ବର୍ତ୍ତମାନ ଆୟୁର୍ବେଦ ଡାକ୍ତରମାନେ କରିପାରିବେ ଅସ୍ତ୍ରୋପଚାର; ନିଷ୍ପତ୍ତିକୁ ସ୍ୱାଗତ କଲେ ଆୟୁଷ ଡାକ୍ତର ମହାସଙ୍ଘ

ଏଲୋପ୍ୟାଥିକ ଡାକ୍ତରଙ୍କ ଭଳି ଆୟୁର୍ବେଦ ଡାକ୍ତରମାନଙ୍କୁ ମଧ୍ୟ ବିଭିନ୍ନ ଛୋଟବଡ଼ ଅସ୍ତ୍ରୋପଚାର କରିବାକୁ ଅନୁମତି ମିଳିଛି । ଏହା ମଧ୍ୟରେ ବିଭିନ୍ନ ପ୍ରକାର ନାଶା, କର୍ଣ୍ଣ ଓ ଗଳା ସହିତ ଦାନ୍ତର ଅସ୍ତ୍ରୋପଚାର ମଧ୍ୟ ରହିଛି ।

ବର୍ତ୍ତମାନ ଆୟୁର୍ବେଦ ଡାକ୍ତରମାନେ କରିପାରିବେ ଅସ୍ତ୍ରୋପଚାର; ନିଷ୍ପତ୍ତିକୁ ସ୍ୱାଗତ କଲେ ଆୟୁଷ ଡାକ୍ତର ମହାସଙ୍ଘ
ବର୍ତ୍ତମାନ ଆୟୁର୍ବେଦ ଡାକ୍ତରମାନେ କରିପାରିବେ ଅସ୍ତ୍ରୋପଚାର
  • News18 Odia
  • Last Updated: November 23, 2020, 7:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ଆଗାମୀ ଦିନରେ ଆୟୁର୍ବେଦ ଡାକ୍ତରମାନେ ଅସ୍ତ୍ରୋପଚାର କରିପାରିବେ । କେନ୍ଦ୍ର ଆୟୁଷ ମନ୍ତ୍ରାଳୟର ଏଭଳି ନୀତିଗତ ନିଷ୍ପତି ପରେ ଏହାକୁ ନେଇ ରାଜ୍ୟରେ ପ୍ରକାଶ ପାଇଛି ମିଶ୍ର ପ୍ରତିକ୍ରିୟା । ରାଜ୍ୟ ଆୟୁଷ ଡାକ୍ତର ମହାସଙ୍ଘ କହିଛି, "ବହୁ ବିଳମ୍ବରେ ହେଲେ ବି ଏଭଳି ନିଷ୍ପତ୍ତି ସ୍ୱାଗତଯୋଗ୍ୟ ।'' ଏହା ଦ୍ବାରା ଆୟୁଷ ଡାକ୍ତରମାବେ ଅଧିକ ଉତ୍ସାହିତ ହେବେ । କିନ୍ତୁ ଏହାର ସାଧାରଣ ଲୋକଙ୍କୁ ସୁଫଳ ମିଳିବ । ଏହା ସହିତ ଭାରତୀୟ ପ୍ରାଚୀନ ଚିକିତ୍ସା ପଦ୍ଧତି 'ଆୟୁର୍ବେଦ'ର ଅଧିକ ଗ୍ରହଣୀୟତା ମଧ୍ୟ ବଢିବ । ଅନ୍ୟ ପକ୍ଷରେ ଭେଷଜ ଡାକ୍ତରଙ୍କ ମତରେ ନିଷ୍ପତ୍ତି ଗ୍ରହଣୀୟ ହୋଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯିବା ସହିତ ଆୟୁଷ ଡାକ୍ତରଙ୍କୁ ପିଜି ପାଠ୍ୟକ୍ରମରେ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯିବାର ଆବଶ୍ୟକତା ଅଛି ।

କେନ୍ଦ୍ର ଆୟୁଷ ମନ୍ତ୍ରାଳୟର ସୂଚନା ଅନୁସାରେ ପ୍ରଚଳିତ ଡାକ୍ତରୀ ଚିକିତ୍ସା ବ୍ୟବସ୍ଥା ଧାରାରେ ଆଗକୁ ଆୟୁର୍ବେଦ ଡାକ୍ତର ବା ଆୟୁଷ ଡାକ୍ତରଙ୍କ ଗ୍ରହଣୀୟତା ବଢିବ । କାରଣ ଆୟୁର୍ବେଦ ଡାକ୍ତରମାନେ ଆଗକୁ ସର୍ଜରୀ ବା ଶଲ୍ୟ ଚିକିତ୍ସା ବି କରିପାରିବେ । ଏଲୋପ୍ୟାଥିକ ଡାକ୍ତରଙ୍କ ଭଳି ସେମାନେ ବିଭିନ୍ନ ଛୋଟବଡ଼ ଅସ୍ତ୍ରୋପଚାର କରିବାକୁ ଅନୁମତି ମିଳିଛି । ଏହା ଭିତରେ ଅଛି ସାଧାରଣ ଅସ୍ତ୍ରୋପଚାର ସହିତ ବିଭିନ୍ନ ପ୍ରକାର ନାଶା, କର୍ଣ୍ଣ ଓ ଗଳା ସହିତ ଦାନ୍ତର ଅସ୍ତ୍ରୋପଚାର । ଭାରତୀୟ ଭେଷଜ ବିଜ୍ଞାନ ପ୍ରତିଷ୍ଠାନର ବିଜ୍ଞପ୍ତିରେ ଥିବା ସୂଚନା ଅନୁସାରେ ଭାରତୀୟ ଭେଷଜ କେନ୍ଦ୍ରୀୟ ପରିଷଦ ଦ୍ୱାରା ପ୍ରଚଳିତ ଆୟୁର୍ବେଦିକ ସ୍ନାତକୋତ୍ତର ପାଠ୍ୟକ୍ରମରେ ଅସ୍ତ୍ରୋପଚାର ବା ସର୍ଜରୀ ଉପରେ ଏହି ସ୍ୱତନ୍ତ୍ର ତାଲିମ ଦିଆଯିବ । ଏ କାରଣରୁ ପୂର୍ବ ନିୟମାବଳୀରେ ସଂଶୋଧନ କରାଯାଇଛି ।

ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛି ରାଜ୍ୟ ଆୟୁଷ ଡାକ୍ତର ମହାସଙ୍ଘ । ରାଜ୍ୟ ମହାସଙ୍ଘର ସାଧାରଣ ସମ୍ପାଦକ ଡାକ୍ତର ଚିତ୍ତ ରଞ୍ଜନ ବେହେରାଙ୍କ ଯୁକ୍ତି କରିଛନ୍ତି, "ଏଲୋପ୍ୟାଥିକରେ ଥିବା ପାଠ୍ୟକ୍ରମ ଭଳି ଆୟୁର୍ବେଦିକ ଡାକ୍ତରୀ ପାଠ୍ୟକ୍ରମରେ ମଧ୍ୟ ସର୍ଜରୀ ପାଠ୍ୟକ୍ରମ ପ୍ରଚଳିତ ରହିଛି । ତେବେ ସ୍ନାତକ ପାଠ୍ୟକ୍ରମରେ ଏ ନେଇ ସ୍ୱତନ୍ତ୍ର ଗୁରୁତ୍ବ ନଥିଲା । ଏବେ ଆଗକୁ ଆୟୁର୍ବେଦିକ ଡାକ୍ତରୀ ସ୍ନାତକ ପାଠ୍ୟକ୍ରମରେ ଶଲ୍ୟ ଚକିତ୍ସ।କୁ ଅଧିକ ଗୁରୁତ୍ୱ ମିଳିବ ଯାହା ବର୍ତ୍ତମାନ ସମୟରେ ବଡ଼ ଆବଶ୍ୟକତା । ଏହାଦ୍ବାରା ଏହି ପାରମ୍ପରିକ ଚିକିତ୍ସା ପଦ୍ଧତିର ଗୁରୁତ୍ବ ଓ ଗ୍ରହଣୀୟତା ବଢିବ । ବିଭିନ୍ନ ସମୟରେ ଡାକ୍ତର ଅଭାବ ନେଇ ଯେଉଁ ଅଭିଯୋଗ ମାନ ଆସୁଛି ସେ ସବୁର ପରିସମାପ୍ତି ମଧ୍ୟ ଘଟିବ।"

"ଭାରତୀୟ ପରମ୍ପରା ଭିତରେ ଆୟୁର୍ବେଦ ଚିକିତ୍ସା ପଦ୍ଧତିର ସ୍ଵତନ୍ତ୍ର ଗ୍ରହଣୀୟତା ରହିଛି । ଏହା ଆମର ନିଜସ୍ୱ ଚିକିତ୍ସା ପଦ୍ଧତି । ସମୟ ଥିଲା ଏହି ପଦ୍ଧତିର ଅଧିକ ଗ୍ରହଣୀୟତା ଥିଲା । କିନ୍ତୁ ବିଭିନ୍ନ କାରଣ ବଶତଃ ଏହା ଲୋକାଦୃତ ହୋଇପାରିଲା ନାହିଁ । ଏବେ ଆୟୁର୍ବେଦ ଚିକିତ୍ସା ପଦ୍ଧତିରେ ସର୍ଜରୀ ବା ଶଲ୍ୟ ଚିକିତ୍ସା ପଦ୍ଧତିକୁ ସାମିଲ କରାଯାଇଥିବାରୁ ଆଗକୁ ଏହି ପଦ୍ଧତିର ଗ୍ରହଣୀୟତା ବଢିବ, " କହିଛନ୍ତି ଆୟୁଷ ଡାକ୍ତର ଗୌରୀ ଶଙ୍କର ପ୍ରସାଦ ମିଶ୍ରଙ୍କ ।

"ଏହାଦ୍ୱାରା ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କୁ ଅଧିକ ଫାଇଦା ମିଳିବ । କାରଣ କେବଳ ଆମ ରାଜ୍ୟରେ ନୁହେଁ, ସାରା ଦେଶରେ ଜନସଂଖ୍ୟା ତୁଳନାରେ ଡାକ୍ତରଙ୍କ ସଂଖ୍ୟା ବହୁତ କମ । ସେଥିପାଇଁ ଅନେକ ସମୟରେ ଲୋକେ ଚିକିତ୍ସା ସୁବିଧାରୁ ବଞ୍ଚିତ ହୋଇଥାନ୍ତି । କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତି ସ୍ୱାଗତ ଯୋଗ୍ୟ," କହିଛନ୍ତି ରାଜ୍ୟ ଆୟୁର୍ବେଦିକ ଡାକ୍ତର ମହାସଂଘର ସଭାପତି ଡାକ୍ତର ଜ୍ୟୋତି ରଞ୍ଜନ ଗାହାଣ ।

"ଏହାକୁ ଲାଗୁ କରିବା ପୂର୍ବରୁ କିଛି ସ୍ୱତନ୍ତ୍ର ଦିଗପ୍ରତି ଗୁରୁତ୍ବ ଦିଆଯିବା ଉଚିତ । ଏହି ନିଷ୍ପତ୍ତି ଲାଗୁ ପୂର୍ବରୁ ଆୟୁର୍ବେଦିକ ଡାକ୍ତରଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି । ଯାହା ଜରୁରୀ "- କହିଛନ୍ତି ଓମସାର ପୂବର୍ତନ ସଭାପତି ଡାକ୍ତର ମଧୁସୂଦନ ମିଶ୍ର । ତେବେ ସାମଗ୍ରିକ ଭାବେ ଏହି ନିଷ୍ପତ୍ତିକୁ ସବୁସ୍ତରରେ ସମର୍ଥନ ମିଳିଛି ।
Published by: Jagdish Barik
First published: November 23, 2020, 7:06 PM IST