ଚତୁର୍ଥୀ ଦୀପ ଜଳିବା ପୂର୍ବରୁ ଲିଭିଲା ଜୀବନ ଦୀପ; ଶୋକରେ ନବଦମ୍ପତ୍ତିଙ୍କ ପରିବାର

ବିବାହର ଚାରିଦିନରେ ନବଦମ୍ପତ୍ତିଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟଣା । ଶୋକରେ ବୁଡ଼ିଲା ନବଦମ୍ପତ୍ତିଙ୍କ ପରିବାର । ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଡ଼୍ରାଇଭର ଗିରଫ ।

ଚତୁର୍ଥୀ ଦୀପ ଜଳିବା ପୂର୍ବରୁ ଲିଭିଲା ଜୀବନ ଦୀପ; ଶୋକରେ ନବଦମ୍ପତ୍ତିଙ୍କ ପରିବାର

ଚତୁର୍ଥୀ ଦୀପ ଜଳିବା ପୂର୍ବରୁ ଲିଭିଲା ଜୀବନ ଦୀପ; ଶୋକରେ ନବଦମ୍ପତ୍ତିଙ୍କ ପରିବାର

  • News18 Odia
  • Last Updated :
  • Brahmapur (Berhampur), India
  • Share this:
News 18 Odia Digital

ବ୍ରହ୍ମପୁର: ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥି ହେବା ପାଇଁ ସେମାନେ ପଣ କରିଥିଲେ । ଧୁମଧାମରେ ବିବାହ ( Marriage ) ଶେଷ ହେବା ପରେ ଭୋଜି ମଧ୍ୟ ସରିଥଲା । ବିବାହ ପରେ ପ୍ରଥମ ଥର ନିମନ୍ତେ ଶାଶୂ ଘରକୁ ଯିବା ପାଇଁ ବାହାରିଥିଲେ ନବଦମ୍ପତ୍ତି (New Couple) । କିନ୍ତୁ କିଏ ଜାଣିଥିଲା ରାସ୍ତାରେ ଜଗିଥିଲା ଜମ । ଆଉ ଦୁର୍ଘଟଣାରେ (Accident) ଅକାଳରେ ମୃତ୍ୟୁ (Death) ହେଲା ନବଦମ୍ପତ୍ତିଙ୍କ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁରରେ (Bramhapur) । ତେବେ କିଭଳି ହୋଇଥିବା ଦୁର୍ଘଟଣା ଓ କଣ ରହିଛି ଦୁର୍ଘଟଣା ପରର ସ୍ଥିତି ଆସନ୍ତୁ ଜାଣିବା ।

ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ସୀମାଞ୍ଚଳ ମନ୍ଦିରରେ ବେଶ୍ ଆଡ଼ମ୍ବରରେ ହୋଇଥିଲା ବିବାହ । ବାହାଘରରେ ସମ୍ପର୍କୀୟ ଓ ସାଙ୍ଗସାଥିଙ୍କ ପାଇଁ ବିବାହ ଭୋଜିର ମଧ୍ୟ ଆୟୋଜନ ହୋଇଥିଲା । ସମସ୍ତେ ବିବାହ ଭୋଜିର ବେଶ୍ ମଜା ନେଇଥିଲେ । କିନ୍ତୁ କିଏ ଜାଣିଥିଲା ସଂସାର ଗଢ଼ିବା ପୂର୍ବରୁ ହିଁ ସବୁ ଆଶା ଭାଙ୍ଗି ଚୁରମାର ହୋଇଯିବ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ବ୍ରହ୍ମପୁର ଗୋଳନ୍ଥରା ଥାନା ସମ୍ମୁଖରେ ।

ଏହି ଖବର ପଢ଼ନ୍ତୁ - http://ତାଳପତ୍ର ପୋଥି କିମ୍ୱା ପଟ୍ଟଚିତ୍ର ବିଦେଶକୁ ପଠାଉଛନ୍ତି କି ? ସାବଧାନ

ବ୍ରହ୍ମପୁର ସିଏଚ. ପ୍ରଭଳିକା ଗତ ୧୦ ତାରିଖ ଅର୍ଥାତ୍‌ ଶୁକ୍ରବାର ଦିନ ସୀମାଞ୍ଚଳ ମନ୍ଦିରରେ ଇଚ୍ଛାପୁରର ଜି.ବେଣୁକୁ ବିବାହ କରିଥିଲେ । ବିବାହ କରିବା ପରେ ଗତ ଶନିବାର ଇଚ୍ଛାପୁରକୁ ଫେରିଥିଲେ । ରବିବାର ଇଚ୍ଛାପୁରରେ ଜି.ବେଣୁଙ୍କ ପରିବାର ପକ୍ଷରୁ ଭୋଜିର ମଧ୍ୟ ଆୟୋଜନ କରାଯାଇଥିଲା । ରବିବାର ଭୋଜିଭାତ ସରିବା ପରେ ସୋମବାର ଅପରାହ୍ନ ୫ଟାରେ ପ୍ରଭଲିକାଙ୍କ ଘର ତଥା ବ୍ରହ୍ମପୁର ଅଭିମୁଖେ ବେଣୁ ନିଜ ବାଇକ ଯୋଗେ ପତ୍ନୀଙ୍କୁ ନେଇ ବାହାରିଥିଲେ । ନବ ଦମ୍ପତ୍ତିଙ୍କ ସମେତ ଆଉ ଏକ ବାଇକରେ ପ୍ରଭଲିକାଙ୍କ ମାମୁଁ ଓ ମାଇଁ ମଧ୍ୟ ଆସୁଥିଲେ । ଗୋଳନ୍ଥରା ଥାନା ଅନ୍ତର୍ଗତ ସୁରଳ ଜଙ୍କସନ ନିକଟରେ ପ୍ରଭଲିକାଙ୍କ ମାମୁଁ ଗାଡ଼ିରେ ପେଟ୍ରୋଲ ପକାଇବା ପାଇଁ ରହିଥିବା ବେଳେ ଆଗକୁ ଚାଲିଥିଲେ ବେଣୁ ଓ ପ୍ରଭଲିକା ।

ଗୋଳନ୍ଥରା ଥାନା ସମ୍ମୁଖରେ ରହିଥିବା ଏକ ବୁଲାଣି ରସ୍ତାରୁ ଅପରପାର୍ଶ୍ୱରୁ ଆସୁଥିବା ଡ଼୍ରୋଲ ମେସିନ ଲାଗିଥିବା ଏକ ଟ୍ରାକ୍ଟର ବେଣୁଙ୍କ ବାଇକକୁ ଧକ୍କା ଦେଇଥିଲା । ଯାହାଫଳରେ ଉଭୟ ବେଣୁ ଓ ପ୍ରଭଲିକା ବାଇକରୁ ରାସ୍ତା ପାର୍ଶ୍ୱକୁ ଛିଟିକି ପଡ଼ିଥିଲେ । ପୋଲିସ ସହାୟତାରେ ସ୍ଥାନୀୟ ଲୋକେ ନବ ଦମ୍ପତିଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ନେଇଥିଲେ । ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ ଉଭୟଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ ।

ତେବେ ବାହାଘର ପରେ ପ୍ରଥମ ଥର ପାଇଁ ଝିଅ ଓ ଜ୍ୱାଇଁ ଘରକୁ ଆସୁଥିଲେ । ‘ଗତକାଲିର ଘଟଣା ପରେ ଉଭୟ ବେଣୁ ଓ ପ୍ରଭଲିକାଙ୍କ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି । ଉଭୟଙ୍କ ପରିବାର ଲୋକେ ବିବାହ ସମୟର କଥାକୁ ମନେ ପକାଇ ବାହୁନି ବାହୁନି ହାଇ କାନ୍ଦୁଛନ୍ତି । ତେବେ ବେଣୁ ଓ ପ୍ରଭଲିକା ଟ୍ରାଫିକ ନିୟମକୁ ପାଳନ କରି ଠିକ୍‌ ରାସ୍ତାରେ ବ୍ରହ୍ମପୁରକୁ ଆସୁଥିବା ବେଳେ ଅପରପାର୍ଶ୍ୱରୁ ଆସୁଥିବା ଟ୍ରାକ୍ଟର ହିଁ ଅତି କ୍ଷିପ୍ର ଗତିରେ ରାସ୍ତା ବୁଲାଣି କରିଥିଲା । ଯାହାଫଳରେ ଟ୍ରାକ୍ଟର ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ବୋଲି କୁହାଯାଉଛି । ତେଣୁ ଟ୍ରାକ୍ଟର ଡ଼୍ରାଇଭରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି,‘‘ ମୃତକଙ୍କ ସମ୍ପର୍କୀୟ ଜାକୀ ।

ଏହି ଖବର ପଢ଼ନ୍ତୁ - http://ବ୍ୟକ୍ତିଗତ ଶତ୍ରୁତାକୁ ନେଇ ନବ ଦାସଙ୍କୁ ହତ୍ୟା କରିଛନ୍ତି ଗୋପାଳ; ସତ ମାନିଲେ ଅଭିଯୁକ୍ତ!

‘ନବଦମ୍ପତ୍ତିଙ୍କ ମୃତ୍ୟୁରେ କେବଳ ତାଙ୍କ ପରିବାର ନୁହେଁ ବରଂ ସ୍ଥାନୀୟ ବାସିନ୍ଦା ମଧ୍ୟ ନିଜର ଦୁଃଖ ପ୍ରକାଶ କରିଛନ୍ତି । ବିବାହ କରିବାର ମାତ୍ର ୪ ଦିନରେ ଏଭଳି ସଂସାର ଛାଡ଼ି ଚାଲିଯିବା ଘଟଣା ସମସ୍ତଙ୍କୁ ବ୍ୟଥିତ କରୁଛି । ବିବାହ ପୂର୍ବରୁ ପ୍ରଭଲିକାଙ୍କ ପରିବାର ପକ୍ଷରୁ ସ୍ଥାନୀୟ ବାସିନ୍ଦାଙ୍କ ନିମନ୍ତେ ଭୋଜିର ଆୟୋଜନ କରାଯାଇଥିଲା । ଗତ ଦୁଇ ବର୍ଷ ହେଲା ସ୍ଥାନୀୟ ଅଞ୍ଚଳରେ ଭଡ଼ାରେ ରହିଥିବା ବେଳେ ତାଙ୍କ ପରିବାର ଲୋକେ ମଧ୍ୟ ବହୁତ ଭଲ ବୋଲି କହିଛନ୍ତି,‘‘ ସ୍ଥାନୀୟ ବାସିନ୍ଦା ଝିଲି ବିଷୋୟୀ ।

‘‘ଗତକାଲି ରାତିରେ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଗୋଳନ୍ଥରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଆଜି ସକାଳେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ମୃତଦେହ ଦୁଇଟିର ବ୍ୟବଚ୍ଛେଦ କରାଯିବା ପରେ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଅନ୍ୟପକ୍ଷରେ ପୋଲିସ ଟ୍ରାକ୍ଟର ଡ଼୍ରାଇଭରକୁ ଅଟକ ରଖି ପଚରାଉଚୁରା କରିବା ସହ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରକୁ ଗୋଳନ୍ଥରା ଥାନାରେ ଜବତ କରି ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି,‘‘ ବ୍ରହ୍ମପୁର ଅତିରିକ୍ତ ଏସପି ରମେଶ ସେଠୀ ।

ବିବାହ ବେଦୀରେ ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥି ହେବା ନିମନ୍ତେ ସେମାନେ ପଣ ରଖିଥିଲେ । କିନ୍ତୁ ସାତ ଦିନ ନ ପୁରୁଣୁ ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗରେ ନବଦମ୍ପତ୍ତିଙ୍କ ମୃତ୍ୟୁକୁ ନେଇ ଏବେ ଉଭୟଙ୍କ ପରିବାର, ସାହି ବାସିନ୍ଦାଙ୍କ ମଧ୍ୟରେ ଖେଳିଯାଇଛି ଶୋକର ଛାୟା ।
Published by:Soubhagya Mishra
First published: