ଦିନରେ କ୍ରାଇମ୍ ମିଟିଂ, ରାତିରେ ବନ୍ଧୁକ ମୁନରେ ଲୁଟ; ନୂଆ ଡିସିପିଙ୍କୁ ଅପରାଧିଙ୍କ ଖୋଲା ଚ୍ୟାଲେଞ୍ଜ

ମଙ୍ଗଳବାର ଅପରାଧିଙ୍କ ଦମନ ପାଇଁ ଡିସିପି ଅଫିସରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲେ ନୂଆ କରି ଡିସିପି ଦାୟିତ୍ୱ ନେଇଥିବା ଯୁବ ଆଇପିଏସ ପ୍ରତୀକ ସିଂ। ତିଆରି ହୋଇଥିଲା ବ୍ଲୁପ୍ରିଣ୍ଟ । ହେଲେ ସେହି ରାତିରେ ସତ୍ୟନଗର ଏକ ମେଡିସିନ୍ ଦୋକନୀରୁ ଲକ୍ଷାଧିକ ଟଙ୍କା ଚୋରିକୁ ନେଇ ବର୍ତ୍ତମାନ ଚର୍ଚ୍ଚା।

ନୂଆ ଡିସିପିଙ୍କୁ ଅପରାଧିଙ୍କ ଖୋଲା ଚ୍ୟାଲେଞ୍ଜ

ନୂଆ ଡିସିପିଙ୍କୁ ଅପରାଧିଙ୍କ ଖୋଲା ଚ୍ୟାଲେଞ୍ଜ

  • Share this:
News18 Odia Digital

ଭୁବନେଶ୍ବର: ବଦଳିଲେ ଡିସିପି, ଥମିଲାନି ଅପରାଧିଙ୍କ ଦବଦବା। ଦିନକୁ ଦିନ ରାଜଧାନୀରେ ଆତଙ୍କ ଖେଳାଉଛନ୍ତି ଅପରାଧି। ନିତିଦିନିଆ ରାଜଧାନୀରେ ଲୁଟ, ଚୋରି, ଛିନତାଇ ଘଟଣା ସମ୍ନାକୁ ଆସୁଛି। ଯାହାକୁ ନେଇ କମିଶନରେଟ ପୋଲିସର ଦକ୍ଷତାକୁ ନେଇ ଉଠୁଛି ପ୍ରଶ୍ନ।

ସବୁଠୁ ବଡ଼ କଥା ହେଲା, ମଙ୍ଗଳବାର ଅପରାଧିଙ୍କ ଦମନ ପାଇଁ ଡିସିପି ଅଫିସରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲେ ନୂଆ କରି ଡିସିପି ଦାୟିତ୍ୱ ନେଇଥିବା ଯୁବ ଆଇପିଏସ ପ୍ରତୀକ ସିଂ। ତିଆରି ହୋଇଥିଲା ବ୍ଲୁ ପ୍ରିଣ୍ଟ। ହେଲେ ସେହି ରାତିରେ ସତ୍ୟନଗର ଏକ ମେଡିସିନ୍ ଦୋକନୀରୁ ଲକ୍ଷାଧିକ ଟଙ୍କା ଚୋରି ଓ ନୟାପଲ୍ଲୀ ଅଞ୍ଚଳରେ ବନ୍ଧୁକ ମୁନରେ ଲୁଟ ଘଟଣା ନେଇ ଥାନାରେ ଅଭିଯୋଗ ପରେ କମିଶନରେଟ ପୋଲିସର ଦକ୍ଷତା ଅଧିକାରୀଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜଧାନୀବାସି।

କହିବାକୁ ଗଲେ, ଅପରାଧିଙ୍କ କବଜାରେ ରହିଛି ରାଜଧାନୀ ଭୁବନେଶ୍ୱର। ନୁଆ ଡିସିପିଙ୍କୁ ଅପରାଧି ଖୋଲାଖୋଲି ଚ୍ୟାଲେଞ୍ଜ ଦେଉଛନ୍ତି। ମଙ୍ଗଳବାର ରାତି ୧୧ଟା ସମୟରେ ଜୟଦେବ ବିହାର ଏକାମ୍ର କାନନ ରାସ୍ତାରେ ଜଣେ ବ୍ୟବସାୟୀଙ୍କ ମୁଣ୍ଡରେ ବନ୍ଧୁକ ରଖି ଲକ୍ଷାଧିକ ଟଙ୍କାର ସୁନା ଚେନ ଲୁଟି ନେଇଥିଲେ ଲୁଟେରା।

ଏନେଇ ବ୍ୟବସାୟୀ ଜନଙ୍କ ନୟାପଲି ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ସେହିପରି ସେହି ରାତି ୧.୩୦ଟା ସମୟରେ ଖାରବେଳଗର ଅଞ୍ଚଳରରେ ଥିବା ହୋମିଓପାଥି ମେଡିସିନ୍ ଦୋକାନରୁ ପଛପଟ ସଟର କାଟି ୪ ଲକ୍ଷ ଟଙ୍କା ନେଇଗଲେ ଦୁର୍ବୁତ୍ତ। ଏନେଇ ମେଡ଼ିସିନ ଦୋକାନୀ ଗଗନ ବିହାରୀ ସ୍ୱାଇଁ ଥାନାରେ ଅଭିଯୋଗ କରିବା ପରେ ସାଇଣ୍ଟିଫିକ ଜରିଆରେ ତଦନ୍ତ ଆରମ୍ଭ କରିଥିଲା ଖାରବେଳନଗର ଥାନା ପୋଲିସ।

"ଆମେ ସବୁ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରୁଛୁ। ବିଶେଷ କରି ଜେଲ ଫେରନ୍ତା ଅପରାଧିଙ୍କ ଉପରେ ନଜର ରଖିଛୁ। ଏବେ କିଛି ଗ୍ୟାଙ୍ଗ ସକ୍ରିୟ ଅଛନ୍ତି, ସେମାନଙ୍କୁ ଧରିବା ପାଇଁ ପକ୍ରିୟା ଜାରି ରହିଛି। ଗତ ୨୪ ଘଣ୍ଟାରେ ଭିନ୍ନ ଭିନ୍ନ ଘଟଣାରେ ୬ ଜଣ ଅପରାଧିଙ୍କୁ ଆମେ ଗିରଫ କରିଛୁ। ସେମାନଙ୍କ ଠାରୁ ୧୨ଟି ମୋବାଇଲ ଫୋନ ଜବତ କରିଛୁ। ସେହିପରି ବାଲିପାଟଣା ଥାନାରେ ଗୋଟିଏ ଦେଶୀ ବନ୍ଧୁକ , ୪ ରାଉଣ୍ଡ ଗୁଳି ଜବତ ସହ ୨ ଜଣକୁ ଗିରଫ କରିଛୁ," କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।

ସୂଚନାଯୋଗ୍ୟ, ମେ ୬ ତାରିଖରେ ଧଉଳୀ ନୂଆଗାଁରେ ବୃଦ୍ଧାଙ୍କ ବେକରେ ଛୁରୀ ଲଗାଇ ୧୫ ଲକ୍ଷ ଟଙ୍କା ଲୁଟିଥିଲେ ଦୁର୍ବୁତ୍ତ। ଏନେଇ ଧଉଳି ଥାନାରେ ଅଭିଯୋଗ ହୋଇଛି। ସେହିଭଳି ୯ ତାରିଖରେ ଭରତପୁର ଅଞ୍ଚଳର ଦିନ ଦ୍ୱିପହରରେ ଜଣେ ମହିଳାଙ୍କ ଠାରୁ ସୁନା ଚେନ୍ ଝାମ୍ପି ନେଲେ ଦୁର୍ବୁତ୍ତ। ସେହିଦିନ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜଣେ ଯୁବତୀଙ୍କ ଠାରୁ ଝାମ୍ପି ନେଲେ ମୋବାଇଲ ଫୋନ୍।

ସବୁ ଘଟଣାରେ ସିସିଟିଭିରେ ଦୁର୍ବୁତ୍ତଙ୍କ ଚେହେରା ସ୍ପଷ୍ଟ ଭାବେ ଜଣା ପଡୁଛି। ହେଲେ ପୋଲିସର ହାତ ଖାଲି ରହିଛି। ପ୍ରଶ୍ନ ଉଠୁଛି, ବଦଳିଲେ ଡିସିପି, ହେଲେ କାହିଁକି ରାଜଧାନୀରୁ କମୁନି ଅପରାଧିଙ୍କ ଦବଦବା? କୁଆଡେ ଗଲେ ରାଜଧାନୀର ଦକ୍ଷ ଅଫିସର? କାହିଁକି ପାଟ୍ରୋଲିଂକୁ କଡ଼ାକଡ଼ି କରୁନି କମିଶନରେଟ ପୋଲିସ? ରାତିରେ ବ୍ଲକିଂ ଚେକିଂ କରୁଥିଲେ ମଧ୍ୟ କିଭଳି ଅପରାଧି ଖସି ପଳାଉଛନ୍ତି?
Published by:Lipina Das
First published: