ଶେଷ ହେଲା ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା

ପ୍ରଥମେ ବିଜୁ ଜନତା ଦଳର ବ୍ରହ୍ମପୁର ମେୟର ପ୍ରାର୍ଥୀନୀ ସଂଘମିତ୍ରା ଦଳେଇ ବିଜିପୁର କାଳୀ ମନ୍ଦିରରୁ ବାହାରି ନିଜ ସମର୍ଥକଙ୍କ ସହିତ ଏକ ବିରାଟ ଶୋଭାଯାତ୍ରାରେ ହିଲପାଟଣା ସ୍ଥିତ ବିନାୟକ ମନ୍ଦିରରେ ପହଞ୍ଚିଥିଲେ।

ଶେଷ ହେଲା ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା

ଶେଷ ହେଲା ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା

  • Share this:
News18 Odia Digital

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନଗମ ନିର୍ବାଚନ ନିମନ୍ତେ ନାମାଙ୍କନ ଦାଖଲ ପ୍ରକ୍ରିୟା ସୋମବାର ଶେଷ ହୋଇଛି । ଅନ୍ତିମ ଦିନରେ ମୋଟ ୧୦୫ ଜଣ ପ୍ରାର୍ଥୀ ଓ ପ୍ରାର୍ଥୀନୀମାନେ ନିଜର ନାମାଙ୍କନ ଦାଖଲ କରିଥିଲେ। ଏଥିରୁ ଚାରି ଜଣ ମେୟର ପଦ ପାଇଁ ପ୍ରାର୍ଥୀନୀ ନାମାଙ୍କନ ଦାଖଲ କରିଥିବା ବେଳେ ବଳକା ୧୦୧ ଜଣ କର୍ପୋରେଟର ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ।

ପ୍ରଥମେ ବିଜୁ ଜନତା ଦଳର ବ୍ରହ୍ମପୁର ମେୟର ପ୍ରାର୍ଥୀନୀ ସଂଘମିତ୍ରା ଦଳେଇ ବିଜିପୁର କାଳୀ ମନ୍ଦିରରୁ ବାହାରି ନିଜ ସମର୍ଥକଙ୍କ ସହିତ ଏକ ବିରାଟ ଶୋଭାଯାତ୍ରାରେ ହିଲପାଟଣା ସ୍ଥିତ ବିନାୟକ ମନ୍ଦିରରେ ପହଞ୍ଚିଥିଲେ। ସେଠାରୁ ମେୟର ପ୍ରାର୍ଥୀ ସଂଘମିତ୍ରାଙ୍କ ସମେତ ବିଜେଡ଼ି ପକ୍ଷରୁ ବିଭିନ୍ନ ୱାର୍ଡ଼ ନିମନ୍ତେ ଚୟନ ହୋଇଥିବା କର୍ପୋରେଟ ପ୍ରାର୍ଥୀ ଓ ପ୍ରାର୍ଥୀନୀମାନେ ଏକତ୍ରିତ ହୋଇ ବିରାଟ ଶୋଭାଯାତ୍ରାରେ ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜର ନାମାଙ୍କନ ଦାଖଲ କରିଥିଲେ।

‘‘ବ୍ରହ୍ମପୁର ସହରରେ ପୂର୍ବ ଅପେକ୍ଷା ଅନେକ ଆଖି ଦୃଶିଆ ଉନ୍ନତି ହୋଇଛି। ବର୍ତ୍ତମାନ ମଧ୍ୟ ବହୁ ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି। ତଥାପି ମଧ୍ୟ ଯେଉଁ ସମସ୍ୟା ବର୍ତ୍ତମାନ ସୁଦ୍ଧା ରହିଛି ତାହାକୁ ଆଗାମୀ ଦିନରେ ପୂରଣ କରିବି। ଲୋକଙ୍କ ସମସ୍ତ ପ୍ରକାରର ସୁଃଖ ଦୁଃଖରେ ସାଥି ହୋଇ ଠିଆ ହେବା ସହିତ ସେମାନଙ୍କ ନିକଟରେ କିଭଳି ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ପହଞ୍ଚିବ ସେ ନେଇ ଦୃଷ୍ଟି ଦେବି,’’ କହିଛନ୍ତି ବିଜେଡ଼ି ମେୟର ପ୍ରାର୍ଥୀନୀ ସଂଘମିତ୍ରା ଦଳେଇ।

ସେହିପରି ବ୍ରହ୍ମପୁର ମାଁ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ନିକଟରୁ ବ୍ରହ୍ମପୁର ବିଜେପି ମେୟର ମହିଳା ପ୍ରାର୍ଥୀନୀ ଡ଼ଃ.ସବିତା ସୁଆର ନିଜର ସମର୍ଥକଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରାରେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜର ନାମାଙ୍କନ ଦାଖଲ କରିଥିଲେ।

‘‘ଦୀର୍ଘ ବର୍ଷ ହେଲା ଲୋକେ ସହରରେ ବସବାସ କରୁଥିଲେ ମଧ୍ୟ ଲୋକଙ୍କୁ ସହରୀ ସୁବିଧା ଉପଲବ୍ଧ ହୋଇପାରୁନାହିଁ। ସହରର ବିଭିନ୍ନ ସ୍ଥାନରେ ସାମାନ୍ୟ ବର୍ଷା ହେଲେ ଡ୍ରେନ ପାଣି ରାସ୍ତାରେ ଭାସୁଛି ତ ଆଉ କେଉଁଠି ପିଇବା ପାଣି ମାଠିଏ ପାଇଁ ଲୋକେ ଡ଼ହଳବିକଳ ହେଉଛନ୍ତି। ସେହିପରି ଅନେକ ସମସ୍ୟାରେ ଲୋକେ ରହିଥିବା ବେଳେ ଏହି ସମସ୍ୟାକୁ ନେଇ ଆଗାମୀ ଦିନରେ କାମ କରିବି,’’ କହିଛନ୍ତି ବିଜେପି ମେୟର ପ୍ରାର୍ଥୀନୀ ସବିତା ସୁଆର।

କଂଗ୍ରେସର ମେୟର ପାର୍ଥୀନୀ ମଞ୍ଜୁ ରଥ ମଧ୍ୟ ନିଜର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜର ନାମାଙ୍କନ ଦାଖଲ କରିଥିଲେ।

‘‘ପ୍ରଥମ ଥର ନିମନ୍ତେ ରାଜନୀତିରେ ପାଦ ଦେଇଥିବା ବେଳେ ଜଣେ ଉଚ୍ଚଶିକ୍ଷିତା ମହିଳାଙ୍କୁ ସହରବାସୀ ଗ୍ରହଣ କରିବେ। ସହରବାସୀଙ୍କ ମୌଳିକ ସମସ୍ୟାକୁ ବୁଝିବା ସହିତ ତାହାର କିଭଳି ସମାଧାନ ହେବ ସେ ନେଇ କାମ କରିବି। ଏହା ସହିତ ଲୋକ ସମର୍ଥନ ରହିଥିବା ଯୋଗୁଁ ନିଶ୍ଚିତ ଭାବେ ବିଜୟ ଲାଭ କରିବି,‘‘ କହିଛନ୍ତି କଂଗ୍ରେସ ମେୟର ପ୍ରାର୍ଥୀନୀ ମଞ୍ଜୁ ରଥ ।

ଏହାପରେ ଏସୟୁସିଆଇର ମେୟର ପ୍ରାର୍ଥୀନୀ ସୁନୀତା ପାଣିଗ୍ରାହୀ ମଧ୍ୟ ନିଜର ନାମାଙ୍କନ ଦାଖଲ କରିଛନ୍ତି। ମେୟର ଭାବେ ବିଜୟୀ ଲାଭ କରିବା ପରେ ସହରର ଉନ୍ନତି ଦିଗରେ କାମ କରିବା ସହିତ ଲୋକଙ୍କ ସମସ୍ୟାର ସମାଧାନ କରିବି ବୋଲି ସେ ପ୍ରତିଶୃତି ଦେଇଛନ୍ତି ।

ବ୍ରହ୍ମପୁର ମେୟର ପଦ ପାଇଁ ମୋଟ ଚାରି ଜଣ ପ୍ରାର୍ଥୀନୀ ନାମାଙ୍କନ ଦାଖଲ କରିଥିବା ବେଳେ କେଉଁ ପ୍ରାର୍ଥୀନୀ ମେୟର ପଦ ପାଉଛି ଓ ସହରବାସୀ କାହା ଉପରେ ଆସ୍ଥାଭାଜନ କରୁଛନ୍ତି ତାହା ଭୋଟ ଫଳାଫଳ ପରେ ଜଣାପଡ଼ିବ।
Published by:Lipina Das
First published: