News18 Odia Digital
ବାଲେଶ୍ବର/ଭୋପାଳ: ଗୋଟିଏ ପଟେ ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହୋଇଥିବା ବେଳେ ସାମ୍ବାଦିକଙ୍କ ଉପରେ ଅତ୍ୟାଚାର କରୁଥିବାର ଅନେକ ମାମଲା ସାମ୍ନାକୁ ଆସିବାରେ ଲାଗିଛି। ଓଡ଼ିଶା ପରେ ଏମିତି ଏକ ଘଟଣା ବର୍ତ୍ତମାନ ମଧ୍ୟ ପ୍ରଦେଶରେ ଦେଖିବାକୁ ମିଳିଛି।
ମଧ୍ୟ ପ୍ରଦେଶର ସିଦ୍ଧି ଜିଲ୍ଲାର ପୋଲିସ ଷ୍ଟେସନରେ ସାମ୍ବାଦିକଙ୍କ ପୋଷାକ କାଢ଼ିବା ଅଭିଯୋଗ ପରେ ଦୁଇ ଜଣ ପୋଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମାମଲାଟି ସିଟି କୋଟୱାଲି ପୋଲିସ ଷ୍ଟେସନର।
ପୋଲିସ ଏଠାରେ ସାମ୍ବାଦିକମାନଙ୍କ ସହ ଅସଦାଚରଣ କରିବା ପରେ ଅର୍ଦ୍ଧ ଉଲଗ୍ନ କରି ଛିଡ଼ା କରିଥିଲା। ଯାହାର ଫଟୋ ରାଜ୍ୟରେ ଭାଇରାଲ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହି ପ୍ରସଙ୍ଗରେ ମୁଖ୍ୟ ମନ୍ତ୍ରୀ ଶିବରାଜ ସିଂ ଚୌହାନ ନିଜେ ଏହାର ରିପୋର୍ଟ ମାଗିଛନ୍ତି କରିଛନ୍ତି।
ସେହିପରି ଯଦି ଆମେ ଓଡ଼ିଶା ପୋଲିସର ଦବଙ୍ଗ ଗିରି ବିଷୟରେ କଥା ହେବା ତେବେ ସାମ୍ବାଦିକଙ୍କୁ ପାଦରେ ସିକୁଳି ଲଗାଇ ମେଡିକାଲରେ ଜଗି ରହିଲା ପୋଲିସ। ଦୁର୍ଦ୍ଦାନ୍ତ ଅପରାଧୀ ପରି ସାମ୍ବାଦିକଙ୍କ ପାଦରେ ସିକୁଳି ଲଗାଇଥିଲା ପୋଲିସ।
ଏହି ଘଟଣାଟି ଘଟିଥିଲା ନୀଳଗିରିରେ। ପୋଲିସର ଦବଙ୍ଗ ଗିରି ଦେଖିବାକୁ ମିଳିଥିଲା ଏଠାରେ। ନୀଳଗିରିରେ ଅଭାବନୀୟ ଘଟଣା ଘଟିଛି । ସବୁ ସୀମା ଟପିଯାଇଛି ନୀଳଗିରି ପୋଲିସ। କନକ ନ୍ୟୁଜ୍ ଓ ସମ୍ବାଦର ସାମ୍ବାଦିକ ଲୋକନାଥ ଦଳାଇଙ୍କୁ ଆକ୍ରମଣ କରି ଗୋଡରେ ସିକୁଳି ପକାଇ ଦେଇଥିଲା ପୋଲିସ। ବାଲେଶ୍ୱର ହସ୍ପିଟାଲରେ ସାମ୍ବାଦିକ ଲୋକନାଥ ଦଳାଇଙ୍କୁ ପାଦରେ ସିକୁଳି ପକାଇ ରଖିବା ଦୃଶ୍ୟ ପୋଲିସର ଆଇନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅଭିଯୋଗ ଅନୁସାରେ ଗତ ମଙ୍ଗଳବାର ରାତିରେ ସାମ୍ବାଦିକ ଲୋକନାଥ ଦଳାଇ ରାତିରେ ଘରକୁ ଫେରୁଥିବା ସମୟରେ ନୀଳଗିରି ଥାନାର ଜଣେ କର୍ମଚାରୀ ତାଙ୍କ ଗାଡିକୁ ଧକ୍କା ଦେଇଥିଲେ। ଏନେଇ ଘଟଣା ସ୍ଥଳରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଘଟଣା ସ୍ଥଳରୁ ସ୍ଥାନୀୟ ବାସିନ୍ଦାମାନେ ଉଭୟକୁ ବୁଝା ସୁଝା କରି ସମାଧାନ କରିଥିଲା ବେଳେ ବୁଧବାର ସକାଳେ ହଟାତ୍ ନୀଳଗିରି ପୋଲିସ ଥାନା ଅଧିକାରୀ ଲୋକନାଥ ଦଳାଇଙ୍କୁ ଗିରଫ କରିବା ସହିତ ୧୨ଘଣ୍ଟା ଥାନାରେ ଅଟକ ରଖି ନାନାଦି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ତେବେ ସାମ୍ବାଦିକଙ୍କ ସାସ୍ଥ୍ୟବସ୍ତା ଗମ୍ଭୀରଭାବେ ଖରାପ ହୋଇଥିବା ଯୋଗୁ ତାଙ୍କୁ ବୁଧବାର ରାତିରେ ବାଲେଶ୍ବର ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ନୀଳଗିରି ପୋଲିସର ଏଭଳି ଆକ୍ରୋଶ ମୂଳକ ଭାବେ କରିଥିବା ଘଟଣାକୁ ସମସ୍ତ ମହଲରେ ନିନ୍ଦା କରାଯାଉଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।