ନେମାଳ ଲେଣ୍ଡର-ଭଗବାନପୁର ଡକାୟତି ଓ ହତ୍ୟା ମାମଲା ପର୍ଦ୍ଦାଫାଶ; ସମ୍ପର୍କୀୟ ନାତି ଖଳନାୟକ

ମାତ୍ର ୪ ହଜାର ଟଙ୍କା ଓ ଦୁଇ ଭରି ସୁନା ପାଇଁ ନରହନ୍ତା ପାଲଟିଥିଲା ଅଭିଯୁକ୍ତ ନାତି ।

ନେମାଳ ଲେଣ୍ଡର-ଭଗବାନପୁର ଡକାୟତି ଓ ହତ୍ୟା ମାମଲା ପର୍ଦ୍ଦାଫାଶ; ସମ୍ପର୍କୀୟ ନାତି ଖଳନାୟକ

ନେମାଳ ଲେଣ୍ଡର-ଭଗବାନପୁର ଡକାୟତି ଓ ହତ୍ୟା ମାମଲା ପର୍ଦ୍ଦାଫାଶ; ସମ୍ପର୍କୀୟ ନାତି ଖଳନାୟକ

  • News18 Odia
  • Last Updated :
  • Cuttack, India
  • Share this:
News 18 Odia Digital

କଟକ; ନେମାଳ ଲେଣ୍ଡର-ଭଗବାନପୁର ଡକାୟତି ଓ ହତ୍ୟା ମାମଲା ପର୍ଦ୍ଦାଫାଶ କରିଛି ନେମାଳ ପୋଲିସ । ଡକାୟତ ନୁହେଁ ବରଂ ନିଜେ ମୃତକଙ୍କ ସମ୍ପର୍କୀୟ ନାତି ହିଁ ଭିଆଇ ଥିଲା ଏହି ନାରକିୟ କାଣ୍ଡ । ମୃତକ ହୃଷିକେଶଙ୍କ ସମ୍ପର୍କୀୟ ନାତି ତଥା ଅଭିଯୁକ୍ତ ଓମକାର ମୁଦୁଲିଠାରୁ ଲୁଟ ହୋଇଥିବା ଟଙ୍କା ଓ ସୁନା ଅଳଙ୍କାର ଜବତ ହେବା ପରେ ପୋଲିସ ଆଗରେ ସବୁ ନିଜର ଦୋଷ ସ୍ୱିକାର କରିଛି ଓମକାର । ମାତ୍ର ୪ ହଜାର ଟଙ୍କା  ଓ ଦୁଇ ଭରି ସୁନା ପାଇଁ ନରହନ୍ତା ପାଲଟିଥିଲା ଅଭିଯୁକ୍ତ ।

ଅଭିଯୁକ୍ତ ଓମକାର ମୁଦୁଲି (ଫାଇଲ ଫଟୋ)


ଗତକାଲି ନିଜକୁ ପିଡ଼ିତ ଏବଂ ତାଙ୍କ ଜେଜେ ବାପା ଓ ଜେଜେ ମା'ଙ୍କୁ ଡକାୟତମାନେ ଆକ୍ରମଣ କରିଥିବା ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିବା ଓମକାର ଆଜି କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛି । ଏପରିକି ଗଣମାଧ୍ୟମର ପ୍ରତିନିଧିମାନେ ପୋଲିସ ହେପାଜତରେ ଥିବା ଓମକାରକୁ ବାରମ୍ବାର ପ୍ରଶ୍ନ କରିଥିଲେ ମଧ୍ୟ ସେ ନିରବ ରହିଥିଲା । କାରଣ କେହି ଡକାୟତଙ୍କ କାଣ୍ଡ ନୁହେଁ ବରଂ ନିଜେ ଓମକାର ହିଁ ସମ୍ପର୍କିୟ ଜେଜେଙ୍କୁ ହାଣି ହତ୍ୟା କରିବା ସହ ଜେଜେମାଙ୍କୁ ଲହୁ ଲୁହାଣ କରିଥିଲା ।  ବିନା ପରିଶ୍ରମରେ ଅର୍ଥ ହାସଲ କରିବା ପାଇଁ ସୌତାନ ସାଜିଥିଲା ଓମକାର । ଓମକାରକୁ ଗିରଫ କରିବା ସହ ମୃତକ ହୃଷିକେଶ ମୁଦୁଲିଙ୍କ ଘରୁ ଚୋରି ହୋଇଥିବା ଦୁଇ ଭରି ଓଜନର ସୁନା ଅଳଙ୍କାର ଓ ସାଢେ ୪ ହଜାର ଟଙ୍କାକୁ ଜବତ କରିଛି ପୋଲିସ । ଏହା ସହ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା କଟୁରୀ ଓ ଦା ' କୁ ମଧ୍ୟ ପୋଲିସ ଜବତ କରିଛି ।  ତେବେ ଓମକାର ଏକାକି ଏହି କାଣ୍ଡ ଭିଆଇଥିଲା ଏବଂ ପୋଲିସକୁ ଭ୍ରମିତ କରିବା ପାଇଁ ଏହି କାଣ୍ଡକୁ ଡକାୟତମାନେ କରିଥିବା ନେଇ ଏକ କାହାଣୀ ରଚନା କରିଥିବା କହିଛି ପୋଲିସ ।

ଓମକାର ଲୁଟ କରିଥିବା ସୁନା ଅଳଙ୍କାର ଓ ଟଙ୍କା


"ଓମକାରର ହାବଭାବକୁ ଦେଖି ଆମକୁ ପୂର୍ବରୁ ହିଁ ତା ଉପରେ ସନ୍ଦେହ ହୋଇଥିଲା । ଅନ୍ୟମାନଙ୍କ ଭଳି ସେ ଆମକୁ ମଧ୍ୟ ଡକାୟତମାନେ ଏହି କାର୍ଯ୍ୟ କରିଥିବା କହିଥିଲା । କିନ୍ତୁ ପରବର୍ତ୍ତି ସମୟରେ ଜେରାରେ ସେ ସବୁ କିଛି ସତ ମାନିଯାଇଥିଲା"  କହିଛନ୍ତି ସାଲେପୁର ଏସଡିପିଓ ବିମଳ କୁମାର ବାରିକ । ହୃଷିକେଶ କିଛି ବର୍ଷ ହେଲା ସରକାରୀ ଚାକିରିରୁ ଅବସର ନେଇଥିବା ବେଳେ ଲେଣ୍ଡର-ଭଗବାନପୁର ଗାଁରେ ଥିବା ନିଜ ପୈତୃକ ଘରେ ପତ୍ନୀ କନକଲତାଙ୍କ ସହ ରହୁଥିଲେ । ଅଭିଯୁକ୍ତ ଓମକାର ନିୟମିତ ଭାବେ ହୃଶିକେଷଙ୍କ ଘରକୁ ଯିବା ଆସିବା କରୁଥିବା ବେଳେ ହୃଶିକେଷଙ୍କ ପାଖରେ ମୋଟା ଅଙ୍କର ଅର୍ଥ ରହିଥିବା ସନ୍ଦେହ କରିଥିଲେ । ଫଳସ୍ୱରୂକ ସପ୍ତାହକ ତଳେ ସେ ହୃଷିକେଶଙ୍କ ଘରେ କଳାକନା ବୁଲାଇବା ପାଇଁ ଯୋଜନା କରିଥିଲା ।

ପୋଲିସ କବଜାରେ ଓମକାର


ପ୍ଲାନ ମୁତାବକ ଓମକାର ୮ ତାରିଖ ରାତିରେ ହୃଷିକେଶ ଘରେ ରାତ୍ରି ଯାପନ କରିଥିଲା । ତେବେ ରାତି ଅଧରେ ହୃଷିକେଶଙ୍କ ଆଲମାରୀ ଖୋଲି ଲୁଟ କରୁଥିବା ସମୟରେ ହୃଷିକେଶ ଦେଖି ନେଇଥିଲେ । ସେ ପାଟି କରିବାରୁ ଓମକାର ଘର ଭିତରେ ଥିବା ଏକ କଟୁରୀରେ ତାଙ୍କୁ ଆକ୍ରମଣ କରିଥିଲା । ସ୍ୱାମୀଙ୍କ ଚିତ୍କାର ଶୁଣି ଆରପଟ ଘରେ ଶୋଇଥିବା ସ୍ତ୍ରୀ କନକଲତା ସେଠାରେ ପହଁଚିବା ପରେ ତାଙ୍କ ମଧ୍ୟ ଏକ ଦା'ରେ ଆକ୍ରମଣ କରିଥିଲା । ଏପରି କି ଆହତ ଥିବା କନକଲତାଙ୍କ କାନରୁ ସୁନା ଅଳଙ୍କାର ଖୋଲିବାକୁ ମଧ୍ୟ ପଛାଇନଥିଲା ଓମକାର ।

ହୃଷିକେଶ ମୁଦୁଲିଙ୍କ ସହ ପତ୍ନୀ କନକଲତା ମୁଦୁଲି (ଫାଇଲ ଫଟୋ)


ତେବେ ସେହି ସମୟରେ କନକଲତା ଓମକାରର ଏକ ଆଙ୍ଗୁଠିକୁ କାମୁଡ଼ି ମଧ୍ୟ ଦେଇଥିଲେ । ସେପଟେ ନିଜର ଏକ ମାତ୍ର ପୁଅର ଏହି କୁକର୍ମକୁ ଦେଖି ମର୍ମାହିତ ବାପା ବାଦଲ ମୁଦୁଲି ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଉଭୟ କନକଲତା ଓ ବାଦଲ ଏବେ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।
Published by:Soubhagya Mishra
First published: