ଚମକିବା ଆରମ୍ଭ କଲା କଟକ ସହର; ତାଳଦଣ୍ଡା କେନାଲ ରୋଡ଼ ଲୋକାର୍ପିତ କଲେ ନବୀନ

ଏହି ରାସ୍ତା କଟକର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ସହରର ଟ୍ରାଫିକ ବ୍ୟବସ୍ଥାରେ ଅନେକ ସୁଧାର ଆଣିବାରେ ସହାୟକ ହୋଇଛି । ବିଶେଷ କରି ବଡ଼ ମେଡ଼ିକାଲକୁ ଲୋକମାନଙ୍କର ଓ ଆମ୍ବୁଲାନ୍ସର ଯାତାୟତ ପାଇଁ ଉପାଦେୟ ହୋଇପାରିଛି ।

ଚମକିବା ଆରମ୍ଭ କଲା କଟକ ସହର; ତାଳଦଣ୍ଡା କେନାଲ ରୋଡ଼ ଲୋକାର୍ପିତ କଲେ ନବୀନ
ସେଲ୍ଫି ପଏଣ୍ଟରେ ଜଣେ ଛାତ୍ରୀ; (ଡାହାଣ) ସମ୍ପ୍ରସାରିତ ରାସ୍ତାର ଏକ ଦୃଶ୍ୟ
  • News18 Odia
  • Last Updated: October 11, 2020, 3:26 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ବହୁ ପ୍ରତୀକ୍ଷିତ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ବ ରାସ୍ତାର ସମ୍ପ୍ରସାରଣ ପ୍ରକଳ୍ପ ଶେଷରେ ଲୋକାର୍ପିତ ହୋଇଛି । ଶନିବାର ସନ୍ଧ୍ୟାରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଦ୍ବାରା ଉଦଘାଟିତ କରିଛନ୍ତି ଏହାକୁ । ପ୍ରାୟ ୧୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ରାସ୍ତାର ସମ୍ପ୍ରସାରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଏକ ବିଶାଳ ପ୍ରକଳ୍ପର କେବଳ ଅଂଶ ବିଶେଷ ବୋଲି ରାଜ୍ୟ ସରକାର କହିଛନ୍ତି ।

ଐତିହାସିକ ତାଳଦଣ୍ଡା କେନାଲର ଉତ୍ପତ୍ତି ସ୍ଥଳ ବା ଯୋବ୍ରା ବ୍ୟାରେଜ ଠାରୁ ରାଣୀହାଟ ପର୍ଯ୍ୟନ୍ତ ଦେଢ କିଲୋମିଟର ଲମ୍ବ ଏହି ରାସ୍ତା କଟକ ସହରର ଅନ୍ୟତମ ପରିଚୟ ପାଲଟି ଯାଇଛି । ତିନି ଲେନ୍ ବିଶିଷ୍ଟ ଏହି ରାସ୍ତାର ଉଭୟ ପଟେ ସୁନ୍ଦର ସବୁଜିମା ସୃଷ୍ଟି କରାଯାଇଛି । ଏହା ସହ ପାଞ୍ଚଟି ସ୍ଥାନରେ ପାର୍କିଂ ପ୍ଲେସ୍‌ ରହିବା ସହ ପୂରା ରାସ୍ତାକୁ ସୁନ୍ଦର ଭାବେ ଆଲୋକୀକରଣ ମଧ୍ୟ କରାଯାଇଛି । ହେଲେ ସମସ୍ତ ମନ ଲୋଭିଛି “ଆଇ ଲଭ୍ କଟକ” ଲେଖାଯାଇଥିବା ବଗିଚା । ଏହି ସ୍ଥାନ ଏବେ କଟକର ନୂଆ ସେଲଫି ଜୋନରେ ପରିଣତ ହୋଇଛି ।

ଭିସି ଜରିଆରେ ସମ୍ପ୍ରସାରିତ ରାସ୍ତାକୁ ଲୋକାର୍ପିତ କରୁଛନ୍ତି ମୁଖ୍ୟ ମନ୍ତ୍ରୀ । ପାଖରେ ବସିଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ୍ ।


‘‘ଆମ କଟକରେ ଏମିତି ତ ଦେଖିବା ଭଳିଆ ବହୁତ କିଛି ରହିଛି । କିନ୍ତୁ ଗୋଟିଏ ସେଲଫି ପଏଣ୍ଟ ଦରକାର ଥିଲା । ଏବେ ସେଇଟା ପୂରା ହୋଇଯାଇଛି । ଏହି ରାସ୍ତାକୁ ମୁଁ ପିଲା ବେଳୁ ଦେଖୁଛି, କିନ୍ତୁ ଏବେ ଏଇଟା ନୂଆ ନୂଆ ଲାଗୁଛି,” କହିଛନ୍ତି ସିଟି କଲେଜର ଛାତ୍ରୀ ଶୁଭସ୍ମିତା ଖିଲାର ।

ଏହି ରାସ୍ତା କେବଳ କଟକର ସୌନ୍ଦର୍ଯ୍ୟକୁ ବୃଦ୍ଧି କରୁଛି ତାହା ନୁହେଁ । ଏହା ସହରର ଟ୍ରାଫିକ ବ୍ୟବସ୍ଥାରେ ଅନେକ ମାତ୍ରାରେ ସୁଧାର ଆଣିବାରେ ସହାୟକ ହୋଇଛି । ବିଶେଷ କରି ଏସସିବି ମେଡ଼ିକାଲକୁ ଲୋକମାନଙ୍କର ଓ ଆମ୍ବୁଲାନ୍ସର ଯାତାୟତ ପାଇଁ ମଧ୍ୟ ଉପାଦେୟ ହୋଇପାରିଛି । ଗତ ମାର୍ଚ୍ଚ ମାସ ୫ ତାରିଖରେ ଏହି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କୋଭିଡ କାଳର ପ୍ରତିକୁଳ ପରିସ୍ଥିତି ମଧ୍ୟରେ ମାତ୍ର ୭ ମାସ ମଧ୍ୟରେ ଏହାର ନିର୍ମାଣ ଶେଷ ହୋଇଛି ।

“ଆଇ ଲଭ୍ କଟକ” ଲେଖାଯାଇଥିବା ବଗିଚାରେ ସେଲ୍ଫି ନେଉଛନ୍ତି ଶୁଭସ୍ମିତା ଖିଲାର ଓ ତାଙ୍କ ସହପାଠୀମାନେ ।


“ହଜାର ବର୍ଷର ଏହି ସହରର ମୁଖ୍ୟ ସମସ୍ୟା ହେଉଛି ଗହଳିପୂର୍ଣ୍ଣ ସଙ୍କୀର୍ଣ୍ଣ ରାସ୍ତା, ଯାହାକି ଯାତାୟତରେ ଅସୁବିଧା ସୃଷ୍ଟି କରିଥାଏ । ଏହାକୁ ଆଧୁନିକ ରୂପ ଦେବା ପାଇଁ ରାଜ୍ୟ ସରକାର ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରୁଛନ୍ତି । ଜଣସାଧାରଣଙ୍କ ମତାମତକୁ ଭିତ୍ତି କରି ତାଳଦଣ୍ଡା କେନାଲର ଉଭୟ ପଟ ରାସ୍ତାକୁ ଆଗାମୀ ଦିନରେ ଆହୁରି ସମ୍ପ୍ରସାରଣ କରାଯିବ । ଏଥି ପାଇଁ ବିସ୍ଥାପିତ ହେବାକୁ ଥିବା ଲୋକମାନଙ୍କୁ ମାନବିକତା ଦୃଷ୍ଟିକୋଣରୁ ଉପଯୁକ୍ତ ଭାବେ ଥଇଥାନ କରାଯିବ,” ଶନିବାର ଦିନ ଏହି ପ୍ରକଳ୍ପ ଉଦଘାଟନ କରିବା ଅବସରରେ କହିଥିଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।

ସମ୍ପ୍ରସାରଣର ଏହା ପ୍ରଥମ ଚରଣ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ରାଣୀହାଟରୁ ମାତୃଭବନ ଅର୍ଥାତ ୧୬ ନମ୍ବର ଜାତୀୟ ରାଜପଥ ପର୍ଯ୍ୟନ୍ତ ପ୍ରାୟ ଦୁଇ କିଲୋମିଟର ଲମ୍ବ ଏହି କେନାଲର ଉଭୟ ପଟକୁ ମଧ୍ୟ ସମ୍ପ୍ରସାରିତ କରାଯିବ । ପ୍ରଥମ ସମ୍ପ୍ରସାରଣରେ ପାଖାପାଖି ପାଞ୍ଚଟି ବସ୍ତିର ୬୦୦ ପରିବାର ବିସ୍ଥାପିତ ହୋଇଥିବା ବେଳେ ଏହାର ଦ୍ବିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟରେ ତିନିଟି ବଡ଼ ବଡ଼ ବସ୍ତିର ୧,୦୦୦ ପରିବାର ସହିତ ଛତ୍ରବଜାର ଓ ମାଲଗୋଦାମର ଅନେକ ବ୍ୟବସାୟୀଙ୍କୁ ବିସ୍ଥାପିତ ହେବାକୁ ପଡ଼ିବ ।

ବିସ୍ଥାପିତ ହେଉଥିବା ପରିବାରଙ୍କୁ ସରକାର ଧାର୍ଯ୍ୟ କରିଥିବା ଆର୍ଥିକ ପ୍ୟାକେଜ ମୁତାବକ ସହାୟତା ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଏହା ବି ପଢ଼ନ୍ତୁ | IPL 2020: ହେଉଛି କ’ଣ? ପଞ୍ଚମ ଥର ହାରିଲା ଧୋନୀଙ୍କ ଟିମ୍; ପୁଣି କମାଲ୍ କଲେ କୋହଲି ଓ ଟିମ୍

ଏହା ବି ପଢ଼ନ୍ତୁ | Video: ପୁରୁଷମାନଙ୍କ ସହ ଘଟୁଥିବା ଗ୍ୟାଙ୍ଗ୍ ରେପ୍ ଉପରେ ଆଧାରିତ ଏହି ଫିଲ୍ମ ରିଲିଜ୍‌ ହେଲା

‘‘କଟକ ପାଇଁ ରାଜ୍ୟ ସରକାର ଗୋଟିଏ ବୃହତ ଯୋଜନା କରିଛନ୍ତି । ସେଥିରେ ଏସସିବି ମେଡ଼ିକାଲର ସମ୍ପ୍ରସାରଣ ଅନ୍ୟତମ । ଏସସିବିକୁ ସଂଯୋଗ କରୁଥିବା ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି । ଆଗକୁ ମଧ୍ୟ ଏହି କାମ ଚାଲିବ । ଏଥି ପାଇଁ ପ୍ରଶାସନକୁ ଲୋକେ ସହଯୋଗ କରୁଥିବାରୁ ମୁଁ ଖୁସି ଅଛି,” କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ।



ଏହି ଐତିହାସିକ କେନାଲର ପୁନଃରୁଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ଆଉ ଏକ ପ୍ରକଳ୍ପ ମଧ୍ୟ ହାତକୁ ନିଆଯାଇଛି । ଜର୍ମାନ୍ ଜ୍ଞାନ କୌଶଳରେ ଏହି କେନାଲର ଖନନ ଓ ସୁରକ୍ଷା ସହିତ ସେଠାରେ ବୋଟିଂ ଓ ଅନ୍ୟ ୱାଟର୍‌ ସ୍ପୋର୍ଟ୍ସ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଜଳ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି ।
Published by: Anand Shankar Thankur Das
First published: October 11, 2020, 3:26 AM IST
corona virus btn
corona virus btn
Loading