News18 Odia Digital
ଭୁବନେଶ୍ବର: ଶନିବାର ସୁଦ୍ଧା ରାଜ୍ୟରେ ୦-୧୮ ବୟସ ମଧ୍ୟରେ ୯୦, ୫୭୯ ଜଣ କୋଭିଡ ସଂକ୍ରମିତ ହୋଇଥିବା ବେଳେ, ଯୁବ ବର୍ଗ ୧୯-୪୦ ବର୍ଷ ମଧ୍ୟ ୫ ଲକ୍ଷ ୩୭ ହଜାର ୧୪୦ ଜଣ ଓ ଉଚ୍ଚ ମଧ୍ୟ ବୟସ୍କ ୪୧-୬୦ ଭିତରେ ୩ ଲକ୍ଷ ୨୦ ହଜାର ୭୨୧ ଓ ୬୦ ବର୍ଷରୁ ଅଧିକ ୯୮ ହଜାର ୩୫୮ ଜଣ କୋଭିଡ ସଂକ୍ରମିତ ହୋଇଛନ୍ତି। ରାଜ୍ୟରେ ଏଯାବତ ୨ କୋଟି ୩୧ ଲକ୍ଷ ୭୭ ହଜାର ୯୫୩ ଜଣ କୋଭିଡ ଟେଷ୍ଟ କରିଛନ୍ତି।
ଏହା ସହ ରାଜ୍ୟରେ ୮୨ ପ୍ରତିଶତ ଲୋକଙ୍କର ସରିଛି ଟିକାକରଣ। ତେବେ ଟିକାକରଣ ନେଇ ଆସୁଛି ଭିନ୍ନ ମତ। ଦ୍ବିତୀୟ ଡୋଜ ପରେ ତୃତୀୟ ବା ବୁଷ୍ଟର ଡୋଜର ଆବଶ୍ୟକତା ଅଛି କି ? ଏହାକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, "ରାଜ୍ୟରେ କରୋନା କମିଛି। ଭଲ ସ୍ଥିତିରେ ଅଛି ଓଡ଼ିଶା। ବୁଷ୍ଟର ଡୋଜକୁ ନେଇ ଭିନ୍ନ ଭିନ୍ନ ମତ ଆସିଛି। କିଏ କିଏ କହୁଛନ୍ତି ଏହା ତୃତୀୟ ଡୋଜ। ଛଅ ମାସ ପରେ ଏହି ଡୋଜ ନେବକୁ ପଡ଼ିଥାଏ। ତେବେ ଏହା କାହା ଲାଗି ଦରକାର ପଡୁଛି ତ କେହି ଜାଣିନାହାଁନ୍ତି। ଏଥି ଲାଗି ନ୍ୟାସନାଲ ଟାସ୍କଫୋର୍ସ ସେ ଦିଗରେ ଚିନ୍ତା କରୁଛି। କେନ୍ଦ୍ର ଯାହା ନିଷ୍ପତ୍ତି ନେବେ ଓ ବିଭିନ୍ନ ରାଜ୍ୟକୁ ଗାଇଡ଼ଲାଇନ ଦେବେ ସେ ଦିଗରେ ଆଗକୁ ବଢ଼ିବ ରାଜ୍ୟ।"
ସେପଟେ ଗରିବ ରାଷ୍ଟ୍ରଗୁଡ଼ିକ ଟିକା ଲାଗି ବ୍ୟାକୁଳ ହେଉଥିବା ବେଳେ କିଛି ରାଷ୍ଟ୍ର ବୁଷ୍ଟର ଡୋଜ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ଏହା ଏକ ସ୍କାଣ୍ଡାଲ ଓ ଟିକା କ୍ଷେତ୍ରରେ ସହାନୁଭୂତିଶୀଳ ହେବା ଲାଗି ଆହ୍ବାନ ଦେଇଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ।
ବିଶ୍ବ ସ୍ୱାସ୍ଥ୍ୟ ସଙ୍ଗଠନ ମହା ନିର୍ଦ୍ଦେଶକ ଟେଡରସ ଅଧନମ କହିଛନ୍ତି, "ସର୍ବାଧିକ ଟିକାକରଣ କରିଥିବା ଦେଶ ଗୁଡ଼ିକ ଅଧିକ ଟିକା ସଂଗ୍ରହ କରୁଛନ୍ତି । କିନ୍ତୁ କମ୍ ଆୟକରୀ ରାଷ୍ଟ୍ର, ଗରିବ ରାଷ୍ଟ୍ର ପ୍ରଥମ ଡୋଜ ବି ପାଇନାହାଁନ୍ତି । ଅନ୍ୟପଟେ ବିଶ୍ବସ୍ତରରେ ୬ ଗୁଣ ଅଧିକା ବୁଷ୍ଟର ଡୋଜ ଦିଆଯାଉଛି । ପିଲା ଓ ସ୍ବାସ୍ଥ୍ୟବାନ ଲୋକଙ୍କୁ ବୁଷ୍ଟର ଡୋଜ ଦେବାର କୌଣସି ଜରୁରୀ ଆବଶ୍ୟକତା ନାହିଁ ବରଂ ସ୍ବାସ୍ଥ୍ୟକର୍ମୀ, ବୟସ୍କ, ଅଧିକ ଗୁରୁତର ରୋଗୀ ପ୍ରମୁଖଙ୍କୁ ଟିକା ଦେବାର ଆବଶ୍ୟକତା ରହିଛି।"
ୟୁରୋପରେ କୋଭିଡ କମିବାର ନାଁ ନେଉନାହିଁ । ନିକଟରେ ୨୦ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଗତ ସପ୍ତାହରେ ମଧ୍ୟ ୨୭,୦୦୦ ଲୋକ ପ୍ରାଣ ହରାଇଛନ୍ତି । ଯାହାକି ସାରା ବିଶ୍ବରେ ଗତ ସପ୍ତାହରେ ମୃତ୍ୟୁ ସଂଖ୍ୟାର ଅଧା । ତେଣୁ ଯେଉଁ ସବୁ ରାଷ୍ଟ୍ର ଟିକା ଅଭାବରୁ ଜଟିଳ ସ୍ଥିତିରେ ପଡ଼ିନ୍ତି ସେମାନଙ୍କ ପ୍ରତି ସହାନୁଭୂତିଶୀଳ ହେବା ଲାଗି ସେ ଆହ୍ବାନ ଦେଇଛନ୍ତି । ଗତ ସପ୍ତାହରେ ୧୪୪ଟି ରାଷ୍ଟ୍ରକୁ ୫୦୦ ନିୟୁତ ଟିକା ପଠାଯାଇଛି । ସେପଟେ ମିଳିମିଳା ଲାଗି ମଧ୍ୟ ଟିକାର ଅଭାବ ଦେଖାଦେଇଛି । ଗତ ବର୍ଷ ୨୨ ନିୟୁତ ଶିଶୁଙ୍କୁ ଏହି ଟିକା ଦିଆଯାଇପାରି ନଥିଲା ବୋଲି ସେ କହିଛନ୍ତି। ଏହାରି ଭିତରେ ଯଦି ଭାରତ କଥା କହିବା ତାହାଲେ ଭାରତ ଏ ପର୍ଯ୍ୟନ୍ତ ବୁଷ୍ଟର ଡୋଜକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଭାରତ ସରକାର ଏବେ ପ୍ରଥମ ଓ ଦ୍ବିତୀୟ ଡୋଜ୍ କଭରେଜକୁ ବଢ଼ାଇବା ଉପରେ ଗୁରୁତ୍ବ ଦେଇଛନ୍ତି ।
ସେହିପରି ଅନେକ ଅନେକ ରାଜ୍ୟ ଓ ସ୍ବାସ୍ଥ୍ୟ ବିଶେଷଜ୍ଞ ବୁଷ୍ଟର ଡୋଜ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ମୁଖ୍ୟତଃ ସ୍ବାସ୍ଥ୍ୟ କର୍ମୀ ଓ ବୃଦ୍ଧମାନଙ୍କୁ ବୁଷ୍ଟର ଡୋଜ୍ ଦେବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଅନ୍ୟପଟେ ୧୦୦ରୁ ଅଧିକ ଦେଶରେ ଏବେ ବି ସେମାନଙ୍କ ଜନସଂଖ୍ୟାର ୪୦ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇପାରିନାହିଁ । ତେବେ ଏପରି ସ୍ଥିତିରେ ପ୍ରତ୍ୟେକ ଦେଶର ୪୦ ପ୍ରତିଶତ ଲୋକଙ୍କୁ ଟିକାକରଣ କରିବାକୁ ହେଲେ ୫୫୦ ନିୟୁତ ଡୋଜ୍ ଟିକା ଆବଶ୍ୟକ ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ।
ଏହି ବୁଷ୍ଟର ଡୋଜକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ସୂର୍ଯ୍ୟ ପ୍ରକାଶ ଚୌଧରିଙ୍କ କହିଥିଲେ, "ଦ୍ବିତୀୟ ଡୋଜ କିଛି ଦିନ ପରେ ଆମ ଶରୀରରେ ଆଣ୍ଟି ବଡି ବା ରୋଗ ପ୍ରତିଶେଧକ କମୁଛି। ତୄତୀୟ ଲହର ଦେଖା ଦେଉଥିବା ଦେଶ ରଷିଆ,ଚୀନ, ୟୁରୋପୀୟ ଦେଶରେ ଥାର୍ଡ଼ ଡୋଜ ଦେବା ଆରମ୍ଭ ହେଲାଣି। ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିଲା ପ୍ରଥମ ଡୋଜ ଟିକାକରଣ। କେତେ ଶୀଘ୍ର ସମସ୍ତଙ୍କୁ ଦୁଇଟି ଡୋଜ ଟିକା ଦେବା ସହ ତୃତୀୟ ଡୋଜ ଟିକା ନେଇ ବି ଚିନ୍ତା କରିବା ଦରକାର। କାରଣ ଦୁଇଟି ଡୋଜ ନେଲା ପରେ ବି କରୋନା ହେଉଛି। ତେଣୁ ତୄତୀୟ ବା ବୁଷ୍ଟର ଡୋଜ ନେବା ନିହାତି ଜରୁରି।"
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।