ଆଧୁନିକାତର ଚାପରେ ଯୁବପିଢ଼ି; ଗହ୍ମାଡିଆଁ ଉତ୍ସବ ପ୍ରତି ନାହିଁ ଆଉ କାହାର ଆଗ୍ରହ

ଶ୍ରାବଣ ପୂର୍ଣ୍ଣିମା ଦିନ ପାଳିତ ହେଉଥିବା ବିଶେଷ କରି ପାରଳାଖେମୁଣ୍ଡି ତଥା ଗଜପତି ଜିଲ୍ଲାରେ ବ୍ୟାପକ ଭାବେ ପାଳିତ ହେଉଥିବା ଏହି ଗହ୍ମାଡିଆଁ ପରମ୍ପରା ଆଉ ଦେଖିବାକୁ ମିଳୁନାହିଁ। ପୂର୍ବରୁ ଏହାକୁ ଗଣପର୍ବ ଭାବେ ପାଳନ କରାଯାଉଥିଲା।

ଗହ୍ମାଡିଆଁ ଉତ୍ସବ ପ୍ରତି ନାହିଁ ଆଉ କାହାର ଆଗ୍ରହ

ଗହ୍ମାଡିଆଁ ଉତ୍ସବ ପ୍ରତି ନାହିଁ ଆଉ କାହାର ଆଗ୍ରହ

  • Share this:
News18 Odia Digital

ପାରଳାଖେମୁଣ୍ଡି: ଆଧୁନିକତାର ଛାପରେ ଆଜିର ସମାଜ ଏଭଳି ଭାବେ କବଳିତ ହୋଇଛି ଯେ, ପୁରୁଣା ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ତ ଦୂରର କଥା ଏହାକୁ ମନେକ ପକାଇବା ପାଇଁ ମଧ୍ୟ ଆଗ୍ରହ ପ୍ରକାଶ କରୁନାହାଁନ୍ତି। ଯାହା ଫଳରେ ଅନେକ ଓଡ଼ିଆ ସଂସ୍କୃତି ଓ ପରମ୍ପରା ଲୁପ୍ତ ପ୍ରାୟ। ଏହି ଯେମିତି ଗହ୍ମାଡିଆଁ।

ଶ୍ରାବଣ ପୂର୍ଣ୍ଣିମା ଦିନ ପାଳିତ ହେଉଥିବା ବିଶେଷ କରି ପାରଳାଖେମୁଣ୍ଡି ତଥା ଗଜପତି ଜିଲ୍ଲାରେ ବ୍ୟାପକ ଭାବେ ପାଳିତ ହେଉଥିବା ଏହି ଗହ୍ମାଡିଆଁ ପରମ୍ପରା ଆଉ ଦେଖିବାକୁ ମିଳୁନାହିଁ। ପୂର୍ବରୁ ଏହାକୁ ଗଣପର୍ବ ଭାବେ ପାଳନ କରାଯାଉଥିଲା।

ହେଲେ ଧିରେ ଧିରେ ଏଥିରୁ ମୁହଁ ଫେରାଇ ନେଇଥିବାରୁ ଏହା ବର୍ତ୍ତମାନ ଲୁପ୍ତ ପ୍ରାୟ। ହେଲେ ଗତ ୮-୧୦ ବର୍ଷ ହେଲା କାଁ ଭାଁ କେଉଁଠି କେମିତି ପାଳନ କରାଯାଉଛି ଏହି ଉତ୍ସବ। କିନ୍ତୁ ନା ଏହାକୁ ଆୟୋଜନ କରିବାରେ ନା ଏଥିରେ ପ୍ରତିଯୋଗୀ ହେବା ପାଇଁ ଆଉ ଆଗଭଳି ସେହି ଉତ୍ସାହ ଦେଖିବାକୁ ମିଳୁଛି।

ବର୍ତ୍ତମାନ ଯୁବପିଢ଼ି କେବଳ ମୋବାଇଲ୍ ଓ ସିନେମା ଦେଖିବାରେ ସମୟ ଅପଚୟ କରୁଛନ୍ତି। ଶାରିରୀକ କଷ୍ଟ କରିବାକୁ ପଡୁଥିବା ଏହି ଖେଳ ପ୍ରତି ଆଉ କାହାର ଆଗ୍ରହ ପ୍ରକାଶ ପାଉନଥିବା ବୁଦ୍ଧିଜୀବିମାନେ ମତ ପ୍ରକାଶ କରିଛନ୍ତି।

ସ୍ବାଧୀନତା ପରବର୍ତ୍ତୀ ସମୟ ଠାରୁ ଏକ ବିଂଶ ଶତାବ୍ଦୀର ଶେଷ ଭାଗ ଯାଏଁ ଲୋକେ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ପାଳନ କରିଆସୁଥିଲେ। ବିଶେଷ କରି ଯୁବପିଢିଙ୍କ ମଧ୍ୟରେ ଏସବୁ କରିବା ପାଇଁ ପ୍ରବଳ ଆଗ୍ରହ ପରିଲିକ୍ଷିତ ହେଉଥିଲା। ହେଲେ ଏହା ପରବର୍ତ୍ତୀ ସମୟରେ ମୋବାଇଲ୍ ଯୁଗର ଆରମ୍ଭ ହେବା ପରେ ଏଥିରୁ ଯୁବପିଢ଼ିଙ୍କ ଆଗ୍ରହ କମିବା ଆରମ୍ଭ କରିଥିଲା। ବିଶେଷ କରି ଆଣ୍ଡ୍ରଏଡ ମୋବାଇଲ୍ ଆସିବା ପରଠାରୁ ଏହି ମାୟାରେ ସମସ୍ତେ ଏକ ପ୍ରକାର ପାଗଳ। ଏହାର ନଗ୍ନ ଉଦାହରଣ ହେଉଛି ଗହ୍ମାଡିଆଁ। ଶ୍ରାବଣ ପୂର୍ଣ୍ଣିମା ଦିନ ଉଭଣୀ ହାତରୁ ରାକ୍ଷୀ ବାନ୍ଧି ସାରିବା ପରେ ଗାଁ, ସାହିର ଯୁବକମାନେ ଗହ୍ମାଡିଆଁ ସ୍ଥଳକୁ ଦୌଡି ପଳାନ୍ତି।

"ସେହିପରି ଏହା କୃଷକମାନଙ୍କ ଏକ ପ୍ରସିଦ୍ଧ ପର୍ବ। କାରଣ ଏହି ଦିନ ସୁଦ୍ଧା ଚାଷବାସ କାମ ସାରି କୃଷକ ନିଜର ଲଙ୍ଗଳକୁ ଧୋଇ ପୂଜା କରି ରଖିଦେଇଥାଏ ଓ ଚାଷରେ ସହାଯ୍ୟ କରିଥିବା ହଳ ବଳଦଙ୍କୁ ମଧ୍ୟ ପୂଜା କରି ସେମାନଙ୍କୁ ବିଶ୍ରାମ ଦିଆଯାଇଥାଏ। ତେଣୁ ଏହି ପୂଜା ସରିବା ପରେ ଘରର ପୁରୁଷ ଲୋକେ ମଧ୍ୟ ସେହି ଗହ୍ମାପଡିଆକୁ ଯାଇ ଗହ୍ମାଡିଆଁର ମଜା ନେଇଥାନ୍ତି। କାହିଁ କେଉଁ କାଳରୁ ଏହି ପରମ୍ପରା ପାଳିତ ହୋଇଆସୁଥିଲା। ସ୍କୁଲ ସ୍ତରରୁ ପିଲାଙ୍କୁ ଆମ ପରମ୍ପରା ସମ୍ପର୍କରେ ସଚେତନ କରିବା ପାଇଁ ଆମ ସ୍କୁଲରେ ମଧ୍ୟ ଗହ୍ମାଡିଆଁ ଆୟୋଜନ କରାଯାଇଛି," କହିଛନ୍ତି ସ୍କୁଲର ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ଦାଶ।

ସେତେବେଳେ ଲୋକଙ୍କ ମନୋରଞ୍ଜନ ପାଇଁ କୌଣସି ମାଧ୍ୟମ ନଥିଲା। ତେଣୁ ଲୋକେ ଏହି ପରମ୍ପରାକୁ ପାଳନ କରି ନିଜର ମନୋରଞ୍ଜନ କରୁଥିଲେ। ଏଥିପାଇଁ ପ୍ରାୟ ୧୫ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହେଉଥିଲା। ପଥର ଓ ମାଟିରେ ଗହ୍ମା ନିର୍ମ।ଣ କରି ଏହା ସମ୍ମୁଖରେ ପ୍ରାୟ ୩୦ ରୁ ୩୫ଫୁଟ ଉଚ୍ଚତାରେ କିଛି ଫଳ ବନ୍ଧା ଯାଉଥିଲା। ଏହି ଗହ୍ମାରୁ ଡେଇଁ ଯିଏ ସେହି ଫଳକୁ ଛୁଇଁବ ସେମାନଙ୍କୁ ପୁରସ୍କାର ମିଳୁଥିଲା।

ଏହିଭଳି ପ୍ରଥମ, ଦ୍ବିତୀୟ, ତୃତୀୟ ପୁରସ୍କାର ପ୍ରଦାନ କରାଯାଉଥିଲା। ପୂର୍ବରୁ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଉଥିବା ବେଳେ ପରବର୍ତ୍ତୀ ସମୟରେ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଉଥିଲା। ନିଜର ଦକ୍ଷତା ପ୍ରତିପାଦନ କରି ପୁରସ୍କୃତ ହେବା ପାଇଁ ପ୍ରବଳ ପ୍ରତିଦ୍ବନ୍ଦିତା ହେଉଥିଲା। ଏପରିକି ଗୋଟିଏ ଗୋଟିଏ ସ୍ଥାନରେ ଦୁଇ ରୁ ତିନି ଦିନ ଯାଏଁ ଏହା ଜାରି ରହୁଥିଲା।

"ବର୍ତ୍ତମାନ ଯୁବପିଢ଼ି ଆଉ ଏଥିପ୍ରତି ଆଗ୍ରହ ପ୍ରକାଶ କରୁନାହାଁନ୍ତି। କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ଏହା କରାଯାଉଥିଲେ ମଧ୍ୟ ଏଥିରେ ପ୍ରତିଯୋଗୀ ଭାବେ ସାମିଲ ହେବାକୁ ମଧ୍ୟ କେହି ଆଗ୍ରହ ପ୍ରକାଶ କରୁନାହାଁନ୍ତି। ଏଥିପାଇଁ ମୋବାଇଲ୍ ଓ ସିନେମାକୁ ଦାୟୀ କରିଛନ୍ତି। ଲୋକେ ଘରେ ବସି ଏହା ମାଧ୍ୟମରେ ନିଜର ମନୋରଞ୍ଜନ କରୁଥିବାରୁ ଶାରିରୀକ କଷ୍ଟ ହେଉଥିବା ଏହି ଖେଳ ପ୍ରତି ଆଉ କେହି ଆଗ୍ରହ ପ୍ରକାଶ କରୁନଥିବା," କହିଛନ୍ତି ପାରଳାଖେମୁଣ୍ଡିର ବୁଦ୍ଧିଜୀବୀ ଲୋକନାଥ ମିଶ୍ର।

ଆଧୁନିକତାକର ଛାପରେ ଅନେକ ସଂସ୍କୃତି ଓ ପରମ୍ପରା ବର୍ତ୍ତମାନ ଲୁପ୍ତ ପ୍ରାୟ। ତଥାପି ଏହାକୁ ବଞ୍ଚାଇ ରଖିବା ପାଇଁ କିଛି ଲୋକ ଏବେ ବି ପ୍ରୟାସ ଜାରି ରଖିଛନ୍ତି। ଯାହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।
Published by:Lipina Das
First published: