News18 Odia Digital
ବ୍ରହ୍ମପୁର: ବିବାହର ୪ ଦିନ ନପୁରୁଣୁ ନବ ଦମ୍ପତିଙ୍କ ମୃତ୍ୟୁ। ଆଜି ପୁରା ଦେଶ ପ୍ରେମ ଦିବସ ପାଳନ କରୁଥିବା ବେଳେ ଠିକ ଏହାର ଗୋଟିଏ ଦିନ ପୂର୍ବରୁ ବ୍ରହ୍ମପୁରର ନବ ଦମ୍ପତି ଏକାଠି ଚାଲିଗଲେ ଆରପାରିକୁ। ଏଭଳି ଅଭାବନୀୟ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ବ୍ରହ୍ମପୁର ଗୋଳନ୍ଥରା ଥାନା ଆଗରେ ଟ୍ରାକ୍ଟର ଧକ୍କାରେ ଚାଲିଗଲା ନବ ଦମ୍ପତିଙ୍କ ଜୀବନ।
ମୃତ ଦମ୍ପତି ହେଲେ ବ୍ରହ୍ମପୁରର ସିଏଚ. ପ୍ରଭଲିକା ଓ ଇଚ୍ଛାପୁରର ଜି. ବେଣୁ। ଗତ ୧୦ ତାରିଖରେ ସିମାଞ୍ଚଳରେ ଉଭୟଙ୍କ ବିବାହ ହୋଇଥିଲା। ବିବାହ ପରେ ପରଦିନ ଇଚ୍ଛାପୁରରେ ରିସିପସନ ପାର୍ଟିର ଆୟୋଜନ କରାଯାଇଥିଲା। ଏହାପରେ ଝିଅ ଜ୍ବାଇଁ ଧରି ବ୍ରହ୍ମପୁର ଆସୁଥିଲେ ମାମୁ।

ବିବାହର ୪ ଦିନ ନପୂରୁଣୁ ନବ ଦମ୍ପତିଙ୍କ ମୃତ୍ୟୁ
ହେଲେ ଅଧ ରାସ୍ତାରେ ଘଟିଗଲା ଅଘଟଣ। ଝିଅ ଜ୍ବାଇଁ ଗୋଟିଏ ବାଇକରେ ଆସୁଥିବାବେଳେ ବ୍ରହ୍ମପୁର ଗୋଳନ୍ଥରା ଥାନା ଆଗରେ ଉଭୟଙ୍କୁ ଧକ୍କା ଦେଇଥିଲା ଟ୍ରାକ୍ଟର। ପଛରେ ଆସୁଥିବା ମାମୁ ମାଇଁ ଉଭୟଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ନେଇଥିଲେ।
ହେଲେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ଘରେ ଶୋକର ଛାୟା ଖେଳିଯାଇଛି। ତେବେ କିଏ ଜାଣିଥିଲା ଦୁର୍ଘଟଣାରେ ଏମିତି ଦମ୍ପତିଙ୍କ ଜୀବନ ଚାଲିଯିବ। ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଛି।
ଖବର ପାଇ ଘଟଣାସ୍ଥଳରେ ଗୋଳନ୍ଥରା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।