News18 Odia Digital
ଗଞ୍ଜାମ: ଦିନ ଥିଲା ମାଓ ପ୍ରବଣ ଇଲାକା ଗୁଡିକରେ ହେଉଥିଲା ଗଞ୍ଜେଇ ଚାଷ। ହେଲେ ଏବେ କିନ୍ତୁ ଗଞ୍ଜାମ ଜିଲ୍ଲାର ସୀମାନ୍ତ ଗାଁ ଗାଁରେ ହେଉଛି ଗଞ୍ଜେଇ ଚାଷ। ଧାନ ମାଣ୍ଡିଆ କୋଳଥ ଚାଷ ବଦଳରେ ଲାଗୁଛି ହଜାର ହଜାର ଗଞ୍ଜେଇ ଗଛ। ଠିକ ପିଢ଼ିଆ ପାଣି ସାଙ୍ଗକୁ ବେଶ ଯତ୍ନର ସହ ଗଞ୍ଜେଇ ଚାଷ କରାଯାଇ ଜିଲ୍ଲା ତଥା ଜିଲ୍ଲା ବାହାରକୁ ପଠାଯାଉଛି। ଏପଟେ ପ୍ରତିବର୍ଷ ଚାଷକୁ ନଷ୍ଟ କରୁଛି ପୋଲିସ ବିଭାଗ। ତଥାପି ଜିଲ୍ଲାର ଉପାନ୍ତ ଇଲାକାରେ କମୁନାହିଁ ଗଞ୍ଜେଇ ଚାଷ।
ଗଞ୍ଜେଇ ଚାଷ, ଯେଉଁ ଚାଷ କଥା ନାମ ପଡ଼ିଲେ ଦେହ ଥରି ଉଠିବ। ହେଲେ କିନ୍ତୁ ଗଞ୍ଜାମ-ଗଜପତି ସୀମାନ୍ତ, ଗଞ୍ଜାମ-କନ୍ଧମାଳ ସୀମାନ୍ତ ଓ ଗଞ୍ଜାମ-ନୟାଗଡ ସୀମାନ୍ତରେ ଥିବା ଆଦିବାସୀ ପ୍ରବଣ ଅଞ୍ଚଳ ଗୁଡିକରେ ବର୍ଷ ବର୍ଷ ଧରି ଚାଲୁରହିଛି ଗଂଜେଇ ଚାଷ। ଏହି ଗଞ୍ଜେଇ ଚାଷକୁ ଜିଲ୍ଲା ତଥା ଜିଲ୍ଲା ବାହାରର କିଛି ପେଶାଦାର ମାଫିଅ। ଏହି ଚାଷକୁ ତ୍ଵରାନିତ କରିବା ପାଇଁ ନିରିହ ସରଳ ଆଦିବାସୀ ମାନଙ୍କୁ ଅର୍ଥର ଲାଳସା ଦେଖାଇ କରୁଛନ୍ତି ଗଞ୍ଜେଇ ଚାଷ। ତଥାପି ଏହାକୁ ରୋକାଯାଇପାରୁନଥିବା ବେଳେ ପ୍ରତିବର୍ଷ ଶୀତ ଦିନରେ ଏକର ଏକର ଗଞ୍ଜେଇ ଚାଷକୁ ନଷ୍ଟ କରିଥାଏ ପୋଲିସ ଓ ଅବକାରି ବିଭାଗ। ତଥାପି ଏହାକୁ ରୋକାଯାଇ ପାରୁନାହିଁ। ଏହି ଜିଲ୍ଲାରୁ ଅନେକ ସମୟରେ ଅନେକ ଗଞ୍ଜେଇ ଜବତ ଓ ବ୍ୟବସାୟୀମାନେ ଗିରଫ ହୋଇଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇପାରୁନାହିଁ। ତେବେ ଏହାକୁ ରୋକିବାକୁ ହେଲେ ସଚେତନତା ସାଙ୍ଗକୁ ରୋଜଗାର ଯୋଗାଇ ଦେବା ନେଇ ମତ ଉଠିଛି।
ତେବେ ଏହି ଚାଷକୁ ରୋକିବାକୁ ହେଲେ ଗାଁ ଗାଁରେ ସଚେତନତା ବୈଠକ କରାଯାଇ ଲୋକଙ୍କୁ ସଚେତନତା କରାଯିବା ସହ ରୋଜଗାର ଯୋଗାଇ ଦେବାର ଆବଶ୍ୟକତା ରହିଛି। ଯାହା ଦ୍ଵାରା କି ଗଞ୍ଜେଇ ଚାଷକୁ ରୋକାଯାଇ ପାରିବ ବୋଲି ବରିଷ୍ଠ ଆଦିବାସୀ ନେତା ଭାଲଚନ୍ଦ୍ର ଷ଼ଢଙ୍ଗୀ ନିଜର ମତ ଦେଇଛନ୍ତି।
ଖାଲି ସେତିକି ନୁହଁ ବରଂ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାଟପୁର ଥାନା ଇଲାକାର ଟି. ଗୋବିନ୍ଦପୁର ଅଞ୍ଚଳରେ ଗୋଟିଏ ସପ୍ତାହରେ ଦୁଇ ଦୁଇଥର ପୋଲିସ ଚଢ଼ାଉ କରି ପ୍ରାୟ ୬୦ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଗଛକୁ କାଟି ପୋଡି ସାରିଲାଣି। ଏମିତି ଗଞ୍ଜେଇ ହଟାଅ ଅଭିଯାନ ଏହି ଜିଲ୍ଲାରେ ପ୍ରଥମ ନୁହେଁ। ପ୍ରତିବର୍ଷ ଚଢ଼ାଉ ଗିରଫ ଜାରି ରହିଥିଲେ ମଧ୍ୟ ଏହାକୁ ରୋକାଯିବାର ଆବଶ୍ୟକତା ରହିଛି।
ତଥାପି ଆମ ପୋଲିସ ମାଧ୍ୟମରେ ଲୋକଙ୍କୁ ସଚେତନତା କରାଯିବାର ଆବଶ୍ୟକତା ରହିଥିବା ବେଳେ ଏହିଭଳି ଗଞ୍ଜେଇ ହଟାଅ ଅଭିଯାନ ଜାରି ରହିବ ବୋଲି ଆସିକା ଏସଡିପିଓ ଉମା ଶଙ୍କର ସିଂ ସୂଚନା ଦେଇଛନ୍ତି।
ତେବେ ସେ ଯାହା ହେଉ ଏହି ଚାଷକୁ ଜିଲ୍ଲାରୁ ପୋଛିବା ପାଇଁ ହେଲେ ଉପାନ୍ତ ତଥା ପାହାଡ଼ି ଇଲାକାର ଗାଁ ଗୁଡିକରେ ଆମ ପୋଲିସ ସମିତି ପକ୍ଷରୁ ନାଚ ଗୀତ ମାଧ୍ୟମରେ ସଚେତନତା କରାଯିବାର ଆବଶ୍ୟକତା ରହିଛି। ଯାହାଫଳରେ ହୁଏତ ଏହାକୁ ରୋକାଯାଇ ପାରିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।