ନବୀନ ଓ ମୋଦି ଭେଟଘାଟ; ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗ ଉପରେ ହେଲା ଆଲୋଚନା!

ଦିଲ୍ଲୀରେ ଅଧଘଣ୍ଟା ଧରି ହେଲା ନବୀନ -ମୋଦି ଆଲୋଚନା। ନବୀନ କହିଲେ ସୌଜନ୍ୟମୂଳକ ସାକ୍ଷାତ ଥିଲା। ରାଜନୈତିକ ସମୀକ୍ଷକଙ୍କ ମତରେ ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ସ୍ଥାନ ପାଇଥିବ ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗ।

ନବୀନ ଓ ମୋଦି ଭେଟଘାଟ

ନବୀନ ଓ ମୋଦି ଭେଟଘାଟ

  • Share this:
News18 Odia Digital

ଭୁବନେଶ୍ବର: ଜୁଲାଇରେ ହେବ ରାଷ୍ଟ୍ରପତି ନିର୍ବାଚନ। ଆରମ୍ଭ ହେଲାଣି ପ୍ରାର୍ଥୀ ଖୋଜା। ନିର୍ବାଚନକୁ ନେଇ ଜାତୀୟ ରାଜନୀତି ଚଳଚଞ୍ଚଳ ହୋଇଥିବା ବେଳେ ନବୀନ ଓ ମୋଦି ଭେଟଘାଟ ଅନେକ ଗୁରୁତ୍ୱ ରଖୁଛି। ରାଷ୍ଟ୍ରପତି ଓ ଉପ-ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦୁଇ ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ଆଲୋଚନାକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି।

ଭେଟଘାଟ ସମୟରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ସ୍ଥାନ ପାଇଥିବା କୁହାଯାଉଥିବା ବେଳେ ରାଷ୍ଟ୍ରପତି ନିର୍ବାଚନ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ।

ଦିଲ୍ଲୀରେ ପ୍ରାୟ ଅଧ ଘଣ୍ଟା ଧରି ଆଲୋଚନା ହୋଇଛି। ରାଜ୍ୟର ବିଭିନ୍ନ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଲୋଚନା ହୋଇଥିବା ସୂଚନା ମିଳିଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରିତା, ମାନରେଗାରେ ଶ୍ରମ ଦିବସ ବୃଦ୍ଧି, ବକେୟା ଅନୁଦାନ ପ୍ରଦାନ, କୋଲ ରାୟାଲଟି, ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ଅନୁଦାନ, ବିପର୍ଯ୍ୟୟ ପରିଚାଳନା, ଫୋକସ ରାଜ୍ୟ, ରେଳବାଇ, ଟେଲିକମ ସେବା ଓ ବ୍ୟାଙ୍କିଙ୍ଗ ସେବା ଭଳି ଅନେକ ପ୍ରସଙ୍ଗ ଉଠାଇଛନ୍ତି ନବୀନ। ଆଗକୁ ରାଷ୍ଟ୍ରପତି ଓ ଉପ-ରାଷ୍ଟ୍ରପତି ନିର୍ବାଚନ ଥିବାରୁ ଦୁଇ ଶୀର୍ଷ ନେତାଙ୍କ ଭେଟଘାଟ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱ ରଖୁଛି। ରାଜ୍ୟ ଓ କେନ୍ଦ୍ରୀୟ ପ୍ରସଙ୍ଗ ଆଲୋଚନା ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ନେଇ ଉଭୟଙ୍କ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି।

ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,"କୋଭିଡ ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ହୋଇନଥିଲା। ତେଣୁ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା। ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ରାଷ୍ଟ୍ରପତି ନିର୍ବାଚନ ନେଇ କୌଣସି ଆଲୋଚନା ହୋଇନାହିଁ।’’

ସଂଖ୍ୟା ଗଣିତରେ ରାଷ୍ଟ୍ରପତି ନିର୍ବାଚନ ବିଜୟ ଏତେ କଷ୍ଟସାଧ୍ୟ ନହେଲେ ବି ସହଜ ବି ହେବନି। ବିରୋଧୀ ଓ ଅଣ ବିଜେପି ଦଳଙ୍କ ଭୋଟ ପ୍ରତିଶତ ୫୧.୧ ଥିବାବେଳେ ବିଜେପି ପାଖରେ ରହିଛି ୪୮.୯ ପ୍ରତିଶତ ଭୋଟ। ନିର୍ବାଚନ ଜିତିବା ପାଇଁ ଆବଶ୍ୟକ ୧.୨ ପ୍ରତିଶତ ଭୋଟ।

ବିଜେଡିର ଭୋଟ ପ୍ରତିଶତ ରହିଛି ୩.୨। ଗୋଟେ ପଟେ ଟିଏମସି, ଡିଏମକେ, ଆପ, ୱାଇଏସଆର ଭଳି ଆଞ୍ଚଳିକ ଦଳ ଯୋଗାଯୋଗରେ ଥିବା ବେଳେ ବିହାରରେ ନୀତିଶ କୁମାରଙ୍କ ଆଭିମୁଖ୍ୟ ଅସ୍ପଷ୍ଟ। ଏଭଳି ସ୍ଥିତିରେ ନବୀନ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ଆଭିମୁଖ୍ୟ ଗୁରୁତ୍ୱ ରଖିଛି। ରାଜନୈତିକ ସମୀକ୍ଷକ କହିବା କଥା ଦିଲ୍ଲୀ ଭେଟଘାଟ ସମୟରେ ନବୀନଙ୍କ ସହଯୋଗ ଲୋଡ଼ିଥାଇପାରନ୍ତି ମୋଦି।

ରାଜନୈତିକ ସମୀକ୍ଷକ ଶୀତଳ ତରଙ୍ଗ ବେଉରିଆ କହିଛନ୍ତି, "ରାଷ୍ଟ୍ରପତି ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ ନବୀନ ପଟନାୟକ। ବର୍ତ୍ତମାନ ରାଜନୈତିକ ଦୃଷ୍ଟିକୋଣରୁ ଏନଡିଏ ପ୍ରାର୍ଥୀଙ୍କୁ ବି ସମର୍ଥନ କରିବେ। ଏଭଳି ସ୍ଥିତିରେ ଯେତେବେଳେ ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି ରାଷ୍ଟ୍ରପତି ନିର୍ବାଚନ ନେଇ ଆଲୋଚନା ହିଁ ହୋଇଥିବ।’’

ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି,"ସବୁବେଳେ ଜାତୀୟ ରାଜନୀତି ନବୀନଙ୍କ ଦବଦବା ରହିଛି। ବର୍ତ୍ତମାନ ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ଆବଶ୍ୟକତା ଭିତ୍ତିରେ ଯଦି ମୁଖ୍ୟମନ୍ତ୍ରୀ ସହମତି କରନ୍ତି ତାହା ଉଭୟଙ୍କ ଆଲୋଚନାର ବ୍ୟାପାର। ୨୦୧୨ ରାଷ୍ଟ୍ରପତି ନିର୍ବାଚନରେ ନବୀନ ପି.ଏ ସାଙ୍ଗମାଙ୍କ ସହିତ ରହିଥିବା ବେଳେ ଉପ-ରାଷ୍ଟ୍ରପତି ନିର୍ବାଚନରେ ଭୋଟ ରୁ ବିରତ ରହିଥିଲା ବିଜେଡି। ୨୦୧୭ ରେ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ବିଜେଡି ସମର୍ଥନ ଦେଇଥିବା ବେଳେ ଉପରାଷ୍ଟ୍ରପତି ନିର୍ବାଚନ ସମୟରେ ବିରୋଧୀ ପ୍ରାର୍ଥୀ ଗୋପାଳ କୃଷ୍ଣ ଗାନ୍ଧିଙ୍କୁ ସମର୍ଥନ କରିଥିଲା ବିଜେଡି।’’

ରାଷ୍ଟ୍ରପତି ଓ ଉପ-ରାଷ୍ଟ୍ରପତି ନିର୍ବାଚନରେ ସମଦୁରତା କଥା କହୁଥିବା ନବୀନଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିବ।
Published by:Lipina Das
First published: