ପୁରୀ ‘ହାଜତ ମୃତ୍ୟୁ’: ରମେଶ ଖସି ପଡ଼ି ମରିଗଲା, ଏହା ଏକ ଦୁର୍ଘଟଣା ଥିଲା, HCରେ କହିଲେ ନୂଆ SP
ପୋଲିସ ପକ୍ଷରୁ ତଥ୍ୟ ଲୁଚେଇବା ପାଇଁ ପୁଣି ଅନେକ ମିଛ କୁହାଯାଇଛି ବୋଲି କହିଛନ୍ତି ଜନସ୍ୱାର୍ଥ ମାମଲା ଦାୟର କରିଥିବା ଆଇନଜୀବୀ ଶରତ କୁମାର ରାୟଗୁରୁ । ‘‘ହାଜତରେ ଯେ ମୃତ୍ୟୁ ହୋଇ ନାହିଁ ଓ #NHRC ଗାଇଡଲାଇନ ପାଳନ ହୋଇଛି ଏହା ମିଛ କଥା ।’’

(ବାମରୁ ଡାହାଣ) ମୃତକ କେ. ରମେଶ, ଓଡ଼ିଶା ହାଇ କୋର୍ଟ ଓ ନୂଆ ପୁରୀ ଏସ୍.ପି. କୁୱଁର ବିଶାଲ ସିଂ
- News18 Odia
- Last Updated: November 24, 2020, 7:58 PM IST
କଟକ: ପୁରୀରେ ହାଜତ ମୃତ୍ୟୁ ଅଭିଯୋଗ ମାମଲାକୁ ନେଇ ସମଗ୍ର ରାଜ୍ୟରେ ରାଜନୈତିକ ହଟଚମଟ ଜାରି ରହିଥିବା ବେଳେ ଏହି ପ୍ରସଙ୍ଗରେ ହାଇ କୋର୍ଟରେ ଦାୟର ହୋଇଥିବା ମାମଲାରେ ଜବାବ ରଖି ନବନିଯୁକ୍ତ ପୁରୀ ଏସ୍.ପି. କୁଁଅର ବିଶାଲ ସିଂ କହିଛନ୍ତି ଯେ ଅଭିଯୁକ୍ତ କେ. ରମେଶଙ୍କ ମୃତ୍ୟୁ ହାଜତ ହତ୍ୟା ନୁହେଁ । ରମେଶ ଖସି ପଡ଼ିବାରୁ ତାଙ୍କ ମୁଣ୍ଡରେ ମାଡ଼ ହୋଇଥିଲା ଓ ଚିକିତ୍ସା ସମୟରେ ସେ ମୃତ୍ୟୁ ବରଣ କରିଥିବା ଅଦାଲତଙ୍କୁ ଦର୍ଶାଇଛନ୍ତି ସିଂ ।
“ମୃତକ କେ. ରମେଶ ଜଣେ କୁଖ୍ୟାତ ଅପରାଧୀ ଥିଲା ଓ ତା’ ନାଁରେ ପୂର୍ବରୁ ରାଜ୍ୟର ବିଭିନ୍ନ ଥାନାରେ ମୋଟ ସାତଟି ମାମଲା ରହିଛି । ଗତ ୧୮ ତାରିଖ ସନ୍ଧ୍ୟା ୭ଟା ୧୫ ମିନିଟ ସମୟରେ କେ. ରମେଶ ଏକ ମୋଟର ସାଇକେଲରେ ବ୍ରହ୍ମଗିରୀରୁ ପୁରୀ ଆଡ଼କୁ ଆସୁଥିବା ନେଇ ବାସେଳିସାହି ଥାନା ପୋଲିସକୁ ଖବର ମିଳିଥିଲା । ଏକ ପୋଲିସ ଟିମ୍ ବଳିଆପଣ୍ଡା ନିକଟରେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ସେ ନିଜ ମୋଟର ସାଇକେଲ୍ ଛାଡ଼ି ନିକଟରେ ଥିବା କାଜୁ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲା । ପୋଲିସ ତା’ ପିଛା କରିବାରୁ କେ.ରମେଶ ନିଜ ପାଖରେ ଥିବା ବନ୍ଧୁକ ଦେଖାଇ ପୋଲିସ ଟିମକୁ ହତ୍ୟା ଉଦ୍ୟମ କରିଥିଲା । ସେହି ସମୟରେ ପୋଲିସ ଟିମ ସହିତ ତା’ର ଧସ୍ତାଧସ୍ତି ହୋଇଥିଲା । ଫଳରେ ରମେଶ ରାସ୍ତା ଉପରେ ପଡ଼ିଯାଇ ଚେତା ହରାଇଥିଲା । ପୋଲିସ କର୍ମୀମାନେ ତା’ ମୁହଁରେ ପାଣିଛାଟିବା ପରେ ତା’ ଚେତା ନ ଫେରିବାରୁ ତାକୁ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟ ଘୋଷିତ କରିଥିଲେ,” କୋର୍ଟରେ ଦାଖଲ କରିଥିବା ନିଜ ସତ୍ୟପାଠରେ ଦର୍ଶାଇଛନ୍ତି ପୁରୀ ଏସ୍.ପି. କୁଁଅର ବିଶାଲ ସିଂ ।
ଏହା ବି ପଢ଼ନ୍ତୁ | କମେଡିଆନ ଭାରତୀ ସିଂ ଗିରଫ ହେଲେ; ତାଙ୍କ ଘରୁ ଗଞ୍ଜେଇ ଜବତ; ସ୍ୱାମୀଙ୍କ ସହ ସେବନ କରୁଥିଲେ

ଏହି ଘଟଣା ପରେ ପୁରୀରେ ହେଉଥିବା ଧାରଣା ପ୍ରଦର୍ଶନର ଏକ ଦୃଶ୍ୟ
“କେ. ରମେଶଙ୍କ ମୃତ୍ୟୁ ପରେ ତାଙ୍କ ମୃତ ଦେହକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଷ୍ଟ ମର୍ଟମ କରାଯାଇଥିଲା ଓ ଏହି ପ୍ରକ୍ରିୟାର ଭିଡିଓ ଗ୍ରାଫି ମଧ୍ୟ କରାଯାଇଥିଲା ବୋଲି ନିଜ ସତ୍ୟପାଠରେ ଦର୍ଶାଇଛନ୍ତି ଏସ୍.ପି. । ‘‘ପୋଷ୍ଟ ମର୍ଟମ ପରେ କେ. ରମେଶଙ୍କ ମୃତ ଦେହକୁ ତାଙ୍କ ବାପା କେ. ଗୁରୁମୂର୍ତ୍ତିଙ୍କୁ ହସ୍ତାନ୍ତର କରାଯାଇଥିଲା । ମୃତ ଦେହକୁ ତାଙ୍କ ବାପା ସ୍ବର୍ଗଦ୍ବାର ନେଇ ପରମ୍ପରା ମୁତାବକ ଶେଷକୃତ୍ୟ ସମ୍ପର୍ଣ୍ଣ କରିଥିଲେ । ଏହା ଏକ ହାଜତ ମୃତ୍ୟୁ ବୋଲି ଯେଉଁ ଅଭିଯୋଗ ହେଉଛି ତାହା ମିଥ୍ୟା । ମୃତକଙ୍କୁ ଗରିଫ କରାଯାଇ ନ ଥିଲା କିମ୍ବା ତାଙ୍କୁ ନିର୍ଯାତନା ମଧ୍ୟ ଦିଆଯାଇ ନ ଥିଲା । ଏହା ଏକ ଦୁର୍ଘଟଣାଜନିତ ମୃତ୍ୟୁ । ବିଚାର ବିଭାଗୀୟ ଅଧିକାରୀଙ୍କ ଦ୍ଵାରା ଏହି ମାମଲାର ତଦନ୍ତ କରାଇବାକୁ ପୁରୀ ଜିଲ୍ଲା ଜଜଙ୍କୁ ନିବେଦନ କରାଯାଇଛି,’’ ନିଜ ଜବାବରେ ଦର୍ଶାଇଛନ୍ତି କୁଁଅର ବିଶାଲ ସିଂ ।
ଏହା ବି ପଢ଼ନ୍ତୁ | ଏବେ ଛାଡ଼ପତ୍ର ମାଗୁଥିବା IAS ଟପ୍ପର ଟିନା ଡାବିଙ୍କ ପ୍ରେମ କାହାଣୀ ଦିନେ ଚିତ୍ତାକର୍ଷକ ଥିଲା
ହାଇ କୋର୍ଟ ଏହି ମାମଲାର ଶୁଣାଣି କରି ମୃତକଙ୍କ ବାପା ଓ ମା’ଙ୍କୁ ଖୋଜି ଠାବ କରିବା ସହ ସେମାନଙ୍କୁ ତୁରନ୍ତ ପ୍ରାରମ୍ଭିକ କ୍ଷତିପୂରଣ ଅର୍ଥ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜାତୀୟ ମାନବାଧିକାର ଆୟୋଗର (NHRC) ଗାଇଡ଼ଲାଇନରେ ଥିବା ନିୟମ ସମ୍ପର୍କରେ ଅଦାଲତରେ ତଥ୍ୟ ରଖିବାକୁ ବି କହିଛନ୍ତି ହାଇ କୋର୍ଟ। ପୁରୀ ଏସ୍.ପି. ଦାଖଲ କରିଥିବା ଜବାବର ପ୍ରତିଜବାବ ଦାଖଲ କରିବାକୁ ବି ଆବେଦନକାରୀଙ୍କୁ କହିଛନ୍ତି ହାଇ କୋର୍ଟ ।
ଏହା ବି ପଢ଼ନ୍ତୁ | Video: ନ୍ୟୁ ୟର୍କରେ ପୋଲିସ ଅଫିସରଙ୍କ ମୁହଁକୁ ଛେପ ପକାଇ ଗିରଫ ହେଲେ ଭାରତୀୟ ଯୁବତୀ
ପୁରୀର ଆଇନଜୀବୀ ଶରତ କୁମାର ରାୟଗୁରୁଙ୍କ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇ କୋର୍ଟ ଏହି ସବୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରାଇବା, ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ଓ ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାୟଗୁରୁ କୋର୍ଟରେ ପାର୍ଥନା କରିଥିଲେ। ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁରୀ ଜିଲ୍ଲାପାଳ ଓ ପୁରୀ ଏସପି ଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି।
“ପୁରୀ ଏସ୍.ପି. ଯେଉଁ ଜବାବ ଦାଖଲ କରିଛନ୍ତି ଆମେ ତାକୁ ଗ୍ରହଣ କରି ପାରୁନାହୁଁ । ଯାହା ଆଜି କାଉଣ୍ଟର୍ ଦାଖଲ କରାଯାଇଛି ସେଥିରେ ତଥ୍ୟଗୁଡ଼ିକୁ ଲୁଚେଇବା ପାଇଁ ପୁଣି ଅନେକ ମିଛ କଥା କୁହାଯାଇଛି । ହାଜତ ମୃତ୍ୟୁ ଯେ ହୋଇ ନାହିଁ ଓ ଏନ.ଏଚ.ଆର.ସି.ଙ୍କ (NHRC) ଗାଇଡଲାଇନ ଅନୁସାରେ ଯେ ସବୁ କିଛି ହୋଇଛି, ଏ ସବୁ ମିଛ କଥା । ମାଜିଷ୍ଟ୍ରେଟଙ୍କ ବିନା ଉପସ୍ଥିତିରେ ଓ କେ. ରମେଶଙ୍କ ମୃତ ଦେହକୁ ତାଙ୍କ ବାପାଙ୍କୁ ହସ୍ତାନ୍ତରିତ ନ କରି ଲୁଚାଣିଆ ଭାବେ ପୋଡ଼ି ଦିଆଯାଇଥିଲା । ଆମେ ଏସ୍.ପି.ଙ୍କ ଏହି ଜବାବର ଏକ ପ୍ରତିଜବାବ ମଧ୍ୟ କୋର୍ଟରେ ଦାଖଲ କରିବୁ,” କହିଛନ୍ତି ଜନସ୍ୱାର୍ଥ ମାମଲା ଦାୟର କରିଥିବା ଆଇନଜୀବୀ ଶରତ କୁମାର ରାୟଗୁରୁ ।