News18 Odia Digital
ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ‘ୱି କେୟାର୍, ୱି ଡେୟାର୍’ ମନ୍ତ୍ର ଜପୁଥିବା କମିଶରେଟ ପୋଲିସକୁ ଅପରାଧୀମାନେ ଯେ ଭୟ କିବା ବନ୍ଦ କରିଦେଲେଣି ତା’ର ଦୁଇଟି ତାଜା ଉଦାହରଣ ସାମନାକୁ ଆସିଛି । ଖୋଦ୍ ଗଣମାଧ୍ୟମ ପ୍ରତିନିଧିଙ୍କୁ ବି ଛାଡ଼ିନାହାନ୍ତି ଲୁଟେରାମାନେ । ସୋମବାର ରାତିରେ ଡ୍ୟୁଟି ସାରି ଘରକୁ ଫେରୁଥିବା ନ୍ୟୁଜ୍ ୧୮ ଓଡ଼ିଆର ବରିଷ୍ଠ ସାମ୍ବାଦିକ ରାକେଶ ମହାନ୍ତିଙ୍କୁ ବନ୍ଧୁକ ଦେଖାଇ ତାଙ୍କ ଠାରୁ ଲୁଟ୍ କରିଛନ୍ତି ତିନି ଜଣ ଯୁବକ । ଦ୍ୱିତୀୟ ଘଟଣାରେ ବ୍ରହ୍ମପୁରରୁ ଆସିଥିବା ଜଣେ ବ୍ୟକ୍ତିଙ୍କୁ ନିଶା ଖୁଆଇ ବେହୋସ କରିବା ପରେ ତାଙ୍କ ଠାରୁ ଲୁଟିନେଇଛନ୍ତି ଅନେକ ମୂଲ୍ୟବାନ ପଦାର୍ଥ ।
ସୋମବାର ମଧ୍ୟରାତ୍ରିରେ ସାମ୍ବାଦିକ ରାକେଶ ମହାନ୍ତି ଅଫିସରୁ ନିଜ ସ୍କୁଟିରେ ଘରକୁ ଫେରିବା ବେଳେ ଲୁଟର ଶିକାର ହୋଇଥିଲେ । ରାତି ପାଖପାଖି ଗୋଟାଏ ବେଳେ ସେ ସିବିଆଇ ଅଫିସ୍ ନିକଟ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଅଫିସ୍ ନିକଟରେ ପହଞ୍ଚିଥିବା ବେଳେ ତାଙ୍କ ଆଗରେ ବାଇକରେ ଆସି ବାଟ ଓଗାଳିଥିଲେ ତିନି ଜଣ ଯୁବକ ।
ଏହା ବି ପଢ଼ନ୍ତୁ | ମୋଦି Vs ଦିଦି: ମାର୍ଚ୍ଚ ୨୭ରୁ ପଶ୍ଚିମ ବଙ୍ଗରେ ୮ଟି ପର୍ଯ୍ୟାୟରେ ହେବ ବିଧାନ ସଭା ନିର୍ବାଚନ
ମହାନ୍ତିଙ୍କୁ ବନ୍ଧୁକ ଦେଖାଇ ତାଙ୍କ ଠାରୁ ତିନି ଜଣ ଯୁବକ ଲୁଟିନେଇଥିଲେ ତାଙ୍କ ମୋବାଇଲ୍ ଫୋନ୍, ପର୍ସରେ ଥିବା ୫,୦୦୦ ଟଙ୍କା, ଆଧାର କାର୍ଡ଼, ପାନ୍ କାର୍ଡ଼, ସବୁଗୁଡ଼ିକ ଡେବିଟ୍ କାର୍ଡ଼ ଓ କ୍ରେଡିଟ କାର୍ଡ଼ । ଏପରିକି ତାଙ୍କ ବାଇକର ଚାବି ମଧ୍ୟ ଛଡ଼ାଇ ନେଇଥିଲେ ତିନି ଲୁଟେରା । ଏ ନେଇ ନୟାପଲ୍ଲୀ ଥାନାରେ ମହାନ୍ତି ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଏହି ସ୍ଥାନରେ ମହାନ୍ତିଙ୍କ ସହ ଲୁଟ୍ ହୋଇଥିଲା
‘‘ତିନି ଜଣ ଦୁର୍ବୃତ୍ତ ଏକ କଳା ମୋଟର୍ ସାଇକେଲରେ ଆସି ମୋ’ ସ୍କୁଟିକୁ ଅଟକାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ସଙ୍ଗେ ସଙ୍ଗେ ଏକ ବନ୍ଧୁକ ବାହାର କରି ମୋ’ ବେକରେ ଲଗାଇଥିଲା । ସେମାନେ ତା’ ପରେ ମୋ’ ପାଖରେ ଥିବା ସବୁ ତକ ମୂଲ୍ୟବାନ ଓ ଆବଶ୍ୟକୀୟ ଜିନିଷ ଗୋଟେ ପରେ ଗୋଟେ ମୋ’ ପକେଟଗୁଡ଼ିକରୁ ବାହାର କରିନେଇଥିଲେ । ମୋ’ ସ୍କୁଟିର ଚାବି ସେମାନେ ନେଇଯାଇଥିଲେ,’’ କହିଛନ୍ତି ମହାନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | VIRAL PHOTOS: ଭୂମି ପେଡନେକରଙ୍କ ଏହି ଫଟୋ ସବୁ ସୋସିଆଲ ମିଡି଼ଆରେ ହଙ୍ଗାମା କଲା!
ଦୁର୍ବୃତ୍ତମାନେ ତାଙ୍କ ମୋବାଇଲ୍ ଫୋନ୍ ବି ନେଇଯାଇଥିବାରୁ ମହାନ୍ତି ପୋଲିସକୁ ବା ନିଜ ପରିବାରକୁ ଏହି ଘଟଣା ବିଷୟରେ ସୂଚନା ଦେଇ ପାରି ନ ଥିଲେ । ସେ କହିଛନ୍ତି ଯେ ଦୁର୍ବୃତ୍ତମାନେ ସେଠାରୁ ଚାଲିଯିବା ପରେ ସେ ସେହି ସ୍ଥାନରେ ପାଖାପାଖି ଏକ ଘଣ୍ଟା ଠିଆହୋଇ ରହିଲେ । ‘‘ମୁଁ ଆଶା କରୁଥିଲି ଯେ ଯଦି କୌଣସି ପିସିଆର୍ ଭ୍ୟାନ୍ ଏହି ବାଟ ଦେଇ ଯାଏ ତାହେଲେ ମୁଁ ପୋଲିସର ସାହାଯ୍ୟ ମାଗିପାରିବି । ହେଲେ ଘଣ୍ଟାକ ଭିତରେ ସେହି ରାସ୍ତାରେ କୌଣସି ପିସିଆର୍ ଭ୍ୟାନ୍ ଯାଇ ନ ଥିଲା । ବଡ଼ ଅସହାୟ ଭାବେ ସେଠାରୁ ମୁଁ ରାତି ଅଧରେ ଘରକୁ ଫେରିଥିଲି,’’ କହିଛନ୍ତି ମହାନ୍ତି । ସେ ଏହି ମାମଲା ବିଷୟରେ ଥାନାରେ ଏକ ଏଫ୍.ଆଇ.ଆର୍. ଦେଇଛନ୍ତି ।

ଦ୍ୱିତୀୟ ଲୁଟ୍ ଘଟଣାର ଶିକାର ହୋଇଥିବା ଗଙ୍ଗାଧର ସାହୁ
ସାମ୍ବାଦିକ ରାକେଶ ମହାନ୍ତିଙ୍କ ପରି ରାଜଧାନୀରେ ଆଉ ଜଣେ ବ୍ୟକ୍ତି ଭିନ୍ନ ଢଙ୍ଗରେ ଲୁଟର ଶିକାର ହୋଇଛନ୍ତି । ଶନିବାର ବ୍ରହ୍ମପୁରରୁ ବସ୍ ଯୋଗେ ଭୁବନେଶ୍ବରକୁ ଆସିଥି ଗଙ୍ଗାଧର ସାହୁଙ୍କର ବସରେ ଜଣେ ବ୍ୟକ୍ତିଙ୍କ ସହ ଦେଖା ହୋଇଥିଲା । ବରମୁଣ୍ଡାରେ ପହଞ୍ଚିବା ପରେ ସେହି ବ୍ୟକ୍ତି ଜଣକ ତାଙ୍କୁ ଚା' ପିଇବାକୁ ଦେଇଥିଲେ । ଏହା ପରେ ସେହି ଅଜଣା ବ୍ୟକ୍ତି ଜଣକ ଏକ ଓଲା କ୍ୟାବ୍ ବୁକ୍ କରିଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ପ୍ରେମିକର ବ୍ଲାକମେଲ୍ ଯୋଗୁଁ ୧୭ ବର୍ଷୀୟା ଛାତ୍ରୀ ପାଣି ଟାଙ୍କିରୁ ଡେଇଁ ଜୀବନ ଦେଲା; VIDEO ଭାଇରାଲ୍
‘‘କ୍ୟାବ୍ରେ ସେହି ଅଜଣା ବ୍ୟକ୍ତିଙ୍କ ସାଙ୍ଗରେ ମୁଁ ଯାଇଥିଲି । କ୍ୟାବରେ ବସିବା ପରେ ମୁଁ ବେହୋସ୍ ହୋଇଯାଇଥିଲି । ମୋ’ ପାଖରେ ଥିବା ସୁନା ଚେନ୍, ସୁନା ମୁଦି ଓ ଟଙ୍କା ସବୁ ନେଇ ସେହି ଲୁଟେରା ଫେରାର ହୋଇଯାଇଥିଲା । ଆଜି ସକାଳେ ଭରତପୁର ଜଙ୍ଗଲରେ ମୋ’ ହୋସ୍ ଆସିଥିଲା,’’ କହିଛନ୍ତି ଗଙ୍ଗାଧର ସାହୁ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ସ୍ତ୍ରୀର ସତୀତ୍ୱ ପରୀକ୍ଷା କରିବାକୁ ଫୁଟୁଥିବା ତେଲରେ ତାଙ୍କ ହାତ ବୁଡ଼ାଇଲେ ସ୍ୱାମୀ! VIDEO ଭାଇରାଲ୍ ହେଲା
ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ ଗତ ପନ୍ଦର ଦିନ ମଧ୍ୟରେ ଭୁବନେଶ୍ୱରରେ ନିଶା ଦ୍ରବ୍ୟ ବ୍ୟବହାର କରି ହୋଇଥିବା ଚାରିଟି ଲୁଟ୍ ମାମଲା ସାମନାକୁ ଆସିଛି ଓ ପ୍ରତି ମାମଲାରେ ତଦନ୍ତ ଚାଲିଛି । ’’ଏହି ଲୁଟ୍ ଘଟଣାଗୁଡ଼ିକରେ ଅପରାଧୀଙ୍କୁ ଗିରଫ କରିବାକୁ ପୋଲିସ ପ୍ରୟାସ ଜାରି ରଖିଛି । ସେମାନେ ଶୀଘ୍ର ଗିରଫ ହେବେ,’’ ସେ କହିଛନ୍ତି ।
‘‘ରାଜ୍ୟ ରାଜଧାନୀରେ ଲୁଟେରା ରାଜ୍ ବଢ଼ି ଚାଲିଥିବା ବେଳେ କମିଶନରେଟ ପୋଲିସ ମାସ୍କ ପିନ୍ଧିବା, ସାମାଜିକ ଦୂରତା ପାଳନ ଓ ହେଲମେଟ ଆଦିର ଚେକିଂ କରି ଫାଇନ୍ ଆଦାୟ କରିବାରେରେ ବ୍ୟସ୍ତ ଲାଗୁଛି । ଏହି ଲୁଟ୍ ଘଟଣାଗୁଡ଼ିକ ପରେ ପୋଲିସର ପାରିବାପଣିଆକୁ ଉପରେ ପ୍ରଶ୍ନ ଚିହ୍ନ ଠିଆହୋଇଛି । ଅପରାଧୀମାନଙ୍କୁ ଶୀଘ୍ର ଗିରଫ କରାଯିବା ଉଚିତ ଓ ରାତି ପାଟ୍ରୋଲିଂକୁ ଆହରି ସକ୍ରିୟ କରାଯିବା ଉଚିତ,’’ କହିଛନ୍ତି ସହିଦ ନଗର ବାସିନ୍ଦା ବୁଲୁ ମହାନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।