News18 Odia Digital
ଭୁବନେଶ୍ବର: କୋଭିଡରେ ପ୍ରାଣ ହରାଇଛନ୍ତି ୨୦ ହଜାରରୁ ଉର୍ଦ୍ଧ୍ବ ବ୍ୟକ୍ତି। ୨୦୨୦ରୁ ଅଦ୍ୟାବଧି ୨୦ ହଜାରରୁ ଉର୍ଦ୍ଧ୍ବ ଜୀବନ ଯାଇଛି। ବିଧାନସଭାର ଏକ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ରାଜସ୍ବ ମନ୍ତ୍ରୀ।
ବନ୍ୟା, ବାତ୍ୟା, ମରୁଡି, ପ୍ରବଳ ବର୍ଷାରେ ୧୦ ବର୍ଷ ଭିତରେ ୨୨୭ ଜଣଙ୍କର ପ୍ରାଣହାନି ଘଟିଛି। ବାତ୍ୟା ତିତିଲିରେ ସର୍ବାଧିକ ୭୨ ଜଣଙ୍କର ଜୀବନ ଯାଇଥିବା ବେଳେ ବାତ୍ୟା ଫନିରେ ୬୪, ଫାଇଲିନ ବାତ୍ୟାରେ ୨୨ ଜଣଙ୍କ ଜୀବନ ଯାଇଛି।
ବାତ୍ୟା ଆମ୍ଫାନ, ବୁଲବୁଲ, ଗୁଲାବ, ଜବାଦରେ କାହାରି ଜୀବନ ଯାଇ ନାହିଁ। ୨୦୧୨ରୁ ଅଦ୍ୟାବଧି ହୋଇଥିବା ବନ୍ୟା, ବାତ୍ୟା, ମରୁଡି, ପ୍ରବଳ ବର୍ଷାରେ ୪୦ ହଜାର ରୁ ଅଧିକ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଉଛି। ୨୦୧୨ ଓ ୨୦୧୬ ମସିହାରେ କୌଣସି ପ୍ରମୁଖ ପ୍ରାକୃତିକ ବିପର୍ଯ୍ୟୟ ହୋଇନାହିଁ। ଫାଇଲିନ ବାତ୍ୟା ସର୍ବାଧିକ ୧୪,୩୭୩ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ବେଳେ ଫନିରେ ୯,୩୩୬ କୋଟି କ୍ଷୟକ୍ଷତି ହୋଇଛି। କେନ୍ଦ୍ରରୁ ପ୍ରାୟ ୬, ୩୦୦ କୋଟି ଟଙ୍କାର ସହାୟତା ମିଳିଛି। ତେବେ ଗତ ୫ ବର୍ଷ ମଧ୍ୟରେ ବନ୍ୟା, ବାତ୍ୟା, ମରୁଡି, ମାଟି ଅତଡା ଖସିବା ଅଂଶୁଘାତ, ସାପ କାମୁଡା, ପାଣିରେ ବୁଡି ଜୀବନ ଯିବା, ଡଙ୍ଗା ବୁଡି, ବନ୍ୟାରେ ଭାସିଯିବାରେ ୧୪,୪୦୭ ଜଣଙ୍କ ଜୀବନ ଯାଇଛି।
ବିଧାନସଭାରେ ଭିନ୍ନ ଭିନ୍ନ ପ୍ରଶ୍ନରେ ଉତ୍ତର ରଖିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ। କୋଭିଡ ମୃତ୍ୟୁକୁ ବିରୋଧୀ ସଦସ୍ୟ ଉଦବେଗ ପ୍ରକାଶ କରିବା ସହ ସରକାରଙ୍କୁ ସମାଲୋଚନା କରିଥିଲେ।
କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଥିଲେ ଯେ ସରକାର ତଥ୍ୟ ଲୁଚାଇଥିଲେ ଏବେ ସତ୍ ସାମ୍ନାକୁ ଆସିଛି। କୋଭିଡ ପରିଚାଳନାରେ ମଡେଲ କହୁଥିବା ରାଜ୍ୟ ସରକାରଙ୍କ ଏହା ହେଉଛି ପାରିବା ପଣିଆ।
ବିରୋଧିଦଳ ମୁଖ୍ୟ ସଚେତକ ମୋହନ ମାଝି ସରକାରଙ୍କୁ ସମାଲୋଚନା କରିଥିଲେ। ଅଧିକ ମୃତ୍ୟୁ ସଂଖ୍ୟା ହୋଇଛି କିନ୍ତୁ ସରକାର ତଥ୍ୟ ଲୁଚାଉଛନ୍ତି। ରାଜସ୍ବ ମନ୍ତ୍ରୀ କହିଛନ୍ତି ଯେଉଁ ତଥ୍ୟ ଠିକ୍ ରାଜ୍ୟ ରାଜ୍ୟ ସରକାର ଦେଇଛନ୍ତି। ଯଦି ବିରୋଧୀଙ୍କ ପାଖରେ କିଛି ତଥ୍ୟ ଅଛି ଦିଅନ୍ତୁ। ସରକାର ସବୁ ପ୍ରକାର ବିପର୍ଯ୍ୟୟକୁ ସଠିକ୍ ଭାବେ ପରିଚାଳନା କରୁଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।