News18 Odia Digital
ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ଚାଞ୍ଚଲ୍ୟ। ସାବିତ୍ରୀରେ ଅଭାବନୀୟ ଘଟଣା। ପତ୍ନୀ ପାଇଁ ସ୍ୱାମୀ ସାଜିଲା ସୈତାନ। ବିବାହକୁ ମାସେ ହୋଇନଥିବା ବେଳେ ନବବଧୁକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ସ୍ଵାମୀଙ୍କ ପାଇଁ ବ୍ରେସଲେଟ ଆଣି ନଥିବାରୁ ଝିଅକୁ ହତ୍ୟା କରାଯାଇଥିବା ନେଇ ଖଣ୍ଡଗିରି ଥାନାରେ ଏକ ମାମଲା ରୁଜୁ ହୋଇଛି। ଖଣ୍ଡଗିରି ଥାନା ପୋଲିସ ଆଇପିସି ଦଫା ୪୯୮(ଏ), ୩୦୨, ୩୦୪(ବି), ୩୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ସ୍ବାମୀ ପ୍ରାକାଶ ଖୁଣ୍ଟିଆକୁ ଗିରଫ କରିଛି ପୋଲିସ।
ଖଣ୍ଡଗିରି ଥାନା ପୋଲିସ ସୂଚନା ଅନୁସାରେ, ଭଦ୍ରକ ତିହିଡ ଅଞ୍ଚଳର ୨୭ ବର୍ଷୀୟ ପ୍ରଭାବତି ନାୟକ ଗତ ଏପ୍ରିଲ ୨୮ରେ ଭୁବନେଶ୍ୱର ସରକନ୍ତରାର ପ୍ରକାଶ ଖୁଣ୍ଟିଆକୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ବେଳେ ଦାବି ମୁତାବକ ଯୌତୁକ ବି ଦିଆଯାଇଥିଲା। କିଛି ଦିନ ସବୁ ଠିକ ଠାକ ଚାଲିଥିଲା। ଗତ ରବିବାର ସ୍ୱାମୀ ମାଡ଼ ମାରିଥିବା କଥା ମା'ଙ୍କୁ ଜଣାଇଥିଲେ ପ୍ରଭାବତୀ। ପରେ ଫୋନ କରିବାରୁ ଝିଅ ଆତ୍ମହତ୍ୟା କରିଥିବା କଥା ଶାଶୁ ଘର ଲୋକେ କହିଥିଲେ। ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳକୁ ଯାଇ ଯାଞ୍ଚ କରିଛି।
ମୃତ ପ୍ରଭାବତୀଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ, "ଯୌତୁକରେ ବ୍ରେସଲେଟ ଆଣିବାକୁ କୁହାଯାଇଥିଲା, ହେଲେ ଆମେ ଜ୍ୱାଇଁକୁ ଦେଇନଥିଲୁ। ଯାହାକୁ ନେଇ ଝିଅର ଶାଶୁଘର ଲୋକ ଝିଅକୁ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ। ପରିବାର ଉପରେ ଚାପ ପକାଉଥିଲେ। ଯାହାକୁ ନେଇ ମାନସିକ ଚାପରେ ରହୁଥିଲେ ପ୍ରଭାବତୀ। ସୋମବାର ଝୁଲନ୍ତା ଅବସ୍ଥାରେ ନବବଧୂ ପ୍ରଭାତି ନାୟକଙ୍କର ମୃତଦେହକୁ ଉଦ୍ଧାର କରାଯାଇଥିଲା। ଏମ୍ସ ନେଇଥିଲେ ପରିବାର ଲୋକ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।’’
ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ଏମ୍ସରେ ପୋଷ୍ଟମର୍ଟମ କରିବା ପରେ ପାରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରିବା ସହ ପ୍ରଭାବତୀଙ୍କ ସ୍ୱାମୀ, ଶାଶୁ, ଶ୍ବଶୁର, ଦେଢଶୁର ଓ ଜା'ଙ୍କ ନାମରେ ମାମଲା ରୁଜୁ କରିଛି। ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇ ପାରିବ ବୋଲି ଖଣ୍ଡଗିରି ଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।