News18 Odia Digital
Jharsuguda By Poll: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସବୁ ଦଳର ପ୍ରାର୍ଥୀ ଏବେ ପ୍ରଚାରପ୍ରସାର ଚଳାଇଛନ୍ତି। ଷ୍ଟାର୍ ପ୍ରଚାରକମାନେ ମଧ୍ୟ ନିଜ ଦଳୀୟ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭରପୁର ପ୍ରୟାସ ଆରମ୍ଭ କରିଦେଲେଣି। ଆଜି ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ବିଜେଡି BJD ସୁପ୍ରିମୋ ନବୀନ ପଟ୍ଟନାୟକ (Naveen Pattnaik) ପ୍ରଚାର ମଇଦାନକୁ ଓହ୍ଲାଇବେ। ବିଜେଡି ପ୍ରାର୍ଥୀ ଦୀପାଳି ଦାସ (Dipali Das) ଙ୍କ ପାଇଁ ପ୍ରଚାର କରିବେ ନବୀନ । ସେହିପରି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ (Tankadhar Tripathy)ଙ୍କ ପାଇଁ ଆଜି ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଝାରସୁଗୁଡା ଉପନିର୍ବାଚନକୁ ନେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ। ଝାରସୁଗୁଡା ସର୍କିଟ ହାଉସ ପଡ଼ିଆରେ ବିଜେଡି ପକ୍ଷରୁ ଏହି ଅଵସରରେ ଆୟୋଜିତ ଦଳୀୟ ସମାବେଶରେ ଯୋଗ ଦେବେ। ଆଜି ଅପରାହ୍ନ ୩ ଟା ୩୫ ମିନିଟରେ ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ବାହାରି ୩ଟା ୪୦ ମିନିଟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ସେଠାରୁ ୩ଟା ୪୫ମିନିଟରେ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ବିମାନ ଯୋଗେ ଝାରସୁଗୁଡା ଅଭିମୁଖେ ବାହାରିବେ ଏବଂ ଅପରାହ୍ଣ ୪ଟା ୩୦ମିନିଟରେ ଝାରସୁଗୁଡା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଞ୍ଚିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ସେଠାରୁ ମୁଖ୍ୟମନ୍ତ୍ରୀ ସିଧା ଯିବେ ସର୍କିଟ ହାଉସ ପଡ଼ିଆରେ ଆୟୋଜିତ ବିଜେଡିର ଦଳୀୟ ସମାବେଶରେ ଯୋଗ ଦେବେ।
ଝାରସୁଗୁଡା ଉପନିର୍ବାଚନକୁ ବିଜେଡି ପକ୍ଷରୁ ଆୟୋଜିତ ଏହି ପ୍ରଚାର ସମାବେସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ନେତା, ମନ୍ତ୍ରୀ, ବିଧାୟକ, ସାଂସଦ ତଥା ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବା ନେଇ ସ୍ଥିର ହୋଇଛି କାର୍ଯ୍ୟକ୍ରମ। ସମାବେଶ ସାରି ମୁଖ୍ୟମନ୍ତ୍ରୀ ସଭା ସ୍ଥଳରୁ ସିଧା ଯିବେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରକୁ। ସେଠାରୁ ପୁଣି ୫ଟା ୧୫ ମିନିଟରେ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ଫେରିବେ ଏବଂ ସନ୍ଧ୍ଯା ୬ ଟାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ମୁଖ୍ୟମନ୍ତ୍ରୀ ସିଧା ନବୀନ ବିବାସ ଯିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଦଳୀୟ କର୍ମୀ ବେଶ ଉତ୍ସାହିତ। ସେପଟେ ନବୀନଙ୍କ ଝାରଗୁଡା ଗସ୍ତକୁ ନେଇ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳ ସର୍କିଟ ହାଉସ ପଡ଼ିଆରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ଝାରସୁଗୁଡ଼ାରେ ଜମିବ ହେଭିୱେଟ ପ୍ରଚାର; ଭୋଟ ଅପିଲ କରିବେ ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀ !ଅନ୍ୟପଟେ ଆଜି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରୀପାଠିଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସକାଳ ୧୧ ଟା ସମୟରେ କୋଲାବିରା ବ୍ଲକ ଝିର୍ଲାପାଲି ପଞ୍ଚାୟତ ବିରିଗୁଡ଼ା ଫିଲ୍ଡ ରେ ସାଧାରଣ ସଭାରେ ଯୋଗଦେବେ ଧର୍ମେନ୍ଦ୍ର । ସେହିପରି ଅପରାହ୍ନ ସାଢ଼େ ଚାରିଟା ସମୟରେ ଝାରସୁଗୁଡ଼ା ସହରରେ ଏକ ରୋଡ଼ ସୋ ରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ । ଏହି ରୋଡ଼ ସୋ ଝାରସୁଗୁଡା ବସ ଷ୍ଟାଣ୍ଡରୁ ବାହାରି ସହର ମଧ୍ୟରେ ପରିକ୍ରମା କରିବ । ଏହାପରେ ସେ ବେଙ୍ଗାଳୁରୁକୁ ଝାରସୁଗୁଡ଼ାରୁ ସ୍ୱତନ୍ତ୍ର ବିମାନ ଯୋଗେ ଫେରିଯିବେ । ଗତକାଲି ରାତିରେ ଝାରସୁଗୁଡ଼ା ପହଞ୍ଚିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଝାରସୁଗୁଡ଼ା ଏୟାରପୋର୍ଟରେ ଶ୍ରୀ ପ୍ରଧାନ ପହଞ୍ଚିବା ପରେ ତାଙ୍କୁ ଦଳ ପକ୍ଷରୁ ବ୍ୟାପକ ଭାବରେ ସ୍ୱାଗତ କରାଯାଇଥିଲା। ଝାରସୁଗୁଡ଼ାରେ ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ଧର୍ମେନ୍ଦ୍ର ପ୍ରଧାନ ସାଂସଦ ଥିବା ବେଳେ ସେ ଏଠାରେ ବେଶ ପରିଚିତ ଅଛନ୍ତି । ଏଣୁ ତାଙ୍କର ମାରାଥନ ପ୍ରଚାର ଦଳକୁ ବେଶ ଫାଇଦା ଦେବ ବୋଲି ବିଜେପି ଆଶା ବାନ୍ଧିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।