ନିଜ ହାତରେ ନିଜ ଆବାସର ଜଳ କର ₹୫୯୩ ଦେଇ ‘ଜଳ ସାଥୀ’ ଯୋଜନା ଉଦ୍‌ଘାଟନ କଲେ ନବୀନ

ନିଜ ୱାର୍ଡ଼ର ଜଳ ସାଥୀ ମମତା ରଥଙ୍କ ହାତରେ ମୁଖ୍ୟମନ୍ତ୍ରୀ ୬୦୦ ଟଙ୍କା ଦେଇଥିଲେ – ଗୋଟେ ୫୦୦ ଟଙ୍କିଆ ନୋଟ୍ ଓ ଗୋଟେ ୧୦୦ ଟଙ୍କିଆ ନୋଟ୍ । ବିଲ୍ ବାବଦକୁ ୫୯୩ ଟଙ୍କା କାଟି ବାକି ୭ ଟଙ୍କା ନବୀନଙ୍କୁ ଫେରାଇଥିଲେ ମମତା । ତା’ ସହ ପିଓଏସ୍‌ ମେସିନ୍‌ରୁ ବାହାର କରି ସ୍ଳିପ୍‌ଟିଏ ବି ମୁଖ୍ୟମନ୍ତ୍ରୀଙ୍କ ହାତକୁ ବଢ଼େଇ ଦେଇଥିଲେ ସେ ।

ନିଜ ହାତରେ ନିଜ ଆବାସର ଜଳ କର ₹୫୯୩ ଦେଇ ‘ଜଳ ସାଥୀ’ ଯୋଜନା ଉଦ୍‌ଘାଟନ କଲେ ନବୀନ
ରେଲୱେ ଅଡି଼ଟୋରିୟମ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ନବୀନ ଜଳ କର ଦେଉଛନ୍ତି ।
  • News18 Odia
  • Last Updated: December 18, 2019, 8:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭୁବନେଶ୍ୱର: ନିଜ ହାତରେ ନିଜ ଆବାସର ଜଳ କର ବାବଦରେ ୫୯୩ ଟଙ୍କା ପଇଠ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତିର ମହିଳାମାନଙ୍କ ଦ୍ୱାରା ଜଳ କର ଆଦାୟ କରିବାର ପାଇଲଟ୍‌ ଯୋଜନା ‘ଜଳ ସାଥୀ’ର ଉଦ୍‌ଘାଟନ କରିଛନ୍ତି ।

ନବୀନ ନିବାସର ଜଳ କର ବିଲ୍ ହୋଇଥିଲା ୫୯୩ ଟଙ୍କା ଟଙ୍କା । ଉଦ୍‌ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଜ ୱାର୍ଡ଼ର ଜଳ ସାଥୀ ମମତା ରଥଙ୍କ ହାତରେ ୬୦୦ ଟଙ୍କା ଦେଇଥିଲେ – ଗୋଟେ ୫୦୦ ଟଙ୍କିଆ ନୋଟ୍‌ ଓ ଗୋଟେ ୧୦୦ ଟଙ୍କିଆ ନୋଟ୍‌ । ବିଲ୍ ବାବଦକୁ ୫୯୩ ଟଙ୍କା କାଟି ବାକି ୭ ଟଙ୍କା ନବୀନଙ୍କୁ ଫେରାଇଥିଲେ ମମତା । ତା’ ସହ ପିଓଏସ୍‌ ମେସିନ୍‌ରୁ ବାହାର କରି ସ୍ଳିପ୍‌ଟିଏ ବି ମୁଖ୍ୟମନ୍ତ୍ରୀଙ୍କ ହାତକୁ ବଢ଼େଇ ଦେଇଥିଲେ ସେ ।

ମମତା ନିଜ ପରିବାର ସହ ରହନ୍ତି ନବୀନ ନିବାସ ପାଖ ୫୩ ନମ୍ବର ୱାର୍ଡ଼ର ୫ ନମ୍ବର ଗଳିରେ । ମୁଖ୍ୟମନ୍ତ୍ରୀଙ୍କ ହାତରୁ ପାଣି ବିଲ୍‌ ବାବଦରେ ଟଙ୍କା ଆଣିବା ସମୟରେ ଖୁସିରେ ଫାଟି ପଡୁଥିଲେ ସେ ।

‘‘ମୁଁ କେବେ ଭାବି ନ ଥିଲି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବି ଓ ତାଙ୍କ ଘରର ପାଣି ବିଲ୍‌ ତାଙ୍କ ଠୁଁ ହିଁ ଆଦାୟ କରିବି । ମୋ’ ଭାଗ୍ୟ ବଡ଼ ଥିବାରୁ ମୋତେ ଏ ସୁଯୋଗ ମିଳିଛି,’’ କହିଛନ୍ତି ମମତା ।

ମୁଖ୍ୟମନ୍ତ୍ରୀଙ୍କ ପାଣି ବିଲ୍ ସହିତ ମମତା ରଥ


ଆଗକୁ ଜଳ ସାଥୀ ଯୋଜନାରେ ନିଯୁକ୍ତ ମହିଳାମାନେ ପାଣି ବିଲ୍ ଆଦାୟ କରିବା ସହ ଲୋକଙ୍କୁ ମିଳୁଥିବା ଜଳର ମାନ ବି ନିର୍ଣ୍ଣୟ କରିବେ । ଲୋକଙ୍କୁ ଘରୋଇ ବ୍ୟବହାର ପାଇଁ ହଜାରେ ଲିଟରକୁ ୪ ଟଙ୍କା ୮୦ ପଇସା ଏବଂ ବାଣିଜ୍ୟିକ ବ୍ୟବହାର ପାଇଁ ୧୫ ଟଙ୍କା ୮୩ ପଇସା ପୈଠ କରିବାକୁ ପଡିବ ।

ନୂଆ ଜଳ ସଂଯୋଗ ପାଇଁ ଶହେ ଟଙ୍କା, ଜଳ ନମୂନା ପାଇଁ ୨୦ ଟଙ୍କା ଓ ମାସିକ ଘର ପିଛା ଆଦାୟ ଅର୍ଥର ୫ ପ୍ରତିଶତ ଅର୍ଥ ପାଇବେ ଜଳସାଥୀ । ଆଗକୁ ଘରେ ଘରେ ଜଳ ସଂରକ୍ଷଣ ପାଇଁ ଲାଗିବ ୱାଟର୍‌ ମିଟର୍‌ ।

ପିଓଏସ ମେସିନ କିଭଳି କାର୍ଯ୍ୟକାରୀ କରିବେ, ବିଲ୍‌ ପେମେଣ୍ଟ କିଭଳି ହେବ ସେ ନେଇ ଭୁବନେଶ୍ବରର ୮ଟି ୱାର୍ଡ଼ର ୬୦ ଜଣ ମହିଳାଙ୍କୁ ଟ୍ରେନିଂ ଦିଆ ସରିଛି । ଜଣେ ଯେଉଁ ୱାର୍ଡ଼ର ମହିଳା, ସେ ସେହି ୱାର୍ଡ଼ରେ ଜଳସାଥୀ ଭାବରେ କାମ କରି ପାରିବେ।

ଏଇ ପାଇଲଟ୍‌ ପ୍ରକଳ୍ପ ସଫଳ ହେଲେ ରାଜ୍ୟର ୧୧୪ ପୌରାଞ୍ଚଳରେ ଜଳ ଯୋଗାଣ ସହ ବିଲ୍‌ ଆଦାୟ କରିବେ ମିଶନ ଶକ୍ତିର ମହିଳାମାନେ । ଏହି ଯୋଜନା ଫଳରେ ଲୋକଙ୍କ ପାଇଁ ବିଲ୍ ପୈଠ କରିବା ସହଜ ହେବ ଏବଂ ମହିଳାମାନେ ସ୍ବାବଲମ୍ବୀ ହେବେ ।

‘‘ରାଜ୍ୟରେ ପାଖାପାଖି ୬,୦୦୦ ରୁ ୮,୦୦୦ ମହିଳା ଏହି କାର୍ଯ୍ୟକ୍ରମରେ ଜଡି଼ତ ହେବେ । ଟ୍ରେନିଂ ପାଇଁ ପ୍ରାୟ ଦୁଇ କୋଟି ବ୍ୟୟ ଅଟକଳ କରାଯାଇଛି । ଏହା ଏକ ପାଇଲଟ୍‌ ପ୍ରୋଜେକ୍ଟ ହୋଇଥଇବାରୁ ୱାଟକୋ ସହ ମିଶନ ଶକ୍ତି ଓ ଏରିଆ ଲେଭଲ୍‌ ଫେଡେରେସନ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି,’’ କହିଛନ୍ତି ମିଶନ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ।

ଜଳସାଥୀମାନେ ଜଳଯୋଗାଣକାରୀ ସଂସ୍ଥା ଓ ଉପଭୋକ୍ତାମାନଙ୍କ ମଧ୍ୟରେ ସେତୁ ଭଳି କାମ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

‘‘ମା’ ମାନେ କେବଳ ପାମ୍ପଡ଼ ଓ ବଡି଼ ବିକିବେନି । ମିଶନ ଶକ୍ତି ଜରିଆରେ ସେମାନେ ଆଉ ଅନେକ କାମରେ ହାତ ଦେଇ ଆଗକୁ ବଢ଼ିବେ । ଏହି ଜଳସାଥୀ ଯୋଜନା ଆଗକୁ ବଢି଼ବ ଓ ସବୁ ସହରାଞ୍ଚଳରେ କାର୍ଯ୍ୟ କରିବ,’’ କହିଛନ୍ତି ମହିଳା, ଶିଶୁ କଲ୍ୟାଣ ଏବଂ ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଟୁକୁନି ସାହୁ ।
First published: December 18, 2019, 8:58 PM IST