ରାଜ୍ୟର ସରକାରୀ ସ୍କୁଲମାନଙ୍କରେ ଆଉ ଖରା ଛୁଟି ହେବ ନାହିଁ; ଦୁର୍ବଳ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲରେ କ୍ଲାସ୍ ଚ଼ାଲିବ

ଗଣଶିକ୍ଷା ବିଭାଗର ନୂଆ ନିୟମ ପରେ ଆଶା ଓ ଆଶଙ୍କାରେ ଅଛନ୍ତି ଉଭୟ ଅଭିଭାବକ ଓ ଛାତ୍ରଛାତ୍ରୀ । ଖରା ଛୁଟିରେ ପାଠପଢ଼ାକୁ ନେଇ ସେମାନେ ସନ୍ଦିହାନ ଓ ଚ଼ିନ୍ତିତ। କେଉଁ ଆଧାରରେ ଦୁର୍ବଳ ଛାତ୍ରଛାତ୍ରୀ ଚୟନ କରାଯିବ ଓ କେମିତି ହେବ ପାଠ୍ୟ ଖସଡ଼ା? ଖରା ଛୁଟିରେ ସ୍କୁଲ ଆସିବାକୁ ଛାତ୍ରଛାତ୍ରୀ ଆଗ୍ରହ ଦେଖାଇବେ ତ?

ରାଜ୍ୟର ସରକାରୀ ସ୍କୁଲମାନଙ୍କରେ ଆଉ ଖରା ଛୁଟି ହେବ ନାହିଁ; ଦୁର୍ବଳ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲରେ କ୍ଲାସ୍ ଚ଼ାଲିବ
ରାଜ୍ୟର ଏକ ସରକାରୀ ସ୍କୁଲ୍‌ରେ କ୍ଲାସ୍‌ ଚ଼ାଲିଛି । (ଫାଇଲ୍‌ ଫଟୋ)
  • News18 Odia
  • Last Updated: January 11, 2020, 11:39 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଏଣିକି ଛାତ୍ରଛାତ୍ରୀଙ୍କୁ ମେଧାବୀ କରିବା ପାଇଁ ଖରା ଛୁଟିରେ ହେବ ପାଠପଢ଼ା । ପର୍ଯ୍ୟାୟକ୍ରମେ ନିଯୁକ୍ତ ହେବେ ଶିକ୍ଷକ । କେତେବେଳେ ଅସହ୍ୟ ଖରା ପାଇଁ ଗ୍ରୀଷ୍ମ ଅବକାଶ ଅବଧି ବଢ଼ାଯାଉଥିବା ବେଳେ ଏବେ ଖରାରେ ପାଠ ପଢ଼ାକୁ ନେଇ ଉଠିଛି ଦ୍ବନ୍ଦ୍ବ ।

ବାସ୍ତବରେ ପିଲା ସ୍କୁଲ ଆସିବେ ତ? ସେନେଇ ଉଠିଛି ପ୍ରଶ୍ନ । ତେବେ ପାଠପଢ଼ାର ଶୈଳୀ ନ ବଦଳିଲେ ରାଜ୍ୟରେ ଶିକ୍ଷାର ଚିତ୍ର ବଦଳିବ ନାହିଁ ବୋଲି ମତ ରଖିଛନ୍ତି ଶିକ୍ଷାବିତ୍ମାନେ ।

ଗଣଶିକ୍ଷା ବିଭାଗର ନୂଆ ନିୟମ ପରେ ଆଶା ଓ ଆଶଙ୍କାରେ ଅଛନ୍ତି ଉଭୟ ଅଭିଭାବକ ଓ ଛାତ୍ରଛାତ୍ରୀ । ଖରା ଛୁଟିରେ ପାଠପଢ଼ାକୁ ନେଇ ସେମାନେ ସନ୍ଦିହାନ ଓ ଚ଼ିନ୍ତିତ। କେଉଁ ଆଧାରରେ ଦୁର୍ବଳ ଛାତ୍ରଛାତ୍ରୀ ଚୟନ କରାଯିବ ଓ କେମିତି ହେବ ପାଠ୍ୟ ଖସଡ଼ା? ଖରା ଛୁଟିରେ ସ୍କୁଲ ଆସିବାକୁ ଛାତ୍ରଛାତ୍ରୀ ଆଗ୍ରହ ଦେଖାଇବେ ତ?

‘‘ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି । ତେବେ ବିନା କୈାଣସି ସୁବିଧାରେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ସ୍କୁଲ ଆସିବେ କି ନାହିଁ ସେନେଇ ସରକାର ଭାବିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନି,’’ କହିଛନ୍ତି ରାଜଧାନୀର ଏକ ସ୍କୁଲ୍‌ର ପ୍ରଧାନ ଶିକ୍ଷକ ।

ଶିକ୍ଷକ-ଶିକ୍ଷୟିତ୍ରୀ ବିଭାଗର ନିୟମ ମାନି ସ୍କୁଲ ଆସିଲେ ବି ଅଭିଭାବକ ମାନେ ଛାତ୍ରଛାତ୍ରୀଙ୍କୁ ସ୍କୁଲ ପଠାଇବେ କି ନାହିଁ ତାକୁ ନେଇ ବି ଦେଖାଦେଇଛି ମିଶ୍ରିତ ପ୍ରତିକ୍ରିୟା । ତେବେ ଅଭିଭାବକ ସଙ୍ଘ ଏହାକୁ ସ୍ବାଗତ କରୁଥିବା ବେଳେ ପିଲାଙ୍କ ଆଗ୍ରହ ବଢ଼ାଇବା ପାଇଁ ଖରା ଛୁଟିରେ ମଧ୍ୟାହ୍ନ ଭୋଜନ ଚାଲୁ ରଖିବାକୁ କହିଛନ୍ତି ।

’’ତେବେ ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ତାଙ୍କୁ ପାଠ ପଢ଼ାଇବା ପାଇଁ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନର ଆବଶ୍ୟକତା ରହିଛି,’’ କହିଛନ୍ତି ଅଭିଭାବକ ସଙ୍ଘର ସଦସ୍ୟ ହିମାଂଶୁ ପ୍ରସାଦ ସିଂହ ।

ସେହି ଭଳି ଶିକ୍ଷା ଶୈଳୀରେ ମଧ୍ୟ ପରିବର୍ତ୍ତନ ଆଣିବାର ଆବଶ୍ୟକ ରହିଛି । ‘‘ନିୟମିତ ଧାରାବହିକ ଶୈଳୀରେ ପାଠ ପଢ଼ାଇଲେ ଦୁର୍ବଳ ଛାତ୍ରଛାତ୍ରୀଙ୍କ ଆଗ୍ରହ ଆସିବ ନାହିଁ କି ରାଜ୍ୟ ସରକାରଙ୍କ ଶିକ୍ଷା ସମ୍ପର୍କୀୟ କୈାଣସି ଯୋଜନା ସଫଳ ହେବ ନାହିଁ,’’ ମତ ଦେଇଛନ୍ତି ଶିକ୍ଷାବିତ୍ ପ୍ରୀତିଶ ଆଚାର୍ଯ୍ୟ ।

ଗୋଟିଏ ପଟେ ଛାତ୍ରଛାତ୍ରୀଙ୍କୁ ଅଧିକ ପାଠର ବୋଝ ନ ଦେବା ପାଇଁ ଯୋଜନା ଚାଲୁଥିବାବେଳେ ଏକ୍ସଟ୍ରା କ୍ଲାସ୍ ଦୁର୍ବଳ ଛାତ୍ରଛାତ୍ରୀଙ୍କ ପାଇଁ କେତେ ସହାୟକ ହେବ ତାହା ଦେଖିବା ବାକି ରହିଲା ।
First published: January 11, 2020, 11:39 AM IST