ମେ ୧ରୁ ନୂଆ ଶିକ୍ଷାବର୍ଷ; ଏଥର ପିଲାଙ୍କୁ ମିଳିବ ମାତ୍ର ୧୧ ଦିନ ଖରା ଛୁଟି

ମେ ପହିଲାରୁ ନୂଆ ଶିକ୍ଷାବର୍ଷ। ଜୁନ ୬ରୁ ଖରା ଛୁଟି। ଖରା ଛୁଟି ପୂର୍ବରୁ ମେ ୧ ତାରିଖରୁ ଜୁନ ୫ ତାରିଖ ହେବ ପାଠପଢା। ସେ ନେଇ ବିଧିବଦ୍ଧ ବିଜ୍ଞପ୍ତି କରିଛି ରାଜ୍ୟ ଗଣଶିକ୍ଷା ବିଭାଗ।

ପିଲାଙ୍କୁ ଏଥର ୧୧ ଦିନ ମାତ୍ର ଖରା ଛୁଟି ଦିଆଯିବ (ପ୍ରତୀକାତ୍ମକ ଛବି)

ପିଲାଙ୍କୁ ଏଥର ୧୧ ଦିନ ମାତ୍ର ଖରା ଛୁଟି ଦିଆଯିବ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ମେ ପହିଲାରୁ ନୂଆ ଶିକ୍ଷାବର୍ଷ। ଜୁନ ୬ରୁ ଖରା ଛୁଟି। ଖରା ଛୁଟି ପୂର୍ବରୁ ମେ ୧ ତାରିଖରୁ ଜୁନ ୫ ତାରିଖ ହେବ ପାଠପଢା। ସେ ନେଇ ବିଧିବଦ୍ଧ ବିଜ୍ଞପ୍ତି କରିଛି ରାଜ୍ୟ ଗଣଶିକ୍ଷା ବିଭାଗ।

ନୂଆ ଶିକ୍ଷାବର୍ଷ ନେଇ ଦୂର ହୋଇଛି ଦ୍ୱନ୍ଦ୍ୱ। ମେ ୧ ତାରିଖରୁ ଆରମ୍ଭ ହେବ ନୂଆ ଶିକ୍ଷାବର୍ଷ। ସେହିଭଳି ଜୁନ ୬ରୁ ଜୁନ ୧୬ ଯାଏଁ ହେବ ଖରାଛୁଟି । ଏଥର ମାତ୍ର ୧୧ ଦିନ ହେବ ଖରାଛୁଟି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି । ଖରାଛୁଟି ପୂର୍ବରୁ ମେ ୧ରୁ ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ସକାଳ ୬ରୁ ସକାଳ ୯ଟା ଯାଏଁ ପାଠପଢ଼ା ହେବ । ଏବେ ଯେଉଁ ସକାଳୁଆ ସ୍କୁଲ ଚାଲିଛି, ତାହା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ମଧ୍ୟାହ୍ନ ଭୋଜନ ମଧ୍ୟ ଦିଆଯିବ । ଏଥର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କର ଶ୍ରେଣୀ ଉତ୍ତୀର୍ଣ୍ଣ ପରୀକ୍ଷା ଏପ୍ରିଲ ୨୦ ତାରିଖ ସୁଦ୍ଧା ଶେଷ କରିବା କୁହାଯାଇଛି । ଶ୍ରେଣୀ ଉତ୍ତୀର୍ଣ୍ଣ ପରୀକ୍ଷା ସରିଲେ ଏପ୍ରିଲ ୨୦ରୁ ଏପ୍ରିଲ ୩୦ ଭିତରେ ନାମଲେଖା ପ୍ରକ୍ରିୟା ଶେଷ ହେବ । ନୂଆ ଶିକ୍ଷା ନୀତି ଅନୁଯାୟୀ, ନବମ ଶ୍ରେଣୀ ପିଲାଙ୍କୁ ସମ୍ମେଟିଭ ଆସେସମେଣ୍ଟ-୨ ପରୀକ୍ଷା ଦେବାକୁ ପଡ଼ିବ । ଏହି ପରୀକ୍ଷା, ଏହାର ଫଳ ଓ ଦଶମ ଶ୍ରେଣୀରେ ନାମଲେଖା ପ୍ରକ୍ରିୟା ମେ ୧୦ ତାରିଖ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଛି ଗଣଶିକ୍ଷା ବିଭାଗ।

ତାଛଡ଼ା କୋରୋନା ଯୋଗୁଁ ବିଗତ ୨ ବର୍ଷ ପାଠପଢ଼ାରେ ଯେଉଁ କ୍ଷତି ହୋଇଛି, ତାର ଭରଣା କରିବା ପାଇଁ ଲର୍ଣ୍ଣିଂ ରିକଭରି ପ୍ଲାନ୍ ବା ଏଲ୍‌ଆରପି ଆଧାରରେ ପାଠପଢ଼ା ଯିବ । ସ୍କୁଲରେ ଯେତିକି ଶିକ୍ଷକ ଅଛନ୍ତି, ସେମାନଙ୍କୁ ନେଇ ଏଲଆରପି କାର୍ଯ୍ୟକାରୀ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

"ନୂଆ ଶିକ୍ଷାବର୍ଷ ମେ ୧ ତାରିଖରୁ ଆରମ୍ଭ କରାଯିବାକୁ ବିଭାଗ ନିଷ୍ପତ୍ତି ନେଇଛି। ଏଣୁ ସେହି ଆଧାରରେ ପୁରୁଣା କୋର୍ସ ଶେଷ କରି ପିଲାଙ୍କୁ ଉତ୍ତୀର୍ଣ୍ଣ କରିବା ସହ  ଆଡ଼ମିଶନ ପ୍ରକ୍ରିୟା ଏପ୍ରିଲ ୩୦ ସୁଦ୍ଧା ଶେଷ ହେବ। ପିଲାଙ୍କୁ ଖରା ଛୁଟିରେ ପାଠ ପଢ଼ାଇବାର ନିଷ୍ପତ୍ତି ଏଥିପାଇଁ ନିଆଯାଇଛି କାହିଁକି ନା ଦୁଇବର୍ଷରେ ଯାହା ପଢ଼ି ପାରିନାହାଁନ୍ତି ଅନ୍ତତଃ କିଛି ସେମାନେ ଜାଣିବେ ଓ ପଢିବେ। ଅଳ୍ପ ସମୟ ହେଉ ପଛେ ପାଠପଢା ହେବ," କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ।

ସେହିଭଳି ଚଳିତ ଶିକ୍ଷାବର୍ଷରେ ଶତ ପ୍ରତିଶତ ସିଲାଵସରେ ହେବ ପାଠପଢା। କୋରୋନା ସ୍ଥିତି ପାଇଁ ଗତ ଦୁଇ ବର୍ଷ ହେବ ସିଲାଵସକୁ ୩୦% ହ୍ରାସ କରାଯାଇଥିଲା। ଏ ବର୍ଷଠୁ ପୁରୁଣା ଢାଞ୍ଚାରେ ହେବ ପାଠପଢା। ତେବେ ଖରା ଛୁଟିରେ ପାଠପଢାକୁ ସ୍ୱାଗତ କରିଛନ୍ତି ଉଭୟ ଅଭିଭାବକ ଓ ଶିକ୍ଷାବିତ।
Published by:Soumya Das
First published: