News 18 Odia Digital
ଭୁବନେଶ୍ୱର; ରାଜରାସ୍ତାରେ ଏଭଳି ଅନେକ ଲୋକଙ୍କୁ ଦେଖିବା ପାଇଁ ମିଳେ ଯାହାଙ୍କ ପାଖରେ ମୁଣ୍ଡ ଗୁଞ୍ଜିବା ପାଇଁ ନା ଛାତ ଥାଏ ନା ପେଟ ପାଇଁ ଗଣ୍ଡେ ଦାନା । ରାଜଧାନୀ ଭୁବନେଶ୍ୱରରେ ଶୀତର ପ୍ରକୋପ ମଧ୍ୟ ବଢ଼ିବାରେ ଲାଗିଛି । ହେଲେ ଏହି ଶୀତ କାକରରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କି କେତେବେଳେ ମନ୍ଦିର ପାଖରେ ରାସ୍ତା କଡରେ ତ ଆଉ କେତେବେଳେ ବସଷ୍ଟାଣ୍ଡ କିମ୍ବା ଷ୍ଟେସନ ପାଖରେ ହାତ ପତାଇ ଜୀବନ ବିତାଉଛନ୍ତି ।
ପତିତା ଉଦ୍ଧାର ସମିତିର ସଦସ୍ୟମାନେ ଶୀତ କାକର ରାତିରେ ରାସ୍ତା କଡ଼ରେ ଶୋଉଥିବା ଗୃହଶୂନ୍ୟ ଲୋକମାନଙ୍କୁ ଏବଂ ଦିନରେ ଭିକ୍ଷା ବୃତ୍ତି କରୁଥିବା ଭିନ୍ନକ୍ଷମ ଭିକ୍ଷୁକମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି । ଉପଯୁକ୍ତ ସ୍ଥଳେ ସେମାନଙ୍କୁ ଖାଦ୍ୟ ଓ କପଡା ମଧ୍ୟ ଦିଆ ଯାଉଛି । ତେବେ ସେଭଳି ଗୃହଶୂନ୍ୟ ଲୋକଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳକୁ ନେବା ସହିତ ସେମାନଙ୍କୁ ସେବା କରିବା ମାନବିକତାର ନିଦର୍ଶନ ବୋଲି କୁହାଯାଇଛି।
'ମାନବ ସେବା ହିଁ ମାଧବ ସେବା' । ଏହି କଥାକୁ ଗୁରୁତ୍ୱ ଦେଇ ସମିତିର ସଦସ୍ୟମାନେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିଛନ୍ତି। ଏଥିପାଇଁ ଓଡ଼ିଶା ପତିତା ଉଦ୍ଧାର ସମିତି ତରଫରୁ ଦୁଇଟି ସ୍ୱତନ୍ତ୍ର ଗାଡି ଏବଂ କେବଳ ଉଦ୍ଧାର କରିବା ପାଇଁ ୧୨ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଏହି ନିୟୋଜିତ ଲୋକମାନେ ଉଭୟ ଦିନରେ ଏବଂ ରାତିରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରୁଛନ୍ତି । ପୂର୍ବବର୍ଷ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ମୁଖ୍ୟ ଛକଠାରୁ ବାଣୀବିହାର ମୁଖ୍ୟ ଛକ ପର୍ଯ୍ୟନ୍ତ ଲୋକେ ଶୀତ କାକରରେ ରାସ୍ତା କଡରେ ରାତି କାଟୁଥିବା ନଜରକୁ ଆସୁଥିଲା । କିନ୍ତୁ ବର୍ତ୍ତମାନ ଓଡ଼ିଶା ପତିତା ଉଦ୍ଧାର ସମିତିର ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହେବା ଦ୍ୱାରା ଲୋକମାନେ ଆଉ ରାସ୍ତା କଡ଼ରେ ଶୋଉନାହାନ୍ତି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ, ଅଧିକାରୀ ଲକ୍ଷ୍ମୀକାନ୍ତ ସେଠୀ, ଉନ୍ନୟନ ଅଧିକାରୀ ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ମେୟର ଲୋକଙ୍କୁ ନିବେଦନ କରିଥିଲେ ଯେ, ବାପା ମାଆଙ୍କର ବୟସ ହେଲେ ସେମାନଙ୍କୁ ବାହାରେ ଆଣି ଫୋପାଡ଼ି ଦିଅନ୍ତୁ ନାହିଁ । କୌଣସି ବାପା ମାଆଙ୍କର ଶେଷ ଠିକଣା କୋଉ ଗୋଟେ ଡଷ୍ଟପିନ ବା ମନ୍ଦିର ପାଖ ନହେଉ। ଆପଣମାନଙ୍କୁ ଯୋଉ ମୁହୂର୍ତ୍ତରେ ସେମାନେ ବୋଝ ଲାଗୁଛନ୍ତି ତେବେ ଆମକୁ ଯୋଗାଯୋଗ କରନ୍ତୁ ତାଙ୍କୁ ଆମେ ସମ୍ମାନର ସହ ରଖିବୁ। ଏଣୁ ଆପଣମାନଙ୍କୁ ଅନୁରୋଧ କରୁଛୁ କି, ଏ ଶୀତ ରାତିରେ ଲୋକମାନଙ୍କୁ ଭିକ ଦେଇ ଦେଇ ତାଙ୍କ ଜୀବନକୁ ଆଉ ଅନ୍ଧକାର କରନ୍ତୁନି ।
ପତିତା ଉଦ୍ଧାର ସମିତି ପକ୍ଷରୁ କୁହାଯାଇଛି ଯେ, ଆଗକୁ ନୂଆ ବର୍ଷ ଏବଂ କ୍ରୀଷ୍ଟମାସ ଆସୁଛି । ଯଦି ଆପଣମାନେ ଭିକ୍ଷୁକ ମାନଙ୍କୁ ସାହାଯ୍ୟ କିମ୍ବା ଡୋନେସନ ଦେବା ପାଇଁ ଚାହୁଁଛନ୍ତି ତେବେ ଆଶ୍ରୟସ୍ଥଳି ବା ଭିକ୍ଷୁକ ଥଇଥାନ କେନ୍ଦ୍ରକୁ ଆସନ୍ତୁ । ବର୍ତ୍ତମାନ ଆମ ପାଖରେ ୨୦୦ ରୁ ଅଧିକ ଶଯ୍ୟା ଅଛି ଏବଂ ୧୮୦ ଲୋକ ଏବେ ଆମେ ପାଖରେ ଅଛନ୍ତି, ସବୁଦିନ ଉଦ୍ଧାର କାର୍ଯ୍ୟ ଚାଲିବା ସହ ତାଙ୍କୁ ଘରକୁ ପଠାଇବା ସହିତ ତାଙ୍କ ଖାଇବା ପିଇବା ଭଲମନ୍ଦ ସବୁ ବୁଝୁଛୁ । ଯଦି କେହି ବ୍ୟକ୍ତି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ମୁଖ୍ୟ ଛକ ବାଣୀବିହାର ମୁଖ୍ୟ ଛକ ମଧ୍ୟରେ ଭିନ୍ନକ୍ଷମ ଲୋକମାନଙ୍କୁ ଦେଖନ୍ତି ତେବେ ଆମକୁ ୨୪ ଘଣ୍ଟା ଯୋଗାଯୋଗ କରି ପାରିବେ, ଆମେ ତାଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳୀକୁ ନେବୁ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।