News 18 Odia Digital
ବ୍ରହ୍ମପୁର; ସହରରେ ରହିଛି ଶହେରୁ ଅଧିକ ଘରୋଇ କ୍ଲିନିକ । ଏହି ଘରୋଇ କ୍ଲିନିକ ଗୁଡ଼ିକ ମଧ୍ୟରୁ ଅନେକ କ୍ଲିନିକରେ ସରକାରୀ ନିୟମକୁ ପାଳନ କରାଯାଉନାହିଁ । ଏନେଇ ଗତ ୯ ତାରିଖରେ ବିଏମସି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ ହୋଇଥିଲା । କ୍ଲିନିକ ଗୁଡ଼ିକରେ ରୋଗୀ ସେବା କିଭଳି ଚାଲିଛି ତାହା ସାମ୍ନାକୁ ଆସିଥିଲା ।
ପ୍ରାଥମିକ ପର୍ଯ୍ୟାୟରେ ୬ଟି ଘରୋଇ କ୍ଲିନିକ ଉପରେ ଚଢ଼ାଉ କରିବା ସମୟରେ ଅନେକ ତୃଟି ପାଇବା ପରେ ସମ୍ପୃକ୍ତ କ୍ଲିନିକ ଗୁଡ଼ିକୁ ୧୫ ଦିନ ମଧ୍ୟରେ ଜବାବ ରଖିବାକୁ ନୋଟିସ କରାଯାଇଛି । ଏହା ସହିତ ବିଏମସି ପକ୍ଷରୁ ଗଠିତ ହୋଇଥିବା ସ୍ୱାସ୍ଥ୍ୟ ଟିମ ସହରରେ ରହିଥିବା ଘରୋଇ କ୍ଲିନିକ ଗୁଡ଼ିକୁ ଯାଇ ସେଠାରେ କିଭଳି ରୋଗୀଙ୍କୁ ସେବା ପ୍ରଦାନ କରାଯାଉଛି ସେ ନେଇ ତଦନ୍ତ କରିବେ । ପ୍ରାଥମିକ ପର୍ଯ୍ୟାୟରେ ୬ଟି ଘରୋଇ କ୍ଲିନିକ ଉପରେ ଚଢ଼ାଉ କରାଯାଇଥିବା ବେଳେ ସ୍କାନରରେ ଆଉ ୧୧୫ଟି କ୍ଲିନିକ ରହିଥିବା ଜଣାପଡ଼ିଛି ।
ଘରୋଇ କ୍ଲିନିକ ଉପରେ ଚଢ଼ାଉ କରିଥିଲା ବିଏମସି ଓ ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ଟିମ । ଚଢ଼ାଉ ସମୟରେ ଏହି ୬ଟି ଘରୋଇ କ୍ଲିନିକ ମଧ୍ୟରେ ଅନେକ ତୃଟି ଦେଖିବାକୁ ମିଳିଥିଲା । କେଉଁଠି ଅଯୋଗ୍ୟ କର୍ମଚାରୀମାନେ ଓଟି ଭଳି ଗୁରୁତ୍ୱପୂର୍ଣ୍ଣ କକ୍ଷରେ କାମ କରୁଥିଲେ ତ ଆଉ କେଉଁଠି ସରକାରୀ ନିୟମର ଧର୍ଯ୍ୟା ଉଡ଼ାଇ ଦେଇଥିଲେ କ୍ଲିନିକ ମାଲିକ । ଏହି ତୃଟି ଦେଖାଯିବା ପରେ ଏହି ୬ଟି ଘରୋଇ କ୍ଲିନିକ ଗୁଡ଼ିକୁ ନୋଟିସ ଜାରୀ କରିଛି ବିଏମସି ।
’’କ୍ଲିନିକ ଗୁଡ଼ିରେ ରହିଥିବା ସମସ୍ୟା ସହ ସରକାରୀ ନିୟମକୁ ପାଳନ କରୁନଥିବା ଅଭିଯୋଗର ଜବାବ ୧୫ ଦିନ ମଧ୍ୟରେ ରଖିବା ନିମନ୍ତେ ସମସ୍ତ କ୍ଲିନିକ ଗୁଡ଼ିକୁ କୁହାଯାଇଛି । ଏହି ୧୫ ଦିନ ମଧ୍ୟରେ ଯଦି କ୍ଲିନିକ ଗୁଡ଼ିକ ଜବାବ ନ ରଖନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହା ସହିତ ସହରରେ ରହିଥିବା ଆଉ ୧୧୫ଟି ଘରୋଇ କ୍ଲିନିକ ଗୁଡ଼ିକ ଉପରେ ମଧ୍ୟ ଖୁବଶୀଘ୍ର ଚଢ଼ାଉ କରାଯିବ । ଏହି ୧୧୫ ଘରୋଇ କ୍ଲିନିକ ଗୁଡ଼ିକରେ କିଭଳି ରହିଛି ସ୍ଥିତି ଏବଂ ରୋଗୀ ମାନେ ଉଚିତ ଚିକିତ୍ସା ସେବା ପାଉଛନ୍ତି କି ନାହିଁ ତାହାର ତଦାରଖ କରିବା ନିମନ୍ତେ ସ୍ୱାସ୍ଥ୍ୟ ଟିମ ଗଠନ କରାଯାଇଛି । ଏହି ଟିମ କ୍ଲିନିକ ଉପରେ ଚଢ଼ାଉ କରି ତଥ୍ୟ ସଂଗ୍ରହ କରିବା ପରେ ସେମାନଙ୍କ ବିରୁଦ୍ଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି,‘‘ ବିଏମସି କମିଶନର ଜେ.ସୋନାଲ ।
‘‘ଦୀର୍ଘ ବର୍ଷ ପରେ ବିଏମସି ପକ୍ଷରୁ ଏଭଳି ଚଢ଼ାଉ କରାଯାଇଛି । ଏଭଳି ଅତର୍କିତ ଚଢ଼ାଉ ପରେ ଘରୋଇ କ୍ଲିନିକ ଗୁଡ଼ିକରେ ଅନେତ ତୃଟି ଥିବା ଦେଖିବାକୁ ମିଳିଛି । ତେବେ ତୃଟି ନେଇ କେବଳ ନୋଟିସ ଦେଇ ଜୋରିମାନା ଆଦାୟ କରି ବିଏମସି ଚୁପ ବସିବା ଆଦୌ ଉଚିତ ନୁହେଁ । ବରଂ ଏଭଳି ଚଢ଼ାଉ ନିୟମିତ କରାଯିବା ସହିତ ଯେଉଁମାନେ ସରକାରୀ ନିୟମକୁ ପାଳନ ନ କରି ଘରୋଇ କ୍ଲିନିକ ଗୁଡ଼ିକ ଚଳାଇଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି,‘‘ ବ୍ରହ୍ମପୁର ବାସିନ୍ଦା ଅବନୀ ଗୟା । ‘‘ସହରର ସାହି ସାହିରେ ଅନେକ ଘରୋଇ କ୍ଲିନିକ ରହିଛି । ଆଉ ଏହି କ୍ଲିନିକ ଉପରେ ରୋଗୀମାନେ ଚିକିତ୍ସା ସେବା ପାଇବା ଆଶାରେ ଯାଇଥାନ୍ତି । କିନ୍ତୁ କ୍ଲିନିକକୁ ଯାଇ ଚିକିତ୍ସା ସେବା ତ ଦୂରର କଥା ବରଂ ଲକ୍ଷାଧିକ ଟଙ୍କା ସାରିବା ପରେ ମଧ୍ୟ ରୋଗ ଭଲ ହୋଇନଥିବା ଦେଖିବାକୁ ମିଳିଛି । କାରଣ ସେଠାରେ ଯୋଗ୍ୟତା ପ୍ରାପ୍ତ କର୍ମଚାରୀ ରହୁନାହାନ୍ତି ଓ କୌଣସି ଉତ୍ତମ ବ୍ୟବସ୍ଥା ମଧ୍ୟ ରହୁନାହିଁ । ତେଣୁ ସହରରେ ରହିଥିବା ସମସ୍ତ ଘରୋଇ କ୍ଲିନିକ ଉପରେ ଚଢ଼ାଉ କରାଯିବା ସହିତ କିଭଳି ଭାବେ ସମସ୍ତ ସରକାରୀ ନିୟମକୁ ପାଳନ କରିବେ ଏବଂ ଯୋଗ୍ୟ କର୍ମଚାରୀଙ୍କୁ ନିୟୋଜିତ କରିବେ ସେ ନେଇ କ୍ଲିନିକ କର୍ମଚାରୀମାନେ କାର୍ଯ୍ୟ କରିବେ ବୋଲି କହିଛନ୍ତି,‘‘ ବ୍ରହ୍ମପୁର ବାସିନ୍ଦା ରବିନ୍ଦ୍ରନାଥ ମିଶ୍ର ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।