News18 Odia Digital
ଅନୁଗୋଳ: ତାଳଚେର ସ୍ଥିତ ଏମ୍.ସି.ଏଲ. ଅନନ୍ତ ଖୋଲା କୋଇଲା ଖଣିରେ କୋଇଲା ପରିବହନରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି । ପରିବହନ ପାଇଁ ହୋଇଥିବା ନୋଟିସ ଇନଭାଇଟିଂ ଟେଣ୍ଡରକୁ (ଏନଆଇଟି) କର୍ତ୍ତୃପକ୍ଷ ଖୋଲା ଖୋଲି ଭାବେ ଉଲ୍ଲଙ୍ଘନ କରିଥିବାରୁ ଠିକା ସଂସ୍ଥା ମାଲା ମାଲ ହେଉଛନ୍ତି। କିନ୍ତୁ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି। ଖଣି କର୍ତ୍ତୃପକ୍ଷ ଓ ଠିକା ସଂସ୍ଥା ମିଳି ଭଗତରେ ଚାଲିଛି ଏଭଳି ଦୁର୍ନୀତି। ଏହାକୁ ଏମ୍.ସି.ଏଲ. ମାଇନିଂ କଣ୍ଟ୍ରାକ୍ଟରସ ଆସୋସିଏସନ ଦୃଢ଼ ବିରୋଧ କରିବା ସହ ଏମ୍.ସି.ଏଲ. ଚିଫ ଭିଜିଲାନ୍ସ ଅଫିସରଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି।
ଅନନ୍ତ କୋଇଲା ଖଣିରେ କୋଇଲା ଖନନ ଓ ପରିବହନ ପାଇଁ ମହାନଦୀ କୋଲ ଫିଲଡ଼ ଲିମିଟେଡ଼ ତରଫରୁ ଗତ ୨୦୨୦ ଏପ୍ରିଲ ୨୨ ତାରିଖରେ ଟେଣ୍ଡର ପ୍ରକାଶ ପାଇଥିଲା। ଏହି ଟେଣ୍ଡର ଆଧାରରେ ଭିପିଆର ମାଇନିଂ ଇନଫ୍ରାଷ୍ଟ୍ରକ୍ଚର, ନାରାୟଣୀ, ଏନସିସି ଓ ଓଏସଏଲ ପରି ବଡ଼ ବଡ଼ ଠିକା ସଂସ୍ଥା ମାନେ ଆବେଦନ କରିଥିଲେ।
ହେଲେ ଶେଷରେ ଭିପିଆର ମାଇନିଂ ସଂସ୍ଥାକୁ କାର୍ଯ୍ୟାଦେଶ ମିଳିଛି। ତେବେ କାର୍ଯ୍ୟାଦେଶ ପାଇଥିବା ଠିକା ସଂସ୍ଥା ଏନ.ଆଇ.ଟି.କୁ ସମ୍ପୂର୍ଣ୍ଣ ଭାବେ ଉଲଂଘନ କରିଥିବା ଅଭିଯୋଗ ହୋଇଛି। କାରଣ ଟେଣ୍ଡର ଏନ.ଆଇ.ଟି. କ୍ଲଜ ନଂ ୮(ସି)ରେ ସିଧାସଳଖ ଉଲ୍ଲେଖ ରହିଛି ଯେ ଟେଣ୍ଡର ପ୍ରକ୍ରିୟାରେ ଅଂଶ ଗ୍ରହଣ କରିଥିବା ଠିକା ସଂସ୍ଥା ୧୯.୫ ଘନ ମିଟର ପରିବହନ କ୍ଷମତା ଥିବା ଟିପର ହିଁ ଖଣି ଭିତରେ କୋଇଲା ପରିବହନରେ ବ୍ୟବହାର କରି ପାରିବେ। ହେଲେ କାର୍ଯ୍ୟାଦେଶ ପାଇଥିବା ଭିପିଆର ସଂସ୍ଥା ୧୮ ଘନ ମିଟର ପରିବହନ କ୍ଷମତା ଥିବା ଶତାଧିକ ଟିପର ବ୍ୟବହାର କରୁଛି। ଏଭଳି ହେବା ଦ୍ୱାରା ପ୍ରତ୍ୟକ ଥର ୧.୫ ଘନ ମିଟର କୋଇଲା କମ ପରିବହନ ହେଉଛି। ଯାହା ଫଳରେ ଯେତିକି ଦିନରେ କାର୍ଯ୍ୟ ଶେଷ ହେବା କଥା ତା'ଠାରୁ ଅଧିକ ଦିନ ଲାଗିବ। ଏମ୍.ସି.ଏଲ. କୋଟି କୋଟି ଟଙ୍କା ରାଜସ୍ୱ ହରାଇବ। ମାସ ମାସ ଧରି ଏମିତି ଚାଲିଛି। ଖଣି କର୍ତ୍ତୃପକ୍ଷ ଓ ଠିକା ସଂସ୍ଥା ମିଳିମିଶି ଏତେ ବଡ଼ ଦୁର୍ନୀତି ଚଳାଇଛନ୍ତି, କିନ୍ତୁ ଏଥି ପ୍ରତି କାହାର ନଜର ପଡୁ ନାହିଁ। ତେବେ ଏମ୍.ସି.ଏଲ. ମାଇନିଂ କଣ୍ଟ୍ରାକ୍ଟରସ ଆସୋସିଏସନ ଏହି ଦୁର୍ନୀତିକୁ ବିରୋଧ କରିବା ସହ ଖଣି ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଓ ଭିଜିଲାନ୍ସକୁ ଲିଖିତ ଭାବେ ଅଭିଯୋଗ କରିଛି।

ଏମ.ସି.ଏଲ.ର ଟେଣ୍ଡର ପକ୍ରିୟାରେ ଏନ.ଆଇ.ଟି.ର ଖୋଲାଖୋଲି ଉଲ୍ଲଙ୍ଘନ
ଟେଣ୍ଡର ବେଳେ ଆବଶ୍ୟକ ପଡୁଥିବା ଗାଡ଼ି ଓ ଅନ୍ୟାନ୍ୟ ମେସିନର ମୂଲ୍ୟକୁ ଦେଖି ଠିକା ସଂସ୍ଥାମାନେ ଟେଣ୍ଡର ପକାଇ ଥାଆନ୍ତି। ୧୯.୫ଘନ ମିଟର କ୍ଷମତା ବିଶିଷ୍ଟ ଟିପର ମୂଲ୍ୟ ୧କୋଟି ୨୫ ଲକ୍ଷରୁ ଅଧିକ ହୋଇ ଥିବା ବେଳେ ୧୮ ଘନ ମିଟର କ୍ଷମତା ବିଶିଷ୍ଟ ଟିପର ମୂଲ୍ୟ ୭୦ରୁ ୮୦ ଲକ୍ଷ ଟଙ୍କା। ତେଣୁ ଗୋଟିଏ ଟିପର ମୂଲ୍ୟରେ ୫୦ ଲକ୍ଷରୁ ଅଧିକ ଟଙ୍କା ପାର୍ଥକ୍ୟ।
କାର୍ଯ୍ୟାଦେଶ ପାଇଥିବା ଠିକା ସଂସ୍ଥା ଶତାଧିକ ୧୮ ଘନ ମିଟର କ୍ଷମତା ବିଶିଷ୍ଟ ଟିପର ବ୍ୟବହାର କରୁଛି । ତେଣୁ ଏଥିରୁ ସ୍ପଷ୍ଟ ଅନୁମାନ କରା ଯାଇ ପାରେ ଯେ ସେହି ନିର୍ଦିଷ୍ଟ ଠିକା ସଂସ୍ଥାକୁ ଖଣି କର୍ତ୍ତୃପକ୍ଷ କେତେ ଅନୁକମ୍ପା ଦେଖାଉଛନ୍ତି । ତାଳଚେର ଅଞ୍ଚଳରେ ୮ଟି ମୁକ୍ତ କୋଇଲା ଖଣି ଚାଲିଛି। ଦିନକୁ ଦିନ ଖଣି ସମ୍ପ୍ରସାରଣ ହେଉଛି। ପ୍ରତି ଦୁଇ ତିନି ବର୍ଷରେ ନୂଆ ନୂଆ ଟେଣ୍ଡର ବାହାରୁଛି।
ଟେଣ୍ଡର ବେଳେ ଯାହା ନିୟମ ରହୁଛି ତାହା କାର୍ଯ୍ୟକାରୀ ହେଉ ନଥିବା ଅଭିଯୋଗ ହେଉଛି। କିନ୍ତୁ ଖଣି କର୍ତ୍ତୃପକ୍ଷ କୌଣସି ଅଭିଯୋଗକୁ କର୍ଣପାତ କରୁନାହାନ୍ତି। ଅନନ୍ତ ଖଣିରେ ଚାଲିଥିବା ବେନିୟମ କାର୍ଯ୍ୟରୁ ଏହା ସ୍ପଷ୍ଟ ଜଣା ପଡୁଛି। ଏହା ଦ୍ୱାରା ସରକାର ବହୁ ପରିମାଣର ରାଜସ୍ୱ ହରାଉଛନ୍ତି। ବୁର୍ଲାସ୍ଥିତ ଏମ୍.ସି.ଏଲ.ର ମୁଖ୍ୟ କାର୍ଯ୍ୟାଳୟରୁ ସମସ୍ତ ଟେଣ୍ଡର ପ୍ରକ୍ରିୟା କରା ଯାଉଛି। କିନ୍ତୁ ସ୍ଥାନୀୟ ଅଧିକାରୀ ମାନଙ୍କୁ ସମସ୍ତ କାର୍ଯ୍ୟ ତଦାରଖ କରିବାକୁ ଦାୟିତ୍ୱ ଦିଆ ଯାଇଛି। ଏହାର ସୁଯୋଗ ନେଇ ସ୍ଥାନୀୟ ଅଧିକାରୀ ମାନେ ମନ ଇଚ୍ଛା କାମ କରୁଥିବା ନେଇ ମାଇନିଂ କଣ୍ଟ୍ରାକ୍ଟରସ ଆସୋସିଏସନ ଅଭିଯୋଗ କରିଛି। ଅନନ୍ତ ଖଣି ଘଟଣାର ତୁରନ୍ତ ତଦନ୍ତ କରା ନଗଲେ ଆଗାମୀ ଦିନରେ ଆସୋସିଏସନ ଦିଲ୍ଲୀ ପର୍ଯ୍ୟନ୍ତ ଯିବାକୁ ଚେତାବନୀ ଦେଇଛି।
“ଟେଣ୍ଡର ପ୍ରକ୍ରିୟାରେ ଯାହା ସବୁ ନିୟମ ଥିଲା ସେ ସବୁକୁ ମାନି ଆମେ ଟେଣ୍ଡରରେ ଅଂଶ ଗ୍ରହଣ କରିଥିଲୁ। ସେହି ଅନୁସାରେ ଆମେ କୋଟି କୋଟି ଟଙ୍କା ଜମା କଲୁ। କିନ୍ତୁ ଏଠାକାର କର୍ତ୍ତୃପକ୍ଷ ଏକ ନିର୍ଦିଷ୍ଟ ସଂସ୍ଥାକୁ ଅନୁକମ୍ପା ଦେଖାଇ ବେଆଇନ କାର୍ଯ୍ୟକୁ ପ୍ରଶ୍ରୟ ଦେଇଛନ୍ତି। ଏହା ଦ୍ୱାରା ଠିକା ସଂସ୍ଥା ମାଲାମାଲ ହେଉଛନ୍ତି। ହେଲେ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ୱ ହାନି ଘଟୁଛି।,’’ କହିଛନ୍ତି ଟେଣ୍ଡାରରେ ଭାଗ ନେଇଥିବା ଓଏସଏଲର ଜଣେ ଅଧିକାରୀ ସଞ୍ଜୟ ନାୟକ।
ଅନନ୍ତ କୋଇଲା ଖଣି ପ୍ରୋଜେକ୍ଟ ଅଫିସର ୟୁରେନ ପଟ୍ଟନାୟକ କହିଛନ୍ତି ସେ ଏ ନେଇ କିଛି ଜାଣି ନାହାନ୍ତି। ତାଙ୍କ ପାଖରେ କୌଣସି ଅଭିଯୋଗ ହୋଇନାହିଁ ।