ପାଦରେ ଚାଲି ଚାଲି ଶ୍ରୀମନ୍ଦିର ପରିକ୍ରମା କରିଥିବା ପ୍ରଥମ ମୁଖ୍ୟ ମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ

୭୫ ବର୍ଷ ବୟସରେ ପଦାର୍ପଣ କରିବାର ଦୁଇ ଦିନ ପରେ ଅଚାନକ ପୁରୀ ଗସ୍ତ କରି ଓ ଶ୍ରୀମନ୍ଦିର ପରିକ୍ରମା କରି ନବୀନ ଦେଖାଇଦେଲେ ଯେ ସେ ପୂରା ସୁସ୍ଥ ଅଛନ୍ତି । ତାଙ୍କ ପାଇଁ ବ୍ୟାଟେରି ଅଟୋର ବ୍ୟବସ୍ଥା ହୋଇଥିଲେ ବି ସେ ତାକୁ ମନା କରି ପାଦରେ ଚାଲିଥିଲେ ।

ପାଦରେ ଚାଲି ଚାଲି ଶ୍ରୀମନ୍ଦିର ପରିକ୍ରମା କରିଥିବା ପ୍ରଥମ ମୁଖ୍ୟ ମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ
ଶ୍ରୀମନ୍ଦିର ପରିକ୍ରମା ଆରମ୍ଭ କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ; (ବାମ) ଲୋକଙ୍କ ଅଭିବାଦନ ଗ୍ରହଣ କରୁଛନ୍ତି ସେ ।
  • News18 Odia
  • Last Updated: October 18, 2020, 11:29 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଓଡ଼ିଶା ଓ ଶ୍ରୀମନ୍ଦିର ଇତିହାସରେ ଅକ୍ଟୋବର ୧୭ ଏକ ବିଶେଷ ଦିନ ହୋଇ ରହିବ । ଏ ପର୍ଯ୍ୟନ୍ତ କୌଣସି ମୁଖ୍ୟ ମନ୍ତ୍ରୀ ଚାଲି ଚାଲି ଶ୍ରୀମନ୍ଦିର ପରିକ୍ରମା କରି ନ ଥିବା ବେଳେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସେ ଦିନ ଏହା କଲେ ଓ ଏହା କରିଥିବା ପ୍ରଥମ ମୁଖ୍ୟମନ୍ତ୍ରୀ ହେଲେ । ନିଜେ ଚାଲି ଚାଲି ଶ୍ରୀମନ୍ଦିର ପରିକ୍ରମା କରି ସେ ଦେଖାଇଦେଲେ ଯେ ୭୫ ବର୍ଷ ବୟସ ସତ୍ତ୍ୱେ ଅସୁସ୍ଥ ନୁହଁନ୍ତି; ସମ୍ପୁର୍ଣ୍ଣ ଫିଟ୍ ଅଛନ୍ତି ।

କୋଭିଡ ସ୍ଥିତିକୁ ନେଇ ନବୀନ ନିବାସରେ ଥାଇ ସମସ୍ତ କାର୍ଯ୍ୟ କରୁଥିବା ମୁଖ୍ୟ ମନ୍ତ୍ରୀ ଗତ ଛଅ ମାସ ମଧ୍ୟରେ ପ୍ରଥମ ଥର ପାଇଁ ବାହାରକୁ ଆସିଥିଲେ । ଅକ୍ଟୋବର ୧୫ରେ ୭୫ ବର୍ଷ ବୟସରେ ପଦାର୍ପଣ କରିବାର ଦୁଇ ଦିନ ପରେ ଅଚାନକ ପୁରୀ ଗସ୍ତ କରି ଶ୍ରୀମନ୍ଦିର ସମ୍ମୁଖରୁ ପତିତପାବନଙ୍କ ଦର୍ଶନ କରିଥିଲେ ସେ । ଏହି ଗସ୍ତର ମୂଳ ଲକ୍ଷ୍ୟ ଥିଲା ଶ୍ରୀଜଗନ୍ନାଥ ଐତିହ୍ୟ କରିଡର୍‌ କାମ କିଭଳି ଚାଲିଛି ତା’ର ସମୀକ୍ଷା କରିବା । ପ୍ରକଳ୍ପ କାମକୁ ସ୍ୱଚକ୍ଷୁରେ ଦେଖିବା ସହ ତାକୁ ତ୍ୱରାନ୍ୱିତ କରିବା ନେଇ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ସେ ଶ୍ରୀମନ୍ଦିର ଚାରି ପଟେ ବୁଲି ବୁଲି ହାତ ହଲେଇ ପୁରୀବାସୀଙ୍କ ଅଭିଭାଦନ ବି ଗ୍ରହଣ କରିଥିଲେ ।

ପଟ୍ଟନାୟକ ଭୁବନେଶ୍ୱରସ୍ଥ ନବୀନ ନିବାସରୁ ସିଧାସଳଖ କାରରେ ଅପରାହ୍ଣ ୫ଟାରେ ପହଞ୍ଚିଥିଲେ ଶ୍ରୀମନ୍ଦିର ସିଂହଦ୍ୱାର ଅଞ୍ଚଳରେ । ସେହି ବ୍ୟାରିକେଡ ପାଖରୁ ପତିତପାବନଙ୍କୁ ଦର୍ଶନ କରିଥିଲେ ସେ । ରାଜ୍ୟ ତଥା ଦେଶରେ ବ୍ୟାପ୍ତ କୋଭିଡ ସଙ୍କଟ କାରଣରୁ ଅକ୍ଟୋବର ୧୫ରେ ନିଜ ଜନ୍ମ ଦିନ ପାଳି ନ ଥିଲେ ସେ । ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କରି ପ୍ରାର୍ଥନା କରିବା ସହ ସେହି ଠାରୁ ନୀଳଚକ୍ର ଦର୍ଶନ କରିଥିଲେ ।

ନବୀନଙ୍କ ପାଇଁ ଏହି ବ୍ୟାଟେରି ଅଟୋର ବ୍ୟବସ୍ଥା ହୋଇଥିଲା, ହେଲେ ସେ ତାକୁ ମନା କରି ପାଦରେ ଚାଲିଥିଲେ ।


ଫନି ବାତ୍ୟା ପରେ ମୁଖ୍ୟ ମନ୍ତ୍ରୀ ପୁରୀ ଗସ୍ତରେ ଆସି ଶ୍ରୀକ୍ଷେତ୍ରକୁ ବିଶ୍ୱ ସ୍ତରର ଐତିହ୍ୟ ସହର କରାଯିବ ବୋଲି ଘୋଷଣା କରିବା ପରେ ଏହା ଉପରେ କାମ ଆରମ୍ଭ ହୋଇଯାଇଥିଲା । ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ନିର୍ମାଣ କରାଯିବାକୁ ନେଇ ଶ୍ରୀମନ୍ଦିରର ୭୫ ମିଟର ପରିଧିରୁ ଉଚ୍ଛେଦ କେମିତି ହୋଇଛି ତା’ର ସମୀକ୍ଷା କରିବା ଥିଲା ପଟ୍ଟନାୟକଙ୍କ ଏ ଥରର ପୁରୀ ଗସ୍ତର ମୁଖ୍ୟ ଲକ୍ଷ୍ୟ ।

ଏମାର ମଠର ଚକଡ଼ା ନିକଟରେ ଏକ ଟେବୁଲ ଉପରେ ସ୍ୱତନ୍ତ୍ର ଭାବେ ରଖାଯାଇଥିଲା ଶ୍ରୀଜଗନ୍ନାଥ ଐତିହ୍ୟ କରିଡରର ଲେ’ଆଉଟ । ତାହାକୁ ଅନୁଧ୍ୟାନ କରିଥିଲେ ପଟ୍ଟନାୟକ । ସେଠାରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରୀଷନ୍ କୁମାର, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଓ ରାଜ୍ୟର ଫାଇଭ୍‌-ଟି (5T) ସଚିବ ଭି. କେ. ପାଣ୍ଡିଆନଙ୍କ ସହ ଆଲୋଚନା କରିଥିଲେ ।

‘‘ଶ୍ରୀକ୍ଷେତ୍ର ସୌନ୍ଦର୍ଯ୍ୟକରଣ କାମକୁ ତ୍ୱିରିତ କର । ଆସନ୍ତା ଜାନୁଆରୀ ପହିଲା ନୂଆ ବର୍ଷ ସୁଦ୍ଧା ଜମି ଅଧିଗ୍ରହଣ କାମ ସାର । ଶ୍ରୀଜଗନ୍ନାଥ ଐତିହ୍ୟ କରିଡର କାମକୁ ଆଗକୁ ନିଅ,’’ ସହିତ ଶ୍ରୀମନ୍ଦିର ଐତିହ୍ୟ କରିଡର କାର୍ଯ୍ୟର ସମୀକ୍ଷା କରିବା ପରେ ବରିଷ୍ଠ ଅଧିକାରୀମାନଙ୍କୁ କହିଥିଲେ ପଟ୍ଟନାୟକ ।

ଶ୍ରୀଜଗନ୍ନାଥ ଐତିହ୍ୟ କରିଡର କାର୍ଯ୍ୟର ସମୀକ୍ଷାରେ ନବୀନ ଓ ପାଣ୍ଡିଆନଙ୍କ ସହ ସୁରେଶ ମହାପାତ୍ର, ଡଃ କ୍ରୀଷନ୍ କୁମାର ଓ ବଲୱନ୍ତ ସିଂଙ୍କ ପରି ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।


ଅବଢ଼ା ଯୋଜନାର ସମୀକ୍ଷା କରି ଶ୍ରୀକ୍ଷେତ୍ରକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କ ସୁବିଧା ପାଇଁ ପ୍ରକଳ୍ପ କାମ ଉପରେ ଧ୍ୟାନ ଦେବାକୁ ବି ସେ ପରାମର୍ଶ ଦେଇଥିଲେ । ବିଶେଷକରି ଦୂରଦୂରାନ୍ତରରୁ ଯେଉଁ ବୟସ୍କ ଓ ଭିନ୍ନକ୍ଷମ ଶ୍ରଦ୍ଧାଳୁ ପୁରୀ ଆସିବେ ସେମାନେ ଯେଭଳି ବିନା ବାଧାରେ ଶ୍ରୀମନ୍ଦିର ପରିକ୍ରମା କରିପାରିବେ ସେଥି ପାଇଁ ଖୋଦ ମୁଖ୍ୟ ମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରୀଷନ୍ କୁମାର ।

ଏହା ବି ପଢ଼ନ୍ତୁ କଙ୍ଗନା ରାଣାୱତଙ୍କ ବିରୋଧରେ FIR ଦାୟର କରିବାକୁ ପୋଲିସକୁ ଆଦେଶ ଦେଲେ କୋର୍ଟ

ସିଂହଦ୍ୱାର ପାଖରେ ମହାପ୍ରଭୁଙ୍କୁ ଦର୍ଶନ କରି ପ୍ରାଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ମୁଖ୍ୟ ମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପାଇଁ ବାହାରିଥିଲେ । ତାଙ୍କ ପାଇଁ ବ୍ୟାଟେରି ଅଟୋର ବ୍ୟବସ୍ଥା ହୋଇଥିଲେ ସୁଦ୍ଧା ସେ ତାହାକୁ ମନା କରିଥିଲେ । ସାଙ୍ଗରେ ଥିଲେ ଫାଇଭ୍‌-ଟି ସଚିବ ଭି.କେ. ପାଣ୍ଡିଆନ ଓ ଜିଲ୍ଲାପାଳ ବଲୱନ୍ତ ସିଂ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରୀଷନ୍ କୁମାର ଓ ଆଗରେ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ ।

ଏହା ବି ପଢ଼ନ୍ତୁ | ମହିଳାଙ୍କୁ ଦେଢ଼ ବର୍ଷ ପାଇଖାନାରେ ବନ୍ଦ୍ କରି ରଖିଥିଲେ ତାଙ୍କ ସ୍ୱାମୀ; ଉଦ୍ଧାର କରାଗଲା

ଏମାର ମଠ ପଟୁ ବାହାରି କାକୁଡ଼ିଖାଇ ଛକ ଓ ତା’ ପରେ ଦକ୍ଷିଣଦ୍ୱାର ଅଞ୍ଚଳ, ତା’ ପରେ ପଶ୍ଚିମ ଦ୍ୱାର ଓ ଶେଷରେ ଉତ୍ତର ଦ୍ୱାର ଅଞ୍ଚଳ ଦେଇ ମୁଖ୍ୟ ମନ୍ତ୍ରୀ ପରିକ୍ରମା କରୁଥିବା ସମୟରେ ଉଚ୍ଛେଦ କେଉଁଠି ଓ କେମିତି ହୋଇଥିଲା ତା’ର ସମୀକ୍ଷା କରିବା ସହ ଡିଜାଇନ ଅନୁସାରେ କେଉଁଠି କ’ଣ ହେବ ତାହା ଭି.କେ ପାଣ୍ଡିଆନ ତାଙ୍କୁ ବୁଝାଇଥିଲେ । ଉନ୍ନୟନ କମିଶନର ସୁରେଶ ମହାପାତ୍ର ବି ଉଚ୍ଛେଦ କେତେ ହୋଇଛି ଓ ଆଉ କେଉଁ ସ୍ଥାନରୁ ଉଚ୍ଛେଦ ହେବ ତାହା ବୁଝାଇଥିଲେ । ସେହି ପଟେ ଯାଉଥିବା କିଛି ସହରବାସୀ ଓ ସେବାୟତମାନେ ମୁଖ୍ୟ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ମୁଖ୍ୟ ମନ୍ତ୍ରୀ ବି ହାତ ହଲେଇ ସେମାନଙ୍କ ଅଭିଭାଦନ ଗ୍ରହଣ କରିଥିଲେ ଓ ଶୁଭେଛା ଜଣାଇଥିଲେ ।



‘‘ପୁରୀ ପାଇଁ ମୁଖ୍ୟ ମନ୍ତ୍ରୀ ମନରେ ରଖିଥିବା ଅନେକ ସ୍ୱପ୍ନ ଯେ ବାସ୍ତବତାର ରୂପ ନେବ ଓ ସହରବାସୀ ଏକ ବିଶ୍ୱ ଐତିହ୍ୟ ସହର ଭାବେ ପୁରୀକୁ ଦେଖିବେ ସେହି ବିଶ୍ୱାସ ଏବେ ସମସ୍ତଙ୍କ ମନରେ ଦୃଢ଼ୀଭୂତ ହେଉଛି,’’ କହିଛନ୍ତି ବରିଷ୍ଠ ସେବାୟତ ତଥା ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ।
Published by: Anand Shankar Thankur Das
First published: October 18, 2020, 11:29 PM IST
corona virus btn
corona virus btn
Loading