ନୟାଗଡ଼ର ପରୀ ହତ୍ୟା: ମନ୍ତ୍ରୀ ଅରୁଣ ସାହୁ କହିଲେ ସେ ‘‘ବ୍ୟଥିତ; ପରିବାରକୁ ନ୍ୟାୟ ମିଳିବା ଉଚିତ’’
ବିଧାନ ସଭାରେ ବିରୋଧୀ ଦଳ ସଦସ୍ୟମାନଙ୍କର ଗୋଟିଏ ଦାବି ଯେ ମନ୍ତ୍ରୀ ଅରୁଣ ସାହୁ ଇସ୍ତଫା ଦିଅନ୍ତୁ । ଉଭୟ ବିଜେପି ଓ କଂଗ୍ରେସ କ୍ରାଇମ ବ୍ରାଞ୍ଚ ତଦନ୍ତର ନିରପେକ୍ଷତା ଉପରେ ପ୍ରଶ୍ନ କରିଛନ୍ତି । ବିଜେପି ମୁଖ୍ୟ ମନ୍ତ୍ରୀଙ୍କ ବିବୃତି ଦାବି କରିଛି ।

(ବାମରୁ ଡାହାଣ) ମୃତ ଝିଅ ପରୀ, ବିଧାନ ସଭା ଓ ମନ୍ତ୍ରୀ ଅରୁଣ କୁମାର ସାହୁ
- News18 Odia
- Last Updated: November 26, 2020, 10:50 PM IST
ଭୁବନେଶ୍ୱର: ନୟାଗଡ଼ ଜିଲ୍ଲାର ଯଦୁପୁରରେ ଘଟିଥିବା ପାଞ୍ଚ ବର୍ଷର ଝିଅ ପରୀର ଜଘନ୍ୟ ହତ୍ୟା ଓ ଅପରାଧୀମାନଙ୍କୁ ଗିରଫ କରିବାରେ ପୋଲିସର କଥିତ ଉଦାସୀନତାକୁ ନେଇ ଗୁରୁବାର ଦିନ ବିଧାନସଭାରେ ଝଡ଼ ସୃଷ୍ଟି ହୋଇଥିଲା । ପୂର୍ବାହ୍ନର ଅଧିବେଶନ ସେହି ଝଡ଼ରେ ଧୋଇହୋଇଯାଇଥିଲା । ସେହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ଗୃହରେ ତୁମ୍ବି ତୋଫାନ ହୋଇଥିଲା ।
ବିରୋଧୀ ବିଧାୟକମାନେ ନିଜ ଜିଦରେ ଅଡ଼ ବସିଥିବା ବେଳେ ଗୃହରେ ବିବୃତି ରଖିଥିଲେ ମନ୍ତ୍ରୀ ଅରୁଣ ସାହୁ । ସେ କହିଥିଲେ, ‘‘ଏଭଳି ଏକ ସମ୍ବେଦନଶୀଳ ଘଟଣା ମୋତେ ବ୍ୟଥିତ କରିଛି । ମୁଁ ଗଭୀର ଭାବେ ମର୍ମାହତ । ତାଙ୍କ ପରିବାରକୁ ନ୍ୟାୟ ମିଳିବା ମୋର ଉଦ୍ଦେଶ୍ୟ । କ୍ରାଇମ ବ୍ରାଞ୍ଚ ତଦନ୍ତକୁ ମୁଁ ସ୍ୱାଗତ କରୁଛି । ପରୀର ପରିବାରକୁ ନ୍ୟାୟ ମିଳିବ ବୋଲି ମୋ’ର ଆଶା ।’’
ଏହା ବି ପଢ଼ନ୍ତୁ | IAS ଟପ୍ପର ଟିନା ଡାବି ପ୍ରେମ ବିବାହ କରିଥିଲେ କଶ୍ମୀରର ଆମିରଙ୍କ ସହ; ଏବେ ଛାଡ଼ପତ୍ର ମାଗୁଛନ୍ତି

ମୃତା ବାଳିକା ପରୀର ବାପା ଓ ମା’ ବିଧାନ ସଭା ସାମନାରେ କିରୋସିନ ଢାଳି ନିଜ ଦେହରେ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ ।
ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଧୋଇଯାଇଥିଲା ପୂରା ଦିନର ବିଧାନ ସଭା କାର୍ଯ୍ୟ । ମନ୍ତ୍ରୀଙ୍କ ବିବୃତି ଆସିବା ପରେ ବି ବିରୋଧୀଙ୍କ ପ୍ରତିବାଦ ଯୋଗୁଁ ଶୁକ୍ରବାର ଯାଏଁ ଗୃହ ମୁଲତବୀ ରଖାଯାଇଥିଲା । ଯେ ପର୍ଯ୍ୟନ୍ତ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରା ନ ଯାଇଛି ସେ ପର୍ଯ୍ୟନ୍ତ ଏଭଳି ପ୍ରତିବାଦ ଜାରି ରହିବ ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।
ଏହା ବି ପଢ଼ନ୍ତୁ | ପତି କେତେ ଦରମା ପାଉଛନ୍ତି ତାହା ଜାଣିବାର ଅଧିକାର ପ୍ରତ୍ୟେକ ପତ୍ନୀଙ୍କର ଅଛି; ଆଇନ ଅଧିକାର ଦେଇଛି
ବିଜେପି ବିଧାୟକମାନେ ମନ୍ତ୍ରୀଙ୍କ ଫଟୋ ଥିବା ବ୍ୟାନର୍ ଧରି ବାଚସ୍ପତିଙ୍କ ପୋଡିଅମ ନିକଟରେ ପ୍ରତବାଦ କରିଥିଲେ । କଂଗ୍ରେସ ବି ବିଜେପି ସହିତ ମିଶି ମନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା । ବିଜେଡି କହିଥିଲା ଗୃହରେ ମନ୍ତ୍ରୀ ବିବୃତି ରଖିବା ପରେ ବି କେବଳ ରାଜନୈତିକ ଉଦ୍ଦେଶ୍ୟରେ ଏପରି ପ୍ରତିବାଦ କରୁଛନ୍ତି ବିରୋଧୀ ଦଳମାନେ ।
ପୂର୍ବାହ୍ନ ଅଧିବେଶନରେ ଦୁଇ ଥର ଗୃହ ମୁଲତବୀ ହୋଇଥିବା ବେଳେ ଅପରାହ୍ଣ ଅଧିବେଶନରେ ବି ଚାଲିପାରି ନ ଥିଲା ଗୃହ କାର୍ଯ୍ୟ । ମନ୍ତ୍ରୀଙ୍କ ବିବୃତି ସତ୍ୱେ ଅଚଳାବସ୍ଥା ଲାଗିରହିବାରୁ ଶୁକ୍ରବାର ଯାଏଁ ଗୃହ ମୁଲତବୀ କରିଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
ଏହା ବି ପଢ଼ନ୍ତୁ | ଗର୍ଭବତୀ ଅନୁଷ୍କା ଶର୍ମା ଗୋଟେ ପରେ ଗୋଟେ ଶୁଟିଂ କରିବା ଆରମ୍ଭ କରିଛନ୍ତି; ମେ ମାସରୁ ପୂର୍ବ ପରି ସୁଟିଂ କରିବେ
ଗୃହରେ ବିରୋଧୀ ଦଳ ସଦସ୍ୟମାନଙ୍କର ଗୋଟିଏ ଦାବି ଯେ ମନ୍ତ୍ରୀ ଅରୁଣ ସାହୁ ଇସ୍ତଫା ଦିଅନ୍ତୁ । ବିଜେପି କହିଛି ଯେ ନାବାଳିକାର ପରିବାର ଲୋକେ ମନ୍ତ୍ରୀଙ୍କ ସଂପୃକ୍ତିର ଅଭିଯୋଗ କରିଥିଲେ ବି ଗୃହ ରାଷ୍ଟ୍ରମନ୍ତ୍ରୀ ନିଜ ବିବୃତିରେ ପଦୁଟିଏ ବି କହିନାହାନ୍ତି । କ୍ରାଇମ ବ୍ରାଞ୍ଚ ତଦନ୍ତର ନିରପେକ୍ଷତା ଉପରେ ପ୍ରଶ୍ନ କରି ମୁଖ୍ୟ ମନ୍ତ୍ରୀଙ୍କ ବିବୃତି ଦାବି କରିଛି ବିଜେପି ।
କଂଗ୍ରେସ ତଦନ୍ତ ପ୍ରଭାବିତ ହେବା ଆଶଙ୍କା କରି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ହାଇ କୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ତଦନ୍ତ ପାଇଁ କହିଛି କଂଗ୍ରେସ ।
ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝି କହିଛନ୍ତି ଯେ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଉଚିତ । ‘‘ଆମେ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ରେ ସନ୍ତୁଷ୍ଟ ନାହୁଁ । ପୂର୍ବରୁ ଏପରି ବହୁତ ତଦନ୍ତ ହୋଇଛି, କିନ୍ତୁ ଫଳ ଶୂନ । ମନ୍ତ୍ରୀ ଇସ୍ତଫା ଦିଅନ୍ତୁ,’’ ସେ କହିଛନ୍ତି ।
‘‘ମନ୍ତ୍ରୀ ଇସ୍ତଫା ଦେବା ଜରୁରୀ । କ୍ରାଇମ ବ୍ରାଞ୍ଚ ତଦନ୍ତ ଚାଲୁଥିବା ବେଳେ ମନ୍ତ୍ରୀ ରହିଲେ ତଦନ୍ତକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ତେଣୁ ହାଇ କୋର୍ଟଙ୍କ ତତ୍ତ୍ୱାବଧାନରେ ଏକ ଏସଆଇଟି ଗଠନ କରି ତଦନ୍ତ କରାଯାଉ,’’ କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।