ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପୋଲିସ ପଦରୁ ୧୦ ହଜାର ଖାଲି ପଡ଼ିଛି; ୧୯୫ IPSରୁ ୭୮ ପଦ ଖାଲି

ପୋଲିସ ବିଭାଗରେ ବର୍ଷ ବର୍ଷ ଧରି ଖାଲି ରହିଥିବା ହଜାର ହଜାର ପଦ ଯୋଗୁଁ ରାଜ୍ୟରେ ଅପରାଧର ସଂଖ୍ୟା ଓ ଉଗ୍ରତା ବଢ଼ିଚ଼ାଲିଛି ବୋଲି କହି ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳର ନେତାମାନେ ।

ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପୋଲିସ ପଦରୁ ୧୦ ହଜାର ଖାଲି ପଡ଼ିଛି; ୧୯୫ IPSରୁ ୭୮ ପଦ ଖାଲି
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: February 27, 2020, 8:35 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗୁଡ଼ୁଥିବା ବେଳେ ପୋଲିସ ବିଭାଗରେ ହଜାର ହଜାର ପଦ ବର୍ଶ ବର୍ଷ ଧରି ଖାଲି ପଡ଼ିଛି । ନିକଟରେ କିଛି ଆଇନ୍‌ ଶୃଙ୍ଖଳା ସମ୍ପର୍କୀୟ ଘଟଣାକୁ ନେଇ ବିଧାନ ସଭାରେ ସରକାରଙ୍କୁ ସମାଲୋଚନାର ପାତ୍ର ବି ହେବାକୁ ପଡ଼ିଛି । ତେବେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗୃହରେ ରଖିଥିବା ଏକ ଲିଖିତ ଉତ୍ତର ପୋଲିସ ବିଭାଗର ଅସଲ ସ୍ଥିତିକୁ ସାମ୍ନାକୁ ଆଣିଛି ।

ମନ୍ତ୍ରୀଙ୍କ ଉତ୍ତର ଅନୁସାରେ ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ  ୭୨,୧୧୯ ପଦରୁ ୬୨,୦୬୫ ପୋଲିସ ପଦ ଥିବା ବେଳେ ସେଥିରୁ ପ୍ରାୟ ୧୦,୦୫୪ଟି ପଦ ଖାଲି ପଡ଼ିଛି । ସେଥିରେ ‘ଏ’ ଗ୍ରୁପର ୧,୧୪୦ ରୁ ୫୦୧ ,‘ବି’ ଗ୍ରୁପର ୬,୫୯୪ରୁ ୧,୮୨୩, ‘ସି’ ଗ୍ରୁପର ୬୦,୮୦୩ରୁ ୬,୪୮୭ ଓ ‘ଡ଼ି’ ଗ୍ରୁପରେ ୩,୫୮୨ରୁ ୧,୨୪୩ ପଦ ଖାଲି ପଡ଼ିଛି । କେବଳ  କମିଶନରେଟ ପୋଲିସରେ ମୋ’ଟ ୭,୫୧୩ ପଦରୁ ୫୩୬ ଖାଲି ପଡ଼ିଛି  ।

ଓଡ଼ିଶାରେ ମଞ୍ଜୁରୀପ୍ରାପ୍ତ ୧୯୫ ଆଇପିଏସ (IPS) ପଦବୀରୁ ୭୮ ପଦବୀ ମଧ୍ୟ ଖାଲି ପଡ଼ିଛି । ସେମାନଙ୍କ ମଧ୍ୟରେ ୨୯ ଜଣ କେନ୍ଦ୍ରୀୟ ଡ଼େପୁଟେସନରେ ଥିବା ବେଳେ ତିନି ଜଣ ପ୍ରାୟ ୧୨ ବର୍ଷ ଧରି ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡ଼ିଛି । ଏମିତି ସ୍ଥିତି ଯୋଗୁଁ ଅପରାଧର ସଂଖ୍ୟା ଓ ଉଗ୍ରତା ବଢ଼ୁଛି ବୋଲି ବିରୋଧୀମାନେ ଅଭିଯୋଗ କରିଛନ୍ତି ।

ମନ୍ତ୍ରୀ ରଖିଥିବା ଉତ୍ତରରେ ଏହା ବି ଜଣାପଡ଼ିଛି ଯେ ରାଜ୍ୟରେ ୨୦୧୮ ତୁଳନାରେ ୨୦୧୯ରେ ଅପରାଧର ରିପୋର୍ଟିଂ ହାର ୧୩ ପ୍ରତିଶତରୁ ଅଧିକ ରହିଛି । ୨୦୧୮ରେ ମୋଟ ୧ ଲକ୍ଷ ୭ ହଜାର ୪୦୮ଟି ମାମଲା ରିପୋର୍ଟ୍‌ ହୋଇଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ୧ ଲକ୍ଷ ୨୧ ହଜାର ୫୨୫ ପହଞ୍ଚିଛି ।  ଏହି ତାଲିକାରେ ସର୍ବାଗ୍ରେ ରହିଛି ଭୁବନେଶ୍ବର ୟୁପିଡ଼ି । ଏଠି ୨୦୧୮ରେ ୭,୨୧୯ଟି କେସ୍‌ ରିପୋର୍ଟ୍‌ ହୋଇଥିବା ବେଳେ ୨୦୧୯ରେ  ରିପୋର୍ଟ୍‌ ହୋଇଛି ୮,୨୨୯ଟି ମାମଲା ।  କିନ୍ତୁ ଜିଆରପି କଟକ ଏବଂ ଗଜପତି ଜିଲ୍ଲାରେ ଏହି ହାର  ଅଧିକ ରହିଛି ।

ଜିଆରପି କଟକରେ ମୋଟ ୮୪୯ କେସ୍‌ ସହ ଗତ ବର୍ଷ ଅପେକ୍ଷା ୩୬.୯ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଗଜପତିରେ ୧,୩୦୬ କେସ୍‌ ସହ ୩୨.୭ ପ୍ରତିଶତ ବୃଦ୍ଧି ହୋଇଛି । ତେବେ ବୌଦ୍ଧ, କୋରାପୁଟ ଓ ଦେଓଗଡ଼ରେ ଅପରାଧ ସଂଖ୍ୟା କମିଥିବା ତଥ୍ୟରୁ ଜଣାପଡ଼ିଛି । ମୋଟାମୋଟି ଭାବେ ହତ୍ୟା ୧.୫ ପ୍ରତିଶତ କମିଥିବା ବେଳେ ଏସିଡ଼ ଆକ୍ରମଣ ଓ ଯୌତୁକ ଜନିତ ହତ୍ୟା ସଂଖ୍ୟା ମଧ୍ୟ ହ୍ରାସ ପାଇଛି  ।

୨୦୧୮ରେ ୧୪ଟି ଏସିଡ଼ ଆକ୍ରମଣ ମାମଲା ଓ ୫୦୧ଟି ଯୌତୁକ ଜନିତ ହତ୍ୟା ମାମଲା ରିପୋର୍ଟ୍‌ ହୋଇଥିବା ବେଳେ ୨୦୧୯ରେ ୩ଟି ଏସିଡ଼ ଆକ୍ରମଣ ଓ ୩୪୧ଟି ଯୌତୁକଜନିତ ହତ୍ୟା ରିପୋର୍ଟ୍‌ ହୋଇଛି । କିନ୍ତୁ  ଡ଼କାୟତି ୧୮ ପ୍ରତିଶତ, ଦୁଷ୍କର୍ମ ୧୭.୯ ପ୍ରତିଶତ, ଶାରୀରିକ ଶୋଷଣ ୧୬.୫, ସେକ୍ସୁଆଲ ହାରାସମେଣ୍ଟ ୫.୧ ପ୍ରତିଶତ, କିଡ଼ନାପ ୧୯.୪ ପ୍ରତିଶତ ଓ ଯୌତୁକ ନିର୍ଯ୍ୟାତନା ୧୯.୧ ପ୍ରତିଶତ ବଢ଼ିଛି ।  ମହିଳା ଚ଼ାଲାଣର ୧୧୭ ମାମଲା ରିପୋର୍ଟ୍‌ ହୋଇଥିବାରୁ ୨୦୧୮ ତୁଳନାରେ  ୧୨୯ ପ୍ରତିଶତ ବଢ଼ିଛି ।

ଏତେ ସବୁ ସତ୍ବେ ଗଣ ମାଧ୍ୟରେ ଗୃହ ରାଷ୍ଟ୍ର ମନ୍ତ୍ରୀ କୌଣସି ଉତ୍ତର ରଖି ନ ଥିଲେ ବି ରାଜ୍ୟରେ ଅପରାଧର ସ୍ଥିତି ସନ୍ତୋଷଜନକଭାବେ ନିୟନ୍ତ୍ରଣାଧୀନ ରହିଛି ବୋଲି ଅନ୍ୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ସେ । ଏହି ତଥ୍ୟକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

‘‘ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, କିନ୍ତୁ ସରକାର ଏହାକୁ ଗୁରୁତ୍ବ ଦେଉନାହାନ୍ତି । ପୋଲିସ ବିଭାଗରେ ହଜାର ହଜାର ପଦବୀ ଖାଲି ଥିବାରୁ ଆଇନ ଶୃଙ୍ଖଳା ଯେପରି ନିୟନ୍ତ୍ରଣ ହେବା କଥା ହୋଇପାରୁନି । ଅନ୍ୟ ରାଜ୍ୟ ତୁଳନାରେ ପୋଲିସ ବଳ ସଂଖ୍ୟା କମ୍‌ ରହିଛି । ତେଣୁ ସରକାର ଏହାକୁ ଯଥାଶୀଘ୍ର ପୂରଣ କରିବା ଉଚ଼ିତ,’’ କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।

ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀ କହିଛନ୍ତି: ‘‘ଯଦି ପୋଲିସ କୌଣସି ସ୍ଥଳରେ ଉପସ୍ଥିତ ରହିବ, ତେବେ ଅପରାଧୀ ଦୂରେଇ ଯିବ । କିନ୍ତୁ ଯଦି ପୋଲିସ ନ ରହିବ, ଅପରାଧୀ ଅନାୟାସରେ ଅପରାଧ କରିଚ଼ାଲିବ । ସରକାର ସମ୍ପୂର୍ଣଭାବେ ସ୍ଥାଣୁ ପାଲଟିଛନ୍ତି । ଆମେ ବିରୋଧୀ ଦଳ ଭାବେ ଭୂମିକା ନିଭାଉଛୁ, କିନ୍ତୁ ସରକାର ଚ଼େତୁନାହାନ୍ତି’’ ।

ହେଲେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ଦାବି କରିଛି ଶାସକ ଦଳ ବିଜେଡି । ‘‘ଲୋକ ସଂଖ୍ୟା ବଢ଼ିବା ସଙ୍ଗେ ସଙ୍ଗେ ଅପରାଧ ବଢ଼େ, କିନ୍ତୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ପୂର୍ବରୁ ଏତେ ଅଧିକ କେସ୍‌ ରେଜିଷ୍ଟ୍ରେସନ ହେଉ ନ ଥିଲା । ଏବେ ଅନଲାଇନ ବ୍ୟବସ୍ଥା ହେବା ପରେ ବହୁ୍ ମାମଲା ରୁଜୁ ହେଉଛି । ତେବେ ପଦବୀ ପୁରଣ ନେଇ ସରକାର ବ୍ୟବସ୍ଥା କରୁଛନ୍ତି,’’ କହିଛନ୍ତି ବିଜେଡ଼ି ବିଧାୟକ ନୃସିଂହ ସାହୁ ।
First published: February 27, 2020, 8:35 PM IST
corona virus btn
corona virus btn
Loading