ନବୀନଙ୍କ ଭଉଣୀ ଗୀତା ମେହେତାଙ୍କ ସ୍ୱାମୀ ଖ୍ୟାତନାମା ପ୍ରକାଶକ ଓ ସଂପାଦକ ସୋନ୍ନି ମେହେତାଙ୍କ ପରଲୋକ

ବିଜୁ ପଟ୍ଟନାୟକଙ୍କ ଏହି ଜ୍ବାଇଁ ଅନ୍ତର୍ଜାତୀୟ ସାହିତ୍ୟ ପରିସରରେ ଜଣେ ଦକ୍ଷ ସମ୍ପାଦକ ଭାବେ ଜଣାଶୁଣା ଥିଲେ । ପ୍ରକାଶନ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ଲାଗି ଭାରତ, ଇଂଲଣ୍ଡ ଓ ଆମେରିକାର ବହୁ ସଂସ୍ଥା ଦ୍ବାରା ଜୀବନବ୍ୟାପି ଅବଦାନ ଲାଗି ସେ ସମ୍ମାନିତ ହୋଇଥିଲେ।

ସୋନ୍ନି ମେହେତା (ଛବି: ୟୁଟ୍ୟୁବ୍‌/ଅମେଜନ୍‌ ବୁକ୍ସ)

ସୋନ୍ନି ମେହେତା (ଛବି: ୟୁଟ୍ୟୁବ୍‌/ଅମେଜନ୍‌ ବୁକ୍ସ)

  • Share this:
News18 Odia Digital

ଭୁବନେଶ୍ୱର: ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ପ୍ରକାଶକ ଓ ପୁସ୍ତକ ସମ୍ପାଦକ ସୋନ୍ନି ମେହେତାଙ୍କର ୭୬ ବର୍ଷ ବୟସରେ ପରଲୋକ ଘଟିଛି । ସେ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଓ ବିଶିଷ୍ଟ ଲେଖିକା ଗୀତା ମେହେତାଙ୍କ ସ୍ୱାମୀ ।

ସୋନ୍ନି ମେହେତା ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ପୁସ୍ତକ ପ୍ରକାଶନ ସଂସ୍ଥା ଆଲଫ୍ରେଡ୍ ନୋଫ୍‌ର ମୁଖ୍ୟ ସମ୍ପାଦକ ଓ ନୋଫ୍‌ ଡବଲ୍‌ଡେ ପବ୍ଲିସିଂ ସଂସ୍ଥାର ଅଧ୍ୟକ୍ଷ ଥିଲେ ।

ପ୍ରକାଶନ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ଲାଗି ଭାରତ, ଇଂଲଣ୍ଡ ଓ ଆମେରିକାର ବହୁ ସଂସ୍ଥା ଦ୍ବାରା ମେହେତା ସମ୍ମାନିତ ହୋଇଥିଲେ। ଆମେରିକାର ବ୍ରାଡ୍‌ କଲେଜ ପକ୍ଷରୁ ତାଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଥିଲା । ଅନ୍ତର୍ଜାତୀୟ ମାସିକ ପତ୍ରିକା ଭାନିଟି ଫେୟାର୍‌ ମେହେତାଙ୍କୁ ବିଶ୍ବର ଶ୍ରେଷ୍ଠ ପୋଷାକ ପରିଧାନ କରୁଥିବା ବ୍ୟକ୍ତିଙ୍କ ସୂଚ଼ୀରେ ସ୍ଥାନୀତ କରିଥିଲା ।

ବିଜୁ ପଟ୍ଟନାୟକଙ୍କ ଏହି ଜ୍ବାଇଁ ଅନ୍ତର୍ଜାତୀୟ ସାହିତ୍ୟ ପରିସରରେ ଜଣେ ଦକ୍ଷ ସମ୍ପାଦକ ଭାବେ ଜଣାଶୁଣା ଥିଲେ । କ୍ୟାମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟରୁ ଇଂରାଜୀ ଓ ଇତିହାସରେ ଡିଗ୍ରୀ ହାସଲ କରିବା ପରେ ପୁସ୍ତକ ପ୍ରକାଶନ କ୍ଷେତ୍ରରେ ପ୍ରବେଶ କରିଥିଲେ ସେ ।

ସୋନ୍ନି ମେହେତାଙ୍କ ଜନ୍ମ ୧୯୪୨ ମସିହାରେ ହୋଇଥିଲା । ପିଲା ବେଳେ ସେ ବିଶ୍ୱର ଅନେକ ସହରରେ ରହିଥିଲେ । ସେ ପ୍ରେଗ୍‌, ନ୍ୟୁ ୟର୍କ, ଜେନିଭା ଓ ନେପାଳ ଆଦି ସ୍ଥାନରେ ପିଲାବେଳେ ରହିଥିଲେ ।

ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସୋନ୍ନିଙ୍କୁ ବିଶ୍ବର ଜଣେ ଶ୍ରେଷ୍ଠ ସମ୍ପାଦକ, ଜଣେ ଭଦ୍ର ଓ ଅମାୟିକ ବ୍ୟକ୍ତି ବୋଲି ନିଜର ଏକ ଟ୍ୱିଟ୍‌ରେ କହିଛନ୍ତି ନବୀନ ପଟ୍ଟନାୟକ । ସୋନ୍ନି ମେହେତାଙ୍କ ବିୟୋଗରେ ପୂର୍ବତନ ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।
Published by:Anand Shankar Thankur Das
First published: