News18 Odia Digital
କଟକ: ବାବୁଶାନ-ତୃପ୍ତି-ପ୍ରକୃତି ମିଶ୍ର ବିବାଦରେ ପୁଣି ଥରେ ଆସିଛି ନୂଆ ଟ୍ୱିଷ୍ଟ। ଏବେ ଏହି ଟ୍ୱିଷ୍ଟ ଆଣିଛନ୍ତି ପ୍ରକୃତି ମିଶ୍ର। କାରଣ ତାଙ୍କ ପ୍ରତି ଅନ୍ୟାୟ ହୋଇଥିବା ଦର୍ଶାଇ ମଙ୍ଗଳବାର ଦିନ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ତାଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ପୋଲିସର ତଦନ୍ତରେ ଶିଥିଳତା ନେଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ପ୍ରକୃତି।
ତାଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ସହ ଏହି ଘଟଣାରେ ସ୍ବତନ୍ତ୍ର ତଦନ୍ତକାରୀ ସଂସ୍ଥା ଯାଞ୍ଚ କରୁ ବୋଲି କୋର୍ଟରେ ଦାୟର ହୋଇଥିବା ନିଜ ପିଟିସନରେ ପ୍ରାର୍ଥନା କରିଛନ୍ତି ପ୍ରକୃତି। ଏହି ମାମଲାରେ ଖାରବେଳ ନଗର ଥାନା ଆଇସିସି ଓ ଗୃହ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି।
"ମୋ ସାଙ୍ଗରେ ଯାହାବି ହୋଇଛି ଜଷ୍ଟିସ କି ଇନ୍ ଜଷ୍ଟିସ, ତାହା ଆପଣ ମାନେ ସମସ୍ତେ ଦେଖିଛନ୍ତି । ପୁରା ଦୁନିଆ ଦେଖିଛି । ମୋର ମାନ୍ୟବର କୋର୍ଟଙ୍କ ଉପରେ ବହୁତ ଭରସା ଅଛି । ମତେ ମୋ ଭାଗର ନ୍ୟାୟ ନିହାତି ମିଳିବ,"କହିଛନ୍ତି ପ୍ରକୃତି ମିଶ୍ର।
"ସେମାନେ ରାସ୍ତା ଉପରେ ଯେଉଁ ଆକ୍ରମଣ କରିଥିଲେ। ସେହି ଆକ୍ରମଣର ମାମଲାରେ ପୋଲିସ କୌଣସି ପ୍ରକାର ନ୍ୟାୟ ଦେଇ ପାରିଲା ନାହିଁ । ସେଥିପାଇଁ ପ୍ରକୃତି ଅସନ୍ତୁଷ୍ଟି ପ୍ରକାଶ କରିଛନ୍ତି । ଯେଉଁ ଭଳି ଧାରାରେ ମାମଲା ରୁଜ୍ଜୁ ହେବା କଥା ସେହି ସେହି ଧାରା ମଧ୍ୟ ଏହି ମାମଲାରେ ଲଗାଯାଇ ନାହିଁ । ତେଣୁ ଏହାର ପ୍ରକୃତ ତଦନ୍ତ କରାଯିବା ଓ ଏକ ସ୍ବତନ୍ତ୍ର ତଦନ୍ତକାରୀ ସଂସ୍ଥା ଯାଞ୍ଚ କରୁ ବୋଲି ଆମେ ପିଟିସନରେ ଉଲ୍ଲେଖ କରିଛୁ" କହିଛନ୍ତି ପ୍ରକୃତି ମିଶ୍ରଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ ।
ଗତ ଜୁଲାଇ ମାସ ୨୩ ତାରିଖ ସକାଳେ ଅଭିନେତା ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଏକାଠି ପାଇ ହଙ୍ଗାମା ମଚାଇଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ । ଏହି ଘଟଣାକୁ ନେଇ ସେତେବେ ପ୍ରକୃତିଙ୍କ ପରିବାର ପକ୍ଷରୁ ଖାରବେଳ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ଝିଅକୁ ଆକ୍ରମଣ ହୋଇଥିବା ଅଭିଯୋଗ କରି ଖାରବେଳନଗର ଥାନାରେ ମନ୍ମଥ ମିଶ୍ର ଓ ମା କ୍ରିଷ୍ଣା ଏତଲା ଦେଇଥିଲେ । କିନ୍ତୁ ସେହି ମାମଲାରେ ବାବୁଶାନଙ୍କ ପତ୍ନୀ ତୃପ୍ତି ଓ ତାଙ୍କ ବାପାଙ୍କ ଦ୍ଵାରା ହୋଇଥିବା ଆକ୍ରମଣ ମାମଲାରେ ପୋଲିସ ସଠିକ୍ ଭାବରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି ପ୍ରକୃତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।