ନୂଆଖାଇ: ଇଷ୍ଟଦେବୀ ମା’ ସମଲେଇଙ୍କ ଠାରେ ନବାନ୍ନ ପ୍ରସ୍ତୁତି ପାଇଁ ପହଞ୍ଚିଲା ନୂଆ ଧାନ

ଅଗଷ୍ଟ ୨୩ ତାରିଖ ରବିବାର ଦିନ ଗଣ ପର୍ବ ନୂଆଖାଇ ପାଇଁ ଲଗ୍ନ ନିର୍ଧାରଣ ସରିଛି । ସକାଳ ୯ଟା ୩୫ରୁ ୯ଟା ୫୦ ମଧ୍ୟରେ ମା’ଙ୍କ ଠାରେ ପ୍ରଥମେ ନବାନ୍ନ ଲାଗିହେବ । ପରେ ଘରେ ଘରେ ସମସ୍ତେ ଖାଇବେ ନୂଆ ।

ନୂଆଖାଇ: ଇଷ୍ଟଦେବୀ ମା’ ସମଲେଇଙ୍କ ଠାରେ ନବାନ୍ନ ପ୍ରସ୍ତୁତି ପାଇଁ ପହଞ୍ଚିଲା ନୂଆ ଧାନ
ନୂଆଖାଇ ପାଇଁ ଆସିଥିବା ନୂଆ ଧାନ; (ଡାହାଣ) ମା’ ସମଲେଶ୍ୱରୀ ମନ୍ଦିର
  • News18 Odia
  • Last Updated: August 21, 2020, 9:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସମ୍ବଲପୁର: ନୂଆଖାଇ ପାଇଁ ଇଷ୍ଟ ଦେବୀ ମା’ ସମଲେଶ୍ବରୀଙ୍କ ପାଖରେ ନବାନ୍ନ ଲାଗି ପାଇଁ ପହଞ୍ଚିଲା ଏ ବର୍ଷର  ଉତ୍ପାଦିତ ନୂଆ ଧାନ । ନୂଆଖାଇରେ ନୂଆ ଧାନର ଚାଉଳରେ ପ୍ରସ୍ତୁତ ନୈବେଦ୍ୟ ମା’ଙ୍କ ଠାରେ ଅର୍ପଣ କରାଯାଇଥାଏ  । ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇ ଆସନ୍ତା ୨୩ ତାରିଖ ରବିବାର ଦିନ ପାଳିତ ହେବାକୁ ଯାଉଛି ।

ଏହି ପର୍ବ ପାଇଁ ସମଗ୍ର ପଶ୍ଚିମ ଓଡ଼ିଶାରେ ପ୍ରସ୍ତୁତି ପର୍ବ ଜୋରସୋରରେ ଚାଲିଥିବା ବେଳେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ନୂତନ ଅମଳ ଧାନ ପହଞ୍ଚି ସାରିଛି । ପରମ୍ପରା ଅନୁଯାୟୀ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପରେ ସମସ୍ତେ ନବାନ୍ନ ଭକ୍ଷଣ କରିଥାନ୍ତି । ନୂଆ ଧାନରୁ ଚାଉଳ ବାହାର କରି ନବାନ୍ନ ପ୍ରସ୍ତୁତ କରାଯାଇଥାଏ । ଏହି ଚାଉଳରୁ ନିର୍ମିତ ବିଭିନ୍ନ ପିଠାପଣା, ଖିରି ଆଦି ଆସନ୍ତା ୨୩ ତାରିଖ ଦିନ ମାଁ ସମଲେଶ୍ୱରୀଙ୍କ ନିକଟରେ ସର୍ବ ପ୍ରଥମେ ଭୋଗ ଲାଗି ହେବ ।

ବର୍ଷା ଋତୁର ପ୍ରଥମ ଅମଳ ଧାନ ସମ୍ବଲପୁର ଜିଲା ଧନକଉଡ଼ା ବ୍ଲକ ଅର୍ନ୍ତଗତ ବଲବସପୁର ଗ୍ରାମର ଚାଷୀ ସୁବାଷ ଚନ୍ଦ୍ର ବେହେରା ସମଲେଶ୍ୱରୀ ମନ୍ଦିରର ପୂଜାରୀଙ୍କୁ ତିନି ବର୍ଷ ହେବ ମାଁ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ଭେଟି ଦେଇ ଆସୁଛନ୍ତି ।

ମା’ ସମଲେଶ୍ୱରୀଙ୍କ ବିଗ୍ରହ


‘‘ନୂଆଖାଇ ପାଇଁ ମନ୍ଦିରକୁ ନୂଆ ରଙ୍ଗ ଦିଆଯାଇଛି । ଶୁକ୍ରବାର ମାଁଙ୍କୁ ସିନ୍ଦୂର ଲାଗି ହୋଇଛି । ଶନିବାର ମାଁଙ୍କ ଅଳଙ୍କାର ସଫେଇ କାର୍ଯ୍ୟ ହେବ,’’ କହିଛନ୍ତି ସମଲେଶ୍ୱରୀ ମନ୍ଦିରର ପୂଜକ ଅମ୍ବିକା ରାୟ ।

ନୂଆଖାଇରେ ମା’ଙ୍କ ଠାରେ ଲାଗି ହେଉଥିବା ନୂଆ ଧାନ ସଂଗ୍ରହ ପୂର୍ବରୁ ଚାଷୀ ପୂଜାର୍ଚ୍ଚନା କରି ଧାନ ସଂଗ୍ରହ କରିଥାନ୍ତି । ମୁଖ୍ୟତଃ କମ ଦିନରେ ଅମଳ ହେଉଥିବା ଚାଷିଆ ଧାନ ବା ଗୁଡ଼ା ଧାନ ବିଲରେ ପାଚିବା ଆରମ୍ଭ ହେଲାଣି । ଏହି ବର୍ଷର ନୂତନ ଉତ୍ପାଦିତ ଧାନ ମା’ଙ୍କ ଠାରେ ପ୍ରଥମେ ନୈବେଦ୍ୟ ଆକାରରେ ଅର୍ପଣ କରାଯାଇଥାଏ । ଏହି ନୂଆ ଧାନକୁ ସଂଗ୍ରହ କରି ତିନି ବର୍ଷ ହେଲା ସମ୍ବଲପୁରର ଇଷ୍ଟ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିରକୁ ଯାଇ ନୂଆ ଖାଇରେ ଲାଗି କରାଇବା ପାଇଁ ଦେଇ ଆସୁଛନ୍ତି ବଲବସପୁରର ସୁବାଷ ବେହେରା ।

‘‘ଚଳିତ ବର୍ଷ କେରୋନା ସଙ୍କଟ ପାଇଁ ସବୁ କିଛି ଫିକା ରହିଥିବା ବେଳେ ଭକ୍ତମାନଙ୍କୁ ମନ୍ଦିରକୁ ପ୍ରବେଶ ନିଷେଧ କରାଯାଇଛି । ପାରମ୍ପରିକ ରୀତିନୀତି ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପନ୍ନ କରାଯାଇ ବିଧି ରକ୍ଷା କରାଯିବ,’’ କହିଛନ୍ତି ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ।

ଏହା ବି ପଢ଼ନ୍ତୁ ଆସନ୍ତା ବର୍ଷ ଭାରତରେ ମିଳିବ ଏହି କମାଲ୍ ଇଲେକ୍ଟ୍ରିକ୍ କାର୍, ପୂରା ଚାର୍ଜରେ ୪୦୦ କିମି ଚାଲିବ

ଏହା ବି ପଢ଼ନ୍ତୁ Watch VIDEO: କୋଭିଡ-୧୯ରେ ମୃତ୍ୟୁ ପୂର୍ବରୁ କହିଗଲେ ଆମେରିକୀୟ ମହିଳା: ‘ମାସ୍କ ପିନ୍ଧନ୍ତୁ’

ନୂଆଁଖାଇ ଦିନ ସମସ୍ତ ରୀତିନୀତିକୁ ସୋସିଆଲ ମିଡ଼ିଆରେ ପ୍ରସାରିତ କରାଯିବ । ଭକ୍ତମାନେ ଅନଲାଇନ ମାଧ୍ୟମରେ ଘରେ ଥାଇ ମାଁ’ଙ୍କ ଦର୍ଶନ କରିପାରିବେ ବୋଲି ସଭାପତି ସଞ୍ଜୟ କହିଛନ୍ତି ।



ପ୍ରତି ବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପଶ୍ଚିମ ଓଡ଼ିଶାବାସୀ ବର୍ଷର ନୂତନ ଉତ୍ପାଦିତ ଶସ୍ୟରୁ ପ୍ରସ୍ତୁତ ନୈବେଦ୍ୟ ନିଜର ଇଷ୍ଟଦେବୀଙ୍କ ଠାରେ ସମର୍ପଣ ପରେ ତାହା ନିଜେ ଗ୍ରହଣ କରି ନୂଆଖାଇ ପର୍ବ ପାଳନ କରିଥାନ୍ତି । ଏ ବର୍ଷ ଅଗଷ୍ଟ ୨୩ ତାରିଖ ରବିବାର ଦିନ ଗଣ ପର୍ବ ନୂଆଖାଇ ପାଇଁ ଲଗ୍ନ ନିର୍ଧାରଣ ସରିଛି । ସକାଳ ୯ଟା ୩୫ରୁ ୯ଟା ୫୦ ମଧ୍ୟରେ ମା’ଙ୍କ ଠାରେ ପ୍ରଥମେ ନବାନ୍ନ ଲାଗିହେବ । ପରେ ଘରେ ଘରେ ସମସ୍ତେ ଖାଇବେ ନୂଆ ।
Published by: Anand Shankar Thankur Das
First published: August 21, 2020, 9:30 PM IST
corona virus btn
corona virus btn
Loading