News18 Odia Digital
ନୂଆ ଦିଲ୍ଲୀ: ନିର୍ଭୟା କାଣ୍ଡର ଦୋଷୀମାନଙ୍କୁ ମିଳିଥିବା ମୃତ୍ୟୁ ଦଣ୍ଡ ବିଷୟରେ ବରିଷ୍ଠ ଓକିଲ ଓ ସାମାଜିକ କାର୍ଯ୍ୟକର୍ତ୍ତା ଇନ୍ଦିରା ଜୟସିଂ କହିଥିବା କଥାକୁ ନେଇ ଅଭିନେତ୍ରୀ କଙ୍ଗନା ରାଣାୱତ ଦେଇଥିବା ମନ୍ତବ୍ୟକୁ ନିର୍ଭୟାଙ୍କ ମାଆ ଆଶା ଦେବୀ ସମର୍ଥନ କରିଛନ୍ତି । ସେ ଜୟସିଂଙ୍କ ବିବୃତିକୁ ’’ଘୃଣ୍ୟ’’ ବୋଲି ଦର୍ଶାଇ କହିଛନ୍ତି: ‘‘ମୁଁ ଜଣେ ମାଆ, କିନ୍ତୁ ମୁଁ ମହାନ ହେବାକୁ ଚ଼ାହୁଁ ନାହିଁ’’ ।
ଇନ୍ଦିରା ଜୟସିଂଙ୍କ ଆଡ଼କୁ ଇଙ୍ଗୁତ କରି ଆଶା ଦେବୀ କହିଛନ୍ତି ଯେ ଏମିତି ଲୋକେ ମାନବ ଅଧିକାର ନାଆଁରେ କେବଳ ବେପାର କରନ୍ତି ଓ ଅପରାଧୀମାନଙ୍କୁ ବଞ୍ଚେଇ ରଖନ୍ତି ।
ନିର୍ଭୟା ଗଣଦିଷ୍କର୍ମ ଓ ହତ୍ୟା ମାମଲାର ଦୋଷୀମାନଙ୍କ ଉପରେ କଙ୍ଗନା ନିଜର କ୍ରୋଧ ପ୍ରକାଶ କରିଥିଲେ । ସେ କହିଥିଲେ ଯେ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ଏଇ ଚ଼ାରି ଜଣଙ୍କୁ ସମସ୍ତଙ୍କ ସାମନାରେ ହିଁ ଫାଶୀ ଖୁଣ୍ଟରେ ଟାଙ୍ଗି ଦିଆଯିବା ଉଚ଼ିତ ।
କଙ୍ଗନା ଓକିଲ ଇନ୍ଦିରା ଜୟସିଂଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇ କହିଥିଲେ ଯେ ଇନ୍ଦିରାଙ୍କ ପରି ମହିଳାମାନଙ୍କ ପେଟରୁ ବଳାତ୍କାରୀମାନେ ଜନ୍ମ ନିଅନ୍ତି । ଏମିତି ମହିଳାମାନଙ୍କୁ ବଳାତ୍କାରୀମାନଙ୍କ ସହିତ ଚ଼ାରି ଦିନ ଜେଲରେ ରଖିବା ଉଚ଼ିତ ବୋଲି ସେ କହିଥିଲେ ।
ଇନ୍ଦିରା ଜୟସିଂ ନିର୍ଭୟାଙ୍କ ମାଆଙ୍କୁ ସୋନିଆ ଗାନ୍ଧୀଙ୍କ ପରି ମୃତ୍ୟୁ ଦଣ୍ଡ ପାଇଥିବା ଚ଼ାରି ଜଣ ଦୋଷୀଙ୍କୁ କ୍ଷମା କରିଦେବା ପାଇଁ ଅପୀଲ କରିଥିଲେ । ସୋନିଆ ଗାନ୍ଧୀ ନିଜ ସ୍ୱାମୀ ଓ ପୂର୍ବ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାର ଦୋଷୀମାନଙ୍କୁ କ୍ଷମା କରିଦେଇଥିଲେ ।
ଦେଶର ଖ୍ୟାତନାମା ଓକିଲ ଓ ସାମାଜିକ କାର୍ଯ୍ୟକର୍ତ୍ତା ଇନ୍ଦିରା ଜୟସିଂଙ୍କ ଏହି ଅପୀଲକୁ ଆଶା ଦେବୀ ଭୀଷଣ ନିନ୍ଦା କରିଥିଲେ ।
‘‘ଛକ ଉପରେ ଏହି ଦୋଷୀମାନଙ୍କୁ ଫାଶୀ ଖୁଣ୍ଟରେ ଟାଙ୍ଗି ଦିଆଯିବା ଉଚ଼ିତ,’’ ମୁମ୍ବାଇରେ ଏକ ପ୍ରେସ ସମ୍ମିଳନୀରେ କହିଥିଲେ କଙ୍ଗନା । ‘‘ନିର୍ଭୟା ମାମଲାରେ ଜଣେ ଦୋଷୀ ନାବାଳକ । ମାତ୍ର ଯିଏ ବଳାତ୍କାର କରି ପାରୁଛି, ତାକୁ ନାବାଳକ ବୋଲି କେମିତି କହାଯାଇ ପାରିବ?’’ ପ୍ରଶ୍ନ କରିଥିଲେ ପ୍ରଖ୍ୟାତ ବଲିଉଡ୍ ଅଭିନେତ୍ରୀ କଙ୍ଗନା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।