News18 Odia Digital
ପୁରୀ: ବିପଦରେ ଶ୍ରୀମନ୍ଦିରର ନାଟମଣ୍ଡପ । ଜଗମୋହନ ଓ ନାଟମଣ୍ଡପ ସଂଯୋଗ ସ୍ଥଳରେ ସୃଷ୍ଟି ହୋଇଥିବା ଫାଟ ଏବେ ଦିନକୁ ଦିନ ମେଲିବାରେ ଲାଗିଛି। ଏହି ଫାଟର ସ୍ଥିତି ଯାଞ୍ଚ ପାଇଁ ରବିବାର ଦିନ ଏଏସଆଇର ଉଚ୍ଚସ୍ତରୀୟ ଟିମ ଶ୍ରୀମନ୍ଦିର ଆସି କରିବେ ଅନୁଧ୍ୟାନ କରିବେ।
ବର୍ଷା ଦିନ ପାଣି ଗଳୁଥିବାରୁ ସ୍ଥିତି ଆନୁଧ୍ଯାନ ପାଇଁ ଏଏସଆଇ ପକ୍ଷରୁ ୨୦୧୮ ରେ ଲଗାଯାଇଥିଲା କ୍ରାକ ମିଟର । କ୍ରାକ ମିଟର ରିଡିଙ୍ଗ ଅନୁସାରେ ଫାଟ ମେଲୁଥିବା ତଥ୍ଯ ମିଳିଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଏହାର ମରାମତି ନେଇ ଏଏସଆଇକୁ ଚିଠି କରିଥିଲା।ଏଏସଆଇର ଅବହେଳାକୁ ନେଇ ଆଗାମୀ ୫ ବର୍ଷ ଯାଏଁ ଶ୍ରୀମନ୍ଦିରରେ କଣ କଣ କାର୍ଯ୍ଯ କରିବେ ତାହା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ତାଗିଦ କରାଯାଇଥିଲା ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ଯ ।
"ରବିବାର ଦିନ ଶ୍ରୀମନ୍ଦିରର ସ୍ଥିତି ଅନୁଧ୍ଯାନ କରିବେ ଏଏସଆଇର ଉଚ୍ଚସ୍ତରୀୟ ବୈଷୟିକ ଟିମ। ନାଟମଣ୍ଡପ କ୍ରାକ ବିମ ଷ୍ଟୋନ, ପକେଟ ଓ ଜଗମୋହନର ବାହାର କାର୍ଯ୍ଯ ଆଦିର ଅନୁଧ୍ଯାନ କରାଯିବ। ଏଥିରେ ଏଏସଆଇର ଆଇଆଇଟି ମାଡ୍ରାସର ବିଶେଷଜ୍ଞ ଅରୁଣ ମେନନ, ଏଏସଆଇ ଅତିରିକ୍ତ ଡିଜି, କେମିକାଲ ଏକ୍ସପର୍ଟ , ସିବିଆରଆଇର ବିଶେଷଜ୍ଞ ଓ ଶ୍ରୀମନ୍ଦିର ବୈଷୟିକ କୋର କମିଟିଙ୍କୁ ନେଇ ଅନୁଧ୍ଯାନ କରାଯିବ।
ରବିବାର ଦିନ ଗୋଟାଏ ବେଳେ ନାଟମଣ୍ଡପର ଫାଟ ଯାଞ୍ଚ ପରେ ଏକ ବୈଠକ କରାଯିବ। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ବିଶେଷଜ୍ଞ ଟିମ ଶ୍ରୀମନ୍ଦିର ନାଟମଣ୍ଡପ ଫାଟରେ ଥିବା ବିପଦ ପରଖିବ। ଶ୍ରୀମନ୍ଦିର ନାଟମଣ୍ଡପ ସ୍ତମ୍ଭରେ ଥିବା ବିମର ମରାମତି ସମ୍ପର୍କରେ ହେବ ସବିଶେଷ ଆଲୋଚନା। ଏହି ଟିମର ଅନୁଧ୍ୟାନ ସମୟରେ ଏଏସଆଇ,ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟସରକାରଙ୍କ ପ୍ରତିନିଧିଙ୍କ ବ୍ୟତୀତ ବିଶେଷଜ୍ଞମାନେ ମଧ୍ୟ ଉପସ୍ଥିତ ରହିବେ । ନାଟମଣ୍ଡପ ବିମରେ ଥିବା ଫାଟ ମେଲୁଛି କି ନାହିଁ ତାହାର ତର୍ଜମା ହେବ।ଗରୁଡ଼ ସ୍ତମ୍ଭ ଉପର ବିମରେ ଉପୁଜିଥିବା ଫାଟ ପ୍ରସଙ୍ଗ ମଧ୍ୟ ଉଠିବ। ଫାଟ ମେଳୁଛି କି ନାହିଁ ଏବଂ ବିପଦ ରହିଛି କି ନାହିଁ କ୍ରାକ ମିଟର ରିଡିଙ୍ଗ ମାଧ୍ୟମରେ ତର୍ଜମା ହେବ ।
ସେପଟେ ପୂର୍ବରୁ ସେପ୍ଟେମ୍ବର ୧୭ରେ ହାଇକୋର୍ଟଙ୍କ ନିର୍ଦେଶକ୍ରମେ ଆମିକସ କ୍ୟୁରି ଏନକେ ମହାନ୍ତି ଆସି ନାଟମଣ୍ଡପ ସ୍ଥିତି ଅନୁଧ୍ୟାନ କରିଥିଲେ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ।
ମାର୍ଚ୍ଚ ୨୦୨୩ ସୁଦ୍ଧା ନାଟମଣ୍ଡପର ମରାମତି କାର୍ଯ୍ୟ ସାରିବାକୁ ଏଏସଆଇକୁ ଆମିକସ କ୍ଯୁରି ନିର୍ଦେଶ ଦେଇଥିଲେ ବୋଲି କହିଛନ୍ତି ଶ୍ରୀମନ୍ଦିର ବୈଷୟିକ କୋର କମିଟି ଅଧ୍ଯକ୍ଷ ଡଃ ଏନ ସି ପାଲ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।