News 18 Odia Digital
ଭୁବନେଶ୍ୱର: ଆସନ୍ତା ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ (cm naveen patnaik) ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (cm mamata banerjee) । ଏହି ଭେଟଘାଟ କାର୍ଯ୍ୟକ୍ରମକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା । ଦୁଇ ନେତାଙ୍କ ମଧ୍ୟରେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ୨୦୨୪ ନିର୍ବାଚନ ପୂର୍ବରୁ ଅଣବିଜେପି ଓ ଅଣ କଂଗ୍ରେସ ମୁଖ୍ୟଙ୍କୁ ମମତା ମେଳି କରିବାକୁ ପ୍ରୟାସ କରୁଥିବା କୁହାଯାଉଛି ।
ଟିଏମ୍ସି (tmc) ମୁଖ୍ୟ ମମତା ବାନାର୍ଜୀ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଭିତରେ କେଉଁ ପ୍ରସଙ୍ଗରେ ହେବ ଆଲୋଚନା ? ଦୁଇ ଶୀର୍ଷ ନେତୃତ୍ୱଙ୍କ ସାକ୍ଷାତ ବେଳେ ଜାତୀୟ ରାଜନୀତିର କେଉଁ ଗହନ କଥା ସ୍ଥାନ ପାଇବ ? ୨୦୨୪ ନିର୍ବାଚନ ପୂର୍ବରୁ ଅଣବିଜେପି ଓ ଅଣକଂଗ୍ରେସ ଦଳର ମୁଖ୍ୟଙ୍କୁ ଏକାଠି କରିବାକୁ ଉଦ୍ୟମ କରୁଛନ୍ତି ମମତା । କୋଲକାତାରେ ଚାଲିଥିବା ସମାଜବାଦୀ ପାର୍ଟିର ତିନିଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅବସରରେ ଦଳର ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ମମତାଙ୍କ ସାକ୍ଷାତ ଆଲୋଚନା ହୋଇଛି । ଏହା ପରେ ପରେ ବିଜେଡି ସୁପ୍ରିମୋଙ୍କୁ ଭେଟିବେ ଟିଏମ୍ସି ମୁଖ୍ୟ । ତା ପରେ ପରେ ଆପ ମୁଖ୍ୟ ଅରବିନ୍ଦ କେଜରିୱାଲ (aravinda kejrival)ଙ୍କୁ ମମତା ଭେଟିବା କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର ବିରୋଧରେ କଠୋର ଆଭିମୁଖ୍ୟ ଆପଣାଇଥିବା ମମତା, ନବୀନଙ୍କୁ ଭେଟିବା ବେଳେ ବିକଳ୍ପ ମହାମେଣ୍ଟ ପ୍ରସଙ୍ଗ ଉଠାଇବେ କି ? ସାଂପ୍ରତିକ ରାଜନୈତିକ ପୃଷ୍ଠଭୂମିରେ ସବୁ ଆଞ୍ଚଳିକ ଦଳକୁ ଏକଜୁଟ୍ କରିବା ଓ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଦୁର୍ବ୍ୟବହାର ପ୍ରସଙ୍ଗରେ ମମତା ଆଲୋଚନା କରିପାରନ୍ତି ବୋଲି କୁହାଯାଉଛି । ଉପା ସରକାର ହେଉ କି ଏନଡିଏ, ସବୁଠି ସମଦୂରତା କାର୍ଡ ଖେଳିଛନ୍ତି ବିଜେଡି ସୁପ୍ରିମୋ । ୨୦୨୪ ନିର୍ବାଚନ ପୂର୍ବରୁ ନବୀନ ସମାନ ନୀତି ଆପଣାଇବେ ନା ବିରୋଧୀ ମେଣ୍ଟରେ ସାମିଲ ହେବେ ତାକୁ ନେଇ ଚର୍ଚ୍ଚା ।
ବର୍ତ୍ତମାନ ରାଜ୍ୟରେ ପୂର୍ବାପେକ୍ଷା ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଛି ବିଜେପି । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ବିଜେପିର ନେତୃତ୍ୱ ରାଜ୍ୟ ସରକାରଙ୍କୁ ଘନ ଘନ ଆକ୍ରମଣ କରୁଛନ୍ତି । ସେପଟେ ବିଜେଡି ବି କେନ୍ଦ୍ର ବିରୋଧୀ ଆଭିମୁଖ୍ୟକୁ ଶାଣିତ କରିଛି । ଖୋଦ୍ ନବୀନ ବି କେନ୍ଦ୍ରର ବୈମାତୃକ ମନୋଭାବ କଥା କହିଛନ୍ତି । ତେଣୁ ଏଭଳି ସମୟରେ ନବୀନ-ମମତାଙ୍କ ସାକ୍ଷାତ କାର୍ଯ୍ୟକ୍ରମ ଅନେକ ଦିଗକୁ ଇଙ୍ଗିତ କରୁଛି। କଂଗ୍ରେସ କହିଛି ସବୁବେଳେ ବିଜେପି ସହ ରହିଛି ବିଜେଡି । ନବୀନ-ମମତାଙ୍କ ଆଲୋଚନା ଆଦୌ ଫଳପ୍ରଦ ହେବନି । ବିଜେଡିର କହିବା କଥା ବିଭିନ୍ନ ସମୟରେ ଦଳ, କେନ୍ଦ୍ରର ବିଜେପି ନେତୃତାଧୀନ ସରକାରଙ୍କୁ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦେଇ ଆସିଥିଲେ ମଧ୍ୟ ବିଜେପି-କଂଗ୍ରେସଠାରୁ ସମଦୂରତା ରଖି ଆସିଛି । ତେବେ ସମାନ ଚିନ୍ତାଧାରା ରଖିଥିବା ଦଳ ସହ ଆଲୋଚନା କରିବାରେ କିଛି ସମସ୍ୟା ନାହିଁ । ବିଜେପି କହିଛି, ବିରୋଧୀ ଯେଉଁ ମେଳି କରୁଛନ୍ତି, ସେଥିରେ ସଫଳ ହେବେନି ।
ଏହି ଖବର ପଢ଼ନ୍ତୁ -
http://ଓଡ଼ିଆ ଗୀତ ଚୋରି ଅଭିଯୋଗ: ପବିତ୍ର ଏଣ୍ଟରଟେନମେଣ୍ଟର ମାଲିକ ଗିରଫ !ପୂର୍ବରୁ ତୃତୀୟ ସାମ୍ମୁଖ୍ୟ ନେଇ ବିଆରଏସ ମୁଖ୍ୟ କେ. ଚନ୍ଦ୍ରଶେଖର ରାଓ ଉଦ୍ୟମ କରିଥିବା ବେଳେ ନିର୍ବାଚନ ପୂର୍ବରୁ ଅଣ କଂଗ୍ରେସ - ଅଣ ବିଜେପି ମୁଖ୍ୟଙ୍କୁ ଏକାଠି କରିବାକୁ ମମତାଙ୍କ ପ୍ରୟାସ, କେତେ ଫଳବତୀ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।