ବିପଦ ସଙ୍କୁଳ ଅବସ୍ଥାରେ ନେତାଜୀ ସୁଭାଷ ବୋଷଙ୍କ ଐତିହ୍ୟ ଭବନ; ଛାତ କାନ୍ଥ ସବୁ ଫାଟି ଗଲାଣି

ବିପଦ ସଙ୍କୁଳ ଅବସ୍ଥାରେ ପୁରୀରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଐତିହ୍ୟ ଭବନ। ନେତାଜୀଙ୍କ ଫରୱାର୍ଡ ବ୍ଲକର ଗୁପ୍ତ ବୈଠକର ମୂକସାକ୍ଷୀ ସାଜିଥିବା ଏହି କୋଠା ପ୍ରତି ବିପଦ ସୃଷ୍ଟି ହୋଇଛି।

ବିପଦ ସଙ୍କୁଳ ଅବସ୍ଥାରେ ନେତାଜୀ ସୁଭାଷ ବୋଷଙ୍କ ଐତିହ୍ୟ ଭବନ

ବିପଦ ସଙ୍କୁଳ ଅବସ୍ଥାରେ ନେତାଜୀ ସୁଭାଷ ବୋଷଙ୍କ ଐତିହ୍ୟ ଭବନ

  • Share this:
News18 Odia Digital

ପୁରୀ: ରବିବାର ଦିନ ପୁରା ଦେଶରେ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶା ମାଟିର ଅନ୍ୟତମ ସୁଯୋଗ୍ୟ ସନ୍ତାନ ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀ ପାଳିତ ହୋଇଥିଲା ହେଲେ ପୁରୀରେ ବିପଦ ସଙ୍କୁଳ ଅବସ୍ଥାରେ ଅଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଐତିହ୍ୟ ଭବନ। ୧୦୬ ବର୍ଷ ତଳର ଏହି କୋଠା ସଂଗ୍ରହାଳୟର ରୂପ ନେଇଥିଲେ ହିଁ ଏବେ ଛାତ ଓ କାନ୍ଥ ଫାଟି ଆଁ ହୋଇପଡ଼ିଛି। ନିର୍ମାଣ ହୋଇଥିବା ଷ୍ଟ୍ରକ୍ଚର ବି ଫାଟି ଗଲାଣି। ଦ୍ବିତୀୟ ମହଲାରେ ଏଭଳି ଦୟନୀୟ ଚିତ୍ର ସାମ୍ନାକୁ ଆସିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପୂର୍ବରୁ କେବଳ ଛାତରେ ଏହି ଫାଟ ସୃଷ୍ଟି ହୋଇଥିବା ବେଳେ ଏବେ ଏହାର ପ୍ରଭାବରେ କାନ୍ଥ ଓ ଷ୍ଟ୍ରକ୍ଚର ଫାଟି ଧୀରେ ଧୀରେ ମେଲିବାରେ ଲାଗିଛି। ଫଳରେ ନେତାଜୀଙ୍କ ଫରୱାର୍ଡ ବ୍ଲକର ଗୁପ୍ତ ବୈଠକର ମୂକସାକ୍ଷୀ ସାଜିଥିବା ଏହି କୋଠା ପ୍ରତି ବିପଦ ସୃଷ୍ଟି ହୋଇଛି।

"ସୁଭାଷ ଚନ୍ଦ୍ର ବୋଷଙ୍କ ବାପା ଜାନକୀନାଥ ବୋଷ କଟକରେ ରହୁଥିବା ବେଳେ ୧୯୧୬ ମସିହାରେ ଶାରଦା ଦେବୀ ରୋଡର ଲିଜ୍ ସୂତ୍ରରେ ୦.୪୩୪ ଏକର ଜମି ପାଇଥିଲେ। ତେଣୁ ଏଠାରେ ମଧ୍ୟ କଟକ ସଦୃଶ ଦୁଇ ମହଲା କୋଠା ନିର୍ମାଣ କରିଥିଲେ। ପୁରୀ ଆସିଲେ ଜାନକୀନାଥଙ୍କ ସମଗ୍ର ପରିବାର ସେଠାରେ ଅବସ୍ଥାନ କରୁଥିଲେ। ୧୯୩୮ରେ ଜାନକୀନାଥ ବୋଷଙ୍କ ମୃତ୍ୟୁ ପରେ ନେତାଜୀଙ୍କ ନାମରେ ଏହା ୧୯୪୬ ମସିହାରେ ପୁଣି ଲିଜ୍ ଦିଆଯାଇଥିଲା। ତେଣୁ ନେତାଜୀ ପୁରୀ ଆସୁଥିବା ବୋଳେ ଏହି କୋଠାରେ ଫରୱାର୍ଡ ବ୍ଲକର ଗୁପ୍ତ ବୈଠକ କରାଉଥିବା ସ୍ୱାଧୀନତା ସଂଗ୍ରାମୀମାନେ କହିଥିଲେ। ତେଣୁ ଦେଶର ଏହି ଅଦ୍ୱିତୀୟ ବୀର ସନ୍ତାନଙ୍କର ଘରକୁ ସ୍ମୃତିପୀଠ ଭାବେ ଘୋଷଣା କରାଯାଇ ସଂଗ୍ରହାଳୟ କରାଯାଇଛି। କିନ୍ତୁ ପୁରୁଣା କୋଠା ଉପରେ କେବଳ ରଙ୍ଗ ବୋଳି ଦେଇ ଯେମିତି କୋଠାର ଦୁର୍ବଳତାକୁ ଲୁଚାଇବାକୁ ଉଦ୍ୟମ ହୋଇଛି। ଏଣେ ଧବଳ ଛାତ ତଳେ ଯେ ଫାଟ ଆଁ କରି ଚାହିଁ ରହିଛି ତା’ର ପୁନରୁଦ୍ଧାର କରାଯାଉନାହିଁ। ଅଳ୍ପ ଫାଟ ସୃଷ୍ଟି ହୋଇଥିବା ବୋଳେ ଏହାକୁ ମରାମତି କରିଥିଲେ ଅନ୍ତତଃ ଏହା କାନ୍ଥ ଓ ଷ୍ଟ୍ରକ୍ଚର ଉପରେ ପ୍ରଭାବ ପକାଇ ନଥାଆନ୍ତା। କିନ୍ତୁ ଏହି ଫାଟ ପୂରା ବିଲ୍ଡିଂକୁ ବ୍ୟାପିଗଲାଣି। ୧୯୧୬ ମସିହାରେ ଏହି ବିଲ୍ଡିଂ ନିର୍ମିତ ହୋଇଥିବା ବେଳେ ଏହାକୁ ବହୁ ବାଦ ବିବାଦ ପରେ ସଂଗ୍ରହାଳୟର ରୂପ ଦେବା ନିଶ୍ଚିତ ସ୍ବାଗତଯୋଗ୍ୟ ପଦକ୍ଷେପ। ମାତ୍ର ଏଥିପ୍ରତି ପର୍ଯ୍ୟଟକଙ୍କ ଆକର୍ଷଣ ବୃଦ୍ଧି କରିନପାରିବା ପ୍ରଶାସନର କର୍ତୃପକ୍ଷଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି,’’ କହିଛନ୍ତି ନେଜାତୀ ସ୍ମୃତି କମିଟି ଆବାହକ ତଥା ସମାଜସେବୀ ଜଗନ୍ନାଥ ବସ୍ତିଆ।

ବିପଦ ସଙ୍କୁଳ ଅବସ୍ଥାରେ ନେତାଜୀ ସୁଭାଷ ବୋଷଙ୍କ ଐତିହ୍ୟ ଭବନ


ସେହିପରି ଏହି ମାମଲାରେ ନେତାଜୀ ପ୍ରେମୀ ଡ଼ଃ. ମଧୁସ୍ମିତା ମହାନ୍ତି କହିଛନ୍ତି, "ନେତାଜୀଙ୍କ ସଂଗ୍ରହାଳୟ ମଧ୍ୟରେ ନେତାଜୀଙ୍କ କୋଠରୀ ସମେତ ପଠଶାଳା ଓ ସେ ବ୍ୟବହାର କରୁଥିବା ପୋଷାକପତ୍ର ରହିଛି। ଏହା ବ୍ୟତୀତ ନେତାଜୀଙ୍କର ବହୁ ବିରଳ ଫଟୋ ମଧ୍ୟ ରହିଛି। କିନ୍ତୁ ସଂଗ୍ରହାଳୟକୁ ବାଟ କଢ଼େଇ ନେବା ପାଇଁ କୌଣସି ଆକର୍ଷଣୀୟ ବ୍ୟବସ୍ଥା ନାହିଁ କି ସେନେଇ ଆଜି ପର୍ଯ୍ୟନ୍ତ କୌଣସି ଉଦ୍ୟମ ହୋଇନାହିଁ। ତେଣୁ କେବେ କେବେ ମାସକରେ ୫୦ ଜଣ ପର୍ଯ୍ୟଟକଙ୍କ ପାଦ ବି ପଡ଼ିପାରୁନାହିଁ। ଏପରିକି କୋଠାରୁ ରଙ୍ଗ ଛାଡ଼ି ଯାଇଥିଲେ ବି ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯାଇ ନାହିଁ। ଏହା ମଧ୍ୟରେ ଏକ ୱାଟର ଫାଉଣ୍ଟେନ ରହିଥିଲେ ବି ତାହା ଅଚଳ ହୋଇଯାଇଛି। ସେପଟେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ନା ପୁରୀର ପ୍ରବେଶ ପଥରେ ରହିଛି ମ୍ୟୁଜିୟମ ସମ୍ପର୍କରେ ତୋରଣ କି ସୂଚନା ଫଳକ। ପୁଣି ପର୍ଯ୍ୟଟନ ମାନଚିତ୍ରରେ ଏହା ସ୍ଥାନୀତ ହୋଇନଥିବାରୁ ଯେତେ ଚେଷ୍ଟା କଲେ ମଧ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରୁନାହିଁ, ଯାହାକୁ ନେଇ ଆମେ ଦୁଃଖି।’’

ମ୍ୟୁଜିୟମର ସଠିକ ଭାବେ ସଂରକ୍ଷଣ ନହେବାରୁ ବିମୁଖ ହେଲେଣି ପର୍ଯ୍ୟଟକ। ଦିନକୁ ୧୦ରୁ ୧୫ଟି ଟିକେଟ ବିକ୍ରି ହେବା ମଧ୍ୟ ସମ୍ଭବ ହେଉନାହିଁ। ମ୍ୟୁଜିୟମରେ ୮ଟି କୋଠରୀ ରହିଥିବା ବେଳେ ସେଥିରେ ନେତାଜୀଙ୍କର ଷ୍ଟଡି ରୁମ, ଗ୍ୟାଲେରୀ, ବାସଗୃହ, ବେଡରୁମ, ଆଜାଦ ହିନ୍ଦ୍ ଫୌଜର କାହାଣୀ ସହ ନେତାଜୀଙ୍କ ଜୀବନୀ ଆଦି ଉଲ୍ଲେଖ ରହିଛି। ୧୯୧୬ ମସିହାରେ ନେତାଜୀଙ୍କ ବାପା ଜାନକୀନାଥ ବୋଷ ପୁରୀ ସାରଦା ଦେବୀ ରୋଡରେ ୪୩୪ ଡିସିମିଲ ଲିଜ୍ ଜମିରେ ନିର୍ମାଣ କରିଥିଲେ ଦୁଇ ମହଲା କୋଠା। ଆଉ ଏହିଠାରେ ନେତାଜୀଙ୍କର ଆଜାଦ ହିନ୍ଦ୍ ଫୌଜ ଗଠନର ବ୍ଲୁପ୍ରୀଣ୍ଟ ଓ ଫରୱର୍ଡ ବ୍ଲକର ଗୁପ୍ତ ବୈଠକ କରାଯାଉଥିଲା। ହେଲେ ଆଜି ଏହି କୋଠାର କଳେବର ହୋଇଥିଲେ ସୁଦ୍ଧା ପ୍ରଶାସନିକ ଅବହେଳାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ନେତାଜୀ ସଂଗ୍ରହାଳୟକୁ ବୁଲିବାକୁ ଆସିଥିବା ନେତାଜୀ ପ୍ରେମୀ ଧୀରେନ୍ଦ୍ର ମହାନ୍ତି।

ସୁଭାଷ ବୋଷଙ୍କ ସମ୍ପର୍କରେ କାମ କରୁଥିବା ଦେବୀ ପୃଷ୍ଟି କହିଛନ୍ତି ଯେ ପର୍ଯ୍ୟଟକଙ୍କୁ ସଂଗ୍ରହାଳୟକୁ ଆକର୍ଷିତ କରିବା ପାଇଁ ଆଚାର୍ଯ୍ୟ ହରିହର ଛକରୁ ସଂଗ୍ରହାଳୟକୁ ବାଟ କଢ଼େଇବା ପାଇଁ ସୁନ୍ଦର ତୋରଣ ସମେତ ସଂଗ୍ରହାଳୟ ପର୍ଯ୍ୟନ୍ତ ଘରର କାନ୍ଥରେ ସୁଭାଷ ବୋଷଙ୍କ ବିଭିନ୍ନ କାର୍ଯ୍ୟଧାରା ଉପରେ ଚିତ୍ର କରାଯାଇପାରିବ। ଏହା ବ୍ୟତୀତ ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ଏହା ମଧ୍ୟରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ର ଆୟୋଜନ କରାଯାଇପାରିବ। ନଚେତ୍ ଯେତେ ଚେଷ୍ଟା କଲେ ମଧ୍ୟ ଏହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସମ୍ଭବ ହେବ ନାହିଁ। ତେଣୁ ଜିଲ୍ଲାପାଳ ଓ ପର୍ଯ୍ୟଟନ ବିଭାଗ ଏ ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି।

୨୦୧୩ରୁ ନେତାଜୀଙ୍କ ପୌତୃକ ଘରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପୁନରୁଦ୍ଧାର କରି ନେତାଜୀ ସଂଗ୍ରହାଳୟ କରାଯାଇଛି। ମ୍ୟୁଜିୟମ କରିବା ପାଇଁ ସାଢେ ୩ କୋଟି ଟଙ୍କା ଖର୍ଚ୍ଚ କରି ଏହି ମ୍ୟୁଜିୟମ କରାଯାଇଛି। କୋଠାଟି ଜିଲ୍ଲା ପ୍ରଶାସନ ଅଧିନରେ ଥିଲେ ମଧ୍ୟ ନା ମରାମତି କରାଯାଉଛି ନା ସଂରକ୍ଷଣକୁ ଗୁରୁତ୍ୱ ଦିଆଯାଉଛି। କୋଠାର ରଙ୍ଗ ଛାଡ଼ିଯାଇଥିବା ବେଳେ କୋଠା ଉପରେ ଗଛ ଉଠିଲାଣି। ଏଣୁ ପ୍ରଶାସନର ଅବହେଳାକୁ ଦାୟି କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଇଛି ନେତାଜୀ ସ୍ମୃତି କମିଟି।

ନେତାଜୀଙ୍କ ଐତିହ୍ୟ ଭବନକୁ ସଂଗ୍ରହାଳୟର ରୂପ ଦିଆଯିବା ସ୍ୱାଗତଯୋଗ୍ୟ ପଦକ୍ଷେପ। ମାତ୍ର ଏଥିପ୍ରତି ପର୍ଯ୍ୟଟକଙ୍କ ଆକର୍ଷଣ ବୃଦ୍ଧି କରିନପାରିବା ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
Published by:Lipina Das
First published: