News18 Odia Digital
ନବରଙ୍ଗପୁର: ଭଙ୍ଗା ଚେୟାର ଧରି ଡହଡହ ଖରାରେ ପେନସନ ନେବା ପାଇଁ ଚାଲିଚାଲି ଆସି ଚର୍ଚ୍ଚାକୁ ଆସିଥିଲେ ସୂର୍ଯ୍ଯ ହରିଜନ । ତାଙ୍କର ଏହି ସଂଘର୍ଷର ଏକ ଛୋଟ କ୍ଲିପ ସାମ୍ନାକୁ ଆସିବା ପରେ ଅର୍ଥମନ୍ତ୍ରୀ ମଧ୍ଯ ଉଦବେଗ ପ୍ରକାଶ କରିଥିଲେ । କିନ୍ତୁ ପରିତାପ ବିଷୟ, ଆଖି ବୁଜିଛନ୍ତି ସୂର୍ଯ୍ଯ ।
ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ବାଣୁଆଗୁଡ଼ା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ରହୁଥିଲେ ସୂର୍ଯ୍ୟ ହରିଜନ । ଘରଠାରୁ ମାତ୍ର ୧୦ରୁ ୧୫ ମିଟର ଦୂରରେ ରହିଛି ପଞ୍ଚାୟତ କାର୍ଯ୍ୟାଳୟ ଓ କିଓସ୍କ ବ୍ୟାଙ୍କ । ହେଲେ ସେ ସେଠାରୁ ଉଠାଇ ପାରୁନଥିଲେ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା । ବାୟୋମ୍ୟାଟ୍ରିକ୍ ମ୍ୟାଚ୍ କରୁନଥିବାରୁ ସୂର୍ଯ୍ୟଙ୍କୁ ମିଳୁନଥିଲା ଭତ୍ତା ଟଙ୍କା ।
ଟଙ୍କା ଉଠାଇବାକୁ ଯିବା ସମୟର ଭିଡିଓଟିକୁ ଦେଖିବା ପରେ ଏସବିଆଇକୁ ତାଗିଦ କରି ଟ୍ୱିଟ୍ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଭିଡିଓକୁ ସେୟାର କରି ନିର୍ମଳା ସୀତାରମଣ ଏନେଇ ଷ୍ଟେଟ ବ୍ୟାଙ୍କ ଅବଗତ ଅଛନ୍ତି କି ନାହିଁ ଏବଂ ମାନବିକତା ଦୃଷ୍ଟିରୁ କଣ ପଦକ୍ଷେପ ନେଇଛନ୍ତି କି ବୋଲି ପ୍ରଶ୍ନ କରିଥିଲେ ।
ନିର୍ମଳା ସୀତାରମଣଙ୍କ ଟ୍ୱିଟ ପରେ ତତ୍ପର ହୋଇଉଠିଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ । ଟ୍ୱିଟ୍ ପରେ ସୂର୍ଯ୍ୟ ହରିଜନଙ୍କ ଘରେ ପହଞ୍ଚିଥିଲା ବ୍ୟାଙ୍କ୍ । ଝରିଗାଁ ଏସବିଆଇ ବ୍ୟାଙ୍କର ମ୍ୟାନେଜର ଓ ଅନ୍ୟ କର୍ମଚାରୀ ବଣୁଆଗୁଡ଼ାରେ ପହଁଚିଥିଲେ । ତୁରନ୍ତ ୬ମାସର ପେନସନ୍ ଦିଆଯିବା ସହ ପେନସନ୍ ରାଶି ୫୦୦ରୁ ୭୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।