News18 Odia Digital
ଭୁବନେଶ୍ବର: ଅନୁଶାସନ ହିଁ ରାଜ୍ୟର ଅଗ୍ନିଶମ ସେବା ବିଭାଗକୁ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ପ୍ରଶଂସିତ କରାଇଛି। ଏହା ଆମ ରାଜ୍ୟ ପାଇଁ ଗୌବମୟ କଥା। ଆଗାମୀ ଦିନରେ ଏହି ସେବାକୁ ଉନ୍ନତ ତଥା ଆଧୁନିକ ଉପକରଣରେ ଯୋଗାଇଦିଆଯିବ। ଏଥିପାଇଁ ରାଜ୍ୟ ଅଗ୍ନିଶମ ବିଭାଗ ରୀତିମତ ଉଦ୍ୟମ ଆରମ୍ଭ କରିଛି। ଆସନ୍ତା କିଛି ମାସ ଭିତରେ ଏହାର ପ୍ରଭାବ ଅନୁଭୂତ ହେବ।
୭୮ତମ ଅଗ୍ନିଶମ ସେବା ସପ୍ତାହ ପାଳନ ଅବସରରେ ଏହା କହିଛନ୍ତି ରାଜ୍ୟ ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ଏଥିସହିତ ପ୍ରତି ବ୍ଲକ ସ୍ତରରୁ ଅଗ୍ନିଶମ ସଂସ୍ଥାକୁ ନାଗପୁରର ଦକ୍ଷ ପ୍ରଶିକ୍ଷକଙ୍କ ଦ୍ଵାରା ପ୍ରଶିକ୍ଷଣ ଦିଆଯିବ ବୋଲି କହିଛନ୍ତି ଫାୟାର ଡିଜି ଅରୁଣ କୁମାର ରାୟ।
ଭୁବନେଶ୍ବର ସ୍ଥିତ ରାଜ୍ୟ ଅଗ୍ନିଶମ ବିଭାଗର ମୁଖ୍ୟାଳୟରେ ୭୮ତମ ଅଗ୍ନିଶମ ସପ୍ତାହ ପାଳନ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଓଡ଼ିଶା ଫାୟାର ଓ ପ୍ରାକୃତିକ ବିପର୍ଯ୍ୟୟ ନିରାକରଣ ଏକାଡେମୀ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ। ଆରମ୍ଭରେ ମନ୍ତ୍ରୀ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ରଙ୍ଗାରଙ୍ଗ ପ୍ୟାରେଡ଼ କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରର ଆଗ୍ନିକମାନେ ଭାଗ ନେଇଥିଲେ।

୭୮ତମ ଅଗ୍ନିଶମ ସେବା ସପ୍ତାହ ଅବସରରେ ନୂଆ ଉଦ୍ୟମ
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବିଭାଗୀୟ କର୍ମୀଙ୍କୁ ପୁରସ୍କୃତ କରାଯାଇଛି। ଏଥିସହ ଜୀବନବ୍ୟାପୀ ଅଗ୍ନିଶମ ଅଧିକାରୀ ଭାବେ କାର୍ଯ୍ୟ କରିଥିବା ବ୍ୟକ୍ତିମାନଙ୍କ ଅବଦାନ ପାଇଁ ସମ୍ମାନିତ ମଧ୍ୟ କରାଯାଇଥିଲା।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଡେୟାର ଡେଭିଲ୍ସ ଶୋ। ଉଚ୍ଚ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟିଲେ କିଭଲି ଲୋକଙ୍କୁ ତୁରନ୍ତ ଉଦ୍ଧାର କରାଯିବା ସହିତ ଚାଳ ଘରେ ନିଆଁ ଲାଗିଲେ କିଭଳି ଯଥା ଶୀଘ୍ର ଧନ ଜୀବନ ରକ୍ଷା କରାଯାଇ ପାରିବ, ଜରୁୀକାଳୀନ ପରିସ୍ଥିତିରେ କୌଣସି କାରଖାନାରେ ନିଆ ଲାଗିଲେ ସୁରକ୍ଷିତ ଭାବେ କିଭଳି ନିଆଁକୁ ଆୟତ କରାଯାଇପାରିବ ସେନେଇ ଆଗ୍ନିକମାନେ ଡେମୋ ପ୍ରଦର୍ଶନ କରିଥିଲେ।
ବିଶେଷ କରି ଏହି ଡେୟର ଡେଭିଲ ଶୋ'ରେ ମୁଖ୍ୟ ଆକର୍ଷଣ ଥିଲା ଉଚ୍ଚ ଅଟାଳିକାରେ ଦୈବାତ ନିଆଁ ଲାଗିଲେ କିଭଳି ଶିଶୁ, ମହିଳା ଓ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ପାରିବ ତାହାର ଡେମୋ ପ୍ରଦାନ କରାଯାଇଥିଲା। ସମସ୍ତ ଆଗ୍ନିକଙ୍କ ଶୋ' ଥିଲା ବେଶ ଆକର୍ଷଣୀୟ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ହରିୟଣା, ଛତିଶଗଡ ଆଗ୍ନିକମାନେ ଯୋଗ ଦେଇଥିଲେ। ଏମାନଙ୍କ ମିଳିତ ଉଦ୍ୟମ, ପ୍ରଶିକ୍ଷଣ ତଥା ନୂଆ ନୂଆ କୌଶଳ କାର୍ଯ୍ୟକାରିତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ଫାୟାର ଡିଜି ଅରୁଣ କୁମାର ରାୟ ଅଗ୍ନିକଙ୍କ ଉନ୍ନତ ପ୍ରଶିକ୍ଷଣ ତଥା କାର୍ଯ୍ୟକାରୀତା ଉପରେ ଧ୍ୟାନ ଦିଆଯିବ ବୋଲି ସୂଚନା ଦେଇଥିଲେ।