News18 Odia Digital
ଭୁବନେଶ୍ବର: ଭଲ ଖାଇବା କାହାକୁ ବା ଭଲ ନ ଲାଗେ? ଭଳିକି ଭଳି ଖାଦ୍ୟ ଖାଇବାରେ ସଭିଙ୍କ ରୁଚି ଥିବା ବେଳେ ଯଦି ଗୋଟିଏ ଜାଗାରେ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ଖାଦ୍ୟ ଖାଇବାର ସୁଯୋଗ ମିଳେ, ଖୁସି ଦ୍ବିଗୁଣିତ ହୋଇଯାଏ । ଠିକ୍ ସେମିତି ଏକ ସୁଯୋଗ ଆଣିଦେଇଛି ରାଜଧାନୀରେ ଲାଗିଥିବା ଆଦିବାସୀ ମେଳା ।
ପ୍ରଦର୍ଶନୀ ପଡ଼ିଆରେ ଗଣତନ୍ତ୍ର ଦିବସରୁ ଆରମ୍ଭ ହୋଇଥିବା ଏହି ମେଳାରେ ପ୍ରଥମ ଥର ପାଇଁ ରାଜ୍ୟ ବାହାରର ଆଦିବାସୀମାନଙ୍କର ପାରମ୍ପରିକ ଖାଦ୍ୟର ପସରା ଲାଗିଛି । ଏହାକୁ ନେଇ ଭାରି ଉତ୍ସାହିତ ରାଜଧାନୀବାସୀ ।
ଝାଡ଼ଖଣ୍ଡର ପ୍ରସିଦ୍ଧ ଖାଦ୍ୟ ଢ଼ୁସ୍କା ବରାର ମହକ ଉଡ଼ୁଛି ଆଦିବାସୀ ମେଳାରେ । ଆଗରୁ ଏମିତି ଖାଦ୍ୟର ନାଆଁ ଶୁଣି ନ ଥିବା ଲୋକେ ବି ଥରେ ବୁଲି ଦେଖୁଛନ୍ତି ଏହି ଖାଦ୍ୟକୁ । ଅରୁଆ ଚ଼ାଉଳ ଓ ଚ଼ଣା ଡାଲିରେ ତିଆରି ହୋଇଛି ସ୍ବତନ୍ତ୍ର କିସମର ଏହି ବରା । ତା’ ସାଙ୍ଗକୁ ରକମ ରକମର ଚ଼ଟଣୀ ଓ ତରକାରୀ । ପ୍ଲେଟ୍ ୫୦ ଟଙ୍କା ହେଲେ ବି ଖାଇବାକୁ ବେଶ୍ ଭିଡ଼ ଦେଖିବାକୁ ମିଳିଛି ଏହି ମେଳାରେ ।
‘‘ଝାଡ଼ଖଣ୍ଡର ପ୍ରସିଦ୍ଧ ଷ୍ଚ୍ରିଟ୍ ଫୁଡ୍ ଏ ଢ଼ୁସ୍କା ବରା । ଓଡ଼ିଶାରେ ବି ଲୋକଙ୍କୁ ପସନ୍ଦ ଆସୁଛି ଦେଖି ଖୁସି ଲାଗୁଛି । ଏହି ମେଳାରେ ଢ଼ୁସ୍କା ବରାରୁ ଭଲ ବେପାର ହେଉଛି,’’ କହିଛନ୍ତି ପ୍ରଥମ କରି ଏହି ମେଳାକୁ ଆସିଥିବା ଝାଡ଼ଖଣ୍ଡର ବ୍ୟବସାୟୀ ସବିତା ସୋରେନ ।
ସେହି ଭଳି ମିଜୋରାମ, ଆସାମ, ମଣିପୁର, ମେଘାଳୟ, ତ୍ରିପୁରା ଓ ହିମାଚଳ ପ୍ରଦେଶ ଭଳି ବିଭିନ୍ନ ରାଜ୍ୟର ପାରମ୍ପରିକ ଖାଦ୍ୟର ପସରା ମେଲିଛି ଏହି ଆଦିବାସୀ ମେଳାରେ । ହିମାଚ଼ଳ ପ୍ରଦେଶର ପୂଜା ଓ ପର୍ବପର୍ବାଣୀରେ ଲୋକେ ଖାଉଥିବା ପାରମ୍ପରିକ ଖାଦ୍ୟ ସିଦ୍ଦୁ, ବେରୱା ରୋଟି, ବବ୍ରୁ ଓ ମୋମୋ ଭଳି ଖାଦ୍ୟ ନେଇ ଆସିଛନ୍ତି ଏର ଆଦିବାସୀ ପ୍ରଜାତିର ଲୋକେ । ଦାମ୍ ବି ବେଶ୍ ଅଧିକ ରହିଛି ।
ମେଘାଳୟର ପିଠା ଓ ବିନା ତେଲ ମସଲାରେ ତିଆରି ତ୍ରିପୁରାର ଚିକେନ୍ ତରକାରି ବି ଆସିଛି ମେଳାକୁ । ଏହି ତରକାରୀକୁ ଆଲୋମ୍ କୁହାଯାଏ । ପ୍ରଥମ ଥର ପାଇଁ ଓଡ଼ିଶାର ଏତେ ବଡ଼ ମେଳାରେ ଷ୍ଟଲ ପାଇ ବେଶ୍ ଖୁସି ହୋଇଛନ୍ତି ବ୍ୟବସାୟୀମାନେ ।
ଖାସ୍ ଖାଇବା ପାଇଁ ଆଦିବାସୀ ମେଳାରେ ସନ୍ଧ୍ୟା ହେଲେ ଜମୁଛି ଭିଡ଼ । କିଣା ବିକା ସାଙ୍ଗକୁ ଖାଇବା ପିଇବା ଓ ପାରମ୍ପରିକ ଆଦିବାସୀ ନୃତ୍ୟ ଗୀତର ମଜା ନେଉଛନ୍ତି ରାଜଧାନୀବାସୀ । ତେବେ ଖାଇବା ଜିନିଷଗୁଡ଼ିକର ଦାମ୍ ବେଶ୍ ଅଧିକ ରହିଛି ବୋଲି କହିଛନ୍ତି ଅଧିକାଂଶ ରାଜଧାନୀବାସୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।