News18 Odia Digital
ବାଲେଶ୍ବର: ମିଠା ଲାଗୁଛି ନିମ ପତ୍ର (Neem Leaves Sweet)। ଚଣ୍ଡୀଙ୍କ ପୀଠରେ ଥିବା ନିମ୍ବ ଗଛର ପତ୍ର ଲାଗୁଛି ମିଠା, ମାନ୍ୟତା ରହିଛି ଏହି ଗଛର ପତ୍ର ଖାଇଲେ ଚଣ୍ଡୀ ମା'ଙ୍କର ମିଳିଥାଏ ଆଶୀର୍ବାଦ। କାହିଁ କେତେ ବର୍ଷର ଏହି ଗଛଟି ମନ୍ଦିର ପରିସରରେ ରହିଛି। ଭକ୍ତମାନେମାଙ୍କ ନିକଟକୁ ପୂଜାର୍ଚ୍ଚନା କରିବାକୁ ଆସିଲେ ନିମ୍ବ ପତ୍ର ଖାଇ ନିଜର ମନସ୍କାମନା ପୂରଣ କରିଥାନ୍ତି।
ଏଭଳି ଘଟଣା ଦେଖିବାକୁ ମିଳିଛି ଖଇରା ବ୍ଲକ ମାଣିତ୍ରୀ ପଞ୍ଚାୟତ ଅଧୀନ ଜଳଙ୍ଗ ମା' ଚଣ୍ଡୀଙ୍କ ପୀଠରେ। ଆଜିକୁ ପ୍ରାୟ ୨୦୦ ବର୍ଷ ତଳେ କେନ୍ଦୁଝର ଜିଲା ଢେଙ୍କା ନିକଟସ୍ଥ ବାଲିଗୁରେଇ ଅଞ୍ଚଳର ମା' ଚଣ୍ଡୀ ପୂଜା ପାଉଥିଲେ।
ମା'ଙ୍କ ପ୍ରତି ଅନ୍ୟାୟ ହେବାରୁ ସେଠାରୁ ଅନ୍ୟ ସ୍ଥାନକୁ ନେଇଯିବା ପାଇଁ ଦେହୁରୀଙ୍କୁ ସ୍ୱପ୍ନାଇଥିଲେ। ୫ ଭଉଣୀଙ୍କ ମଧ୍ୟରୁ ବଡ଼ ଭଉଣୀ ଚଣ୍ଡୀ ଠାକୁରାଣୀ ସ୍ଵପ୍ନାଦେଶ କରିବାରୁ ଏ ଜଳଙ୍ଗ ଗ୍ରାମର ମହାପାତ୍ର ବଂଶଧରଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ମା’ଙ୍କ ପ୍ରତିମାକୁ କାନ୍ଧରେ ବୋହି ଆଣି ଗାଁରେ ଥବା ଏକ ନିମ ଗଛ ମୂଳେ ରଖିଥିଲେ ପରେ ଗ୍ରାମବାସୀଙ୍କ ଶତଚେଷ୍ଟା ସତ୍ତ୍ବେ ମା’ଙ୍କ ମୂର୍ତ୍ତିକୁ ସେଠାରୁ ସ୍ଥାନାନ୍ତର କରାଯାଇ ପାରି ନ ଥିଲା।
କିଛି ବର୍ଷ ପରେ ମହାପାତ୍ର ବଂଶର ଉତ୍ତରାଧିକାରୀ ପଦ୍ମଲୋଚନ ମହାପାତ୍ର, ବିନୋଦ ମହାପାତ୍ର ଓ ଗ୍ରାମର ପୁରୁଖା ଲୋକ ଗୋବିନ୍ଦ ଦାଶ ଓ ପାଣ୍ଡୁ ତ୍ରିପାଠୀଙ୍କ ପ୍ରଚେଷ୍ଟାରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯାଇଥିଲା। ମା’ ପ୍ରତ୍ୟକ୍ଷ ଦେବୀ ହୋଇଥିବାରୁ ସେତେବେଳେ କୁଆଡେ ନରବଳି ପରମ୍ପରା ଚାଲିଥିଲା।
ଦୀର୍ଘ ଦିନ ହେବ ସେହି ପରମ୍ପରା ବନ୍ଦ ହୋଇଯାଇଛି। ଭକ୍ତମାନେ ମାନସିକ ରଖିଲେ ତାହା ପୂରଣ ହେଉଥିବାରୁ ବହୁ ଦୂର ଦୂରାନ୍ତରୁ ଭକ୍ତ ଆସିଥାନ୍ତି। ବିଶେଷ କରି ଦୁର୍ଗା ପୂଜା ଓ ବାସନ୍ତୀ ପୂଜାରେ ବହୁ ଧୁମଧାମରେ ପୂଜାର୍ଚ୍ଚନା କରାଯାଇ ଥାଏ।
ବାଲେଶ୍ବରରୁ ଉମାକାନ୍ତ ସେଟ୍ଟୀଙ୍କ ରିପୋର୍ଟ, ନ୍ୟୁଜ୧୮ ଓଡ଼ିଆନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।