ନେସ୍କୋ କାଟି ଚ଼ାଲିଛି ବିଜୁଳି; ବାକି ଅଛି ₹୧,୫୦୦ କୋଟି, ଦୁଇ ଦିନରେ ଆଦାୟ ହେଲା ₹୨.୨୮ କୋଟି

ନେସ୍କୋ ଅଧୀନସ୍ଥ ପାଞ୍ଚଟି ଜିଲ୍ଲାର ମୋ’ଟ ୧୮ ଲକ୍ଷ ୭୨ ହଜାର ଗ୍ରାହକଙ୍କ ମଧ୍ୟରୁ ଆଦୌ ବିଜୁଳି ବିଲ୍ ପୈଠ କରି ନ ଥିବା ଗ୍ରାହକଙ୍କ ସଂଖ୍ୟା ୨ ଲକ୍ଷ ୫୪ ହଜାର । ସେମାନଙ୍କ ଉପରେ ୪୭୮ କୋଟି ଟଙ୍କା ବକେୟା ଅଛି । ୧୦,୦୦୦ ଟଙ୍କାରୁ ଅଧିକ ବାକି ରଖିଥିବା ଗ୍ରାହକଙ୍କୁ ୫୦ ପ୍ରତିଶତ ବକାୟା ପୈଠ କରିବାକୁ କୁହାଯାଉଛି ।

ନେସ୍କୋ କର୍ମଚ଼ାରୀମାନେ ଗୋଟେ ଘରେ ବିଜୁଳି ସଂଯୋଗ ବିଚ୍ଛିନ୍ନ କରୁଛନ୍ତି

ନେସ୍କୋ କର୍ମଚ଼ାରୀମାନେ ଗୋଟେ ଘରେ ବିଜୁଳି ସଂଯୋଗ ବିଚ୍ଛିନ୍ନ କରୁଛନ୍ତି

  • Share this:
News18 Odia Digital

ବାଲେଶ୍ୱର: ନେସ୍କୋ ଅଧୀନସ୍ଥ ପାଞ୍ଚଟି ଜିଲ୍ଲାରେ ବିଦ୍ୟୁତ ଗ୍ରାହକଙ୍କ ଉପରେ ୧,୫୦୦ କୋଟି ଟଙ୍କାର ବିଜୁଳି ଶୁଳ୍କ ବକାୟା ରହିଥିବା ଯୋଗୁଁ ପୂର୍ବ ଘୋଷିତ ଡେଡଲାଇନ୍‌ ପାର୍‌ ହେବା ପରେ ସେମାନଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯିବା ଆରମ୍ଭ ହୋଇଛି । ୧୦,୦୦୦ ଟଙ୍କାରୁ ଅଧିକ ବାକି ରଖିଥିବା ଉପଭୋକ୍ତାଙ୍କୁ ୫୦ ପ୍ରତିଶତ ବକାୟା ବିଦ୍ୟୁତ ଶୁଳ୍କ ପୈଠ କରିବାକୁ କୁହାଯାଉଥିବା ବେଳେ ତାହା ନ କଲେ ବିଦ୍ୟୁତ ସେବା ବିଚ୍ଛିନ୍ନ କରୁଛି ନେସ୍କୋ ।

ଗତ ଦୁଇ ଦିନରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ୧,୫୮୫ ଜଣଙ୍କର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଛି । ସେମାନଙ୍କ ଉପରେ ୩ କୋଟି ୬୫ ଲକ୍ଷ ଟଙ୍କାର ଶୁଳ୍କ ବାକି ରହିଥିଲା । ସେଥିରୁ ଦୁଇ ଦିନରେ ୨ କୋଟି ୨୮ ଲକ୍ଷ ଟଙ୍କା ଆଦାୟ କରିଛି ନେସ୍କୋ ।

ଏହି ଦୁଇ ଦିନରେ ବାଲେଶ୍ୱର ଜିଲ୍ଲାରେ ୩୯୭ ଜଣଙ୍କର, ମୟୂରଭଞ୍ଜରେ ୫୫୩ ଜଣଙ୍କର, ଭଦ୍ରକରେ ୨୩୭ ଜଣଙ୍କର, ଓ ଯାଜପୁରରେ ୧୬୯ ଜଣ ଉପଭୋକ୍ତାଙ୍କ ବିଦ୍ୟୁତ ସେବା ବିଚ୍ଛିନ୍ନ କରାଯାଇଛି । ତେବେ ସଂଯୋଗ ବିଚ୍ଛିନ୍ନ ହେବା ପରେ ୪୦୨ ଜଣ ପୂରା ବକାୟା ଶୁଳ୍କ ପୈଠ କରି ପୁଣି କନେକ୍ସନ ନେଇଛନ୍ତି ।

‘‘ବିଦ୍ୟୁତ ବିଲ୍‌ ଆଦାୟ କରିବା ପାଇଁ ୨୧୩ ଜଣ କର୍ମଚ଼ାରୀ ଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ବିଜୁଳି ସଂଯୋଗ କାଟିବା ଦ୍ୱାରା ବିଜୁଳି କଟା ଭୟରେ କଞ୍ଜୁମରମାନେ ବକାୟା ଶୁଳ୍କ ପୈଠ କରିବେ ବୋଲି ଆମେ ଆଶା ରଖିଛୁ,’’ କହିଛନ୍ତି ନେସ୍କୋ ଏ.ଓ. ସବ୍ୟସାଚୀ ପାଢ଼ୀ ।

ନେସ୍କୋ ଅଧିକାରୀମାନେ ବିଜୁଳିକାଟ ଅଭିଜାନରେ ଲାଗିଛନ୍ତି


ଏହି ପାଞ୍ଚଟି ଜିଲ୍ଲାରେ ଥିବା ୧୮ ଲକ୍ଷ ୭୨ ହଜାର ଗ୍ରାହକମାନଙ୍କ ମଧ୍ୟରୁ ୧୦ ଲକ୍ଷ ୮୧ ହଜାର ଗ୍ରାହକଙ୍କ ଉପରେ ୧,୫୦୦ କୋଟି ଟଙ୍କାର ବିଜୁଳି ଶୁଳ୍କ ବକୟା ରହିଛି । ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୫୪ ହଜାର ଗ୍ରାହକ ଆଦୌ ବିଲ୍ ପୈଠ କରିନାହାନ୍ତି । ସେମାନଙ୍କ ବକେୟା ବାବଦକୁ ୪୭୮ କୋଟି ଟଙ୍କା ରହିଛି ।

ଏହି ମୋଟ ୧୮ ଲକ୍ଷ ୭୨ ହଜାର ଗ୍ରାହକମାନଙ୍କ ମଧ୍ୟରୁ ୧୦ ଲକ୍ଷ ଘରୋଇ ଗ୍ରାହକଙ୍କ ଉପରେ ୯୫୪ କୋଟି ଟଙ୍କା, ୩୯ ହଜାର ବ୍ୟାବସାୟିକ ଅନୁଷ୍ଠାନ ଉପରେ ୯୫ କୋଟି ଟଙ୍କା, ୧,୯୬୨ଟି ଶିଳ୍ପାନୁଷ୍ଠାନ ଉପରେ ୩୦୫ କୋଟି ଟଙ୍କା, ୧୭,୨୭୨ଟି ସରକାରୀ ଅନୁଷ୍ଠାନ ଉପରେ ୧୦୦ କୋଟି ଟଙ୍କା, ଓ ଅନ୍ୟାନ୍ୟ ଗ୍ରାହକଙ୍କ ଉପରେ ୬୪ କୋଟି ଟଙ୍କା ବକାୟା ରହିଛି ବୋଲି ନେସ୍କୋ ପକ୍ଷରୁ ସୂଚନା ଦିଆଯାଇଛି । ୧୦ ହଜାର ଟଙ୍କାରୁ ଅଧିକ ବକାୟା ବିଦ୍ୟୁତ ଦେୟ ଥିବା ଉପଭୋକ୍ତାଙ୍କ ଉପରେ ରହିଛି ମୋ’ଟ ୭୪୫ କୋଟି ଟଙ୍କା ।

ବକାୟା ଶୁଳ୍କ ଆଦାୟ ପାଇଁ ନେସ୍କୋ ଫେବୃଆରୀ ୧୫ ତାରିଖ ଡେଡଲାଇନ୍‌ ଘୋଷଣା କରିଥିଲା ନେସ୍କୋ । ଡେଡଲାଇନ୍‌ ପାର୍‌ ହେବା ପରେ ୧୬ ତାରିଖରୁ ବିଦ୍ୟୁତ କାଟିବା ଆରମ୍ଭ କରାଯାଇଥିଲା ।

‘‘ଉପଭୋକ୍ତା ସମସ୍ତ ବକାୟା ରାଶି ପୈଠ କରି ନ ପାରିଲେ ୫୦ ଭାଗ ଡିପୋଜିଟ କରିବାକୁ କୁହାଯାଉଛି । ବାକି ମାର୍ଚ୍ଚ ୩୧ ସୁଦ୍ଧା ପୈଠ କରିପାରିବେ ଗ୍ରାହକ । ଏହି ସର୍ତ୍ତ ଅନୁସାରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଉଛି । ବିଚ୍ଛିନ୍ନ କରାଯିବା ପରେ ସେମାନେ ପୁନଃ ସଂଯୋଗ ପାଇଁ ପ୍ରତି ଘରୋଇ ଗ୍ରାହକ ୧୫୦ ଟଙ୍କା ଅତିରିକ୍ତ ଶୁଳ୍କ ଓ ପ୍ରତି ଅନ୍ୟ ଉପଭୋକ୍ତା ୪୦୦ ଟଙ୍କା ଦେଇ ପୁଣି କନେକ୍ସନ ନେଇପାରିବେ,’’ କହିଛନ୍ତି ନେସ୍କୋର ଟଙ୍କା ଆଦାୟ ଅଧିକାରୀ ଦେବିଦତ୍ତ ମହାପାତ୍ର ।

ନେସ୍କୋର ବିଜୁଳି କଟା ଅଭିଯାନକୁ ବିରୋଧ କରିଛନ୍ତି ଗ୍ରାହକମାନେ । ‘‘ପରୀକ୍ଷା ସମୟରେ ବିଜୁଳି କାଟିବା ଆଦୌ ଗ୍ରହଣଯୋଗ୍ୟ ନୁହେଁ । ସରକାରୀ ଅନୁଷ୍ଠାନ ଓ ଶିଳ୍ପାନୁଷ୍ଠାନ ଉପରେ କୋଟି କୋଟି ଟଙ୍କା ବାକି ପଡିଥିବା ବେଳେ ସେମାନଙ୍କ ପାଖରୁ ଆଦାୟ ନ କରି ସାଧାରଣ ଲୋକଙ୍କୁ ନେସ୍କୋ ହଇରାଣ କରୁଛି,’’ ଅଭିଯୋଗ କରିଛନ୍ତି ଗ୍ରାହକ ଦିଲ୍ଲୀପ ପରିଡ଼ା ।
Published by:Anand Shankar Thankur Das
First published: