିଲା।

ଜବତ ହୋଇଥିବା କାର


ବେପାରୀଙ୍କୁ ଟ୍ରାକ କରି ୩୫ ଦିନରେ ୫ ଜଣ ମହିଳା ବେପାରୀଙ୍କୁ ମିଶାଇ ୩୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ୧ କୋଟି ୪୦ ଲକ୍ଷ ୩୩ ହଜାର ଟଙ୍କାର ବ୍ରାଉ ନସୁଗାର ଜବତ ହୋଇଛି । ବିଶେଷକରି ଅକ୍ଟୋବର ୫ ତାରିଖରେ ବାସେଳିସାହି ଥାନା ପୋଲିସ ୮ ଜଣଙ୍କୁ ଗିରଫ କରିବା ସହ ୨୭ ଲକ୍ଷ ଟଙ୍କାର ବ୍ରାଉନସୁଗାର, ୨୨ ତାରିଖରେ ୪ ଜଣଙ୍କୁ ଗିରଫ କରି ୫୩ ହଜାର ଟଙ୍କାର ବ୍ରାଉନସୁଗାର, ୩୧ ତାରିଖରେ ସତ୍ୟବାଦୀ ଥାନା ପୋଲିସ ୫ ଜଣଙ୍କୁ ଗିରଫ ସହ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଓ ଚଳିତ ମାସ ୮ ତାରିଖରେ କାକଟପୁର, କୁମ୍ଭାରପଡା ଓ ଚନ୍ଦନପୁର ପୁଲିସ ୮୨ ଲକ୍ଷ ୮୦ ହଜାର ଟଙ୍କାର ବ୍ରାଉନ ସୁଗାର ସମେତ ୧୫ ଜଣଙ୍କୁ ଗିରଫ କରିଛି ବୋଲି କହିଛନ୍ତି ପୁରୀ ଏସପି ଅଖିଳେଶ୍ୱର ସିଂ ।

ପୁରୀକୁ ଏଭଳି ଧଳାଜହର ଚାଲାଣ ହେବା ଘଟଣା ନୁଆଁ ନୁହେଁ । ୧୯୮୦ ମସିହାରୁ ପୋଲିସ ଆଖିରେ ଧୂଳି ଦେଇ ବେଧଡ଼କ ଭାବେ ବ୍ୟବସାୟ ଚାଲିଛି । ଯେଉଁଥିରେ ମହିଳା ଆଉ କଲେଜ ପଢୁଆ ଛାତ୍ର ମାନଙ୍କୁ ଢାଲ ସଜାଇ ଖୋଲମଖୋଲା ନିଶା ସାମ୍ରାଜ୍ୟ ଚଳାଇଛନ୍ତି । ଶ୍ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟ କ୍ଷେତ୍ର କରିବାକୁ ରାଜ୍ୟ ସରକାର ଉଦ୍ୟମ ଚଳାଇଥିବା ବେଳେ ନିଶାରେ ମସଗୁଲ ପୁରୀ ଶ୍ରୀକ୍ଷେତ୍ର କିଭଳି ସମ୍ଭବ ବୋଲି ପ୍ରଶ୍ନ କରିଛନ୍ତି ନିଶା ନିବାରଣ ସଚେତନ ସଙ୍ଘର ଆବାହକ ୩୫ ବର୍ଷୀୟ ଆଲୋକ କୁମାର ଦାଶ ।

କେଉଁଠୁ ଆସୁଛି ପୁରୀକୁ ଧଳାଜହର ଆଉ କିଏ କରୁଛି ବ୍ୟବସାୟ । ଏହା ଉପରେ ଉପଯୁକ୍ତ ତଦନ୍ତ ହେଲେ ଖୋଲି ପାରନ୍ତା ଶ୍ରୀକ୍ଷେତ୍ରରେ ବେଧଡକ ଭାବେ ଚଳାଉଥିବା ନିଶା ସାମ୍ରାଜ୍ୟର ଗୁମର ବୋଲି କୁହାଯାଉଛି ।
Published by: Jagdish Barik
First published: November 12, 2020, 10:21 PM IST
corona virus btn
corona virus btn
Loading