News18 Odia Digital
ଭୁବନେଶ୍ୱର: ରାଜ୍ୟରେ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଆକାଶ ମାର୍ଗରେ ଦେଖିବା ପରେ ବିପନ୍ନଙ୍କ ଲାଗି ଏକ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁରୁତର ଭାବରେ କ୍ଷତିଗ୍ରସ୍ତ ଓ ଜଳମଗ୍ନ ଗ୍ରାମର ପ୍ରତି ପରିବାରକୁ ୫୦ କେଜି ଚାଉଳ ସହ ୫୦୦ ଟଙ୍କା ତୁରନ୍ତ ସହାୟତା ଯୋଗାଇ ଦିଆଯିବ । ଘର ଭାଙ୍ଗିଥିବା ପ୍ରତି ଯୋଗ୍ୟ ପରିବାରକୁ ଗୋଟିଏ ପଲିଥିନ ସିଟ୍ ଯୋଗାଇ ଦିଆଯିବ ଓ SDRF ନିୟମ ଅନୁଯାୟୀ ଘରଭଙ୍ଗା ସହାୟତା ଦିଆଯିବ ।
୧୫ ଦିନ ଭିତରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଘରଭଙ୍ଗା କ୍ଷୟକ୍ଷତି ଆକଳନ କରିବେ ଓ ପରବର୍ତ୍ତୀ ଏକ ସପ୍ତାହରେ ସହାୟତା ପ୍ରଦାନ କରାଯିବ । SDRF ନିୟମ ଅନୁଯାୟୀ କ୍ଷତିଗ୍ରସ୍ତ ଲୋକଙ୍କୁ ଲୁଗାପଟା ଓ ବାସନକୁସନ ଦିଆଯିବ। ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ସହାୟତା ଦିଆଯିବା ସହ କ୍ଷତିଗ୍ରସ୍ତ ଅଞ୍ଚଳରେ ପଶୁପକ୍ଷୀଙ୍କୁ ମାଗଣାରେ ଚିକିତ୍ସା ଓ ଟୀକାକରଣ ସୁବିଧା ମିଳବ । କ୍ଷତିଗ୍ରସ୍ତ ଅଞ୍ଚଳରେ ମାଗଣାରେ ପଶୁ ଚିକିତ୍ସା ଶିବିର ଖୋଲାଯାଇ ପଶୁପକ୍ଷୀଙ୍କ ଚିକିତ୍ସା କରାଯିବ ।
ବନ୍ୟା ଯୋଗୁଁ ସ୍ଥାନାନ୍ତରିତ ସବୁ ଲୋକଙ୍କୁ ଆଶ୍ରୟସ୍ଥଳରେ ସେମାନେ ଥିବା ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ବି ଘୋଷଣା କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଆକାଶ ମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଫେରିବା ପରେ ସେ ବରିଷ୍ଠ ଅଧିକାରୀଙ୍କ ସହିତ ବନ୍ୟା ପରିସ୍ଥିତି, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ । ସମୀକ୍ଷା ପରେ ଏହି ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟ ମନ୍ତ୍ରୀ ।

5T ସଚିବ ଭି.କେ. ପାଣ୍ଡିଆନଙ୍କ ସହ ମୁଖ୍ୟ ମନ୍ତ୍ରୀ ଏକ ଉଚ୍ଚ-ସ୍ତରୀୟ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରୁଛନ୍ତି ।
ପଟ୍ଟନାୟକ କହିଛନ୍ତି ଯେ ଏହି ବନ୍ୟାରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଅନେକ ଗାଁରେ ବନ୍ୟା ଜଳ ପଶିଥିବା ବେଳେ ଅନେକ ଚାଷଜମି ଜଗମଗ୍ନ ଅବସ୍ଥାରେ ଅଛି । ଘର ଭାଙ୍ଗିବା ସହ ରାସ୍ତା ଭାଙ୍ଗିଛି ଓ ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଅନେକ ଛୋଟ ବନ୍ଧ ଭାଙ୍ଗିଛି । ସରକାରୀ ଭିତ୍ତିଭୂମି ମଧ୍ୟ କ୍ଷିତିଗ୍ରସ୍ତ ହୋଇଛି ।
ଲୋକଙ୍କ ଏହି ବିପତ୍ତି ସମୟରେ ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ ବାହିନୀ, ଏସଲଆରସି ସ୍ଥାନୀୟ ନାଉରୀଆ ଓ ସ୍ଥାନୀୟ ଲୋକେ ସାହସ ଓ ପ୍ରତିବଦ୍ଧତାର ସହ ବିପନ୍ନଙ୍କୁ ସେବା ଯୋଗାଉଛନ୍ତି । ମୁଖ୍ୟ ମନ୍ତ୍ରୀ ସେମାନଙ୍କର ଉଚ୍ଚ ପ୍ରଶଂସା କରିଥିଲେ। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ସରକାରୀ କର୍ମଚାରୀ ଓ ପଞ୍ଚାୟତ ପ୍ରତିନିଧିମାନେ ଦିନରାତି ଲୋକଙ୍କୁ ସେବା ଯୋଗାଇ ଚାଲିନ୍ତି । ଜଳ ସମ୍ପଦ ବିଭାଗର ତତ୍ପରତା ଯୋଗୁଁ ଅନେକ ବନ୍ଧକୁ ରକ୍ଷା କରାଯାଇପାରିଛି ବୋଲି କହିଛନ୍ତି ମୁଖ୍ୟ ମନ୍ତ୍ରୀ। ଲୋକଙ୍କ କଷ୍ଟ ଲାଘବ କରିବା ସହ କ୍ଷତି ହ୍ରାସ କରିବା ଓ ରାସ୍ତା, ଯୋଗାଯୋଗ ଏବଂ ବିଦ୍ୟୁତ ସରବରାହ ପୁନଃ ପ୍ରତିଷ୍ଠା ଓ ବନ୍ଧବାଡ଼ର ମରାମତି କ୍ଷେତ୍ରରେ ତ୍ବରିତ ପଦକ୍ଷେପ ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।
‘‘ଆମେ ବର୍ତ୍ତମାନ ଏକ କଠିନ ପରିସ୍ଥିତିରେ ଗତି କରୁଛୁ । ବନ୍ୟା ଓ କରୋନା ଦୁଇଟି ବିପଦକୁ ଆମେ ମୁକାବିଲା କରୁଛୁ । ଏହି ପରିପ୍ରେକ୍ଷୀରେ ସମସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମ ପାଳନ କରି କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ମୁଁ ବନ୍ୟାଦୁର୍ଗତମାନଙ୍କୁ ନିବେଦନ କରୁଛି । ସମସ୍ତଙ୍କ ସହଯୋଗରେ ଏହି କଠିନ ପରିସ୍ଥିତିରୁ ଆମେ ଶୀଘ୍ର ମୁକୁଳି ପାରିବା,’’ କହିଛନ୍ତି ମୁଖ୍ୟ ମନ୍ତ୍ରୀ ।
ଏହା ବି ପଢ଼ନ୍ତୁ | Pranab Mukherjee: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆଉ ନାହାନ୍ତି; ୮୪ ବର୍ଷ ବୟସରେ ଦେହାନ୍ତ ହେଲାଏହା ବି ପଢ଼ନ୍ତୁ | Pranab Mukherjee: ଭୂମି ସହ ଜଡ଼ିତ ବ୍ୟକ୍ତି; କିରାଣୀରୁ ଭାରତ ରତ୍ନ ପର୍ଯ୍ୟନ୍ତ ତାଙ୍କ ଯାତ୍ରାସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଓ ଜଳ ସଂପଦ ବିଭାଗର ପ୍ରମୁଖ ସଚିବ ବନ୍ୟା ପରିସ୍ଥିତି, ଉଦ୍ଧାର, ସହାୟତା ଓ ବନ୍ଧବାଡ଼ର ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଉପସ୍ଥାପନା କରିଥିଲେ । ଏହି ସମୀକ୍ଷାରୁ ଜଣାଯାଇଛି ରାଜ୍ୟର ୨୦ଟି ଜିଲ୍ଲାର ୧୧୦ ବ୍ଲକ୍, ୩,୯୯୦ଟି ଗାଁ ଓ ୨୧ଟି ପୌରାଞ୍ଚଳରେ କ୍ଷୟକ୍ଷତି ହୋଇଛି । ବିଭିନ୍ନ ସ୍ଥାନରେ ୩୬ଟି ଛୋଟ ଓ ଗୋଟିଏ ବଡ ଘାଇ ସୃଷ୍ଟି ହୋଇଛି । ହୀରାକୁଦରେ ଜଳପ୍ରବାହ କମିଥିବାରୁ ପରିସ୍ଥିତିରେ ଖୁବ ଶୀଘ୍ର ଉନ୍ନତି ଆସିବ ବୋଲି ବୈଠକରେ ଆଶାପ୍ରକାଶ କରାଯାଇଛି ।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଶାସନ ସଚିବ ଓ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।